୨୭ତମ ସଂଖ୍ୟା କୋଣାର୍କ ୧୯୭୪

 

 

 

କୋଣାର୍କ

୨୭ତମ ସଂଖ୍ୟା କୋଣାର୍କ ୧୯୭୪

 

 

 

 

 

 

 

 

 

 

 

 

ଓଡ଼ିଶା ସାହିତ୍ୟ ଏକାଡ଼େମୀର

 

ସୂଚୀପତ୍ର

 

ପ୍ରବନ୍ଧ

୧.

ଦୀପଦାନ

 

ଅଧ୍ୟାପକ ଚିନ୍ତାମଣି ବେହେରା

୨.

ଧନଞ୍ଜୟ ଭଞ୍ଜ ଓ ଶ୍ରୀରାମ ବିଳାସ

 

ପ୍ରଫେସର ଡକ୍ଟର ବଂଶୀଧର ମହାନ୍ତି

୩.

ଓଡ଼ିଆ ସାହିତ୍ୟରେ ସ୍ୱଦେଶ ପ୍ରୀତି

 

ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର

୪.

କବି ଶ୍ରୀ ଗୁରୁପ୍ରସାଦ ମହାନ୍ତିଙ୍କର କାବ୍ୟ ଦର୍ଶନ

 

ଅଧ୍ୟାପକ ଚୈତନ୍ୟପ୍ରସାଦ ସେଠୀ

୫.

ସୂରି-ସର୍ବସ୍ୱ ପରିଚୟ (ତିନି)

 

ଶ୍ରୀ ଭଗବାନ ପଣ୍ଡା

୬.

ଯାତ୍ରାର ଜାତକ

 

ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ

୭.

ଶକୁନ ଗ୍ରନ୍ଥ, ଯୋଗୀନ୍ଦ୍ରଙ୍କ ଅଦ୍ଭୂତ ସାର ଓ କେତୋଟି ସମସ୍ୟା

 

ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ

ଗଳ୍ପ

୧.

ଚୂନି ମିଆଁଙ୍କ ବଳଦ

 

ଶ୍ରୀ କମଳାକାନ୍ତ ଦାଶ

କବିତା

୧.

ଫୁଟନ୍ତା ଗୋଲାପ

 

ଅଧ୍ୟାପକ ଜାନକୀବଲ୍ଲଭ ମହାନ୍ତି

ସାହିତ୍ୟ ସମ୍ବାଦ ଓ ସମ୍ପାଦକୀୟ

Image

 

ମାନସିଂଙ୍କ ଶୋକସଭାରେ ପଠିତ

 

ଦୀପଦାନ

ଅଧ୍ୟାପକ ଶ୍ରୀ ଚିନ୍ତାମଣି ବେହେରା

 

କବି ମାନସିଂ ଆଜି ନାହାନ୍ତି । ସେ ତ କେବଳ ଜଣେ କବି ନ ଥିଲେ, ସେ ଥିଲେ ଜଣେ ଶିକ୍ଷାବିତ୍‌, ପ୍ରାବନ୍ଧିକ, ସମୀକ୍ଷକ ଏବଂ ସର୍ବୋପରି ଭାରତୀୟ ତଥା ଉତ୍କଳୀୟ ସଂସ୍କୃତିର ଏକନିଷ୍ଠ ପୂଜାରୀ ଜଣେ ଦରଦୀ ମରମୀ ଓ ମାନବବାଦୀ ଶିଳ୍ପୀ । ସ୍ୱଦେଶୀୟ ସଂସ୍କୃତିର ଦର୍ପଣରେ ସେ ଦେଖିଛନ୍ତି ବିଶ୍ୱମାନବର ପ୍ରତିଚ୍ଛବି ଏବଂ ବିଶ୍ୱମାନବର ପଟ୍ଟଭୂମିରେ ସେ ଚିହ୍ନାଇଛନ୍ତି ସ୍ୱଦେଶୀ ମନୁଷ୍ୟର ଚିତ୍ର ଓ ଚରିତ୍ର । ସେ ଚିତ୍ର ଓ ଚରିତ୍ରର ପରିପୂର୍ଣ୍ଣତା, ତାଙ୍କ ସୃଷ୍ଟିର କାଳୋତ୍ତୀର୍ଣ୍ଣତା ଆଜି ବିଚାର କରିବ ମହାକାଳ; କିନ୍ତୁ ଏକଥା ସ୍ୱତଃସିଦ୍ଧ ଯେ ମାନସିଂଙ୍କ ମହାଯାତ୍ରା ସହିତ ଓଡ଼ିଆ କାବ୍ୟସାହିତ୍ୟରେ ଗୀତି କବିତାର ସ୍ୱର୍ଣ୍ଣଯୁଗର ପରିସମାପ୍ତି ଏବେ ଘଟିଲା ଏବଂ ଓଡ଼ିଆ ଗୀତିସାହିତ୍ୟ ତାର ମହତ୍ତମ କାବ୍ୟ-ପ୍ରତିଭା ସହିତ ଜଣେ ବିଦଗ୍‌ଧ ଓ ଉଜ୍ଜ୍ୱଳ କାବ୍ୟପୁରୁଷଙ୍କୁ ଚିରକାଳ ପାଇଁ ହରାଇଲା । ତାଙ୍କର ବ୍ୟକ୍ତି-ଜୀବନ ଥିଲା ତାଙ୍କର ବାଣୀଜୀବନ ଏବଂ ତାଙ୍କର ବାଣୀ-ଜୀବନ ଥିଲା ତାଙ୍କର ବ୍ୟକ୍ତି-ଜୀବନ । ବ୍ୟକ୍ତିତ୍ୱ ଓ ଚରିତ୍ର ସହିତ ବାଣୀ-ଜୀବନର ଏପରି ଅପୂର୍ବ ସମନ୍ୱୟ ଦୁହିଁଙ୍କର ମଣି-କାଞ୍ଚନ ସଂଯୋଗ ତଥାକଥିତ ଆଧୁନିକତାର ପୂଜାରୀ ସମକାଳୀନ ବହୁ ସ୍ରଷ୍ଟାମାନଙ୍କ ନିକଟରେ ବିରଳ । ନିଜର ଚିନ୍ତା ଓ କର୍ମରେ ସେ ଥିଲେ ଅକୁତୋଭୟ, ସ୍ପଷ୍ଟବାଦୀ, ସତ୍ୟଦ୍ରଷ୍ଟା ଏବଂ ଈଶ୍ୱରଙ୍କର ସେ ଥିଲେ ଜଣେ ବିନୀତ ଭକ୍ତ । ତାଙ୍କର ଈଶ୍ୱର-କଳ୍ପନା ଥିଲା ଆଲୋକ ପରି ମୁକ୍ତ, ଉଦାର ଓ ପରିବ୍ୟାପ୍ତ । ଅନ୍ତର ମଧ୍ୟରେ ଅନ୍ତର୍ଯ୍ୟାମୀର ଅନୁସନ୍ଧାନ ଥିଲା ତାଙ୍କ ଜୀବନର ମନ୍ତ୍ର ଓ ଦିଗ୍‌ଦର୍ଶନ । ପ୍ରେମହିଁ ଥିଲା ତାଙ୍କ ସକଳ ସୃଷ୍ଟି ରହସ୍ୟର ଯାଦୁକାଠି-। ତାଙ୍କ ଅମାୟିକ ବ୍ୟକ୍ତିତ୍ୱର ସଂସ୍ପର୍ଶ ଓ ସାନ୍ନିଧ୍ୟରେ ଯେ ଆସିଛି, ତାଙ୍କ ମନ ଖୋଲା ଉଚ୍ଛଳ ହସ ଯେ ଥରେ ଅନୁଭବ କରିଚି, ଯେ ତାଙ୍କର କମନୀୟ, କଳାବନ୍ତ ଓ ପୌରୁଷଦୀପ୍ତ ଚେହେରାକୁ ଥରେ ନିରୀକ୍ଷଣ କରିଛି, ସେ ତାଙ୍କୁ ବିସ୍ତୃତ ହେବାର ନୁହେଁ । ସେ ନିଜେ ଯେପରି ଗୁଣୀ, ତାଙ୍କର ଗୁଣଗ୍ରାହକତାର ପଟାନ୍ତର ମଧ୍ୟ ସେହିପରି ବିରଳ । ସେ ନିଜେ ଯେପରି ବିବେକୀ, ବିବେକୀ ଗ୍ରାହକଟିଏ ପାଇଲେ ତା ସହିତ ସେହିପରି ସଖ୍ୟ ଓ ମୈତ୍ରୀ ସ୍ଥାପନ କରିବାକୁ ସେ ଆଗ୍ରହୀ । ବୟସ, ବଂଶ, ଜାତି, ଗୋତ୍ର ବା ଗୋଷ୍ଠି ପ୍ରଭୃତି ବିଚାର ନ କରି ସେ ଯଥାର୍ଥରେ ଥିଲେ ଜଣେ ପ୍ରତିଭା ଚିହ୍ନରା ଯାହାକି ସମକାଳୀନ ଯୁଗ, ବିଶେଷତଃ ଉତ୍କଳୀୟ ପରିବେଶ ମଧ୍ୟରେ ଦୁର୍ଲ୍ଲଭ । ଯାହାଙ୍କର ବ୍ୟକ୍ତିତ୍ୱ, ସାଧନା ଓ ପ୍ରତିଭା ଏହିପରି ଉତ୍ତୁଙ୍ଗ ଓ ମହନୀୟ, ତାଙ୍କୁ ଯଥାର୍ଥରେ ଆମେ କଅଣ ଚିହ୍ନି ପାରିଲୁ କି ? ଯଦିବା ଚିହ୍ନିଥାଉଁ, ହୀନମନ୍ୟତାର ବ୍ୟାଧିରେ ପୀଡ଼ିତ ଆମେ ତାଙ୍କୁ ଯୋଗ୍ୟ ସମ୍ମାନ ଦେଇ ପାରିଲୁ କି ? ଜୀବଦ୍ଦଶାରେ ତାଙ୍କୁ କ୍ଷତବିକ୍ଷତ କରିବାରେ ଆମେ ଯେପରି ତୃପ୍ତି ପାଇଲୁ, ମୃତ୍ୟୁପରେ ସମ୍ବାଦପତ୍ରମାନଙ୍କରେ ଶୋକପ୍ରସ୍ତାବ ଛାପି, ନିଜ ନାମ ପାର୍ଶ୍ୱରେ ବିଶେଷଣ ଯୋଚି ନିଜକୁ ବିଭୁଷଣ କରାଇବାର ଆତ୍ମସନ୍ତୋଷ ସେହିପରି ଲାଭକଲୁ । ବିଚିତ୍ର ଏ ଦେଶ, ବିଚିତ୍ର ଏ ଜାତିର ଚରିତ୍ର । ଔପନ୍ୟାସିକ ଜୋଲାଙ୍କୁ ଲକ୍ଷ୍ୟକରି ଆନାତୋଲା ପ୍ରାଁ କହିଲା ପରି ଆଜି କହିବା ପାଇଁ ଇଚ୍ଛା ହେଉଛି-

 

‘‘Mansinha was good. He had the candor and simplicity of great souls. He was profoundly moral. In his last books he revealed completely his fervent love for humanity. He sought to divine and to foresee a better society.’’

 

ପୁଣି ମାନସିଂଙ୍କ ପ୍ରୟାଣରେ ମଧ୍ୟ ଜୋଲାଙ୍କ ମୃତ୍ୟୁରେ ପ୍ରାଁ ମନ୍ତବ୍ୟ ଦେବାପରି କହିବା ପାଇଁ ଇଚ୍ଛା ହେଉଛି-

 

‘‘Envy him ! He has honoured his country. Envy him his destiny and his heart, waich made his lot that of the greatest, he was a moment of the conscience of mankind !’’

 

ବାସ୍ତବରେ ମାନସିଂ ଥିଲେ ମାନବ ଜାତିର ବିବେକବୋଧର ଇତିହାସରେ ଏକ ମୂର୍ତ୍ତିମନ୍ତ ଉଜ୍ଜ୍ୱଳ ମୁହୂର୍ତ୍ତ । ସେ ଆଜି ଓଡ଼ିଆ ଜାତିର ଅମର ଆତ୍ମା ଓ ଅମର ପ୍ରତିଭାମାନଙ୍କର ପଙ୍‌କ୍ତିରେ ସ୍ୱର୍ଗଲୋକରେ ସମାସୀନ । ମହାନଦୀର ଜ୍ୟୋସ୍ନା-ବିହାରୀ କବି ଆଜି ସ୍ୱର୍ଣ୍ଣଦୀ-ସଲିଳର ଅବଗ୍ରାହୀ-। ଏ କଅଣ ଆମର କମ୍‌ ଗର୍ବ, କମ୍‌ ଗୌରବ ? ଚିରକୁମାର ଓ ରସୋଚ୍ଛଳ କବି ହୃଦୟଟି କୁମାର ପୂର୍ଣ୍ଣିମାରେ ସ୍ୱଗୃହକୁ ବାହୁଡ଼ିଗଲା ପୌର୍ଣ୍ଣମାସୀର ଚିରକୁମାର ସଭାରେ ରସର ସଙ୍ଗୀତ ରଚନା କରିବାକୁ । ଏ ବାହୁଡ଼ା ଯାତ୍ରା ଯେପରି କବି-କାଙ୍‌କ୍ଷିତ ଓ ବିଧିନିର୍ଦ୍ଦିଷ୍ଟ । ମଣିଷ ସିନା ସେଦିନ କାନ୍ଦି ପାରିଲା ନାହିଁ, କିନ୍ତୁ କାନ୍ଦି ଉଠିଥିଲା ସେ ଦିନ ଓଡ଼ିଶାର ମାଟି, ପାଣି, ପବନ ଓ ପ୍ରକୃତି ଅଶାନ୍ତ, ବିକ୍ଷତ ଓ ବିକ୍ଷୁବ୍‌ଧ ପ୍ରାଣର ରୁଦ୍ଧୋଚ୍ଛ୍ୱାସ ପ୍ରକାଶ କରି । ରାଧାନାଥଙ୍କ ପରି, ଗଙ୍ଗାଧରଙ୍କ ପରି, ନନ୍ଦକିଶୋରଙ୍କ ପରି, ଗୋଦାବରୀଶଙ୍କ (ମିଶ୍ର) ପରି ଆଉଜଣେ ପ୍ରିୟ ପୁତ୍ରଙ୍କୁ ସେଦିନ ସେ ଯେପରି ହରାଇଲା । ସେଦିନ ତା’ ଜୀବନରେ ପୂର୍ଣ୍ଣିମା ପରିବର୍ତ୍ତେ ଦେଖାଦେଲା ଅମାବାସ୍ୟାର କାଳରାତ୍ରି । ସକାଳେ ଦେଶ ଜାଣିଲା, ଲୋକେ ଶୁଣିଲେ କିପରି ଦେଶ ଓ ଜାତିଗତ କାଳରାତ୍ରିରେ ତାର ବିପୁଳ ଧନଜୀବନ ସହିତ ତାର ମଉଡ଼ମଣି ସଦୃଶ ଏକ ଅମୂଲ୍ୟ ପ୍ରତିଭାକୁ ମଧ୍ୟ ଚିରକାଳ ପାଇଁ ହରାଇଛି । ରାତିରେ ଏ ଦାରୁଣ ଦୁଃସମ୍ବାଦ ‘ଆକାଶବାଣୀ’ର ସାଙ୍ଗେ ସାଙ୍ଗେ ପ୍ରଚାର କରିବା ଅବଶ୍ୟ ଥିଲା ଜାତୀୟ କର୍ତ୍ତବ୍ୟ । ମାତ୍ର ଏ ଦୁଃସମ୍ୱାଦ ସେ ଦିନର ଭୟାବହ ରଜନୀକୁ କରିଥାନ୍ତା ଅଧିକତର ଭୀଷଣ ଓ ଭୟାବହ । ତେଣୁ ସମସ୍ତଙ୍କ ଅଜଣା ଅଶୁଣାରେ ହଠାତ୍‌ ସେ ଯେପରି ଅଲକ୍ଷିତରେ ଚାଲିଗଲେ । ଦୁଃଖ ଉପରେ ଦୁଃଖ ଦେବା ଯେପରି ତାଙ୍କର ଅନ୍ତିମ ଇଚ୍ଛା ନଥିଲା । ସେ ଯେ ଦୁଃଖର ଦରଦୀ, ପୁଣି ଦୁଃଖୀର ରାଜା । ଏପରି ଜୀବନ ବାଦୀ ଓ ମାନବବାଦୀ ଶିଳ୍ପୀ ପୁଣିଥରେ ଆମକୁ ଆଘାତ ହାଣିଥାନ୍ତେ କାହିଁକି ? ସେ ତେଣୁ ଏକା ଏକା ଚାଲିଗଲେ । ଏହାହିଁ ଜଣେ ଯୋଗୀର ତପସ୍ୟା-ଏପରି ମରଣତ ଅମରମାନଙ୍କର ହିଁ ପ୍ରାପ୍ୟ । ବାସ୍ତବିକ୍‌ ମାନସିଂ ଥିଲେ ଜଣେ କବି-ଯୋଗୀ ଓ ତପସ୍ୱୀ-କବି ।

 

ତାଙ୍କ ପ୍ରୟାଣରେ ତାଙ୍କ ପ୍ରତି ଉଦ୍ୟତ ଖଡ଼୍‌ଗର ଅବସାନ ଆଜି ଘଟିଛି । ତାଙ୍କ ଶତ୍ରୁମାନେ ନୀରବ-ଅଥବା ସେମାନେ ଆତ୍ମପ୍ରତିଷ୍ଠା ଓ ଆତ୍ମପ୍ରଖ୍ୟାପନ ପାଇଁ ସଭା ଅଥବା ସମ୍ବାଦପତ୍ରମାନଙ୍କର ଶରଣାର୍ଥୀ କିନ୍ତୁ ଏ ଦେଶର ବିଦଗ୍‌ଧ ପାଠକ, କାବ୍ୟରସିକ ଓ ସମୀକ୍ଷକଙ୍କ ହୃଦୟ-ଜ୍ୟୋସ୍ନାଲୋକରେ ସେ ଚିରକାଳ ଦେଦୀପ୍ୟମାନ । ସେ ପ୍ରତିଭାର କ୍ଷୟ ନାହିଁ, ମୃତ୍ୟୁ ମଧ୍ୟନାହିଁ । ମାତ୍ର ଜନତାର ସରକାର ତାଙ୍କର ପ୍ରୟାଣରେ ଯେପରି ବ୍ୟଥାତୁର ହୁଅନ୍ତା ବା ହୋଇ ପାରିଥାନ୍ତା ତାହା ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ଲକ୍ଷିତ ହୋଇନାହିଁ । ଅଥଚ ପଡ଼ୋଶୀ ଲେଖକ ତାରାଶଙ୍କରଙ୍କ ପାଇଁ ତାଙ୍କ ସରକାର ଓ ସରକାରୀ ଅନୁଷ୍ଠାନ ଯେପରି ସକ୍ରିୟ ହୋଇଉଠିଥିଲେ, ତାହା ନିକଟ ଅତୀତର ଅନୁଭୂତି ଓ ଘଟନା । ଆମେ ପ୍ରତିଭା-ପୂଜା ଆଉ ଶିଖିବୁ କେବେ ଏବଂ ଶିକ୍ଷାବିତ୍‌ ମାନସିଂଙ୍କୁ ଆମେ ଏଥିପାଇଁ କି କୈଫିୟତ୍‌ ଦେବୁ ? ‘ଜଣକର ମରଣରେ ଜାତି ମରିଯାଏ’ ଏ ସତ୍ୟ ଆମେ ଆଉ ଉପଲବ୍‌ଧି କରିବୁ କେବେ ?

 

ଆମେ ଭିକ୍ଷାଶୀ ଜାତି ମାନସିଂଙ୍କଠୁ ଅଧିକ ଆଶା କରି ରହିଥିଲୁ । ସେ ଆଶା ଚିରକାଳ ଅପୂର୍ଣ୍ଣ ରହିଲା । କିନ୍ତୁ ସେ ହୋଇ ସାରିଥିଲେ ସମ୍ପୂର୍ଣ୍ଣ ଏବଂ ସମ୍ପୂର୍ଣ୍ଣଭାବରେ ମଧ୍ୟ ଦେଇସାରିଥିଲେ-। ତେଣୁ ସେ ପୂର୍ଣ୍ଣିମାରେ ସତେ ଚାଲିଗଲେ । କିନ୍ତୁ ତାଙ୍କ ‘ଧରାବତରଣ’ର ସ୍ୱପ୍ନ ଯଦି ସାର୍ଥକ ହୁଏ, ତେବେ ଦେଶ ଓ ଜାତି ପୁଣି ତାଙ୍କୁ ପାଇ ହେବ ଧନ୍ୟ ଓ କୃତାର୍ଥ ।

 

ନାଜୀଶକ୍ତି ଦ୍ୱାରା ନିହତ ଗେବ୍ରିୟେଲ ପେରିଙ୍କ ଉଦ୍ଦେଶ୍ୟରେ ଲିଖିତ ପଲ୍‌ ଏଲୁୟାରଙ୍କ ଗୋଟିଏ ସମ୍ପୂର୍ଣ୍ଣ କବିତା ହେଉଛି-There are words which help us to live, and they are simple words. The word ‘‘warmth’’ and the word ‘‘trust’’ the word ‘‘truth’’ and the word ‘‘freedom’’ the word ‘‘child’’ and the word ‘‘dear’’ and some names of flowers and trees, the word ‘‘Courage’’ and the word ‘‘discover’’ the word ‘‘brother’’ and the word ‘‘comrade’’ and some names of Cities or villages and some names of women or friends. Let us add to them ‘‘Peri’’. ଆମେ ଚାଲନ୍ତୁ, ଠିକ୍‌ ସେହିପରି ଏହି କବି ବର୍ଣ୍ଣିତ ସକଳ ଗୁଣାଧାର ଏଇ ଉତ୍ତମ ପୁରୁଷ ଓ ମହତ୍‌ ପ୍ରତିଭାଟିକୁ ‘‘ମାନସିଂ’’ ବୋଲି କହିବା ।

Image

 

ଧନଞ୍ଜୟ ଭଞ୍ଜ ଓ ଶ୍ରୀରାମ ବିଳାସ

ପ୍ରଫେସର ଡକ୍‌ଟର ବଂଶୀଧର ମଂହାନ୍ତି

 

ପ୍ରାଚୀନ ଘୁମୁସର ରାଜବଂଶର ଇତିହାସରେ ଦୁଇଜଣ ଧନଞ୍ଜୟ ଭଞ୍ଜଙ୍କର ନାମ ରହିଛି-। ଜଣେ ହେଉଛନ୍ତି ପ୍ରତାପ ଧନଞ୍ଜୟ ଭଞ୍ଜ-ଯେ ଥିଲେ ରାଜକବି ଓ ସେ ଖ୍ରୀ ୧୬୩୨-୧୬୯୭ (କାହା କାହା ମତରେ ୧୬୩୬-୧୭୦୧) ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଓ ଘୁମୁସର ରାଜବଂଶର ପତନବେଳେ ଅନ୍ୟ ଜଣେ ଧନଞ୍ଜୟ ଭଞ୍ଜ ଥିଲେ-ଯେ ଥିଲେ ଜଣେ ଅତ୍ୟାଚାରୀ, ବିଳାସୀ ରାଜା ଏବଂ ସେ ଖ୍ରୀ ୧୮୩୨-୧୮୩୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

 

ଅନେକ ଦିନ ତଳେ ଘୁମୁସରର ରାଜବଂଶ ଇତିହାସ ସମ୍ବନ୍ଧରେ ଆଲୋଚନା କରିଥିଲେ ପୁରାତତ୍ତ୍ୱବିଦ୍‌ ମନମୋହନ ଚକ୍ରବର୍ତ୍ତୀ (୧) ଓ ଗବେଷଣାମୂଳକ ‘ପ୍ରାଚୀ’ ପତ୍ରିକାରେ ଶ୍ରୀଯୁକ୍ତ ସତ୍ୟନାରାୟଣ ରାଜଗୁରୁ ମଧ୍ୟ ଏହି ବଂଶାବଳୀ ସମ୍ବନ୍ଧରେ ଆଲୋଚନା କରିଥିଲେ । ଏହି ରାଜବଂଶ ସମ୍ବନ୍ଧରେ ତାରିଣୀ ଚରଣ ରଥ ଓ ଅନନ୍ତ ପଦ୍ମନାଭ ପଟ୍ଟନାୟକ ମଧ୍ୟ ବହୁ ଆଲୋକପାତ କରିଅଛନ୍ତି ।

 

(୧) J.A.S.B. 1898 & The Prachi 1938

 

ପ୍ରତାପ ଧନଞ୍ଜୟ ଭଞ୍ଜ ଥିଲେ ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଗୀତର ରସିକ ଓ ଯଥାର୍ଥରେ ସେ ଥିଲେ ଜଣେ ମହାକବି । ସେ ନିଜ ରାଜ୍ୟର ଉନ୍ନତି ପାଇଁ ବହୁ ଜନହିତକର କାର୍ଯ୍ୟ କରିଥିଲେ; କିନ୍ତୁ ତାଙ୍କର ଶେଷ ଜୀବନ ଥିଲା ଅତୀବ ଦୁଃଖମୟ । ଧନଞ୍ଜୟ ବହୁ ବିବାହ କରିଥିଲେ । ସେ ତାଙ୍କର ସାନଭାଇ ଗୋବିନ୍ଦ ଭଞ୍ଜଙ୍କୁ ଥାଟ ରାଜା ପଦରେ ଅଭିଷିକ୍ତ କରିବା ପାଇଁ ଇଚ୍ଛା କରନ୍ତେ ତାଙ୍କର ଜନୈକା ରାଣୀ ହାଡ଼ୁଦେଈ ତାଙ୍କୁ ବିଷ ପିଆଇ ମାରି ଦେଇଥିଲେ।

 

ଘୁମୁସର ରାଜବଂଶାବଳୀରେ ଧନଞ୍ଜୟ ଭଞ୍ଜଙ୍କ ପ୍ରସଙ୍ଗ:-

ଘୁମୁସର ରାଜବଂଶାବଳୀ ଯାହା ପ୍ରଥମେ ମନମୋହନ ଚକ୍ରବର୍ତ୍ତୀଙ୍କ ଦ୍ୱାରା ରଏଲ ଏସିଆଟିକ୍‌ ସୋସାଇଟି ପତ୍ରିକାରେ ପ୍ରକାଶିତ ହୋଇଥିଲା ଓ ପରେ ପ୍ରାଚୀସମିତି ତାହାକୁ ପ୍ରାଚୀନ ଗଦ୍ୟ ପଦ୍ୟାଦର୍ଶ ପୁସ୍ତକରେ ଅନ୍ତର୍ଭୁକ୍ତ କରିଅଛନ୍ତି ତାହା ଘୁମୁସରର ଭଞ୍ଜରାଜବଂଶ ଇତିହାସ ଦୃଷ୍ଟିରୁ ଅତୀବ ଗୁରୁତ୍ୱପୂର୍ଣ୍ଣ । ଏହାର ଭାଷାରେ ୧୮ଶ ଶତାବ୍ଦୀ ଓଡ଼ିଆ ଭାଷାର ପ୍ରତିଫଳନ ଘଟିଛି-। ଧନଞ୍ଜୟଭଞ୍ଜଙ୍କ ରାଜତ୍ୱ ଓ ଜୀବନୀ ସମ୍ବନ୍ଧରେ ଏହି ଗୁରୁତ୍ୱପୂର୍ଣ୍ଣ ଅଭିଲେଖଟି ନିମ୍ନଲିଖିତ ବିବରଣୀ ପ୍ରଦାନ କରିଥାଏ ।

 

* ‘‘ଏହାଙ୍କୁ (ବନମାଳୀ ଭଞ୍ଜଙ୍କୁ) ମାରି ଏହାଙ୍କ ଭାଇ ଗୋପୀନାଥ ଭଞ୍ଜ ରାଜୁତି କଲେ ୧୫୫୮ ଶକାଦ୍ଦ ସରିକି ୨୨ ବର୍ଷ । ୧୫୪୧ ଶକାବ୍ଦରେ ଗୋପୀନାଥପୁର ଶାସନ କଲେ । ଏହାଙ୍କ ପୁଅ ବଡ଼ ଧନଞ୍ଜୟ ଭଞ୍ଜେ ୧ ଗୋବିନ୍ଦ ଭଞ୍ଜ ଥାଟ ରାଜା ୨ ବଳଭଦ୍ର ଛୋଟରା ୩ ନିଧିଭଞ୍ଜ ସାମନ୍ତ ସିଂହାରେ ୪ ଏ ଚାରିପୁଅ ତାଙ୍କର ହୋଇଥିଲେ । ତାଙ୍କ ଭିତରୁ ବଡ଼ପୁଅ ଧନଞ୍ଜୟ ଭଞ୍ଜେ ରାଜତ୍ୱ କଲେ । ଏ ରାଜତ୍ୱ କଲେ ଓ ରାଜତ୍ୱ କରିବାରେ ଷାଠିଏ ହଜାର ଟଙ୍କା ଲଗାଇ ଜଗତି ଗୋଟିଏ ତିଆର କରିଥିଲେ । ଏହାଙ୍କର ବିଶେଷ ମହାଦେଈ ନାଚୁଣୀ କରିଥିଲେ । ଏ ବଡ଼ ଭୋଗୀ ।

 

* ପ୍ରାଚୀନ ଗଦ୍ୟପଦ୍ୟାଦର୍ଶ-ପୃ୪୯, ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରକାଶନ ।

 

ଏ ରାତ୍ର ଦୁଇଘଡ଼ି ଥାଏ, ସରୁଚକୁଳି ଦୁଧ ଯୋଗାଣ କରନ୍ତି, ଏ ରାଜା ଧନଞ୍ଜୟପୁର ଶାସନ ୧୫୭୮ ଶକାବ୍ଦରେ କଲେ । ଏହିପରି ଯଶମାନଙ୍କୁ କରି ରାଜତ୍ୱ କରିବାରେ ଏ ରାଜତ୍ୱ କଲେ ୧୬୨୩ ଶକାବ୍ଦ ସରିକି ୬୫ ବର୍ଷ । ଏଥକୁ ୧୬୧୬ ଶକାବ୍ଦ ସରିକି ୬୫ ବର୍ଷ । ଏତକୁ ୧୬୧୬ ଶକାବ୍ଦ ସରିକି ପେସକସି କାହାକୁ ଦବାର ନ ଥିଲା । ୧୬୧୭ ଶକାବ୍ଦ ସରିକି ମୁଗଲାଇ ନବାବ ଆସିବାରେ ଏକବର୍ଷକୁ ଟ୫୦୦୦ଙ୍କା ପାଞ୍ଚହଜାର ଟଙ୍କା ଲେଖାଏ ମୂଲ କଲେ । ସେଦିନରୁ ପେସକସି ଦେବାର ହେଲା ।

 

ଏ ସମୟରେ ସୁଆଗୀ ମହାଦେଈ ହାଡ଼ୁଦେଈଙ୍କ ଠାରେ ରାଜାଙ୍କର ବଡ଼ ସ୍ନେହ ଥାଏ । ସେ ମହାଦେଈ ପୁଅ ନୀଳକଣ୍ଠଭଞ୍ଜଙ୍କୁ ଶାଢ଼ୀ ଦେବେବୋଲି କହୁଥାଆନ୍ତି । (ବଡ଼) ଗଙ୍ଗାଧର ପାଟକୁମାରଙ୍କଠାରେ ଗୋବିନ୍ଦ ଭଞ୍ଜ ଥାଟରାଜାଙ୍କର ଛଅ ପୁଅ ପ୍ରୀତି କରିଥାନ୍ତି । ହାଡ଼ୁଦେଈ ତାହା ଶୁଣି ରାଜାଙ୍କଠାରେ ବିମନ କରି ଖଚ କହିଲେ । ଗୋବିନ୍ଦ ଥାଟରାଜାଙ୍କୁ ଛ’ ପୁଅ ସମେତରେ ରାଜ୍ୟରୁ ଅନ୍ତର କରାଇଦେଲେ ।

 

ଏ ଉତ୍ତାରୁ ବହୁତକାଳ ଜୀଇଁବାରୁ ହାଡ଼ୁଦେଈ ବିଚାରିଲେ-ଏ ତ ବହୁତକାଳ ରାଜତ୍ୱ କଲେ । ପୁଅ ମୋର ରାଜା ହୋଇ ନ ପାରିଲା । ଏମନ୍ତେ ଦୁର୍ବିଚାର କରି ଚମ୍ପାନାନୀ ହାତେ ସରୁଚକୁଳି ଖାଇବାରେ ସେଥିରେ ବିଷ ଦିଆଇଲେ । ପୁଅ ନୀଳକଣ୍ଠ ଭଞ୍ଜଙ୍କୁ ବାପଙ୍କୁ ଏ ସମୟରେ ଅପାୟ ବିଚାର କର ବୋଲି କହିଦେଲେ । ନୀଳକଣ୍ଠ ଭଞ୍ଜ ତାହା ଜାଣି ବାପାଙ୍କୁ ମାଇଲେ-ନୀଳକଣ୍ଠ ଭଞ୍ଜ ରାଜୁତି କଲେ ୧୬୨୫ ଶକାବ୍ଦ ସରିକି ବ୨ର୍ଷ ।’’

 

ଏସବୁରୁ ଜଣାଯାଏ ଯେ ବହୁ ରାଜପରିବାର ପରି ଘୁମୁସରର ଭଞ୍ଜ ବଂଶ ହତ୍ୟା ଷଡ଼ଯନ୍ତ୍ରରୁ ମୁକ୍ତ ନ ଥିଲା । ଧନଞ୍ଜୟ ଭଞ୍ଜଙ୍କର ଏପ୍ରକାର ମୃତ୍ୟୁ ବରଣର କାରଣ ହୋଇଛି ତାଙ୍କର ବହୁ ପତ୍ନୀ ବିବାହ-ଧନଞ୍ଜୟ ଭଞ୍ଜଙ୍କର ଉକ୍ତି ତଥା ଅନ୍ୟାନ୍ୟ କାବ୍ୟରେ ସେହି ବିଳାସିତା ଓ କାମୁକତା ପ୍ରକାଶ ପାଇଛି । ତାଙ୍କର ପ୍ରଧାନକାବ୍ୟ ‘ଶ୍ରୀରାମ ବିଳାସ’ ପ୍ରମାଣ ଦିଏ ଯେ ସେ ଥିଲେ ରାମୋପାସକ-

 

ଓଡ଼ିଶାରେ ରାମୋପାସନାର ଇତିହାସ ଏପର୍ଯ୍ୟନ୍ତ ସଂକଳିତ ହୋଇନାହିଁ । ଗଞ୍ଜାମ, ନୟାଗଡ଼ ଓ ଘୁମୁସରା ଅଞ୍ଚଳ ଏକ ସମୟରେ ରାମୋପାସନାର ପ୍ରଧାନ କେନ୍ଦ୍ରସ୍ଥଳୀ ଥିଲା । ଘୁମୁସରର ରାଜବଂଶ ଥିଲେ ରାମୋପାସକ । ଏହାର ପରମ୍ପରା ବହୁ ପ୍ରାଚୀନ । ଘୁମୁସର ବ୍ୟତୀତ ନୟାଗଡ଼ ଓଡ଼ଗାଁର ରଘୁନାଥ ମନ୍ଦିର, ବୁଗୁଡ଼ା ମଠର ବିରଞ୍ଚିନାରାୟଣ ଓ ସୀତାରାମ; ନେଟଙ୍ଗାର ରଘୁନାଥ ମନ୍ଦିର ପ୍ରଭୃତି ସେ ସମୟର ରାମୋପାସନାର ପ୍ରାଚୀନକୀର୍ତ୍ତି । (୨) ଏହାଛଡ଼ା କଟକଜିଲ୍ଲା ଅସୁରେଶ୍ୱରର ରଘୁନାଥ ମନ୍ଦିର ଏକସମୟରେ ଉପକୂଳ ଓଡ଼ିଶାରେ ଥିଲା ରାମୋପାସନାର ଏକ ପ୍ରଧାନ ପୀଠ । ଖ୍ରୀ ୯-୧୦ ଶତାବ୍ଦୀ ଓଡ଼ିଶାର ମୂର୍ତ୍ତିକଳାରେ ବହୁ ରାମ, ସୀତା ଓ ହନୁମାନ ମୂର୍ତ୍ତି ପାଇଥାଉଁ-କୃଷ୍ଣୋପାସନା ସହିତ ରାମୋପାସନା ଓଡ଼ିଶାର ଧର୍ମଧାରାରେ ମଧ୍ୟ ଏକ ବିଶିଷ୍ଟ ସ୍ଥାନ ଲାଭ କରିଥିବା ଜଣାଯାଏ ।

 

୨-ଘୁମୁସର ରାଜବଂଶାବଳୀ-ସମ୍ପାଦନା ଶ୍ରୀ ଦୁର୍ଗାମାଧବ ନନ୍ଦ, ଏମ୍‌. ଏ.

 

ତେବେ ଧନଞ୍ଜୟଙ୍କର ବହୁ ଦୋଷ ଦୁର୍ବଳତା ସତ୍ତ୍ୱେ ସେ ଯେ ଅତି ଉଚ୍ଚାଙ୍ଗ ରାମଭକ୍ତିର ଅଧିକାରୀ ଥିଲେ ତାହା କହିବାରେ କୌଣସି ତ୍ରୁଟି ନାହିଁ ।

 

ଶ୍ରୀରାମବିଳାସ

ମହାକବି ଧନଞ୍ଜୟ ଭଞ୍ଜଙ୍କର ‘ଶ୍ରୀରାମବିଳାସ’ ମହାକାବ୍ୟ ଏକ ଅପ୍ରକାଶିତ କାବ୍ୟ । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ‘ବୈଦେହୀଶ ବିଳାସ’ ମହାକାବ୍ୟ ଏହି ମହାକାବ୍ୟର ସରଣୀ ଅନୁସରଣ କରି ରଚିତ ହୋଇଅଛି-ଜନସାଧାରଣରେ ଉପେନ୍ଦ୍ରଭଞ୍ଜ ଓ ତାଙ୍କର ପିତାମହ ଧନଞ୍ଜୟ ଭଞ୍ଜଙ୍କ ସମ୍ବନ୍ଧରେ ‘ଶ୍ରୀରାମ ବିଳାସ’ ନେଇ ଯେଉଁ ଉକ୍ତି ପ୍ରଚଳିତ ଅଛି ତାହା ସତ୍ୟ-ଉପେନ୍ଦ୍ର ‘ଶ୍ରୀରାମ ବିଳାସ’ର ରଚନାରେ ସନ୍ତୁଷ୍ଟ ନ ହୋଇ ରାମଚରିତ ମୂଳକ ଏକ ବିରାଟ ଆଳଂକାରିକ ବାକ୍ୟ ରଚନା କଲେହେଁ ସେ ‘ଶ୍ରୀରାମ ବିଳାସ’ କାବ୍ୟ ପାଠକରି ତଦ୍ଦ୍ୱାରା ଯେ ଓତଃପ୍ରୋତ ଭାବରେ ପ୍ରଭାବିତ ହୋଇଥିଲେ ଏହି ବିଷୟ ଏହି ଦୁଇ ମହାକାବ୍ୟର ପାଠରୁ ଜଣା ପଡ଼ିଥାଏ । ଶ୍ରୀରାମ ବିଳାସ କେବଳ ଯେ ବୈଦେହୀଶ ବିଳାସକୁ ପ୍ରଭାବିତ କରିଛି ତାହା ନୁହେଁ, ଉପେନ୍ଦ୍ରଙ୍କର ଅନ୍ୟାନ୍ୟ ବହୁ କାବ୍ୟରେ ଶ୍ରୀରାମ ବିଳାସର ପ୍ରଭାବ ମଧ୍ୟ ପଡ଼ିଛି ।

 

ଉପେନ୍ଦ୍ରଙ୍କର ବହୁ ପୂର୍ବରୁ ଓଡ଼ିଆ କାବ୍ୟ ସାହିତ୍ୟରେ ଦେଖା ଦେଇଛି ଆଳଂକାରିକତା ଓ ଶୃଙ୍ଗାରିକତା ଏବଂ ଏହି ଦୁଇ ପ୍ରଧାନ ବୈଶିଷ୍ଟ୍ୟ ଧନଞ୍ଜୟଙ୍କ ରଚନା ସମୂହରେ ଦେଖାଯାଇଥାଏ । ରାମଚରିତ ନେଇ ବହୁପୂର୍ବରୁ ଓଡ଼ିଆ ସାହିତ୍ୟରେ ଯେଉଁସବୁ କ୍ଷୁଦ୍ର କାବ୍ୟ ନିର୍ଝରିଣୀ ପ୍ରବାହିତ ହେଉଥିଲା ତାହା କ୍ରମେ ବିରାଟ ମହାକାବ୍ୟ ସ୍ରୋତସ୍ୱିନୀର ଆକାର ଧାରଣ କଲା ମହାକବି ଧନଞ୍ଜୟଙ୍କର ଲେଖନୀରେ । ଓଡ଼ିଆ ରାମ-ସାହିତ୍ୟର ଇତିହାସରେ ରାମଚରିତ ମୂଳକ ପ୍ରଧାନ ମହାପୁରାଣ ହେଉଛି ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ଓ ରାମଚରିତ ମୂଳକ ମହାକାବ୍ୟ ମଧ୍ୟରେ ପ୍ରଥମ ଆଳଂକାରିକ ମହାକାବ୍ୟ ହେଉଛି ଆଲୋଚ୍ୟ ‘ଶ୍ରୀରାମ ବିଳାସ’ ।

 

ଶ୍ରୀରାମ ବିଳାସର ପ୍ରଥମ ଛାନ୍ଦରେ କବି ଆଳଂକାରିକ ରୀତିରେ ଶ୍ରୀରାମଙ୍କର ବନ୍ଦନା କରିଛନ୍ତି ଯାହାକି ଲାବଣ୍ୟବତୀର ପ୍ରଥମଛାନ୍ଦକୁ ପ୍ରଭାବିତ କରିଛି । ଯେପରି ଶ୍ରୀରାମଚନ୍ଦ୍ରଙ୍କର ମଙ୍ଗଳମୟ ସ୍ତୁତିରେ-

 

‘କୁମୁଦ କୁମୁଦ ମୋଦକାରୀ ନାମଶ୍ରୁତି

ସୁଗ୍ରୀବ ସୁଗ୍ରୀବଠାରେ ବିଦିତ ଯା’ କୀର୍ତ୍ତି ଯେ ।

ସୁଲକ୍ଷଣ ଲକ୍ଷଣ ଯାହାର ଅନୁଚର

ଶୁଭରତ ଭରତ ଯାହାର ପ୍ରୀତିକର ଯେ ।

ଶତ୍ରୁଘନ ଶତ୍ରୁଘନ ଯା’ର ଆଜ୍ଞାକାରୀ

ଅସୁର ଅସୁର ହାରୀ ଅଯୋଧ୍ୟା ବିହାରୀ ଯେ । ଛା୧/୫-୭

 

ବିଷୟ ବସ୍ତୁ

ପ୍ରଥମ ମାଙ୍ଗଳିକ ଛାନ୍ଦପରେ ଦ୍ୱିତୀୟ ଛାନ୍ଦରେ ବିଶ୍ୱାମିତ୍ର ଅଯୋଧ୍ୟାକୁ ଯାଇ ସେଠାରୁ ରାମଲକ୍ଷ୍ମଣଙ୍କୁ ନେଇ ଆସିଛନ୍ତି, ବଣରେ ରାକ୍ଷସମାନଙ୍କର ଉତ୍ପୀଡ଼ନରୁ ରକ୍ଷା ଲାଭ ନିମିତ୍ତ ଏହିଠାରୁ ହିଁ ହୋଇଛି ବାକ୍ୟର ଆରମ୍ଭ । ରାମାୟଣ ଅନୁସରଣରେ ବଣରେ ତାଡ଼କାବଧ ଓ ଅନ୍ୟାନ୍ୟ ଅସୁର ବଧ ସହିତ ପରବର୍ତ୍ତୀ ସପ୍ତମ ଛାନ୍ଦରେ ଅହଲ୍ୟା ଶାପ ବିମୋଚନ, ଅଷ୍ଟମ ଛାନ୍ଦରେ ଶ୍ରୀରାମଙ୍କର ଗଙ୍ଗାପାରି ହୋଇ ସୀତାଙ୍କର ସ୍ୱୟମ୍ବର ସଭାକୁ ଯିବା । କବି ପ୍ରାଚୀନ ଓଡ଼ିଆ ପୁରାଣକୁ ଅନୁସରଣ କରି ପଞ୍ଚମ ଛାନ୍ଦରେ ସୀତାଙ୍କ ଉଦ୍ଭବର ବର୍ଣ୍ଣନା ଦେଇଛନ୍ତି ଯେ ଏକଦା ବିଧାତାଙ୍କ ଆଖିରେ ଧୂଳି ପଡ଼ିଲା ଓ ତାହା ଲୋତକ ସହ ମିଶି ତହିଁରୁ ହେଲା ବିଚିତ୍ର ପ୍ରତିମାର ସୃଷ୍ଟି ଓ ସେ ହେଲେ ସୀତା । ଅଧିକାଂଶ ଛାନ୍ଦରେ ସୀତାଙ୍କର ବେଶଭୂଷା ବର୍ଣ୍ଣନା, ବନଭ୍ରମଣ ଓ ଜଳକ୍ରୀଡ଼ା କାବ୍ୟିକ ରୀତିରେ ହୋଇଛି ବର୍ଣ୍ଣିତ । ସ୍ୱୟମ୍ବର ସଭାପୂର୍ବରୁ ସୀତାଙ୍କର ଉଦ୍ୟାନ ଭ୍ରମଣ ସମୟରେ ଶ୍ରୀରାମଚନ୍ଦ୍ର ସୀତାଙ୍କର ରୂପଦେଖି ବିମୁଗ୍‌ଧ ହୋଇଛନ୍ତି ଓ ଅନ୍ୟ ଦିଗରେ ସୀତା ମଧ୍ୟ ଶ୍ରୀରାମଚନ୍ଦ୍ର ସୀତାଙ୍କର ରୂପଦେଖି ବିମୁଗ୍‌ଧ ହୋଇଛନ୍ତି ଓ ଅନ୍ୟ ଦିଗରେ ସୀତା ମଧ୍ୟ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିଛନ୍ତି । ବନଭ୍ରମଣବେଳେ ସଖୀମାନେ ସୀତାଙ୍କ ଆଗରେ ଶ୍ରୀରାମଙ୍କ ରୂପର ପ୍ରଶଂସା କରନ୍ତେ ଏହି ସମୟରେ ବସନ୍ତ ସମୀରଣରେ ଇତସ୍ତତଃ ଲତାର ଫାଙ୍କ ଭିତରେ ଦେଖିଛନ୍ତି ସୀତାଙ୍କର ସୌନ୍ଦର୍ଯ୍ୟ । ରସିକ ଭକ୍ତ କବି ଧନଞ୍ଜୟ ଅତି କବିତ୍ୱ ପୂର୍ଣ୍ଣ ଶୈଳୀରେ ଏହି ଦୃଶ୍ୟର ସୁନ୍ଦର ବର୍ଣ୍ଣନା କରିଛନ୍ତି-

 

‘ଏହି ସମୟରେ ଲତା ଆଡ଼େକଲା ମଳୟ ପବନ ବହି ସେ

ଶ୍ରୀରାମ ନୟନ ଭୃଙ୍ଗ ଉଡ଼ି ସୀତାବଦନ କମଳେ ପଡ଼ିଲା ।

ମଧୁରସେ ଲୋଭ ହୋଇଂ ଜଡ଼ିଲା

ଯେସନେ ଚକୋର ସୁଧାରସ ପିଅଇ ଆନନ୍ଦରସେ ବୁଡ଼ିଲା ସେ ।

ଛା ୮/୩୮.....୩୯

 

ଏହି ନାଟକୀୟ ଦୃଶ୍ୟର ବର୍ଣ୍ଣନାରେ କବି ମହାକବି କାଳିଦାସଙ୍କର ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ଦ୍ୱାରା ଯେ ପ୍ରଭାବିତ ହୋଇଛନ୍ତି କହିବା ବାହୁଲ୍ୟ ହେବ ।

 

ରାଜକବି ଧନଞ୍ଜୟ ତଥା ଉପେନ୍ଦ୍ର ଭଞ୍ଜ ତାଙ୍କର ରାମଚରିତମୂଳକ ଦୁଇ ମହାକାବ୍ୟ ରଚନାରେ ମହାକବି କାଳିଦାସଙ୍କର ରଚନାସମୂହ ଦ୍ୱାରା ପ୍ରଭାବିତ ହେବା ଅତି ସୁସ୍ପଷ୍ଟ । ଧନଞ୍ଜୟଙ୍କର କାବ୍ୟରେ ଏସବୁର ଉଲ୍ଲେଖ ନ ଥିଲେ ମଧ୍ୟ ମହାକବି ଉପେନ୍ଦ୍ର- ‘ବିହିଲେ କାବ୍ୟ ଯେ କାଳିଦାସେ ଚମ୍ପୂରଚନା ଭୋଜନରେଶେ, କୃପାସିଦ୍ଧା ଏ ଗୀତ ପ୍ରକାଶେ’ ପ୍ରଭୃତି ଉକ୍ତିରେ ସ୍ପଷ୍ଟ ସ୍ୱୀକାର କରିଯାଇଅଛନ୍ତି ।

 

ରୀତିକାବ୍ୟ ଯୁଗର ପ୍ରଭାବରେ କବି ପ୍ରଭାବିତ ହୋଇ ସ୍ୱୟମ୍ବର ସଭାପରେ ଉଭୟ ରାମ ଓ ସୀତାଙ୍କର ବିରହବର୍ଣ୍ଣନାର ଚିତ୍ର ଦେଇଛନ୍ତି । କଂସର ଧନୁଉତ୍ସବ ଦର୍ଶନ ନିମିତ୍ତ ରାମ ଓ କୃଷ୍ଣ ମଥୁରା ଦାଣ୍ଡରେ ଯିବାବେଳେ ଦର୍ଶନ ନିମିତ୍ତ ମଥୁରା ନାରୀମାନଙ୍କର ଉଦ୍‌ଗ୍ରୀବତାରେ ଯେପରି କବିତ୍ୱପୂର୍ଣ୍ଣ ବିଭ୍ରମ ପ୍ରକାଶ ପାଇଛି ଅବିକଳ ସେହିପରି ବର୍ଣ୍ଣନା ହୋଇଛି ଦଶମ ଛାନ୍ଦରେ, ଯେତେବେଳେ ମିଥିଲା ନାରୀମାନେ ଶ୍ରୀରାମ ଦର୍ଶନ ନିମିତ୍ତ ବ୍ୟାକୁଳ ହୋଇ ପଡ଼ିଛନ୍ତି । ଯୌତୁକ ପ୍ରଦାନ ଓ ଝିଅକୁ ପିତାମାତାଙ୍କର ଉପଦେଶ ଭିତରେ ପୂରି ରହିଛି ଓଡ଼ିଆ ସମାଜର ଚିତ୍ର । ଏହି ବିବାହ ଉତ୍ସବ ଚିତ୍ରରେ ସ୍ୱୟମ୍ବର ପରେ ମିଥିଲା ରାଜନବରରେ ହୋଇଛି ମଧୁଶଯ୍ୟାର ମଧୁର ଉତ୍ସବ । ଏଥିରେ ଯେଉଁ ଶୃଙ୍ଗାରିକତାର ପ୍ରଭାବ ପଡ଼ିଛି ତାହା ପରବର୍ତ୍ତୀ ଭଞ୍ଜସାହିତ୍ୟକୁ ପୂରାପୂରି କରିଛି ପ୍ରଭାବିତ ।

 

ସୀତାବିବାହ ପରେ ପର୍ଶୁରାମଙ୍କର ଭେଟ ବର୍ଣ୍ଣିତ ହୋଇଛି ରାମାୟଣ ଅନୁଯାୟୀ । ସମୟ ଆସିଛି-ରାମ ଯୁବରାଜ ପଦରେ ଅଭିଷିକ୍ତ ହେବାକୁ ଗଲାବେଳେ ପୂର୍ବ ସତ୍ୟ ଅନୁସାରେ ଦଶରଥ ସତ୍ୟ ପାଳିଛନ୍ତି । ଏହାପରେ ଆସିଛି ଶ୍ରୀରାମ ବନବାସ ଓ ପୂର୍ବର ଅନ୍ଧମୁନି ଶାପ୍ୟରେ ଦଶରଥ ମୃତ୍ୟୁବରଣ କରିଛନ୍ତି । ଶ୍ରୀରାମ ବନବାସ ପ୍ରସଙ୍ଗରେ ବନପ୍ରକୃତିର ଅଭିନବ ବୈଚିତ୍ର୍ୟମୟୀ ଶୋଭା ବିଭିନ୍ନ ଛାନ୍ଦରେ ରୂପାୟିତ ହୋଇଛି । ସୀତାହରଣ ପରେ ରାମଚନ୍ଦ୍ର ସୁଗ୍ରୀବ ସହ ମିତ୍ରତାକରି ବାଳିବଧ କରିଛନ୍ତି । ରାବଣପୁରୀରେ ସୀତା ଥିବା ସମୟରେ ରାବଣ ବିଭିନ୍ନ ରାକ୍ଷସୀମାନଙ୍କୁ ପଠାଇ ସୀତାଙ୍କୁ ଭୟ ଦେଖାଇ ବିଚଳିତ କରିବାର ଚେଷ୍ଟା କରିଛି । ରାକ୍ଷସୀମାନଙ୍କର ବର୍ଣ୍ଣନାରେ କବିଙ୍କର ସ୍ୱାତନ୍ତ୍ର୍ୟ ରହିଛି । ଛାଗମୁଖୀ, ମେଷମୁଖୀ, ଗୋମୁଖୀ, ଦୀଘମୁଖୀ ପ୍ରଭୃତି ରାକ୍ଷସୀମାନେ ବିକଟରୂପ ଦେଖାଇଲେ ମଧ୍ୟ ସୀତା ଭୟ କରିନାହାନ୍ତି; ତାଙ୍କର ଏକମାତ୍ର ଧ୍ୟାନହିଁ ରାମଚନ୍ଦ୍ର । ଏହାପରେ ଲଙ୍କାକୁ ହନୁ ଆଗମନ ବର୍ଣ୍ଣନାରେ ଓଡ଼ିଆ ଜଗମୋହନ ରାମାୟଣର ପ୍ରଭାବ ପଡ଼ିଛି । ପୁରାଣ ଅନୁଯାୟୀ ରାମ ରାବଣ ବଧପରେ ସୀତାଙ୍କୁ ଲଙ୍କାରୁ ଅଯୋଧ୍ୟାକୁ ଆଣିବା ପଥରେ କାଳିଦାସଙ୍କ ତୁଲ୍ୟ ସୀତାଙ୍କୁ ପୁଷ୍ପକରଥରେ ଥାଇ ବିଭିନ୍ନ ଶୋଭା ଦେଖାଇଛନ୍ତି ଏବଂ ଏହାରି ଭିତରେ ସୀତାହରଣଠାରୁ ରାବଣବଧ ପର୍ଯ୍ୟନ୍ତ ବିଭିନ୍ନ ଘଟଣାର ଅପୂର୍ବ ବର୍ଣ୍ଣନା କରିଛନ୍ତି । ଅଯୋଧ୍ୟାରେ ପହଞ୍ଚନ୍ତେ ବିଭିନ୍ନ ରାଜାମାନେ ଉପହାର ଆଣି ଶ୍ରୀରାମ ଓ ସୀତାଙ୍କୁ ଦର୍ଶନ କରିଛନ୍ତି–ରାଜାମାନଙ୍କ ମଧ୍ୟରେ ଅଛନ୍ତି କଳିଙ୍ଗ, ଉତ୍କଳ ଓ ଓଡ଼୍ରଦେଶର ରାଜା । ଅଯୋଧ୍ୟରେ ରାମ ସୀତାଙ୍କର ବନ ବିହାର ଓ ଜଳବିହାର ବର୍ଣ୍ଣନା କରିଛନ୍ତି ଓ ଏହି ଛାନ୍ଦଗୁଡ଼ିକ ଉପେନ୍ଦ୍ରଙ୍କର ଲେଖନୀକୁ ପ୍ରଭାବିତ କରିଛି । ଶେଷଛାନ୍ଦ ରାମ ଓ ସୀତାଙ୍କର ଜଳକେଳି ଛାନ୍ଦ-ଜଳ, ସ୍ଥଳ, ଆକାଶ ଚନ୍ଦ୍ର ଜ୍ୟୋସ୍ନାରେ ପ୍ଳାବିତ । ରାମ ନୌକାରେ ସୀତାଙ୍କ ସହ ବସି ପ୍ରକୃତିର ଅପୂର୍ବ ଶୋଭା ଦେଖିଛନ୍ତି । ରାମ ସୀତାଙ୍କର ସୌନ୍ଦର୍ଯ୍ୟର ପ୍ରଶଂସା କରିଛନ୍ତି, ଶ୍ରୀରାଧାକୃଷ୍ଣଙ୍କର ମିଳନପରି ରାମ ସୀତାଙ୍କର ହୋଇଛି ଯୁଗଳମିଳନ ଓ କାବ୍ୟର ସମାପ୍ତି ଘଟିଛି ।

 

ଯଥାର୍ଥରେ କାବ୍ୟର ‘ରାମବିଳାସ’ ନାମ ସାର୍ଥକ ହୋଇଛି-କାବ୍ୟରେ ଶୃଙ୍ଗାର ରସର ଆଧିକ୍ୟ ହେଲେ ମଧ୍ୟ ତହିଁରେ ଅନ୍ୟାନ୍ୟ ରସ ମଧ୍ୟ ରହିଛି । ଅପୂର୍ବ ଛାନ୍ଦ ଓ ବର୍ଣ୍ଣନା ପରିପାଟୀରେ କାବ୍ୟ ଏକ ମିଳନାତ୍ମକ ମଧୁମୟ କାବ୍ୟ ହୋଇଛି-ସୀତାଙ୍କୁ କବି ପୃଥିବୀ ପ୍ରବେଶ କରାଇ ନାହାନ୍ତି ପରମ୍ପରା ଓ କାବ୍ୟର ନାମକରଣ ଦୃଷ୍ଟିରୁ-ଏହି କାବ୍ୟ ଓଡ଼ିଆ କାବ୍ୟ ସାହିତ୍ୟର ଇତିହାସରେ ଏକ ଅଭିନବ ଭକ୍ତି ରସାତ୍ମକ ମହାକାବ୍ୟ-ଦୁଃଖର କଥା ଏପରି କାବ୍ୟ ଆମ ଲୋକ ଲୋଚନକୁ ଆସିନାହିଁ । ନୌକା-କ୍ରୀଡ଼ାରେ କବିତ୍ୱର ନାଟକୀୟ ପରିପାଟୀର ବର୍ଣ୍ଣନା ହୋଇଛି ଶୃଙ୍ଖଳା ଅଳଙ୍କାର ସାହାଯ୍ୟରେ :-

 

‘ହେଲେ ବିବିଧ ବ୍ୟସନ ଯାଇଁ ବସିଲେ ପ୍ରିୟା ଘେନି

ଘେନି କହନ୍ତି ଦେଖରେ ପ୍ରିୟା ରଜନୀ ଶୋଭାବନୀ । ୨୦

ବନିତା ତାରା ଘେନି ଗଗନେ ଦେଖ ଉଦୟ ଶଶୀ

ଶଶୀହାସିନୀ ଏହୁ ମୃଗାଙ୍କ କରରେ ପରକାଶି । ୨୧

କାଶୀମୋହିନୀ ତୋ ମୁଖ ସମ ନୋହି ୟେ ଅଭିଳାଷୀ

ନାଶିନୀ ଅଟୁ ମୋର ହୃଦର କାମ ମୋହନା ଫାଶୀ’ ।

୫୦/୨୦-୨୨

 

ଅବତାରୀ ରାମଚନ୍ଦ୍ର

କବି ସ୍ୱଧର୍ମ ମତ ଅନୁସାରେ ରାମଚନ୍ଦ୍ରଙ୍କୁ ସବୁ ଅବତାରର ମୂଳରୂପେ ଗ୍ରହଣ କରିଛନ୍ତି । କବି ଯେ ବିଶୁଦ୍ଧ ରାମୋପାସକ ଥିଲେ ତାହା ତାଙ୍କ କାବ୍ୟହିଁ ପ୍ରମାଣ ଦେଇଥାଏ । ଶେଷ ଛାନ୍ଦରେ ଅବତାରୀ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣନା କରିଛନ୍ତି ଯେ କ୍ଷରାକ୍ଷରପର ଓ ସମ୍ପୂର୍ଣ୍ଣ କଳାର ଅବତାର ରାମଚନ୍ଦ୍ର ଏଗାର ହଜାର ବର୍ଷ ପର୍ଯ୍ୟନ୍ତ ପୃଥିବୀ ଭୋଗ କଲେ-ଏସବୁ ପରିକଳ୍ପନା ଓଡ଼ିଆ ରାମ-ସାହିତ୍ୟରେ ନୂତନ । ଯେପରି-

 

‘ଧରଣୀ ଭୋଗ କଲେ ଏଗାର ସହସ୍ର ସମ୍ବତ୍ସର

ଛର ଅଛର ପର ସେ ରାମ ସୀତାର ପ୍ରାଣେଶ୍ୱର ।

ସୁରସେ ଶୁଣ ରସିକ ବର ଏହୁ ରାମ ବିଳାସ

ଲାସ୍ୟ ବିଳାସେ ଏରସେ ତାହା କରିବା ପରକାଶ ।

 

କାଶ ବିଳାସ କୀର୍ତ୍ତି ତାହାର ସେ ରାମ ସବୁଂ ସାର

ସାରଙ୍ଗଧର ସମ୍ପୂର୍ଣ୍ଣ କଳାରୂପେ ଏ ଅବତାର

ତାର ରସରେ ପଂଚାଶ ଛାନ୍ଦ ହୋଇଲା ସମାପତି

ପତିତ-ଜନ-ପାବନ ପଦେ ଭଜେ ଭଞ୍ଜ ନୃପତି ।’ଛା୫୦/୨୫-୨୮

 

କବି ରାମଚନ୍ଦ୍ରଙ୍କୁ ଅବତାରୀ କଲେହେଁ ସେ ରାମଚନ୍ଦ୍ର ଅନ୍ୟ କେହି ନୁହଁନ୍ତି, ସେ ହେଉଛନ୍ତି ନୀଳାଚଳବିହାରୀ ଶ୍ରୀ ଜଗନ୍ନାଥ । ରାମୋପାସକ କବିଙ୍କର ଏହା ହେଉଛି ବିଶିଷ୍ଟ ଧର୍ମମତ । ଯୁଗେ ଯୁଗେ ପ୍ରତ୍ୟେକ ଓଡ଼ିଆ କବି, ଦାର୍ଶନିକ ଓ ମହାପୁରୁଷ ଶ୍ରୀ ଜଗନ୍ନାଥଙ୍କୁ ହିଁ ପୂର୍ଣ୍ଣ ବ୍ରହ୍ମରୂପେ ଦେଖି ଆସିଅଛନ୍ତି ଯେ ଯେଉଁ ମତର ପଥିକ ହୁଅନ୍ତୁ ପଛକେ । ଏହାହିଁ ହେଉଛି ସାର୍ବଜନୀନ ଜଗନ୍ନାଥ ଧର୍ମର ପରମ ଦ୍ୟୋତନା-କବି ସପ୍ତମ ଛାନ୍ଦରେ ଅହଲ୍ୟା ଶାପବିମୋଚନ ପ୍ରସଙ୍ଗରେ କହିଛନ୍ତି –

 

‘‘ସେଟି ନୀଳାଚଳ ବିହାରୀ । ରାବଣ ବଧରେ ହେଲେ କୋଦଣ୍ଡଧାରୀ’’

୭/୪୧

 

ପ୍ରତ୍ୟେକ ଛାନ୍ଦରେ ଶେଷରେ କବି ଭକ୍ତି ତଦ୍‌ଗତ ଚିତ୍ତରେ ଶ୍ରୀ ରାମଙ୍କ ପଦରେ ଭକ୍ତି ଅର୍ଘ୍ୟ ସମର୍ପଣ କରିଛନ୍ତି ଜଣେ ନୈଷ୍ଠିକ ରାମୋପାସକ କବି ଭାବରେ । ଯେପରି-

 

‘ଚିତ୍ତଉଲ୍ଲାସକ ଏଛାନ୍ଦ ନାମ । ପଦ ପଦକେ ମୁକ୍ତି ଭକ୍ତିଧାମ ।

ହେ ସୁଜନେସେହୁ ଶ୍ରୀରାମ ଧ୍ୟାୟୀ । ନୃପତି ଧନଞ୍ଜୟ ଭଞ୍ଜ କହି ।’

୧୨/୩୮

 

ଏ କାବ୍ୟ କାହାପାଇଁ-

ଏହି କାବ୍ୟ ଯେ ରସିକ ଭକ୍ତଜନମାନଙ୍କ ନିମିତ୍ତ ଉଦ୍ଦିଷ୍ଟ କହିବା ବାହୁଲ୍ୟ ହେବ । ରସକଲ୍ଲୋଳ, ବିଦଗ୍‌ଧ ଚିନ୍ତାମଣି ପରି ଏହି ଶ୍ରୀରାମ ବିଳାସ ହେଉଛି ଏକ ଅନବଦ୍ୟ ରାମଭକ୍ତିମୂଳକ ଭକ୍ତି ରସାତ୍ମକ ଆଳଂକାରିକ କାବ୍ୟ । କବି ବିଭିନ୍ନ ଛାନ୍ଦର ବିଭିନ୍ନ ପ୍ରକାର ନାମକରଣ କରିଛନ୍ତି ଯେପରି ‘ଅନଙ୍ଗ ପୂଜନ’, ‘ଚିତ୍ତ ଉଲ୍ଲାସକ’ ଇତ୍ୟାଦି । କବି ବିଭିନ୍ନ ସ୍ଥାନରେ କହିଛନ୍ତି-

 

‘ଅନଙ୍ଗ ପୂଜନ ନାମ ଏହୁ ଛାନ୍ଦ ଶୁଣି ରସିକେ ହୁଅ ତୋଷ’

ଛା୭

‘ନୃପତି ଧନଞ୍ଜୟ ଭଞ୍ଜ ଭଣିଲେ ସୁଜନ ରସିକଙ୍କ ପାଇଁ’

ଛା୭/୪୦

 

ପୁଣି କୌଣସି ଛାନ୍ଦ ହେଉଛି-

‘କାମ କଳାପୂର୍ବେ ! କାମୀଜନଙ୍କୁ ଏ କୁମୁଦ ଜହ୍ନ ।’

ଛା୧୮/୪୦

 

ଅଥଚ ଅନ୍ୟାନ୍ୟ ଛାନ୍ଦରେ ରହିଛି ଭକ୍ତି ଓ ମୁକ୍ତି-ସେଥିପାଇଁ ଏ କାବ୍ୟ ପଣ୍ଡିତ ରସିକ ଭକ୍ତଜନଙ୍କ ନିମିତ୍ତ ହୋଇଛି ଉଦ୍ଦିଷ୍ଟ । ଓଡ଼ିଆ କାବ୍ୟଯୁଗର ପ୍ରଥମ ଭାଗରେ ଏହି କାବ୍ୟ ଲେଖା ହୋଇଥିଲେ ମଧ୍ୟ ଏଥିରେ ଆଳଂକାରିକତା ରହିଛି; ତେଣୁ ପାଣ୍ଡିତ୍ୟ ନ ଥିବା ବ୍ୟକ୍ତି ସହଜରେ ଏହି କାବ୍ୟର ରସ ଆସ୍ୱାଦନ କରି ପାରିବେନାହିଁ ।

 

କାବ୍ୟରେ ଭକ୍ତିଭାବ

ଏହି ଅମର କାବ୍ୟ ‘ରାମବିଳାସ’ରେ କବିଙ୍କର ଭକ୍ତିଭାବ ଯଥାଯଥ ଭାବରେ ବିଳସିତ ହୋଇଛି । ଶ୍ରୀକୃଷ୍ଣ ବିଳାସ ପରି ଶ୍ରୀରାମ ବିଳାସ କାବ୍ୟରେ ରାଧାକୃଷ୍ଣ ତୁଲ୍ୟ ରାମ ସୀତାଙ୍କର ଅଲୌକିକତା, ଉଭୟ ଚରିତ୍ରର ମହନୀୟତା ଓ ସର୍ବୋପରି ଶ୍ରୀରାମଙ୍କୁ କବି ଅବତାରୀ ରୂପେ ବର୍ଣ୍ଣନା କରିଛନ୍ତି । ଆଜି ଓଡ଼ିଶାର ପ୍ରତ୍ୟେକ ଓଡ଼ିଆ ନରନାରୀର କଣ୍ଠରେ ଉପେନ୍ଦ୍ରଙ୍କ ବୈଦେହୀଶ ବିଳାସର ‘ବିତଳକୁ ଆଲିଙ୍ଗନ’ ଛାନ୍ଦର ‘ବଧିର ନୁହଁଇ ବୀର ବୋଇଲା ଶୁଣି ଧିବର ଶୁଣିଲିଣି ପଥରେ ପଥର ଅବଳା’ ପଦ ମୁଖରିତ ହେଲାବେଳେ ଆମେ ଭୁଲିଯାଇ ଥାଉଁ ଯେ, ଉପେନ୍ଦ୍ର ତାଙ୍କର ଏହି ଅମର ଛାନ୍ଦଟିର ରଚନାରେ ମୌଳିକ ପ୍ରେରଣା ଗ୍ରହଣ କରିଛନ୍ତି ଶ୍ରୀରାମ ବିଳାସରୁ-କାରଣ ନିମ୍ନୋକ୍ତପଦ ଜଣାଇ ଦେଇଥାଏ ଉପେନ୍ଦ୍ର କିପରି ତାଙ୍କ ପିତାମହଙ୍କ କାବ୍ୟ ଦ୍ୱାରା ପ୍ରଭାବିତ ହୋଇଥିଲେ-ଅଷ୍ଟମ ଛାନ୍ଦରେ ଶ୍ରୀରାମ ଗଙ୍ଗା ପାରି ହେବାବେଳେ ଭକ୍ତି ତଦ୍‌ଗତ ଚିତ୍ତ ଧୀବର ଶ୍ରୀରାମଚନ୍ଦ୍ରଙ୍କୁ କହିଛି -

 

‘ଶୁଣି ଶ୍ରୀରାମ ଉତ୍ତର

ବୋଲଇ ସେହୁ ଧିବର

।।

ତୁମ୍ଭେ ରହ ରଘୁବୀର

ଧୋଇବି ତୋର ପୟର ହେ

।।

ଏହିତ ମୋର ଜୀବିକା

ଏ ପୁଣି ହେଲେ ନାୟିକା

।।

ମୁଁ ପୁଣି କରିବି କିସ

ହେବ ମୋ କୁଟୁମ୍ବ ନାଶ ହେ

।।

ତୋର ଏ ଚରଣ ରେଣୁ

ପାଷାଣେ ଲାଗିଲା ଯେଣୁଂ

।।

ହୋଇଲା ସେ ଦିବ୍ୟ ନାରୀ

ଗଲା ଗଉତମ ପୁରୀ ୟେ

।।

ଦାରୁ ପାଷାଣ ଅନ୍ତର

ନାହିଁ ଯେଣୁ ରଘୁବୀର

।।

ଏଣୁ ମୋହ ମନେ ଭୟେ

ହେଉଛି ଶୁଣିମା ରାୟେ ହେ

।।

ଏସନ ତା ବାଣୀ ଶୁଣି

ହସିଣ ସେ ରଘୁମଣି

।।

ବୋଲନ୍ତି ୟେ ଆଚରଣ

କ୍ଷଣେ ତୋ ହେବ କାରଣ ୟେ

।।

ଧନ୍ୟ ଧନ୍ୟ ତୁ ନାବିକ

ବୋଲନ୍ତି ସେ ଦେବଲୋକ

।।

ଯେଉଁ ପାଦପଦ୍ମ ଭବ

ପ୍ରକ୍ଷାଳନେ କଲା ଭାବ ୟେ

।।

କାରୁଣ୍ୟ ଜଳକୁ ଘେନି

ଧୋଇଅଛି ପଦ୍ମଯୋନି

।।

ସେ ଜଳ ହର ଶିରର

ଧରି ଲଭିଲା ନିସ୍ତାର ୟେ

।।

ଏମନ୍ତ ମହିମା ଯାର

କେ କରୁ ତାହା ଗୋଚର

।।

ସେ ପାଦ ପଦ୍ମକୁ ଧରି

ନାବିକ ଆନନ୍ଦ ଭରି ୟେ

।।

ଧୋଇଣ ଗର୍ଭେ କ୍ଷେପିଲା

ଅତି ଆନନ୍ଦ ହୋଇଲା

।।

ଗଙ୍ଗା ଦେଲା ପାରିକରି

ପ୍ରବେଶ ନଥିଲା ପୁରୀ ସେ

।।

ଛା୮/୧୬-୨୪

 

କବିଙ୍କର ଅସୀମ ଭକ୍ତିମତ୍ତା ନଥିଲେ ଏପରି ଭକ୍ତି ଭାବମୟୀ ପଦର ସ୍ଫୁରଣ ହୋଇଥାନ୍ତା କିପରି ? ଭକ୍ତିରସ ପରିପୂର୍ଣ୍ଣ ଧନଞ୍ଜୟ ଭଞ୍ଜଙ୍କର ଏହି ମୌଳିକ ସରଳ ଭାବଧାରାକୁ ଗ୍ରହଣ କରି ଉପେନ୍ଦ୍ର ଯେ ତହିଁରେ ଆଳଂକାରିକତା’ର ସୁଦୃଶ୍ୟ ପୁଟ ଦେଇଛନ୍ତି ତାହା କହିବା ଯଥାଯଥ ହେବ । ଏକ ପରିବାରର କାବ୍ୟ ଭାବରେ ଉପେନ୍ଦ୍ର ଧନଞ୍ଜୟଙ୍କର ଏହିକାବ୍ୟକୁ ଗଭୀର ଭାବରେ ପାଠ କରିଥିଲେ ଅତି ଅନୁରାଗର ସହିତ ଓ ତହିଁରେ ପ୍ରଭାବିତ ହୋଇଥିଲେ ପ୍ରତି ପଦେ ପଦେ-‘ରାମବିଳାସ’କୁ ସମ୍ପୂର୍ଣ୍ଣ ଉପେକ୍ଷାକରି ଗର୍ବଭାବରେ ସେ ସ୍ୱତନ୍ତ୍ର ଭାବରେ ବୈଦେହୀଶବିଳାସକାବ୍ୟ ରଚନା କରି ଧନଞ୍ଜୟଙ୍କୁ ଦେଖାଇ ତାଙ୍କୁ ଏକ ପ୍ରକାର ଲଜ୍ଜିତକରିବା କଥା ସମ୍ପୂର୍ଣ୍ଣ କାଳ୍ପନିକ ଓ ଅବାନ୍ତର ଅଟେ ।

 

ଏହି କାବ୍ୟର ପାଠରୁ ଜଣାଯାଏ ଯେ ମହାକବି ଉପେନ୍ଦ୍ରଙ୍କଠାରୁ ବଳିଥିଲେ ସେ ରାମଭକ୍ତ-ଧୀବରର ଏପ୍ରକାର ଉକ୍ତି କୌଣସି ସଂସ୍କୃତ ବା ଓଡ଼ିଆ ରାମଚରିତରେ ନ ଥିଲା । ମନେହୁଏ, କବି ପ୍ରଥମ କରି ନିଜ ହୃଦୟର ଭକ୍ତିଭାବକୁ ରୂପାୟିତ କଲେ ଧୀବର ଚରିତ୍ରର ମାଧ୍ୟମରେ ଏବଂ ପରେ ଉପେନ୍ଦ୍ର ଏହି ଭାବଧାରା ଅବଲମ୍ବନରେ ସ୍ୱଲେଖନୀ ଚାଳନା କଲେ – ‘ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ’-ଏହି ଛାନ୍ଦର ଭାଷା ଓ ଭାବ ଧୀବର ହୃଦୟର ଭାବ ଓ ତାହାର ମୁହଁର ଭାଷା ପରି ହୋଇଛି ସରଳ ଓ ମର୍ମସ୍ପର୍ଶୀ; କିନ୍ତୁ ଉପେନ୍ଦ୍ରଙ୍କର ସେହି ଭାବକୁ ବୁଝିବା ପାଇଁ ପାଣ୍ଡିତ୍ୟର ପ୍ରୟୋଜନ ପଡ଼ିଥାଏ । କେବଳ ଏହି ଗୋଟିଏ ଛାନ୍ଦ ନୁହେଁ ‘ରାମବିଳାସ’ର ବହୁ ଛାନ୍ଦ ସହିତ କବିଙ୍କର ଅନ୍ୟାନ୍ୟ କାବ୍ୟର ପ୍ରଭାବ ମଧ୍ୟ ଉପେନ୍ଦ୍ରଙ୍କର କାବ୍ୟରାଜିକୁ ପ୍ରଭାବିତ କରିଛି । ଏଦିଗ ଏକ ଅନାଲୋଚିତ ଦିଗ, ଏହି ବିଷୟ ପ୍ରତି ଆଲୋଚକ ଓ ଗବେଷକମାନଙ୍କର ଦୃଷ୍ଟି ପଡ଼ିବା ଆବଶ୍ୟକ ।

 

କାବ୍ୟରେ ଛବିଳ ପ୍ରକୃତି ବର୍ଣ୍ଣନା

ଏହି ଯୁଗାନ୍ତକାରୀ ମହାକାବ୍ୟର ବିଭିନ୍ନ ଛଳରେ ପରିପୂର୍ଣ୍ଣ ହୋଇ ଉଠିଛି ବିଭିନ୍ନ ଋତୁ ପର୍ଯ୍ୟାୟରେ ପ୍ରକୃତିର ନୂତନ ନୂତନ ଶୋଭାସମ୍ଭାର । ମୋର ମନେହୁଏ, ଅନ୍ୟ କୌଣସି ପ୍ରାଚୀନ ଓଡ଼ିଆ କାବ୍ୟରେ ପ୍ରକୃତିର ଏତେ ଛବିଳବର୍ଣ୍ଣନା ନାହିଁ । ରାମାୟଣ ବିଷୟବସ୍ତୁର ବନ ଓ ଆଶ୍ରମ ପ୍ରକୃତି ସହିତ କବିଙ୍କୁ ଅଭିନବ ପ୍ରେରଣା ଯୋଗାଇଛି ବନପର୍ବତଘେରା ଘୁମୁସରର ପ୍ରାକୃତିକ ସୌନ୍ଦର୍ଯ୍ୟ । ସଂସ୍କୃତ କାବ୍ୟରାଜିର ପ୍ରାକୃତିକ ଶୋଭା ବର୍ଣ୍ଣନାର ପ୍ରଭାବ ମଧ୍ୟ ଏଥିରେ ହୋଇଛି ପ୍ରତିଫଳିତ ଓ ତହିଁରେ ମଧ୍ୟ କବିଙ୍କର ମୌଳିକ ଚିନ୍ତାଧାରା ମିଶି ରହିଛି । ସନ୍ଧ୍ୟା, ପ୍ରଭାତ, ବନ ବର୍ଣ୍ଣନା, ଉପବନ ବିହାର, ଜଳକ୍ରୀଡ଼ା ପୁଣି ବିଭିନ୍ନ ଋତୁର ପ୍ରାକୃତିକ ଶୋଭାରେ ଏହି କାବ୍ୟ ଅତି ଅନୁପମ ଶ୍ରୀ ଧାରଣ କରିଛି-ପୁଣି ଭାଷାର ଲାଳିତ୍ୟ ଓ ସରଳତାନିମିତ୍ତ ବର୍ଣ୍ଣନାଗୁଡ଼ିକ ହୋଇଛି ହୃଦୟସ୍ପର୍ଶୀ । ଏକ ଅମୂଲ୍ୟ ଅପ୍ରକାଶିତ ମହାକାବ୍ୟରୁ କେତେକ ଅଂଶର ଉଦାହରଣ ଦେବା ଉଚିତ ମନେକରି ତହିଁର କେତେକ ଅଂଶର ଉଦ୍ଧୃତି ନିମ୍ନରେ ଦେଲି । ପ୍ରଭାତର ଆଗମନରେ ନୂତନ ଜୀବନର ପ୍ରବାହ ଖେଳିଛି ଓ ତହିଁରେ ପ୍ରବାହିତ ହୋଇଛି ପ୍ରେମର ଚିରନ୍ତନ ପ୍ରବାହ-ସୂର୍ଯ୍ୟ ଓ ପଦ୍ମର ପ୍ରେମର ବର୍ଣ୍ଣନା କବି ପରମ୍ପରାକୁ ଅନୁସରଣ କରି ଲେଖିଛନ୍ତି-

 

‘ନାନା ପଛି କୋଳାହଳରେ ପୁରେ ସକଳ ଆଶା

ହିମକର କର ଲୁଳିଲା ଦେଖି ବିଚ୍ଛେଦୀ ଆଶା ।

ଚକ୍ର ଚକ୍ରବାକୀ ଆନନ୍ଦ ପ୍ରୀତି ଅରୁଣ ଦିଶେ

ପୁଷ୍ପ ବିକାଶ ଗନ୍ଧ ଘେନି ଗନ୍ଧବାତ ପ୍ରକାଶେ ।

 

ଦର ମୁକୁଳିତକୁମୁଦ କୁଳ ତେଜି ଭ୍ରମର

ନଳିନୀ ନଳିନୀ ବିହାରେ ହୋୟେ ଅତି ସତ୍ୱର ।

ପ୍ରୀତି ନାରୀର ରତମାନ ଦୂର କରିଣ ଦୂରେ

ଲେପିଲା ଅଙ୍ଗରେ କୁଙ୍କୁମରାଗ ଅତି ସ୍ନେହରେ ।

 

କମଳିନୀ ଚିତ୍ତ ଆନନ୍ଦ ହେଲା ଏଣୁ ବିସ୍ତାର

ତେଣୁ ହିମ ନବ ଲୋତକ କରେ କଲା ତାହାର ।

ଦିବାକାନ୍ତାକୁ ଆଲିଙ୍ଗନ କଲା ସହସ୍ର କରେ

ଦେଖିଲା ଯେ ଶଶୀ ପଶିଲା ଅସ୍ତଗିରି ଗହ୍ୱରେ ।

 

କୁମୁଦିନୀର ଶିରେ ପାଦ ଅତି କ୍ରୋଧରେ ଦେଲା

ରକ୍ଷକ ଭ୍ରମର ହୁଙ୍କାର ବାଣୀ ମନେ ନ କଲା ।’

ଛା ୪/୨-୮

 

ସେହିପରି ସନ୍ଧ୍ୟା ବର୍ଣ୍ଣନାରେ ଏକ ଦିଗରେ ସୂର୍ଯ୍ୟାସ୍ତ ଓ ଅନ୍ୟଦିଗରେ ଚନ୍ଦ୍ରୋଦୟର ବର୍ଣ୍ଣନା ଦିଆଯାଇଛି । ଚତୁର୍ଦ୍ଦଶ ଛାନ୍ଦରେ ବିବାହ ପରେ ବରକନ୍ୟାଙ୍କର ବିଦାୟକାଳୀନ ହର୍ଷ-ବିଷାଦର ପ୍ରତୀକ ସ୍ୱରୂପ ସୂର୍ଯ୍ୟାସ୍ତ ଓ ଚନ୍ଦ୍ରୋଦୟ ଘଟିଛି । ଏସବୁର ପ୍ରଭାବରେ ମଧ୍ୟ ଅଭିମନ୍ୟୁଙ୍କର ବିଦଗ୍‌ଧ ଚିନ୍ତାମଣି ହୋଇଛି ପ୍ରଭାବିତ-

 

‘ଚନ୍ଦ୍ର ଚନ୍ଦ୍ରିକା ବିରଷ ହୋଇଲେ ଆଚ୍ଛାଦିଲା ସନ୍ଧ୍ୟାଘନ

ସଙ୍କେତ ନାୟିକା ନାୟକ ଗମନେ ମଣ୍ଡନେ ଅତି ଉଚ୍ଛନ୍ନ ।

ବେଳକୁ ବେଳ ସଂନ୍ଧ୍ୟା ରଙ୍ଗ ତୁଟିଲା ଅନ୍ଧାର ଅଇଲା ବଢ଼ି

ଜଳେ ବିକଶିତ ହୋଇଲେ ଅଳପ ହୋଇଣ କୁମୁଦ କଢ଼ି । ୧୪ ।

 

ବିରହେ ଭ୍ରମର ଭ୍ରମେ ଚଉଦିଗ ଚୁମ୍ବନେ ହୋଇଲା ଲସି

ମକରନ୍ଦ ଗନ୍ଧେ ସମୀର ଚଞ୍ଚଳ ହୋଇ ତା ଉଦରେ ପଶି ।

ଏଥୁଅନନ୍ତରେ ଉଦୟ ଅଚଳ ଶିରେ ଶୋହେ ନିଶାପତି

ନିଶିମାନ ତମମ୍ବର ସେ ନାଶିଲା ଦେଖାଇ ଅପ୍ରୀତି ପ୍ରୀତି । ୧୬।

 

ଷୋଡ଼ଶ ଛାନ୍ଦରେ ଶ୍ରୀରାମଚନ୍ଦ୍ର ସୀତାଙ୍କୁ ବନର ଶୋଭା ଦେଖାଇବାରେ ବନ ପ୍ରକୃତିର ଛବିଳ ଶୋଭା ପ୍ରକାଶ ପାଇଛି କାବ୍ୟିକ ରୀତିରେ-ଏଥିରେ ରହିଛି ସରଳ ଶବ୍ଦାଳଙ୍କାର ଯାହା ଉପେନ୍ଦ୍ରଙ୍କ ଲେଖନୀକୁ ପ୍ରଭାବିତ କରିଛି ପଦେ ପଦେ । ଭଞ୍ଜଯୁଗର ଶୃଙ୍ଗାରିକତା ମଧ୍ୟ ଏହି ପ୍ରାକୃତିକ ଶୋଭା ସହିତ ବିଜଡ଼ିତ-ଅନୁପ୍ରାସମୟ ପଦାବଳୀରେ ଓ ଛନ୍ଦର ମାଧୁର୍ଯ୍ୟରେ ପଦଗୁଡ଼ିକର ଝଙ୍କାର ଯେ କୌଣସି ପାଠକର ପ୍ରାଣକୁ କରିଥାଏ ରସମୟ । ଏହିସବୁ ବର୍ଣ୍ଣନାର ପରିପାଟୀ ଏତେ ବେଶୀ ଯେ ତହିଁରୁ ସାମାନ୍ୟ କେତେକ ପଦର ଉଦାହରଣ ମାତ୍ର ଦିଆଗଲା-ରାମଚନ୍ଦ୍ର ସୀତାଙ୍କୁ ବନର ଶୋଭା ଦେଖାଇ କହୁଛନ୍ତି-

 

‘ଦେଖ ରସାଳ ସାର ଶାଳ ବିଶାଳ ବିଶାଳ ସୁବକୁଳକୁଳ

ଅତି ମନୋହର ହିନ୍ତାଳ ତାଳରେ ଯୁକ୍ତ ମୁକ୍ତମାଳକମାଳ । ଆରେ ଗଉରୀ ।

ଗଉରୀ ଶୁଣୁତୁ କୁଶଳା ।

ବକୁଳ କୁଳ କୁଳକୁ ଶୋଭାକାରୀ ଦେଖରେ ନବୀନ ଅବଳା । ୩ ।

ଦେଖ ସଖି ତୁଙ୍ଗ ତୁଙ୍ଗ ତୁଙ୍ଗସ୍ତନା ନାନାରଙ୍ଗ ରଙ୍ଗ ରଙ୍ଗଣୀ

ପ୍ରିୟ ସହଚରୀ ସହଚରୀ କୁଳ କୁସୁମେ ଦିଶନ୍ତି ଶୋଭିନୀ । ପ୍ରାଣ ଦାୟିନୀ ।

ଦାୟିନୀ ଅଟୁ ମଦନର ।

ଦେଖ ବିକଶିତ ସୁମନା ସୁମନା ସୁମନା ହୋଇତୁ ସଧୀର । ୪।

ଦେଖ ପଦ୍ମ ପଦ୍ମ କରେ କରେ ଲୀଳା ମତ୍ତଗଜ ହଂସ ଗମନୀ

ହଂସ ମଣ୍ଡଳୀ ଶତପତ୍ର ପତ୍ର ନୟନାମାନଙ୍କର ଗୋ ପ୍ରିୟ ଆଳି

ଆରେ ସୁଶିଳା । ଶିଳା ସୋପାନଯେ ମୋହର ।

ଚକ୍ର ଚକ୍ର ଚକ୍ର ଗତି ଦେଖ ଚକ୍ରସ୍ତନୀ ଜଳ କେଳି ରୁଚିର । ୧୦।

ଦେଖ କଲ୍ଲୋଳ ଲୋଳ ଲୋଳ ଅପାଙ୍ଗୀ ଭ୍ରମର ଭ୍ରମର ଶୋଭନ

ଭ୍ରମ ଭ୍ରମ ଭ୍ରମ କରେ ଛବି ତୋର ସୁମନା ସୁମନା ମଣ୍ଡନା ।

ଚନ୍ଦ୍ରଆନନୀ ଆନନିକି ତୋତେ ସମାନୁଁ ।

ଅତି ରୋହିତ ସମାନ ଶୋଭା ଦେଖ ବିଳସ ଶାଳ କେଳି ପୂର୍ଣ୍ଣ । ୧୧ ।

 

ଅନ୍ୟତ୍ର ୧୮ ଛାନ୍ଦରେ ସୀତାଙ୍କୁ ସେହିପରି ବନର ଶୋଭା ଦେଖାଇ କହିଛନ୍ତି-

 

ଦେଖ ହିନ୍ତାଳ ମୁକୁଳ ତମାଳ

ନୃତ୍ୟନ୍ତି ମାଳ ବଞ୍ଜୁଳ ଚହଳ

।।

ସରଳ ରସାଳ ତମାଳ ତାଳ

ବକୁଳ ପିଆଶାଳ ମାଳମାଳ

।।

ସେ ଅତିରଞ୍ଜନ

କରେ ଯୋଗୀଜନ ମାନଭଞ୍ଜନ

।୧୬।

ଝିଲ୍ଲୀ ଝଙ୍କାରୀ ଝିଙ୍କାରିତ ଧୂନି

କଳିତ ହୋଇଅଛି ଏହୁ ବନୀ

।।

କପୋତ ଶୁକ ସାରିକା ମୟୂରୀ

ରାବ ନୃତ୍ୟରେ ଏହୁ ଅଛି ପୁରି

।।

ଧନ୍ୟ ଏହୁ ବନୀ

ଦେଖ ରଙ୍ଗଣୀ ରଙ୍ଗଣୀ କାମିନୀ

।୧୭।

 

ବୈଦେହୀଶ ବିଳାସରେ ଉପେନ୍ଦ୍ରଙ୍କର ମାଳଯମକରେ ଲିଖିତ ‘ବିଚାରଇ ମାଳଯମକରେ କବି ଦିନେ । ବୁଲେ ରାମ ରାମ ରାମନେତ୍ରୀ ଘେନି ବନେ’ ଛାନ୍ଦ ଧନଞ୍ଜୟ ଭଞ୍ଜଙ୍କ ରାମବିଳାସର ଊନବିଂଶ ଛାନ୍ଦଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହୋଇଛି-ଏହି ଛାନ୍ଦରୁ ଧନଞ୍ଜୟଙ୍କର ଶବ୍ଦାଳଂକାର ପ୍ରୟୋଗରେ ପାରଦର୍ଶିତା କିପରି ଥିଲା ତାହା ସହଜରେ ଜଣାପଡ଼ିଥାଏ । ଚିତ୍ରକୂଟ ପର୍ବତ ଓ ଅରଣ୍ୟର ଶୋଭା ସୀତାଙ୍କୁ ଦେଖାଇ ବଣର ଶୋଭା ବର୍ଣ୍ଣନା କରିଛନ୍ତି ଓ ପ୍ରତ୍ୟେକ ପଦରେ ଶବ୍ଦାଳଂକାରର ରୁଣୁ ଝୁଣୁ ନାଦ ମୁଖରିତ ହୋଇ ଉଠିଛି କଳନାଦିନୀ ନିର୍ଝରିଣୀ ପରି ବର୍ଣ୍ଣନାଟି ହେଉଛି-

 

‘ଦେଖ ଦେଖ କୋମଳାଙ୍ଗୀ ଏବନ ଶୋଭନ

ଚିତ୍ର ଚିତ୍ରକୂଟେ ଏହୁ ହୋଇଛି ରଞ୍ଜନ ଯେ ।

ଧବ ଧବ ଆଲିଙ୍ଗନ କରିଛି ବଲ୍ଲରୀ

କୂଟ କୂଟଜରେ ଏହୁ ଅଛି ଶୋଭା ଧରି ଯେ ।

ପୁଂନାଗ ପଂନାଗ ଗଣେ ହୋଇଛି ମଣ୍ଡିତ

ନଗ ନଗ ଗଣେ ଏହୁ ଦିଶଇ ବିଚିତ୍ର ଯେ ।

ରସାଳ ରସାଳରସେ ଭ୍ରମନ୍ତି ଭ୍ରମର

ଭ୍ରମ ଭ୍ରମ ବର୍ଣ୍ଣକରେ ବିଚ୍ଛେଦ ହୃଦର ଯେ ।

ମଧୁପ ମଧୁପରଶେ ପ୍ରିୟାରେ ଲୋଭିତ

ଘନ ଘନ ପରେ ଚିତ୍ର କୁରଙ୍ଗୀ ଶୋଭିତ ଯେ । ୫।

 

ପୁଣି-

ଦେଖ ଏ ସରସୀବର ସାରସ ସାରସ

ହରୁଛି ଚିତ୍ତକୁ ଏହୁ ସୁବାସ ସୁବାସ ।

ଦେଖରେ ମୀନ-ନୟନୀ ଚନ୍ଦ୍ରାଙ୍ଗ ଚନ୍ଦ୍ରାଙ୍ଗ

ଖେଳନ୍ତି ରାଜି ମରାଳି ସୁଭଙ୍ଗ ସୁଭଙ୍ଗ । ୨୬

ଦେଖରେ ଚନ୍ଦ୍ରବଦନୀ ମଧୁପ ରମଣୀ

ତୋର ପ୍ରିୟାକର ଏହୁ ମଧୁପର ମଣି । ୩୭

ଦେଖ ମଧୁକରେ ମଧୁକରେ ମଧୁକ ରେ

ଶୋଭା ସାରସରେ ସାରସରେ ସାର ସରେ ।

ଅଧର ଅଧର ଅଧରଙ୍ଗ ବିମ୍ବ ବହେ

ଅଧର ଅଧର ଅଧରଙ୍ଗ ବିମ୍ବ ବହେ ।

ମଧୁର ମଧୁର ମଧୁର ସେ ଭୃଙ୍ଗ ମତ

ମଧୁର ମଧୁର ମଧୁ ରସରେ ବିଦିତ ।

କମଳବଦନୀ ଅଭିରାମ ରାମ ଦେଖ

ପ୍ରିୟେ କଳକଣ୍ଠ କଣ୍ଠେ ବଢ଼ାଉଛି ମୁଖ ।’

 

ଯେଉଁମାନେ ଭଞ୍ଜ-ସାହିତ୍ୟରେ ବିଶେଷତଃ ଉପେନ୍ଦ୍ର ସାହିତ୍ୟର ଶବ୍ଦାଳଂକାର ଉତ୍କର୍ଷ ନିମିତ୍ତ ତାଙ୍କର ବିଭିନ୍ନ ଶବ୍ଦାଳଂକାରିକ ରଚନାର ଉଦ୍ଧୃତି ଦେଇଥାନ୍ତି ସେମାନଙ୍କର ମନେ ରଖିବା ଉଚିତ ଯେ ବହୁ ପୂର୍ବରୁ ସେହି ରାଜ ପରିବାରର କବି ଶବ୍ଦାଳଂକାର ଆଟୋପର ଅତି ମନୋଜ୍ଞ ପରିପ୍ରକାଶ କରିଯାଇଛନ୍ତି; ଯାହାର ପଦବୀ ମାତ୍ର ଉପେନ୍ଦ୍ର ଅନୁସରଣ କରିଥିଲେ । ତେଣୁ ତୁଳନାମୂଳକ ଭାବରେ ଉଭୟ ଭଞ୍ଜ ମହାକାବ୍ୟ ଦୁଇର ଆଲୋଚନା ଏକାନ୍ତ ଆବଶ୍ୟକ । ସୀତାଙ୍କର ଅପହରଣ ପରେ ରାମ ବିରହ ବ୍ୟଥିତ ହୋଇ ପଡ଼ିଛନ୍ତି ଏବଂ ଏହି ଅବକାଶରେ ବିଭିନ୍ନ ଋତୁରେ ରାମଚନ୍ଦ୍ରଙ୍କର ବିରହ ପ୍ରକାଶ ପାଇଛି । ରାମଚନ୍ଦ୍ର ନରନାରାୟଣ; ଏଣୁ ତାଙ୍କଠାରେ ଉଭୟ ଲୌକିକ ଓ ଅଲୌକିକ ବିଭାବମାନ ପ୍ରକାଶିତ ହୋଇଛି । ସୀତାଙ୍କ ବିଚ୍ଛେଦରେ ରାମଚନ୍ଦ୍ର ହୋଇଛନ୍ତି କାମାତୁର, ଏବଂ ଏହି ବିଭାବ ମଧ୍ୟ ପରବର୍ତ୍ତୀ କାବ୍ୟ ବୈଦେହୀଶ ବିଳାସରେ ଉଭୟ ରାମ ଓ ସୀତା ଚରିତ୍ରରେ ପ୍ରକଟିତ ହୋଇଛି । ‘ଶ୍ରୀରାମ ବିଳାସ’ କାବ୍ୟରେ ବିଭିନ୍ନ ଋତୁ ପ୍ରକୃତି ବର୍ଣ୍ଣନାର କେତେକ ପଦହେଲା-

 

ବର୍ଷାବର୍ଣ୍ଣନା-

ଏଥୁ ଅନନ୍ତରେ ଗ୍ରୀଷମ ଶେଷ

ବରଷା ଆସି ହୋଇଲା ପ୍ରବେଶ

।।

ଗଗନ ମଣ୍ଡଳ ଆଚ୍ଛାଦି ଘନ

ଘନ ଘନ କରି କରେ ନିସ୍ୱନ

।।

କୋଳେ ବିଦ୍ୟୁଲ୍ଲତା

ହସିଲା ପ୍ରାୟେକ ଦିଶେ ଶୋଭିତା

।୧।

(ଛା୧୯)

ଶରତ୍‌ ବର୍ଣ୍ଣନା-

ଏଣେ ହେଉ ସୁଖକାରୀ

ଏବେ ହେବୁ ଦୁଃଖ ଭାରି

।।

ତୋର ମୋର ଶୋଇଥାଇଂ

ଏ ଋତୁରେ ଚନ୍ଦ୍ର ମୁହିଂ

।୨୧।

ତନୁର ଅନ୍ତର ଆସେ

ଲେଉଟଇ ନାହିଂ ପାଶେ

।।

ନ ଘେନୁ ଯେ କଣ୍ଠେହାର

ଏବେ ତ କଲୁ ଅନ୍ତର

।୨୨।

(ଛା୩୦)

ବସନ୍ତ ଋତୁ-

‘ଫୁଲ୍ଲ କମଳ ଫଳକ କରି କରେ ଅଳିମାଳା କରି ଖଡ଼ଗ

ବସନ୍ତ ସାମନ୍ତ ସଙ୍ଗେ ଘେନି ବିଜେ କରିବ ବିରହୀ ବିରାଗ

କୋକିଳ । ନିଶାଣ କରିଅଛି ଆଗ ।

ଅଗ୍ରତେ ଚୂତ ଦଣ୍ଡ ଘେନି ବିରାଜେ ଡାକନ୍ତି ପ୍ରତୀହାରୀ ଭୃଙ୍ଗ । ୩।

କୁସୁମ ପରାଗ ଧୂଳି ଉଡ଼ିବାରେ ଅଦୃଶ୍ୟ କଲା ଦିଗସଂଗ

ଶିଖୀ ପଦାତି ପଲ୍ଲବ ଛେଲ ଧରି ଉଭାରିଛନ୍ତି ଓଘ ଓଘ ।

କେକେ । ମୁକୁଳ ସୁବର୍ଣ୍ଣ ପରିଘ ।

ବିରହୀ କରି ବାରଣ କାରଣରେ ବିଚାରୁଅଛି ମାର ସିଂହ । ୪।

 

ଅନ୍ୟତ୍ର ‘ରାମ ବିଳାସର’ ୪୭ ଛାନ୍ଦରେ ସମୁଦ୍ର ବର୍ଣ୍ଣନାରେ ପଡ଼ିଛି ରଘୁବଂଶର ପ୍ରଭାବ । ମୋର ମନେହୁଏ ଏପରି ସୁନ୍ଦର ମୌଳିକ ଓ ଅନୁବାଦର ମଧୁର ସମନ୍ୱୟରେ ରଚିତ ଏହି ଛାନ୍ଦ ଓଡ଼ିଆ ସାହିତ୍ୟରେ ଦୁର୍ଲଭ । ରାବଣ-ବଧ ପରେ ରାମ ଓ ସୀତା ଅଯୋଧ୍ୟା ପ୍ରତ୍ୟାଗମନ କରିଛନ୍ତି ପୁଷ୍ପକ ବିମାନରେ-ପୁଷ୍ପକ ବିମାନରେ ବସିଥିବା ଅବସ୍ଥାରେ ରାମ ସୀତାଙ୍କୁ ଦେଖାଇ ଦେଇଛନ୍ତି ଏହି ସ୍ଥାନରେ ମରିଛି ରାବଣ, ଏଠାରେ ପଡ଼ିଛି ଅସୁରମାନଙ୍କର କୁଢ଼କୁଢ଼ ଶବ, ଏଠାରେ ମୁକ୍ତିଲାଭ କରିଛି ଅହଲ୍ୟା-ଏହିପରି ସୀତା ହରଣଠାରୁ ରାବଣବଧ ପର୍ଯ୍ୟନ୍ତ ଘଟିଥିବା ବିଭିନ୍ନ ଘଟଣାର ଗୋଟି ଗୋଟି ବର୍ଣ୍ଣନା କରିଛନ୍ତି ଯାହା ରଘୁବଂଶରେ ନାହିଁ ଓ ତାହା ହେଉଛି କବିଙ୍କର ମୌଳିକତା-। କିନ୍ତୁ ସମୁଦ୍ର ବର୍ଣ୍ଣନାରେ କବି କାଳିଦାସଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି-

 

‘ବୈଦେହୀ ପଶ୍ୟା ମଳୟା ବ୍ବିଭକ୍ତା ମତ୍‌ ସେତୁନା ଫେନିଳମ୍‌ ମମ୍ବୁରାଶିମ୍‌ ।

 

ଛାୟାପଥେନୈବ ଶରତ୍‌ ପ୍ରସନ୍ନମାକାଶ ମାବିଷ୍କୃ ତଚାରୁତାରମ୍‌’ ପ୍ରଭୃତି ପଦର ପ୍ରଭାବ କବି ଲେଖନୀକୁ ଅନେକାଂଶରେ କରିଛି ପ୍ରଭାବିତ । ଯେପରି :-

 

‘‘ଦେଖ ଏହୁ ପାରାବାର ଅତି ଭୟଙ୍କର

ଅମ୍ବର ପ୍ରାୟେକ ଏହୁ ଦିଶୁଛି ରୁଚିର

।୨୭।

ପ୍ରଳୟ ସେତୁ ପରାଏ ହୋଇଛି ଉଦିତ

ଲଙ୍କା ନାଶ କରିବାରେ ଏ ସେତୁ ବିଦିତ

।।

ମହା ବ୍ୟାଳରେ ହୋଇଛି ଏହୁ ଭୟଙ୍କର

ମନ୍ଦ ଗମନରେ ଏହୁ ଦିଶେ ମନୋହର

।।

ଅମୃତ କରରେ ସଦା ହୋଇଅଛି ପୂର୍ଣ୍ଣ

ଅଙ୍ଗ ପ୍ରଚାରରେ ହୋଇ ଅଛଇ ରଞ୍ଜନ

।।

ଦେଖ ଏହୁ ପାରାବାର ଉତ୍ତରର ତୀର

କୁଶ ଶଯ୍ୟା ଏଠାରେ ମୁଁ କଲି ନାରୀବର

।।

ଏଠାରେଟି ବିଭୀଷଣ ପଶିଲା ଶରଣ

ଏଠାରେ ଭେଟିଲା ମୋତେ ବରୁଣ ରାଜନ

।।

 

ପୁଣି-

ଦେଖ ଫଲ୍‌ଗୁନଦୀ ଏହି ମରାଳ ଗମନା

ଏଠାବରେ ବାଲିପିଣ୍ଡ ଦେଲୁ ପ୍ରିୟେ ଅନା

।୪୨।

ଏହୁ ଚିତ୍ରକୂଟ ସ୍ଥାନ କରୀନ୍ଦ୍ରଗମନୀ

ଏଥି କାକକ୍ଷତ କଲା ସ୍ତନେ ନଖଘେନି

।।

(ଛା୪୭)

 

ଏହିପରି ୫୦ଛାନ୍ଦ ବିଶିଷ୍ଟ ଏହି ବିରାଟ କାବ୍ୟରେ ପ୍ରକୃତିର ରମଣୀୟ ଶୋଭା ବର୍ଣ୍ଣିତ ହୋଇଛି ସରଳ ସହଜ ଭାଷାରେ ଯାହା ଅନ୍ତତଃ ଶିକ୍ଷିତ ସାଧାରଣ ପାଠକର ହୃଦୟକୁ ଆଲୋଡ଼ିତ କରିଥାଏ ।

 

ଶୃଙ୍ଗାରିକତା

ଧନଞ୍ଜୟଙ୍କର ବହୁପୂର୍ବରୁ ଓଡ଼ିଆ କାବ୍ୟରେ କାମକଳାର ଚିତ୍ର ରହିଛି । ଏସବୁ ବିଷୟ ଲୌକିକ-ପୌରାଣିକ କାବ୍ୟ ଓ ଭକ୍ତିକାବ୍ୟରେ ଏହି ବିଭାବ ପ୍ରକଟିତ ହୋଇଛି ଉଭୟ କୃଷ୍ଣ ଓ ରାମକାବ୍ୟ ସମୂହରେ-ଏହା ଦୂଷଣୀୟ ନୁହେଁ; କାରଣ ରାମ ଓ କୃଷ୍ଣ ନରଦେହରେ ଜନ୍ମଲାଭ କରିଥିଲେ ଓ ସାଂସାରିକ ଜୀବନର ସମସ୍ତ ବିଭାବ ସେମାନଙ୍କର ଚରିତ୍ରରେ ପରିସ୍ଫୁଟ ହେବା ସ୍ୱାଭାବିକ ଅଟେ । ଆଗରୁ କୁହାଯାଇଛି ଯେ ନରନାରାୟଣ ରୂପରେ ଉଭୟ ଲୌକିକତା ଓ ଅଲୌକିକତାର ଘଟିଛି ମଧୁର ସମନ୍ୱୟ ।

 

କବି କାବ୍ୟକୁ ଲୋକପ୍ରିୟ ଓ ରସମୟ କରିବାକୁ ଯାଇ ଯେଉଁ ଶୃଙ୍ଗାରିକତାର ବର୍ଣ୍ଣନା କରିଛନ୍ତି ତାହା ସେପରି ନଗ୍ନନୁହେଁ-ଯେଉଁ ନଗ୍ନତା ରହିଛି କୋଣାର୍କ ଅଥବା ପୁରୀ ଓ ଭୁବନେଶ୍ୱର ମନ୍ଦିର ଗାତ୍ରରେ-ସେପରି ଅଶ୍ଳୀଳତା ଓ ନଗ୍ନତା ଏଥିରେ ନାହିଁ । ଏ ଯେଉଁ ଶୃଙ୍ଗାରିକତା ତାହା କାବ୍ୟ ଓ ଅଳଙ୍କାର ଶାସ୍ତ୍ରଗତ ଶୃଙ୍ଗାରିକତା ମାତ୍ର । ବନବିହାର ସମୟରେ ସୀତାଙ୍କର ଅପରୂପ ଲାବଣ୍ୟରେ ରାମ ହୋଇଛନ୍ତି ପ୍ରଲୁବ୍‌ଧ ସମଗ୍ର ଛାନ୍ଦଟି ଉତ୍‌ପ୍ରେକ୍ଷା ଅଳଙ୍କାରରେ ହୋଇଛି ପରିପୂର୍ଣ୍ଣ ଏତ ଥିଲା ଅଳଙ୍କାର ବାହୁଲ୍ୟ ଯୁଗ; ତେଣୁ ଶରୀରରେ ଯେପରି ଅଳଙ୍କାର ବହୁଳତା ଥିଲା ସେହିପରି କାବ୍ୟରେ ଥିଲା ଶବ୍ଦ ଓ ଅର୍ଥାଳଙ୍କାରର ଆଧିକ୍ୟ । ତେଣୁ ଏସବୁ ହେଉଛି ସେ କାଳ ଯୁଗ ସାହିତ୍ୟର ରୁଚି ଓ ବୈଶିଷ୍ଟ୍ୟ । ସୀତାଙ୍କ ଅବୟବର ବର୍ଣ୍ଣନାରେ-

 

‘ଧନ୍ୟରମଣୀ ମଣିର କୁଚ ସଘନ ଶୋଭାବନ ।

କିବା କନ୍ଦୁକ କାମଦେବର ଦିଶେ ଶୋଭିତ ମାନ ।।

କିଅବା ନଟ ହାଟକ ପୂର୍ଣ୍ଣ କୁମ୍ଭ ଏ ଅତନୁର ।

କି କାମ ଭୟେ ଅତିକାତରେ ହୋଇଲେ ବେନିହର ।।

 

ଲାବଣ୍ୟରସ ସରସୀବରେ ଶୋଭିତ ଚକ୍ର ବେନି ।

ସଂସାର ଚକ୍ର ଭାର ଅଛି କି ରାମା ହୃଦରେ ଘେନି

କି ଅବା ବେନି ହେମ ସଂପୁଟେ ଯୁବା ମୋହିବା ପାଇଁ ।

ଥୋଇଛି ମୋହ ଓଷଧମାନ ପୁରାଇ ରତିସାଇଁ ।।

 

କି ବା କନକ ଲତିକା ବହି ଅଛଇ ବେନି ମେରୁ ।

ଚିତ୍ତ ଧଇର୍ଯ୍ୟ ହୋଇବ ଧ୍ୱଂସ ଏସନ ଉତ୍ପାତରୁ ।

କି ଅବା କାମ ଦ୍ୱିରଦ ବେନି ଶୋଭିତ କୁମ୍ଭ ସ୍ଥଳ ।

କି ଲୀଳା ଲତା ଅତି ମଞ୍ଜୁଳ ଶୋଭିତ ବେନିଫଳ ।।

 

ପୁରି ମଞ୍ଜୁଳ ହେମ କମଳ କୁଡ଼୍‌ମଳ ବେନି କି ସେ ।

ଲୋଭେ ଚୁମ୍ବନ୍ତି ବେନି ଭ୍ରମର ଚୁଚୁକ ଶୋଭାପାଏ ।।

କି ଅବା ହେମ ବେନି କଟୋରା (ତାଟିଆ) ଅବନୀ ମୁଖକରି ।

ରାମା ହୃଦରେ ରଖିଣ ଅଛି ଅତି ଯତନ କରି ।।

 

କି ଅବା ଉପବନେ ବିଚିତ୍ର ହେମ ଲତିକା ଧରି ।

ଫଳିତ ରହିଅଛି କି ବେନି ଶ୍ରୀଫଳ ଶୋଭାଧରି ।।

କି ଅବା ପୂର୍ଣ୍ଣ ଶଶାଙ୍କ ବେନି ହୃଦେ ଉଦୟ ହେଲା ।

ଏହୁ ବିଚିତ୍ର ଦେଖନ୍ତେ ମନେ କାମ ପ୍ରକାଶ ହେଲା । ୩୪।’

(ଛା୯)

 

ସୀତା ଥିଲେ ରାଜବଂଶଜା; ତେଣୁ ତାଙ୍କର ବେଶ ଭୂଷାରେ ରାଜକୀୟତା ପରିସ୍ଫୁଟ ହେବା ସ୍ୱାଭାବିକ । ମଧ୍ୟକାଳୀନ ଓଡ଼ିଆ ରାଜବଂଶରେ ବ୍ୟବହୃତ ହେଉଥିବା ଅଧିକାଂଶ ନାରୀର ପ୍ରସାଧନ ସୀତାଙ୍କର ବେଶ ଭୂଷାରେ ରହିଛି; ଯାହାର ପରବର୍ତ୍ତୀ ପ୍ରଭାବ ଉପେନ୍ଦ୍ରଙ୍କର ଅଧିକାଂଶ କାବ୍ୟରେ ରହିଛି । ‘ରତ୍ନପୀଢ଼ା’, ଗଜଦନ୍ତ ପ୍ରସାଧନୀ ବା ପାନିଆଁ’, ମୋତିମାଳା, ଶିଖରଝୁମ୍ପା, ରତ୍ନସୀମନ୍ଥୀ, ଅଳକାପତ୍ରୀ, ରତ୍ନ ଝିଲିମିଲିମାଳି, ରତ୍ନ ବେଣ୍ଟୁଲି, ତାଟଙ୍କ, ବଜ୍ରମଲ୍ଲୀକଢ଼ି, ନାସାମୋତି, ଗୁଣା, କସ୍ତୁରୀ ପନୀର ନୀର ଗୋଳାଇ ଲଲାଟ ଚିତ୍ର, ଗଣ୍ଡରେ ମକରୀ ଚିତ୍ର, ଗୁଲାଲ ପାଟରେ ମୋତି ଝୁମ୍ପା ଲାଗିଥିବା ଶାଢ଼ୀ ପ୍ରଭୃତିର ବର୍ଣ୍ଣନାରେ ମଧ୍ୟକାଳୀନ ଓଡ଼ିଆଣୀର ଅଳଙ୍କାର ସମ୍ଭାର ରହିଛି । ଏସବୁ ପ୍ରାଚୀନ ଓଡ଼ିଆର ଖାଣ୍ଟି ସମାଜଚିତ୍ର-ହୋଇପାରେ ଏହି ସମାଜ ଆଭିଜାତ୍ୟ ସମାଜ; କିନ୍ତୁ ସୀତାଙ୍କର ଏହି ଅଳଙ୍କାର ବେଶଭୂଷା ସ୍ୱାଭାବିକ ଓ ଯଥୋପଯୁକ୍ତ ଅଟେ-

 

ସ୍ୱୟମ୍ବର ପୂର୍ବରୁ ସଖୀମାନେ ସୀତାଙ୍କୁ ବେଶ କରାଇଛନ୍ତି । ମୁଦୁସୁଲିମାନେ ଏହି ବେଶ କରାଇବା ଢଙ୍ଗ ଆଦି ମଧ୍ୟ ଓଡ଼ିଶାରେ ରହିଛି ଜୀବିତ । ସେ ଯାହା ହେଉ ଏହି ବେଶ ଭୂଷାରେ ଶୃଙ୍ଗାରିକତା ବେଶ ଭାବରେ ଫୁଟି ଉଠିଛି । ତହିଁର କେତେକ ବର୍ଣ୍ଣନା ହେଲା-

 

ପ୍ରିୟ ସଖୀ ବାଣୀ ଶୁଣି ରାମ ମଣି ମଣ୍ଡନରେ ଚିତ୍ତ ବଳିଲା

ଅଳପ ହସିଣ ନୟନ କୋଣ ଢାଳି ସଖୀର ମୁଖକୁ ଚାହିଁଲା ।

ଜାଣି ସେ । ଘେନି ସକଳ ଉପଚାର ।

ରତ୍ନପୀଢ଼ା ପରେ ବସାଇ ଫେଡ଼ିଲା ନୀଳ କୁଟିଳ କେଶ ଭାର । ୨।

ଗଜଦନ୍ତର ପ୍ରସାଧନୀ ଘେନିଣ ଧୀରକରି କେଶ ସାମଳି

ମଧ୍ୟ ଦେଶରୁ ବେନି ଭାଗ କରିଣ ବେଣୀ ରଞ୍ଚିଲେ ସେ ଚତୁରୀ

ସୁହେମ । ପ୍ରତିକାରେ ମଧ୍ୟ ଶିଖିଲା ।

ନବ ମୋତି ଗୁନ୍ଥି ପନ୍ତି ପନ୍ତି କରି ପୁଞ୍ଜି ପୁଞ୍ଜି କରି ଖଞ୍ଜିଲା ।

ବେଣୀ ଶିଖରେ ଶିଖର ଝୁମ୍ପା ଆଣି ଦେଲା ପୁଣି ପ୍ରିୟ ମିତଣୀ

କିମ୍ବା ଅନ୍ଧକାର ପରେ ବନ୍ଦୀ ହୋଇ ରହିଲା ନବୀନ ତରଣୀ

ଚତୁରୀ । ଖଞ୍ଜିଲେ ରତନ ସୀମନ୍ଥୀ ।

ନାନା ଗ୍ରହଗଣ ଏକମେଳ ହୋଇ ଗଗନରେ ଶୋଭା ପାଆନ୍ତି । ୪।

(ଛାନ୍ଦ୬)

 

ସୀତା କାଞ୍ଚଲା ପିନ୍ଧିଲା ପରେ ଶୃଙ୍ଗାରିକତାର ବଶବର୍ତ୍ତୀ ହୋଇ କବି ବର୍ଣ୍ଣନା କରିଛନ୍ତି-

‘କେବଣ ସଖୀ ହସି ପୁଣି ବୋଲଇ ବାଳା ତୋ ବେନିସ୍ତନ ଦୁଇ

ଗଜାଜିନ ଘୋଡ଼ି ହୋଇ କି ଲୁଚିଲା ଅନଙ୍ଗେ କରି ମହା ଦର ।

ରମଣୀ । ମୋ ମନେ ଏମନ୍ତେ ଆସୁଛି ।

କି ସୁରଭୁଧର ବେନିଙ୍କି ଆଚ୍ଛାଦି ତମ ପ୍ରକାଶ ହୋଇଅଛି । ୨୨।

 

ଅନ୍ୟତ୍ର ଅନ୍ୟାନ୍ୟ ବର୍ଣ୍ଣନାରେ ସୁନ୍ଦର କବିତ୍ୱ ସହ ମିଶି ରହିଛି ଶୃଙ୍ଗାରିକତା-

‘ଉଣ୍ଡି ଉପରେଣ ବାନ୍ଧିଲା ସଜାଡ଼ି ନବ ମୋତିକା ପାଖୁଡ଼ି

ଦେଖିବା ମାତ୍ରକେ ଶ୍ରୀରାମ ନୟନ ଭୃଙ୍ଗ ନ ପାରିବ ଉଡ଼ି ।’ । ୧୪।୨୨

‘ସ୍ୱେଦ ଜଳ କଣା ମୁଖେ ବିରାଜିଲା କମ୍ପିଲା ତନୁ ଲତିକା

ଶୁଖିଲା ବସନ ବସନ ତାହାର ନୃତ୍ୟ କଲା କୂଚ କେକା ।’

‘ପୀନସ୍ତନ ପରେ କୁରଙ୍ଗ ମଦରେ ଲିହିଲେକ ପତ୍ରାବଳି

ପୁଣ୍ଡରୀକ କୋଷ ଯୁଗ କି ଆଚ୍ଛାଦି ଅଛନ୍ତି ଅଳି ପଟଳି । ୧୪।୩୬

 

ଏହିପରି ଅସଂଖ୍ୟ ବର୍ଣ୍ଣନା କିନ୍ତୁ ପରବର୍ତ୍ତୀ କାବ୍ୟମାନଙ୍କରେ ଏହି ଶୃଙ୍ଗାରିକତା ନଗ୍ନତାକୁ ବଢ଼ିବଢ଼ି ଚାଲିଲା । ଧନଞ୍ଜୟଙ୍କ କାବ୍ୟରେ ଶୃଙ୍ଗାରିକତା କବିଜନସୁଲଭ ମଧ୍ୟକାଳୀନ ଶୃଙ୍ଗାରିକତା ଯେଉଁଥିରେ ସମ୍ଭୋଗ ଅପେକ୍ଷା ଅଧିକ ରହିଛି ବିପ୍ରଲମ୍ଭ ଶୃଙ୍ଗାର ।

 

ସମାଜ ଚିତ୍ର

ମଧ୍ୟକାଳୀନ ଭକ୍ତି ସାହିତ୍ୟରେ କେତେ ସାମାଜିକ ଚିତ୍ର ନାହିଁ-ତଥାପି ରାମବିଳାସ ମହାକାବ୍ୟରେ ବେଶଭୂଷା, ଖାଦ୍ୟପେୟ ଓ ବିବାହ ବିଧିରେ ପୂର୍ବେ ଓଡ଼ିଆତ୍ୱ ରହିଛି । ବିବାହ ପରେ ରାମ ସୀତାଙ୍କର ବିଦାୟବେଳେ ଝିଅକୁ ଉପଦେଶ ଦିଆଯାଇଛି-

 

‘ବହୁ ପ୍ରକାରେ କହିଲେ ବଚନ

ପତିପାଦେ ସେବିବ ଅନୁକ୍ଷଣ

।।

ଶାଶୁ ଶଶୁର ପଦେ ସେବିଥିବ

ଆମ୍ଭର କୁଳ ଧର୍ମ ପ୍ରକାଶିବ

।୧୫।

୧୦-୧୧

ଜ୍ୟୋତିଷ ଶାସ୍ତ୍ର ସମ୍ମତ ତିଥିନେଇ ବିବାହ ଓ ବର ବିଦା ହୋଇଛନ୍ତି । ବିବାହରେ ଯୌତୁକ ପ୍ରଦାନ, ସମସ୍ତ ରାଜାଙ୍କ ସହିତ ଭୋଜନ ବ୍ୟବସ୍ଥାର ବର୍ଣ୍ଣନା ଓଡ଼ିଆ ଢଙ୍ଗରେ ହିଁ ହୋଇଛି-। ତେବେ ରାମବିଳାସର ସମାଜ ହେଉଛି ରାଜକୀୟ ସମାଜ ଓ ତାହା ସହିତ ମିଶିଛି ଆଶ୍ରମ ଜୀବନ । ରାମ ଚରିତର ପ୍ରତ୍ୟେକଠାରେ ରହିଛି ଭାରତୀୟ ପରମ୍ପରା ତୁଙ୍ଗ ଆଦର୍ଶବାଦ ।

 

ରାମଚରିତ ମୂଳକ ଭକ୍ତି କାବ୍ୟ ମଧ୍ୟରେ ‘ରାମ ବିଳାସ’ * । ଏକ ଅମୂଲ୍ୟ ମହାକାବ୍ୟ ଦୁଃଖର କଥା ଯେ ଏହି ମହାକାବ୍ୟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ । କାବ୍ୟଟି ପ୍ରକାଶିତ ହେଲେ ମୋର ମନେହୁଏ ଏହାର ଲୋକପ୍ରିୟତା ବୈଦେହୀଶ ବିଳାସ ପରି ମହାକାବ୍ୟକୁ ମଧ୍ୟ ଅତିକ୍ରମ କରିଯାଇ ପାରେ । ଘୁମୁସର ଭଞ୍ଜ ପରିବାରର କବିଗଣଙ୍କର ରଚନା ଏକ ପ୍ରାଚୀନ ପେଟିକର ମହାର୍ଘ ରତ୍ନ-ପ୍ରତ୍ୟେକ ରତ୍ନ ହିଁ ସ୍ୱଗୁଣରେ ଅତୀବ ମୂଲ୍ୟବାନ । ଏହି କାବ୍ୟର କବିତ୍ୱ, ପାଣ୍ଡିତ୍ୱ ଓ ଆଳଙ୍କାରିକତା ଅନବଦ୍ୟ, ପୁଣି କବିଙ୍କର ଭକ୍ତିମତ୍ତା ଅକଳନୀୟ ।

 

* ଉତ୍କଳ ବିଶ୍ୱବିଦ୍ୟାଳୟ ‘ରାମ ବିଳାସ’ ପାଣ୍ଡୁଲିପି । କାବ୍ୟର ପୁଷ୍ପିକାରେ ରହିଛି ‘‘ବୀର ଶ୍ରୀ ଗଜପତି ଗଉଡ଼େସର ନବକୋଟି କର୍ଣ୍ଣାଟ କଳବରଗେଶ୍ୱର ବୀରବର ଶ୍ରୀ ପ୍ରତାପ ବୀର କେଶରୀ ଦେବ ମହାରାଜାଙ୍କ ବିଜେ ଶୁଭ ରାଜ୍ୟେ ୪-୩ ଅଙ୍କ ସାହୀ ମେଷ ୫ ଦିନେ ମଙ୍ଗଳବାର ଦିନେ ଏ ରାମବିଳାସ ସମାପ୍ତ ହେଲେ । ଗଡ଼ ଦ୍ୱାର ବଉଳ ଗଛ ମୂଳେ । ଲେଖନକାର ବଇରାଗୀ ମହାନ୍ତି ।’’ ଗ୍ରନ୍ଥରେ ସର୍ବତ୍ର କବି ଗ୍ରନ୍ଥର ନାମ ‘ରାମ ବିଳାସ’ ବୋଲି ଲେଖି ଅଛନ୍ତି ।

 

ଓଡ଼ିଆ ସାହିତ୍ୟରେ ସ୍ୱଦେଶ-ପ୍ରୀତି

ଡକ୍‌ଟର ଗୋପାଳଚନ୍ଦ୍ର ମିଶ୍ର

 

ଓଡ଼ିଆ ସାହିତ୍ୟର ଆମୂଳଚୂଳ ଇତିହାସରେ ସ୍ୱଦେଶ-ପ୍ରୀତି ଅର୍ଥାତ୍‌ ସ୍ୱଦେଶ-ପ୍ରେମର ଅମରଗାଥା ଯେପରି ସ୍ଥାନ ପାଇଅଛି, ତାହାର ଯଥାର୍ଥଚିତ୍ର ଓଡ଼ିଆ-ସାହିତ୍ୟର ଇତିହାସ ଦୀର୍ଘ ଏକସହସ୍ର ବକ୍ଷରୁ ଅଧିକ କାଳ ଉପରେ ବିସ୍ତୃତ ଏବଂ ଦୀର୍ଘ ଏକହଜାର ବର୍ଷର ସାହିତ୍ୟର କୌଣସି ଏକ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଉପରେ ନିହାତି ସୀମିତ ସମୟ ମଧ୍ୟରେ ଆଲୋକପାତ କରିବା ସମ୍ଭବ ନୁହେଁ । ପୁନଶ୍ଚ, ସ୍ୱଦେଶପ୍ରୀତି ଅର୍ଥାତ୍‌ ସ୍ୱଦେଶପ୍ରେମ ବୋଲି ଯେଉଁ ଅଭିବ୍ୟକ୍ତି, ତାହା ଊନବିଂଶ ଶତାବ୍ଦୀର ପାଶ୍ଚାତ୍ୟ ଭୂଖଣ୍ଡର ରାଜନୈତିକ ବିପ୍ଲବ ସଙ୍ଘାତ ତୀବ୍ର ଜାତୀୟତାବୋଧର ଭାରତୀୟ ମାନସ ପ୍ରଦେଶର ପ୍ରତିବିମ୍ୱ ବୋଲି ଜଣାଯାଏ ।

 

ଊନବିଂଶ ଶତାବ୍ଦୀର ଶେଷପାଦରେ ଭାରତୀୟ ଜାତୀୟ କଂଗ୍ରେସର ମୂଳଭିତ୍ତି ପଡ଼ିବାଠାରୁ ବିଂଶଶତାବ୍ଦୀର ପ୍ରଥମ ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ପୁରପଲ୍ଲୀରେ ସ୍ୱାଧିନତା ଆନ୍ଦୋଳନର ଯେଉଁ ଅଗ୍ନିଶିଖା ପ୍ରଜ୍ଜଳିତ ହୋଇଥିଲା, ତାହାରି ପୃଷ୍ଟଭୂମିରେ ଜାତୀୟତା ଏବଂ ନେସ୍‌ନାଲଜିମ୍‌ର ଯେଉଁ ଧାରା ପ୍ରବର୍ତ୍ତିତ ହେଲା, ତାହାର ମର୍ମବାଣୀ ଭାରତର ବିଭିନ୍ନ ପ୍ରାନ୍ତୀୟ ସାହିତ୍ୟ ସମୂହରେ ପ୍ରତିନିଧିତ୍ୱ ହେଲା । ସେହି ପ୍ରତିଧ୍ୱନିର ଗଭୀରତମ ସ୍ୱର ଏବଂ ମୂର୍ଚ୍ଛନା ହେଉଛି ଦେଶମାତୃକାର ପୂଜାପୀଠରେ ଅସଂଖ୍ୟ ବୀରପୁରୁଷଙ୍କର ବଳିଦାନ ଏବଂ ଆତ୍ମସମର୍ପଣ । ଆଜି ଭାରତୀୟ କିମ୍ୱା ଓଡ଼ିଆ-ସାହିତ୍ୟରେ ସ୍ୱଦେଶପ୍ରୀତି କଥା କହିଲାବେଳେ ଏହି ତୀବ୍ର ଚେତନାହିଁ ସାହିତ୍ୟରେ ଯେପରି ପ୍ରତିଫଳିତ ହୋଇପାରିଛି, ତାହାରି ଗୋଟିଏ ସୂକ୍ଷ୍ମ ଆଭାସ ମନ ମଧ୍ୟରେ ଉଙ୍କିମାରେ ।

 

ସମାଜବାଦୀ ବିପ୍ଲବର ଉଦ୍‌ଗାତା ସୋଭିଏଟ୍‌ ରୁଷିଆର ମହାନ୍‌ ନେତା ଲେନିନ୍‌ ସାହିତ୍ୟ ଓ କଳାସୃଷ୍ଟିର ବ୍ୟାଖ୍ୟା କରିବାକୁ ଯାଇ କହିଥିଲେ-‘‘Art belongs to people’’. ବିଂଶତାବ୍ଦୀରେ ନୂତନ ଭାବରେ ଗଢ଼ି ଉଠିଥିବା ଜାତୀୟତା ସମାଜବାଦର ବିଚାର ଭୂମିରେ ଯେବେ ସାହିତ୍ୟର ଅନୁଶୀଳନ କରାଯାଏ, ତାହାହେଲେ ସାମାଜିକ ଏବଂ ଜାତୀୟ ପ୍ରୟୋଜନ ଦୃଷ୍ଟିରେ ହିଁ ସାହିତ୍ୟର ଉପଯୋଗିତା ଏବଂ ଯଥାର୍ଥତା ବିଚାର କରିବାର କଥା । କାରଣ ଯେପରି କବିର କବିତା, କଥାଶିଳ୍ପୀର କଥା ସୃଷ୍ଟି, ନାଟ୍ୟକାରର ନାଟକ, ସାମାଜିକ ଉଦ୍ଦେଶ୍ୟ ଦ୍ୱାରା ଉଦ୍‌ବୁଦ୍ଧ ହେବା ବାଞ୍ଛନୀୟ ଏବଂ ଯେଉଁ ସୃଷ୍ଟିଶିଳ୍ପ ସାମାଜିକ ତାତ୍ପର୍ଯ୍ୟପୂର୍ଣ୍ଣ, ସେଥିରେ ସ୍ୱଦେଶପ୍ରୀତି ପ୍ରତିଫଳିତ ହେବା ସ୍ୱାଭାବିକ କଥା । ସାମାଜିକ ପ୍ରୟୋଜନ କିମ୍ୱା ସାମାଜିକ ଉପଯୋଗିତାର ଅର୍ଥ ହେଉଛି ସମାଜରେ ବାସ କରୁଥିବା ନରନାରୀଙ୍କ ବିବିଧ ସମସ୍ୟା, ସୁଖ ଦୁଃଖ, ଅଭାବ ଅନାଟନ, ସଙ୍ଘର୍ଷ ଏବଂ ଦ୍ୱନ୍ଦ୍ୱର ଉପସ୍ଥାପନା ଏବଂ ତା’ର ସମାଧାନ ପାଇଁ ପନ୍ଥା ନିର୍ଦ୍ଦେଶ କରିବା । ସାହିତ୍ୟ ମଣିଷସମାଜ ଏବଂ ସମାଜର ଅଗଣିତ ନରନାରୀଙ୍କୁ କେନ୍ଦ୍ରକରି ସବୁଯୁଗରେ ଲିଖିତ, ମଣିଷର ଆଶାଭିଳାଷ, ସଫଳତା ଏବଂ ବ୍ୟର୍ଥତା ମଧ୍ୟ ବିଭିନ୍ନ ଆଙ୍ଗିକ ମାଧ୍ୟମରେ ସାହିତ୍ୟରେ ପ୍ରତିଫଳିତ ।

 

ଭାରତୀୟ ପ୍ରାଚୀନ ବୈଦିକସାହିତ୍ୟ ଉପନିଷଦ, ରାମାୟଣ, ମହାଭାରତ ଓ ଗୀତାରେ ଯେଉଁ ସାର୍ବଜନୀନ ଆଦର୍ଶବାଣୀ ଘୋଷିତ, ଯଥା-‘‘ସର୍ବେ ଭବନ୍ତୁ ସୁଖିନଃ, ସର୍ବେସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍‌ ଦୁଃଖଭାଗ ଭବେତ୍‌’’ କିମ୍ୱା ‘‘ସ୍ୱଧନେ ନିଧନଂ ଶ୍ରେୟ, ପରଧର୍ମଂ ଭୟାବହ’’ ପ୍ରଭୃତି । ଏହା କଅଣ ତତ୍‌କାଳୀନ ସମାଜର ସ୍ଥିତିରେ ସାହିତ୍ୟରେ ପ୍ରତିଫଳିତ ସ୍ୱଦେଶପ୍ରୀତିର ନିଦର୍ଶନ ନୁହେଁକି ?

 

ବହୁଯୁଗ ତଳେ ଓଡ଼ିଆ-ସାହିତ୍ୟରେ ସାରାଳାଦାସ, ଜଗନ୍ନାଥ ଦାସ ପ୍ରଭୃତି କବିଗଣ ଯେଉଁ ଅମ୍ଲାନ ସାହିତ୍ୟ ସୃଷ୍ଟି କରିଥିଲେ କିମ୍ୱା ଏକଶତାବ୍ଦୀ ତଳେ ଓଡ଼ିଶାର ଜଣେ ଭକ୍ତକବି ଭୀମ ଭୋଇ ଯାହା ଲେଖିଥିଲେ-‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ’’, ତାହା କ’ଣ ସାହିତ୍ୟରେ ସ୍ୱଦେଶପ୍ରୀତିର ନିଦର୍ଶନ ନୁହେଁ କି ? ତେବେ ପ୍ରାଚୀନ ସାହିତ୍ୟ ଆଧୁନିକ ବିଚାରରେ ଧର୍ମପ୍ରଧାନ ଏବଂ ଭକ୍ତିପ୍ରଧାନ ଥିଲା । ପ୍ରାଚୀନ ସମାଜ, ତା’ର ଆଶା ଓ ଆକାଙକ୍ଷାହିଁ ସେଥିରେ ପ୍ରତିଫଳିତ ହୋଇଥିଲା । ଅଥଚ ସାହିତ୍ୟରେ ଜାତୀୟତା, ସ୍ୱଦେଶପ୍ରୀତି ବା ସ୍ୱଦେଶପ୍ରେମ ଏବଂ ଦେଶାତ୍ମାବୋଧ ବୋଲି ଯାହା କୁହାଯାଉଛି, ତାହାର ଉତ୍ପତ୍ତି ବିଂଶଶତାବ୍ଦୀରେ ନାନା ଐତିହାସିକ ଏବଂ ରାଜନୈତିକ ଘଟଣା ପ୍ରବାହ ଯୋଗୁଁ ସମ୍ଭବ ହୋଇଥିଲା । ଏହା ମୁଖତଃ ଆନ୍ତର୍ଜାତିକ କ୍ଷେତ୍ରରେ ଆଲୋଚ୍ୟ, ଶତାବ୍ଦୀରେ ଦେଖାଦେଇଥିବା ରାଜନୈତିକ ଚିନ୍ତାଧାରାର ପରିପ୍ରକାଶ ଏବଂ ଏହି ଚିନ୍ତାଧାରାର ଅବଶ୍ୟ ପ୍ରଭାବରୁ ସମ୍ପୃକ୍ତ ଯୁଗର ସାହିତ୍ୟକ ମୁକ୍ତ ହୋଇ ପାରି ନ ଥିଲେ । ମୁକ୍ତ ନ ହେବାହିଁ ସ୍ୱାଭାବିକ । ତେଣୁ ଦେଶର ଓ ଜାତିର ଐତିହାସିକ ଓ ରାଜନୈତିକ ଘଟଣାବଳୀର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବରେ ବିଭିନ୍ନ ବିଭାଗର କବି, ନାଟ୍ୟକାର ଏବଂ ଔପନ୍ୟାସିକମାନେ ସାମ୍ପ୍ରତିକ ସମସ୍ୟାକୁ ସୁହାଇଲାଭଳି ଯେଉଁ ଅଜସ୍ର କାବ୍ୟକବିତା, ନାଟକ ଏବଂ ଉପନ୍ୟାସ ରଚନା କଲେ; ତାହାହିଁ ହେଲା ସ୍ୱଦେଶପ୍ରେମ ମୂଳକ ଏବଂ ଦେଶାତ୍ମାବୋଧମୂଳକ ସାହିତ୍ୟ ସୃଷ୍ଟି ।

 

ଭାରତବର୍ଷର ଖୋଦ୍‌ ସ୍ୱାଧୀନତା ଆନ୍ଦୋଳନକୁ ଲକ୍ଷ୍ୟକରି କେତେକ ବିପ୍ଳବୀ ସାହିତ୍ୟକାର ନବଧାରାରେ ସାହିତ୍ୟ ସୃଷ୍ଟିକଲେ । ଆଉ କେତେକ ସାହିତ୍ୟିକ ମୁକ୍ତିସଂଗ୍ରାମ ପାଗଳ ଦେଶ ଏବଂ ଜାତିର ସାମ୍ପ୍ରତିକ ସ୍ଥିତିରେ ପ୍ରତୀକାତ୍ମକ କାବ୍ୟ କବିତା, ନାଟକ ଓ ଉପନ୍ୟାସମାନ ସୃଷ୍ଟି କରିଥିଲେ । ଯେଉଁ ରାଜନୈତିକ ତଥା ବୈପ୍ଳବିକ ପରିପ୍ରେକ୍ଷୀରେ ବିଶ୍ୱକବି ରବୀନ୍ଦ୍ରନାଥ ଭାରତମାତାର ବନ୍ଦନା କରି ‘‘ଜନଗଣ ମନ ଅଧିନାୟକ ଜୟ ହେ ଭାରତ ଭାଗ୍ୟବିଧାତା’’ ସଙ୍ଗୀତ ରଚନା କରିଥିଲେ, ଠିକ୍‌ ସେହି ଭାବଧାରା ବଙ୍ଗଳାର ନାଟ୍ୟକାର ଡି. ଏଲ. ରାୟଙ୍କର ନାଟକ ଏବଂ କବିତାଗୁଡ଼ିକରେ ମୂର୍ଚ୍ଛିତ । ଓଡ଼ିଆ କବି ରାଧାନାଥ ରାୟଙ୍କର-

 

‘‘ସର୍ବେଷାଂ ନୋ ଜନନୀ ଭାରତ-

ଧରଣୀ କଳ୍ପଲତେୟମ୍‌

ଜନନୀ ବତ୍ସଳତନୟଗଣୈସ୍ତତ୍‌-

 

ସମ୍ୟକ ଶର୍ମ୍ମବିଧେୟମ୍‌’’ ପ୍ରଭୃତି ଏବଂ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ‘‘ବନ୍ଦେ ଉତ୍କଳଜନନୀ ଚାରୁହାସମୟ, ଚାରୁଭାସମୟ ଜନନୀ, ଜନନୀ’’ କିମ୍ୱା ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ‘‘ତୁଙ୍ଗ ଶିଖରୀଚୂଳ, କୁଞ୍ଜକାନନମାଳ, ଖେଳିଉଠ ସଘନେ’’, କିମ୍ୱା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର-

 

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ

ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।

ସ୍ୱାଧୀନତା ପଥେ ଅଛି ଯେତେ ଗାଢ଼

ପୁରୁ ତାହା ପଡ଼ି ମୋର ମାଂସହାଡ଼’’।

 

କିମ୍ୱା

‘‘ପୁଣ୍ୟ ଜନ୍ମମାଟି ପୁଣ୍ୟଦେବାଳୟ, ଉଦ୍ଧାରିବା ପାଇଁ କଲେ ତନୁକ୍ଷୟ

ମାନବ ଜୀବନ ହୁଅଇ ସଫଳ, ଏ ମହା ଦୀକ୍ଷା କି ବୁଝିବ ଉତ୍କଳ’’ ।

ଏ ସବୁ ‘ପଙ୍‌କ୍ତି’ ଯେପରି ମର୍ମସ୍ପର୍ଶୀ, ସେହିପରି ଚିତ୍ତ ଉଦ୍‌ବେଧକ ।

 

ଜନ୍ମଭୂମିର ମୁକ୍ତିଆନ୍ଦୋଳନର ଆହ୍ୱାନରେ ଅନୁପ୍ରାଣିତ ଭାରତୀୟ ଲେଖକଗଣ ସ୍ୱକୀୟ ରଚନାରେ ନୂତନ ଭାବରେ ଗଢ଼ିଉଠିଥିବା ଜାତୀୟ ଏବଂ ବିପ୍ଳବାତ୍ମକ ଆବେଦନକୁ ରୂପାୟିତ କରିଥିଲେ । ଏହିପରି ଲେଖକମାନଙ୍କ ମଧ୍ୟରେ ହିନ୍ଦୀ ସାହିତ୍ୟର ଔପନ୍ୟାସିକ ପ୍ରେମଚାନ୍ଦ, ତାମିଲ ସାହିତ୍ୟରେ ସୁବ୍ରମଣ୍ୟ ଭାରତୀ ଏବଂ ବିଭିନ୍ନ ଭାରତୀୟ ସାହିତ୍ୟ ଜଗତରେ ବରେଣ୍ୟ ଦେଶପ୍ରାଣ କୃତବିଦ୍ୟ ସାହିତ୍ୟ ସାଧକର ନାମ ଶୁଣାଯାଏ । କ୍ରମଶଃ ପାଶ୍ଚାତ୍ୟଶିକ୍ଷା ଏବଂ ସଭ୍ୟତାର ପ୍ରସାର ଯୋଗୁଁ ବିଂଶଶବ୍ଦୀରେ ଓଡ଼ିଆ ଭାଷା ଏବଂ ସାହିତ୍ୟ କ୍ଷେତ୍ରରେ ଯେଉଁ ଗୁଣଗତ ଏବଂ ଆଙ୍ଗିକ ପରିବର୍ତ୍ତନ ଦେଖାଦେଲା, ତାହାର ପଟ୍ଟପୁରୋଧାରୂପେ କବିବର ରାଧାନାଥ ଗଦ୍ୟଶିଳ୍ପୀ ଫକୀରମୋହନ ଏବଂ ଭକ୍ତକବି ମଧୁସୂଦନ ହିଁ ସ୍ୱୀକାର କରାଯାଇଥାଏ । କଥାବସ୍ତୁ ଆଙ୍ଗିକ ଏବଂ ଜୀବନର ବୃହତ୍ତର ଦୃଷ୍ଟିକୋଣ, ସେମାନଙ୍କ କାବ୍ୟ କବିତା ଏବଂ ଉପନ୍ୟାସରେ ଶକ୍ତିଶାଳୀ ଭାଷାରେ ପ୍ରତିଫଳିତ ହୋଇଥିଲା । ରାଧାନାଥଙ୍କ ସମଗ୍ର କାବ୍ୟକବିତା ସ୍ୱଦେଶପ୍ରୀତି ଏବଂ ସ୍ୱଦେଶପ୍ରେମର ଉଦ୍‌ବୋଧନରେ ଗୁଞ୍ଜରିତ । ଚନ୍ଦ୍ରଭାଗା, ଚିଲିକା, ଉଷା, ନନ୍ଦିକେଶରୀ, ଦରବାର ପ୍ରଭୃତି କାବ୍ୟରେ କବି ପ୍ରାଚୀନ ଉତ୍କଳର ନଦନଦୀ, ଅରଣ୍ୟ, ପର୍ବତ, ଦେବାଳୟ ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ଯେପରି ବର୍ଣ୍ଣନା କରିଥିଲେ, ତାହା କବିର ଦେଶ ଓ ଜାତି ସହିତ ନିବିଡ଼ ଭାବସାନ୍ଧ୍ରତା ଭାବପ୍ରବଣତା ଯୋଗୁହିଁ ସମ୍ଭବ ହୋଇଥିଲା । ‘ଚିଲିକା’ କାବ୍ୟରୁ ଅଳ୍ପଅଂଶ ନେଇ ଏହାର ସାହାଯ୍ୟରେ କବିଙ୍କର ସମଗ୍ର ଦୃଷ୍ଟିକୋଣର ଜାତୀୟ ଆଦର୍ଶ ବ୍ୟାଖ୍ୟା କରାଯାଇପାରେ-

 

‘‘ଦେବୀ ବୀଣାପାଣି, କେଉଁ ପାପଫଳେ

କରୁଣା ତୋହର ଊଣା ଏ ଉତ୍କଳେ ।

ସ୍ୱଭାବେ ଉତ୍କଳ, ଶୋଭାର ନିଧାନ,

ମାତ୍ର ଏ ଶୋଭାରେ ତୋର ଅଧିଷ୍ଠାନ ।

 

ବିନୁ ସିନା ମାତା ହୋଇଛି ବିଦଶା

ଉଦିଛି ଅରଣ୍ୟ ପ୍ରସୂନର ଦଶା ।

କ୍ଷୁଦ୍ର ସିପ୍ରାସ୍ରୋତ ବିଖ୍ୟାତ ଜଗତେ,

ମହାନଦୀ ନାମ ରହିଲା ଗୁପତେ’’।

 

ଏତାଦୃଶ ଉଚ୍ଚାରଣ ଏବଂ ଉଦ୍‌ବୋଧନର ଅନ୍ତରାଳରେ କବିର ଗଭୀର ଦେଶାତ୍ମବୋଧ ହିଁ ଏକମାତ୍ର ଉପଜୀବ୍ୟ ପ୍ରସଙ୍ଗ । ରାଧାନାଥ ସାହିତ୍ୟସୃଷ୍ଟି ପ୍ରଥମତଃ ସୌନ୍ଦର୍ଯ୍ୟବୋଧ, ଦ୍ୱିତୀୟତଃ ଉତ୍କଳୀୟତାବୋଧ ଦ୍ୱାରା ଚିହ୍ନିତ ।

 

ସେହିପରି ଫକୀର ମୋହନ ସମସ୍ତ ଉପନ୍ୟାସ ଏବଂ ଗଳ୍ପର ଛତ୍ରେ ଛତ୍ରେ ଓଡ଼ିଆ ଜାତୀୟତା ଓଡ଼ିଆ ପ୍ରୀତିହିଁ ସଞ୍ଚାରିତ । ପୁନଶ୍ଚ ଔପନ୍ୟାସିକଙ୍କର ବ୍ୟଙ୍ଗ, ବିଦ୍ରୁପ ସୃଷ୍ଟିକ୍ଷମ ପ୍ରତିଭାର କାଉଁରୀ ସ୍ପର୍ଶରେ ସମସାମୟିକ ଓଡ଼ିଆ ସମାଜ ଏବଂ ଭୂମି ଏକ ସାଂସ୍କୃତିକ ତୀର୍ଥରେ ପରିଣତ ହୋଇପାରିଛି । ଲେଖକଙ୍କର ‘ଉତ୍କଳ ଭ୍ରମଣ’ ଏହାର ଉଦାହରଣ ଯୋଗ୍ୟ !

 

ଅସଂଖ୍ୟ ଗୀତିକବିତାର ଶକ୍ତିଶାଳୀ ସ୍ରଷ୍ଟା ଭକ୍ତକବି ମଧୁସୂଦନଙ୍କ ବେଶ ଏବଂ ଜାତିର ସ୍ୱରୂପ ପରିକଳ୍ପନାରେ ଉପନିଷଦୀୟ ଚିତ୍ରହିଁ ଉଦ୍‌ଭାସିତ ହୋଇଅଛି । ‘‘ଜନନୀ ଜନ୍ମଭୂମିଶ୍ଚ ସ୍ୱାର୍ଗାଦପି ଗରୀୟସୀ’’ ଦେଶାମାତୃକାର ଜୟଗାନହିଁ ମଧୁସୂଦନଙ୍କ ଅଜସ୍ର କବିତାରେ ପ୍ରତିଫଳିତ । ସ୍ୱଦେଶପ୍ରୀତିର ପବିତ୍ରରୂପ-ଏଥିରୁ କିଛି ଦେଖନ୍ତୁ-

 

‘‘ତୁହି ମା ଜନମ ଭୂମି ପବିତ୍ର ଭାରତଭୂମି

ତୋହର ସନ୍ତାନ ଆମ୍ଭେ ଅଟୁ ସରବେ;

ତୋର ଶ୍ରୀଚରଣ ସେବାପାଇଁ ମନ ପ୍ରାଣ ଦେବା

ଗାଇବା ତୋହର ନାମ ଆନନ୍ଦ ରବେ ।

ତୋ ଆନନ୍ଦେ ହୋଇବା ସୁଖୀ,

କାନ୍ଦିବା ଦୁଃଖରେ ତୋ’ର ହୋଇଣ ଦୁଃଖୀ ।’’

(ଜନ୍ମଭୂମି)

 

ଯୁଗପୁରୁଷର ସଂଗ୍ରାମୀସ୍ୱର ଅପେକ୍ଷା ସାଧାରଣ ଜନତାର ମାତୃଭୂମିର ବନ୍ଦନାହିଁ ମଧୁବାବୁଙ୍କ ସଂଖ୍ୟାଧିକ ପଦ୍ୟରେ ପ୍ରତିଫଳିତ । ‘‘ସ୍ୱଦେଶବତ୍ସଳ ବୀରପୁରୁଷର ମନ୍ଦ୍ରବାଣୀ ପରମ୍ପରା, ଶ୍ରବଣେ ଯାହାର ଅମୃତ ଉତ୍ସାହେ ଜଳି ଉଠେ ମୃତଧରା ।’’ ମଧୁବାବୁଙ୍କ ସ୍ୱଦେଶପ୍ରୀତିର ଅର୍ଥ ହେଉଛି ବୀରତ୍ୱ, ତ୍ୟାଗ, ଅପୂର୍ବ ସାହସ ଏବଂ ଜନ୍ମଭୂମିର ସେବା କରିବାର ଶିଶୁପ୍ରାଣର ଅଭିଳାଷ ।

 

ଏହି ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜନୈକ ପ୍ରବକ୍ତା ଏବଂ ଆଧୁନିକ ଭାରତର ଋଷି ଶ୍ରୀ ଅରବିନ୍ଦ ବହୁ ଦେଶାତ୍ମବୋଧକ ଅଗ୍ନିବର୍ଷୀ କାବ୍ୟକବିତା ରଚନା କରିଥିଲେ । ସେ କହୁଥିଲେ ‘‘ଜାତିର ଅର୍ଥ କଅଣ ? ଆମ ଜନ୍ମଭୂମିର ଅର୍ଥ କଅଣ ? ଏହା ମୁଠାଏ ଧୂଳିମାଟି ନୂହେଁ, ଏହା କଳ୍ପନା ନୁହେଁ କି ମନର ବିଳାସ ନୁହେଁ । ଏହା ଏକ ବିରାଟ ଏବଂ ପ୍ରଚଣ୍ଡ ଶକ୍ତି ।’’ ତେଣୁ ସେହି ଶକ୍ତିର ଉଦ୍‌ଗାତା ଏବଂ ଆରାଧନାହିଁ ସ୍ୱଦେଶ ପ୍ରୀତିର ଯଥାର୍ଥ ଅବବୋଧ । ବିଂଶ ଶତାବ୍ଦୀର ପ୍ରଥମ ଦଶନ୍ଧିର ଅଧିକାଂଶ ଓଡ଼ିଆ କାବ୍ୟକବିତାରେ ଭାରତ ବର୍ଷର ହିମାଳୟ, ଗଙ୍ଗା-ଯମୁନା, ଚନ୍ଦ୍ରଗୁପ୍ତ, ଖାରବେଳ, ବୁଦ୍ଧ, ଅଶୋକ, ରାଣୀ ଅହଲ୍ୟାବାଈ, ଝାନ୍‌ସୀରାଣୀ ଲକ୍ଷ୍ମୀବାଈ, ଶିବାଜୀ ହିଁ ସ୍ୱଦେଶ ପ୍ରୀତିର ପ୍ରତିମୂର୍ତ୍ତି ରୂପେ ବର୍ଣ୍ଣିତ ହୋଇଥିଲେ । ପ୍ରକୃତ ସ୍ୱାଧୀନ ଚିନ୍ତାନିଷ୍ଠ କବିମାନେ ଏହି ଭାବରେ ଦେଶ ଏବଂ ଜାତିପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

 

କବି ଗଙ୍ଗାଧର ମେହେରଙ୍କର ବହୁ କାବ୍ୟ କବିତାରେ ସ୍ୱଦେଶ ଚିନ୍ତା ଏବଂ ଚେତନାବିଶିଷ୍ଟ ଭୂମିକା ଗ୍ରହଣ କରିଥିଲା । ସମସାୟିକ ଓଡ଼ିଶାରେ ଲିପି ଆନ୍ଦୋଳନକୁ ଲକ୍ଷ୍ୟକରି ତାଙ୍କର କବିତା ତାଙ୍କ ଜାତୀୟପ୍ରାଣତାର ପରିଚୟ ଦିଏ । ସେହି କବିତାର ଗୋଟିଏ ପଂକ୍ତି ହେଉଛି-

 

‘‘ନିଜ ଉନ୍ନତିକିଉନ୍ନତି ନମଣ

ମୋତେ ନ କରିବାଯାଏ ଉନ୍ନତ,

ଏକ ତରୁ ତଳେଥିବେ କେତେଜଣ

ବହୁ ଜଳ ଫଳ ଦିଏ ପର୍ବତ ।’’

 

ଏତଦ୍‌ବ୍ୟତୀତ ଓଡ଼ିଆ ଭାଷା ଏବଂ ସାହିତ୍ୟ ମାଧ୍ୟମରେ ଜାତୀୟ ସେବା କରିବା ଜାତିର ଭାବ ପ୍ରାଚୁର୍ଯ୍ୟ ବଜାୟ ରଖିବାର ଆବଶ୍ୟକତା କବି ଉପଲବ୍‌ଧି କରି ଲେଖିଥିଲେ ।

 

‘‘ମାତୃଭୂମି ମାତୃଭାଷା ଉଭୟ ଜନନୀ

ସେବା ତାଙ୍କୁ ଭକ୍ତିଭରେ ଦିବସ ରଜନୀ ।’’

 

ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଚିନ୍ତାଧାରା ମହାତ୍ମାଗାନ୍ଧୀଙ୍କର ପ୍ରବର୍ତ୍ତିତ ଅସହଯୋଗ, ଅହିଂସା, ସତ୍ୟନୀତି ଏବଂ ସେହି ଯୁଗର ଭାରତୀୟ ଜୀବନ ଏବଂ ଅନୁଭୂତିକୁ ଆଶ୍ରୟ ଏବଂ ଅବଲମ୍ୱନ କରି, ଓଡ଼ିଶାର ସ୍ଥାନୀୟ କିମ୍ୱଦନ୍ତୀ, କାହାଣୀ ପ୍ରଚୀନ ଗୌରବମୟ ପରମ୍ପରାର ପୃଷ୍ଠଭୂମିରେ ସତ୍ୟବାଦୀ ଜାତୀୟ ବିଦ୍ୟାଳୟର କର୍ମୀଗଣ ପଣ୍ଡିତ ଗୋପବନ୍ଧୁଙ୍କ ନେତୃତ୍ୱରେ ଯେଉଁ ଗୀତିକବିତା କାବ୍ୟ ଗଦ୍ୟସୃଷ୍ଟି କରିଗଲେ, ତାହା ଏକାନ୍ତ ଭାବରେ ସ୍ୱଦେଶ ପ୍ରୀତିମୂଳକ ଏବଂ ଜାତିୟତାଉଦ୍ରେକକାରୀ ବୈଚିତ୍ର୍ୟପୂର୍ଣ୍ଣ ସାହିତ୍ୟଶିଳ୍ପ, ଯୁଗରୁଚି, ଯୁଗ ଆଦର୍ଶ ବିଶେଷତଃ ଜାତୀୟ କଂଗ୍ରସର ବାର୍ତ୍ତାବହ ଭାବରେ ଜାତୀୟପ୍ରୀତି, ସ୍ୱଦେଶ ପ୍ରୀତିର ହେଉଛି ଅମ୍ଳାନ ସଫଳକୃତି । କଂଗ୍ରେସ ଆନ୍ଦୋଳନର ବିବିଧମାର୍ଗ ଯଥା ଅହିଂସା, ଅସହଯୋଗ, ସତ୍ୟାଗ୍ରହ ଏବଂ ଦେଶର ସ୍ୱାବଲମ୍ୱନଶୀଳ ଅର୍ଥନୀତିର ଦ୍ୟୋତକ ଚରଖା ଏବଂ ଖଦଡ଼ ଗୋପବନ୍ଧୁଙ୍କ ‘ବନ୍ଦୀର ଆତ୍ମକଥା’ ରଚନାରେ କାବ୍ୟ ପରିଗ୍ରହ ଧାରଣ କରିଥିଲା । କଂଗ୍ରେସର ଜାତୀୟ ମୁକ୍ତି ଉଦ୍ଦାତ୍ତ ସ୍ୱର ହିଁ ସେତେବେଳେ ଏ ଦେଶରେ ଶତ ଶତ କର୍ମୀମାନଙ୍କ କଣ୍ଠରେ ଯେପରି ଘୋଷିତ ହୋଇଥିଲା । ଗୋପବନ୍ଧୁଙ୍କ ‘କାରାକବିତା’ ଓ ‘ବନ୍ଦୀର ଆତ୍ମକଥା’ରେ ସେହି ସ୍ୱରକୁ ଲିପିବଦ୍ଧ କରିଥିଲା ।

 

ଏଦିଗରେ ବିଦେଶୀ ଇଂରେଜ ସରକାରଙ୍କର ଦମନ ଲୀଳା, ଗୁଳିଗୋଳା, ବାରୁଦ ବର୍ଷଣ, ଜେଲ୍‌, ଫାଶିଦଣ୍ଡ, ଅନ୍ୟଦିଗରେ ଲବଣ ସତ୍ୟାଗ୍ରହ, ବିଭିନ୍ନ ସ୍ଥାନରେ ୧୪୪ ଧାରା ଭଙ୍ଗ, କାରାବରଣ ସମଗ୍ର ରାଜ୍ୟର ଏକ ପ୍ରଚଣ୍ଡ ରାଜନୈତିକ ବିସ୍ଫୋରଣ ସୃଷ୍ଟି କରିଥିଲା ।

 

ଜାତୀୟ କବି ବୀରକିଶୋର ଦାସ ଓ ବାଞ୍ଛାନିଧି ମହାନ୍ତି ପ୍ରଭୃତିଙ୍କର ଶତାଧିକ ରଚନା କର୍ମୀମାନଙ୍କର ସଭା ସମିତିରେ ଉଦ୍‌ବୋଧନ ସଂଙ୍ଗୀତ ରୂପେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥିରୁ କେତୋଟି ଦେଖନ୍ତୁ-

ବୀରକିଶୋର ଦାସ-

 

‘‘ତୋ’ ବିଜୟ ବାଦ୍ୟ ବଜାରେ ସୈନିକ

ଆଜି ଭାରତ ସ୍ୱାଧୀନ ରଣ

ସ୍ୱାଧୀନ ଯୁଗର ଶୁଭ କୁମ୍ଭ ବସା

ଶିବିରେ ଉଡ଼ା କେତନ ।

ଦମନ ନୀତିରେ ଘନ ଗରଜନ

ବଧିର କଲାଣି ମରଣର କାନ

କାରାଗାର ଠାରୁ ପାରାବାର ଯାଏ

ଲୁଣ୍ଠିତ ଜୀବନ ଧନ ।’’

(ବିଦ୍ରୋହୀବୀଣା)

 

ବାଞ୍ଛାନିଧି ମହାନ୍ତି-

‘‘କହ କହ କେଉଁଜାତି ପାଇଛି ମୁକତି

କରି ହୁରି ହାରି ଗୁହାରୀ;

କହ ପାଇଛି କେ ସୁଖ ଲିଭାଇଛି ଦୁଃଖ

ମାଗି ମାଗି ପଥ ଭିକାରି ।’’

(ବାଞ୍ଛାନିଧି ପଦ୍ୟାବଳୀ)

 

କିମ୍ୱା-

‘‘(ଗାଅ) ସ୍ୱାଧୀନ ଭାରତ ସ୍ୱାଧୀନ ଭାରତ, ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ

ଗାଏ ସାଗର ଭୂଧର ଅମ୍ୱର ଚୂମ୍ୱିତ ଭାଲ ହିମାଚଳ ଗିରିବର କମ୍ପିତ

ସ୍ୱାଧୀନ ସ୍ୱାଧୀନ ସ୍ୱାଧୀନରେ

କମ୍ପେଂ ବିନ୍ଧ୍ୟଗିରି କାନନକୁଞ୍ଜେ

ଲମ୍ପେଂ ନିର୍ଝରିଣୀ ପ୍ରପାତ ପୁଞ୍ଜେ

ଚପଳା ଚମକେ ଗଗନେ ପୁଲକେ ନୀରଦ ବିଲୀନରେ ।’’

(ଉତ୍କଳବୀଣା/୨ୟ ଝଙ୍କାର)

ପୁନଶ୍ଚ-

‘‘ରେ ପତାକା ଜାତିର ଗରବ ଜାତିର ଜୀବନ ପରାଣ ତୁହିରେ

ଏକତା ପୀରତି-ଶାନ୍ତି-ମୂରତି ସୁନ୍ଦର ତୋହର ସମାନ ନାହିଁରେ ।’’

(ଉତ୍କଳବୀଣା/୨ୟ ଝଙ୍କାର)

 

୧୯୩୦ ବେଳକୁ ଓଡ଼ିଆ ସାହିତ୍ୟର ଆଙ୍ଗିକ ପରିବର୍ତ୍ତନ ଦେଖାଦେବା ସଙ୍ଗେ ସଙ୍ଗେ, କ୍ରମଶଃ ସାମ୍ୟବାଦୀ ଚିନ୍ତା ଓ ଚେତନା ଓଡ଼ିଆ କାବ୍ୟ, କବିତା, ଗଳ୍ପ, ଉପନ୍ୟାସକୁ ରସୋଦ୍ଦୀପ୍ତ କରିଥିଲା ।

 

ନୂତନ ସାମାଜିକ ଚେତନା ଏବଂ ମାନବିକତାର ପୂର୍ଣ୍ଣ ପ୍ରତିଷ୍ଠା ପାଇଁ ୧୯୩୦ ମସିହାରୁ ୧୯୪୦ମସିହା ମଧ୍ୟରେ ବହୁ ଭାବପ୍ରବଣ ସାହିତ୍ୟିକ ଦେଶ ଏବଂ ଜାତିର ମର୍ମବାଣୀକୁ ନିଜ ନିଜ ରଚନାରେ ନାନାଭାବରେ ପରିସ୍ଫୁଟ କରିଥିଲେ । କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ମୁକ୍ତାଗଡ଼ର କ୍ଷୁଧା, ଅମରଚିତା ଏବଂ ମାଟିରମଣିଷରେ ବିଭିନ୍ନ ଚିତ୍ର ମାଧ୍ୟମରେ ସ୍ୱଦେଶପ୍ରୀତିର ଜ୍ୱଳନ୍ତ ପ୍ରମାଣ ପରିଦୃଷ୍ଟ । ମୋଗଲବନ୍ଦୀରେ ଜାତୀୟ ସଂଗ୍ରାମର ପ୍ରସାର ସଙ୍ଗେ ସଙ୍ଗେ ଓଡ଼ିଶାର ତଦାନୀନ୍ତନ ଗଡ଼ଜାତମାନଙ୍କରେ ମଧ୍ୟ ବିପ୍ଳବର ଅଗ୍ନିଶିଖା ପ୍ରଜ୍ଜ୍ୱଳିତ ହୋଇଥିଲା । ଯାହାର ମୁକ୍ତିଯଜ୍ଞରେ ଢେଙ୍କାନାଳର ବାଜିରାଉଉତ, ରଣପୁରର ରଘୁନାଥ ମହାନ୍ତି, ଦିବାକର ପରିଡ଼ା ଆଦି ଆହୁତି ହୋଇଥିଲେ । ବିପ୍ଳବାତ୍ମକ ବିଷ୍ଫୋରଣମୁଖୀ ପର୍ଯ୍ୟାୟରେ ସଚ୍ଚିଦାନନ୍ଦ ରାଉତରାୟ ଏବଂ ମନମୋହନ ମିଶ୍ରଙ୍କ କବିତା, ସଙ୍ଗୀତପିପାସୁ ଜନତା କାନରେ ସ୍ୱାଧୀନତାର ଅଭୟବାଣୀ ଶୁଣାଇଥିଲା । ବାଜିରାଉତ, ରଘୁ ମହାନ୍ତି, ଦିବାକର ପରିଡ଼ା ପ୍ରଭୃତି ବିପ୍ଳବାତ୍ମକ କବିତା ସଙ୍କଳନର ପ୍ରଭାବ ସେତେବଳେ ଓଡ଼ିଶାର ପାଠକ ସମାଜରେ ପରିବ୍ୟାପ୍ତ ହୋଇଥିଲା । କୁନ୍ତଳା କୁମାରୀ ସାବତ୍‌ଙ୍କର ଆହ୍ୱାନ, ସ୍ଫୁଲିଙ୍ଗ ମଧ୍ୟ ଜନ୍ମଭୂମିର ବନ୍ଦନାରେ ମୁଖରିତ ହୋଇଥିଲା । ପଦ୍ମଚରଣ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ, କୁଞ୍ଜବିହାରୀ ଦାଶଙ୍କର ପାଇକ ବୀରତ୍ୱସମ୍ୱଳିତ ରଚନା ସମ୍ଭାର ଏବଂ ଗୋପାଳଚନ୍ଦ୍ର ମିଶ୍ରଙ୍କ ପାଇକ ବିଦ୍ରୋହ ନେତା ପାଟଶାଣୀଙ୍କୁ କେନ୍ଦ୍ରକରି ଲିଖିତ କାବ୍ୟ ଓଡ଼ିଆ ସାହିତ୍ୟରେ ସ୍ୱଦେଶପ୍ରୀତି ଶୀର୍ଷକରେ ସ୍ମରଣୀୟ ।

 

ଜାତୀୟତାର ଗଭୀର ଉପଲବ୍‌ଧି ସହ ଏକ ସ୍ୱାଧୀନ, ସୁସ୍ଥ ଏବଂ ଶୋଷଣହୀନ ସମାଜର ଉଦ୍ଦାମ ପରିକଳ୍ପନା ସ୍ୱାଧୀନତା ପୂର୍ବବର୍ତ୍ତୀ ବିବିଧ ଓଡ଼ିଆକାବ୍ୟ କବିତା, ନାଟକ ଏବଂ ଉପନ୍ୟାସର ଥିଲା ଉପଜୀବ୍ୟ ଲକ୍ଷ୍ୟ । ସ୍ୱାଧୀନତା ପୂର୍ବବର୍ତ୍ତୀ ଯୁଗର ଓଡ଼ିଆ କବି, ନାଟ୍ୟକାରମାନଙ୍କ ସୃଷ୍ଟିମାନସ ମୁକ୍ତି, ସ୍ୱାଧୀନତା, ସମାନତାର ଅତୁଟ ପ୍ରେରଣାରେ ତରଙ୍ଗାୟିତ ହୋଇଥିଲା । ଧର୍ମ, ରାଷ୍ଟ୍ର, ସମାଜର ସ୍ୱରୂପ ସମ୍ପର୍କରେ ସ୍ୱାଧୀନତା ସଂଗ୍ରାମୀ ଯୁଗର ସାହିତ୍ୟକମାନେ ସ୍ୱତନ୍ତ୍ର ଆଦର୍ଶର ପାଶ୍ଚାତ୍‌ଦେଶରେ ଧାବିତ ହୋଇଥିଲେ । ସେମାନଙ୍କର ଏହି ଆଦର୍ଶବୋଧ, ଗୌରବମୟ ଅତୀତପ୍ରତି ମୋହ, ସାମ୍ପ୍ରତିକ ପରିପ୍ରେକ୍ଷୀରେ ମୁକ୍ତ, ସ୍ୱାଧୀନ ଏବଂ ସମୃଦ୍ଧ ତଥା ପ୍ରଗତିଶୀଳ ସମାଜ ପ୍ରତିଷ୍ଠା ଉପରେ ହିଁ ଆଧାରିତ ହୋଇଥିଲା । କଂଗ୍ରେସ୍‌ ନେତୃତ୍ୱରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ଐତିହାସିକ ଚିତ୍ର ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ ଉପନ୍ୟାସରେ ଦେଖିବାକୁ ମିଳେ । ସେହିପରି ଗୋଦାବରୀଶ ମହାପାତ୍ରଙ୍କର ବ୍ୟଙ୍ଗବିଦ୍ରୁପଧର୍ମୀ ପଲ୍ଲୀଜୀବନନିଷ୍ଠ କ୍ଷୁଦ୍ରଗଳ୍ପରେ ସ୍ୱଦେଶପ୍ରୀତି ଏବଂ ଜାତୀୟତାର ବିପ୍ଳବାତ୍ମକ ଆଭାସ ପ୍ରାଣସ୍ପର୍ଶୀ ଭାଷାରେ ପ୍ରତିଫଳିତ । ନିଜର ଜନ୍ମମାଟି, ପରିବାର, ସମାଜ, ରାଷ୍ଟ୍ର ତଥା ଧର୍ମର ଗଣ୍ଡି ମଧ୍ୟରେ ଓଡ଼ିଆକବି, ଗାଳ୍ପିକ, ନାଟ୍ୟକାରମାନେ ଯେଉଁ ରାଜନୈତିକ ଆଦର୍ଶର ସ୍ୱପ୍ନ ଦେଖୁଥିଲେ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖ ଦିନ ଭାରତର ସ୍ୱାଧୀନତା ବିଘୋଷିତ ହେବାପରେ ପରବର୍ତ୍ତିତ ପରିପ୍ରେକ୍ଷୀରେ ସ୍ୱେଦେଶପ୍ରୀତି ଏବଂ ଜାତୀୟତା ଯେପରି ନବଜନ୍ମ ଏବଂ ରୂପାନ୍ତର ଘଟିଥିଲା, ସ୍ୱାଧୀନତା ଲାଭର ସ୍ଫୂର୍ତ୍ତି ଏବଂ ଆବେଗ ସାହିତ୍ୟିକ ଓ ବୁଦ୍ଧିଜୀବୀମାନଙ୍କ ମାନସିକ ପ୍ରସନ୍ନତା, ପ୍ରଖରତା ଏବଂ ଶାଣିତ, ବୌଦ୍ଧିକ ଏବଂ କାବ୍ୟିକ ଚେତନା ଜାଗ୍ରତ କରିଥିଲା । ସ୍ୱାଧୀନ ଭାରତରେ ଅନାହାର, ଶୋଷଣ, ରାଜନୀତି ପ୍ରଶାସନିକ କ୍ଷେତ୍ରରେ ଭୟଙ୍କର ଦୁର୍ନୀତି ଯେତିକି ବୃଦ୍ଧି ପାଇଥିଲା, ସ୍ୱାଧୀନତା ଏକ ବିଡ଼ମ୍ୱନା ବୋଲି ଜନସାଧାରଣ ଯେପରି କ୍ରମଶଃ ବିଶ୍ୱାସ ଓ ଆସ୍ଥା ହରାଇ ବସିଲେ ।

 

ସାହିତ୍ୟିକମାନେ ମଧ୍ୟ ସେହିପରି ସ୍ୱାଧୀନ ଭାରତର ଅର୍ଥନୀତି ପ୍ରଶାସନିକ ନୀତିର ପୁନର୍ଗଠନ ପାଇଁ ସ୍ୱର ଉତ୍ତୋଳନ କଲେ । ସ୍ୱାଧୀନ ଭାରତ ଦାରିଦ୍ର୍ୟ, ଶୋଷଣ, ନିରକ୍ଷରତା, ସାମ୍ପ୍ରଦାୟିକ ଅଶାନ୍ତି ସଦୃଶ ଜଟିଳ ସମସ୍ୟା, ପୁନଶ୍ଚ ପାକିସ୍ଥାନ ଏବଂ ଚୀନାର ସୀମାନ୍ତ ଆକ୍ରମଣ ତଥା ସଙ୍ଘର୍ଷର ବରାବର ସମ୍ମୁଖୀନ ହୋଇଛି, ଫଳରେ ଜାତୀୟ ଜୀବନର ଦୁର୍ଦ୍ଦିନରେ ଓଡ଼ିଶାର ସାହିତ୍ୟକମାନେ ସେମାନଙ୍କ ଲେଖନୀକୁ ଦେଶର ସେବାରେ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ସମାଜ ସଚେତନତା, ଜାତୀୟବୋଧ, କାବ୍ୟକବିତା, ନାଟକରେ ନିଖୁଣ ଭାବରେ ପ୍ରତିବିମ୍ୱିତ ହୋଇଛି । ସାହିତ୍ୟରେ ପ୍ରଗତିବାଦୀ ଆନ୍ଦୋଳନର ଅର୍ଥ, ଜନସାଧାରଣଙ୍କ ମୁକ୍ତି ପାଇଁ ଏବଂ ଦାରିଦ୍ର୍ୟ, ଦୁର୍ନୀତି ଶୋଷଣମୁକ୍ତ ସମାଜ ଗଠନ ପାଇଁ ଏକନିଷ୍ଠ ଭାବରେ ସାହିତ୍ୟ ସୃଷ୍ଟି କରିବା । ସାମ୍ପ୍ରତିକ ଓଡ଼ିଆ କବିତା, ଗଳ୍ପ, ନାଟକ, ଉପନ୍ୟାସ ଗଣଜୀବନ ଓ ସାମାଜିକ ବାସ୍ତବତାର ଅଭିମୁଖୀ । ସାହିତ୍ୟରେ ‘ସମାଜବାଦୀ ବାସ୍ତବତା’ ସଦୃଶ ଆଦର୍ଶର ପ୍ରବାହ । କେବଳ ସାମ୍ପ୍ରତିକ କବି ଓ ଲେଖକର ନୂତନ ମୂଲ୍ୟବୋଧର ଭିତ୍ତିଭୂମି ଉପରେ ହିଁ ଆଧାରିତ । ଯୁଗ ଜୀବନର ବାର୍ତ୍ତା, ଜାତୀୟ ଏବଂ ସାମାଜିକ ବିପ୍ଳବର ବାର୍ତ୍ତା ସାମ୍ପ୍ରତିକ ଓଡ଼ିଆ କବିତାରେ ନାମ, ପ୍ରତୀକ ଏବଂ ରୂପକଳ୍ପ ସାହାଯ୍ୟରେ ବର୍ଣ୍ଣିତ ।

 

ସାମ୍ୟ ଏବଂ ବୈଷମ୍ୟର ବିରୋଧ ଏବଂ ସମର୍ଥନର, ପ୍ରାଚୁର୍ଯ୍ୟ ଏବଂ ଦାରିଦ୍ର୍ୟର ଓଡ଼ିଶା ଏକ ଅଦ୍ଭୁତ କୁହୁକମୟ ଏବଂ ଚିରବ୍ୟାଧିତ ରାଜ୍ୟ । ଦାରିଦ୍ର୍ୟର ସୀମା ରେଖା ତଳେ ଯେଉଁ ରାଜ୍ୟରେ ଗଣଜୀବନ ଭୂଲୁଣ୍ଠିତ, ସେଠାରେ ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ, ବିବିଧ ନଦନଦୀ ଯେଉଁ ଭୂମିରେ ପ୍ରବାହିତ, ସେଠାରେ ବନ୍ୟାର ଉତ୍କଟ ପ୍ରଳୟ ତାଣ୍ଡବ ଲୀଳାସହିତ ମରୁଡ଼ିର ମୃତ୍ୟୁଧ୍ୱନି । ତେଣୁ ଆମର ଜାତୀୟ ଜୀବନ ଆଜି ଯେପରି ଦଗ୍‌ଧ, ମ୍ରିୟମାଣ, ଓଡ଼ିଆ ସାହିତ୍ୟରେ ଗଭୀର ମାନବିକ ଦୃଷ୍ଟିକୋଣ ଏବଂ ବିଶ୍ୱସେବାର ଚେତନାହିଁ ନାନା ଭାବରେ ଆତ୍ମପ୍ରକାଶ କରୁଛି । ସମାଜବାଦୀ ବିପ୍ଲବ, ବିଦ୍ରୋହର ସ୍ୱର କ୍ରମେ ସାଂପ୍ରତିକ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗର ପୃଷ୍ଠାରେ ଶୁଣାଯାଉଛି । ବିଶ୍ୱ-ସାହିତ୍ୟ ସଙ୍ଗେ ସଙ୍ଗେ ଏବର ଓଡ଼ିଆ ସାହିତ୍ୟ ଯେ ଏଦିଗରେ ସମତାଳରେ ଅଗ୍ରସର ହେଉଛି, ଏହା ନିଃସନ୍ଦେହରେ ପ୍ରକାଶ କରାଯାଇ ପାରେ । ତଥାପି ଆଜିର ପ୍ରତ୍ୟେକ ଓଡ଼ିଆ ସାହିତ୍ୟକାର ଅନ୍ତରରେ ଗଭୀର ଆଶା ଓ ଉତ୍କଣ୍ଠା ନେଇ ଭବିଷ୍ୟତକୁ ସୁନ୍ଦରତର କରି ଗଢ଼ି ତୋଳିବା ପାଇଁ ଏକ ଶପଥ ନେବାର ସମୟ ଆସି ଉପନୀତ ହୋଇଛି । ଏ ଶୁଭବାର୍ତ୍ତାକୁ କଅଣ ସଂପ୍ରତି ଓଡ଼ିଆ ସାହିତ୍ୟିକଗଣ କର୍ଣ୍ଣପାତ କରିବେ ନାହିଁ ?

 

୨୭ତମ ସଂଖ୍ୟା କୋଣାର୍କ ୧୯୭୪

କବି ଶ୍ରୀ ଗୁରୁପ୍ରସାଦ ମହାନ୍ତିଙ୍କର କାବ୍ୟଦର୍ଶନ

ଅଧ୍ୟାପକ ଚୈତନ୍ୟ ପ୍ରସାଦ ସେଠି

 

‘‘Philosophy is the art of living”

-PLUTARCH

 

ଦର୍ଶନ ଓ ଜୀବନ ପରସ୍ପରର ପରିପୂରକ । ଭାରତରେ ଦର୍ଶନ ଓ ଦାର୍ଶନିକ ଅଭିବ୍ୟକ୍ତି ପାଇଁ ସଦାସର୍ବଦା ମର୍ମସ୍ପର୍ଶୀ ଆବେଗମୟ କବିତାକୁ ହିଁ ପ୍ରକାଶର ମାଧ୍ୟମ ବୋଲି ଗ୍ରହଣ କରାଯାଇଥାଏ । କାରଣ କବିତାର ଭାଷା, ଭାବ ଓ ଧ୍ୱନି ଅତି ସରଳ ଓ ମୌଳିକ ତଥା ସାବଲୀଳ, ଯାହା ଲୋକଚିତ୍ତକୁ ସିଧାସଳଖ ସ୍ପର୍ଶ କରିପାରେ । ଏଠାରେ ଦର୍ଶନ କହିଲେ କେବଳ ମାତ୍ର ମହାନ ବିଜ୍ଞ ଏକାକୀତ୍ୱର ପ୍ରାଜ୍ଞ ପରିସରକୁ ବୁଝାଏ ନାହିଁ । ବରଂ ସାଧାରଣ ମନୁଷ୍ୟକୁ ଦୈନନ୍ଦିନ ଜୀବନ ଓ ଜୀବନର ଗତିବିଧିର ପର୍ଯ୍ୟାଲୋଚନାରେ ଏହା ବହୁ ମାତ୍ରାରେ ପର୍ଯ୍ୟବେସିତ ହୋଇଥାଏ ।

 

କବି କାବ୍ୟକବିତା ମାଧ୍ୟମରେ ସୌନ୍ଦର୍ଯ୍ୟର ଯେଉଁ ହ୍ଲାଦିନୀ-ଶକ୍ତିକୁ ରୂପାୟିତ କରେ ତହିଁରେ ବେଳେ ବେଳେ ସତ୍ୟର ସାନ୍ନିଧ୍ୟ କ୍ୱଚିତ୍‌ ଦେଖାଯାଏ । କବିର ପ୍ରାଣ ବହୁଳାଂଶରେ ସୌନ୍ଦର୍ଯ୍ୟଶ୍ରୟୀ ଓ ଦାର୍ଶନିକ ତତ୍ତ୍ୱାଶ୍ରୟୀ ଅଟେ । ଏହା କହିବା ବାହୁଲ୍ୟ ମାତ୍ର ଯେ ଉଭୟ ସୌନ୍ଦର୍ଯ୍ୟମାର୍ଗ ଓ ତତ୍ତ୍ୱମାର୍ଗ ସମାନ ଭାବରେ ଭୂମାଭିବ୍ୟକ୍ତି ଓ ଭୂମାନୁଭୂତି ଲାଗି ଅତ୍ୟନ୍ତ ନିଷ୍ଠାପର ଓ ଆବଶ୍ୟକ ମଧ୍ୟ । ଉଭୟ ପଥ ସେଇ ଗୋଟିଏ ଲକ୍ଷ୍ୟରେ ପ୍ରଧାବିତ । ତେଣୁ କବିର କ୍ରାନ୍ତଦର୍ଶୀମନ, ଧ୍ୟାନ ଓ ଭାବାୟନର ପ୍ରଣୟନ ସେଇ ଉଭୟ ମାର୍ଗର ଯୁଗପତ୍‌ ସଂଯୋଗରେ ସ୍ୱୟଂସମ୍ପୂର୍ଣ୍ଣ । ଜଣେ ସମାଲୋଚକ ଦୃଷ୍ଟିକୋଣରୁ ଦେଖିଲେ ଜଣାଯାଏ ଯେ- ଜଣେ କବିଙ୍କର ଦର୍ଶାନୁଭୂତି ତାଙ୍କ କବିତାର ଏକ ନୀରବ, ନିଶ୍ଚେତ ପ୍ରାଣସ୍ପର୍ଶୀ ଦୀର୍ଘଶ୍ୱାସ । ତାହା କେବଳ ତତ୍ତ୍ୱର ଅନୁଭୂତିରେ ଉଦ୍‌ବୁଦ୍ଧ । ତାହା ତାର୍କିକ (Logical) ହିସାବ କବିତାର ବସ୍ତୁତ୍ୱର ବିକାଶ ଜଗତର (Metaphysical world) ବ୍ୟାଖ୍ୟାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ତାହା ତଥାକଥିତ ଦର୍ଶନରଧାରା (Philosophical theory) ଅପେକ୍ଷା ତତ୍ତ୍ୱାନୁପଲବ୍‌ଧିର ଶାନ୍ତ, କାନ୍ତ, ଅବ୍ୟକ୍ତ ଆସର । ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ ତାଙ୍କ ‘SpiritualLife’ ବା ‘ବ୍ରହ୍ମସୂତ୍ର’ ବହିରେ ପ୍ରକୃତ ଦର୍ଶନର ସଂଜ୍ଞା ଦେବାକୁ ଯାଇ କହନ୍ତି ‘‘A system of thought is called Darshan from the root ‘‘Drs’’ tosee.’’ It is a vision of truth. The Upanishads, which relate the words are experiences use the language of meditation, Samādhivāsā. It is difficult to express the truth of experience through logical propositions for the most appropriate response to these spiritual experience is silence or poetry’’ ଉଦ୍ଧୃତ୍ୱାଂଶରୁ ଏତିକି ମାତ୍ର ଅନୁମେୟ ଯେ-କବିତା ଓ ଦର୍ଶନର ସମ୍ପର୍କ କ’ଣ ଅଟେ । ଦର୍ଶନର ନିଚ୍ଛକ ଅଭିବ୍ୟକ୍ତି ହିଁ କବିତା, ତାହା କହିବା ବାହୁଲ୍ୟ ମାତ୍ର । ଭାରତୀୟ କବି କ୍ରାନ୍ତଦର୍ଶୀ । ଏହି ଉକ୍ତି ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କର ‘ଗୀତାଞ୍ଜଳି’ ଓ ଅନ୍ୟାନ୍ୟ କାବ୍ୟକୃତିରେ ବହୁଳ ପ୍ରତିପାଦିତ । ଅନିତ୍ୟ ସୁଖଦୁଃଖରୁ ଏକ ନିତ୍ୟ, ଏକ ନିଷ୍ଠା ଏବଂ ସନାତନ ଜୀବନ ପୂର୍ତ୍ତି ପାଇଁ ଉକ୍ତ କବିଙ୍କର କାବ୍ୟ-ଦର୍ଶନ ସତତ ଉଦ୍ଦିଷ୍ଟ ଏବଂ ସେଥିପାଇଁ ସେ ଆଦୃତ ।

 

ଉପରୋକ୍ତ ଦୃଷ୍ଟିକୋଣରୁ ଜଣେ ପରିମାର୍ଜିତ ଦ୍ରଷ୍ଟା ଓ ସ୍ରଷ୍ଟା କବି ଶ୍ରୀ ଗୁରୁପ୍ରସାଦ ମହାନ୍ତିଙ୍କର କାବ୍ୟକୃତିର ବିଚାରାଲୋଚନା କଲେ ଏକ ନୂତନ ଓ ନିଷ୍ଠାପର ଦାର୍ଶନିକ ମନ ଓ ପ୍ରଜ୍ଞାର ପରିପୂର୍ଣ୍ଣ ଭିତ୍ତି ଭୂମିରେ ଆମେ ଉପନୀତ ହେଉ । କବି ଜଣେ ଇହଲୋକର ମଣିଷ । ବର୍ତ୍ତମାନ ମଣିଷର ଜୀବନଯାତ୍ରାରେ ଜଣେ ନିମଜ୍ଜିତ ଯାତ୍ରୀ । ଏଇ ଇହଲୋକର ଯୁଗଯନ୍ତ୍ରଣା ଓ ଜୀବନ ଦର୍ଶନ ହିଁ କବିଙ୍କର ସ୍ଫୂର୍ତ୍ତିର ଧାରା ।

 

ତଥାକଥିତ ଭାରତୀୟ ଜୀବନ ଦର୍ଶନର ଚିରନ୍ତନ ମୂଲ୍ୟବୋଧ ଓ ପାଶ୍ଚତ୍ୟ ଜଗତର ଦାର୍ଶନିକ ମୂଲ୍ୟବୋଧ କବିଙ୍କର କାବ୍ୟ ଜଗତର ପାଥେୟ । ମାତ୍ର ତାହା ଠିକ୍‌ ସେହି ଚିରାଚରିତ ଗଡ଼୍‌ଡ଼ାଳିକା ରୀତିର କଦାପି ଆହରଣ ଓ ପ୍ରଣୟନ ନୁହେଁ । ତାହା କବିଙ୍କର ଲେଖନୀରେ ବହୁ ସନ୍ଦିଗ୍‌ଧ ମନର ପ୍ରଶ୍ନବାଚୀ ଓ ସନ୍ଦେହାଗ୍ନି (Fire of the doubt) ରେ ଦଗ୍‌ଧ ଓ ପରୀକ୍ଷିତ । ତେଣୁ ସେଇ ପୂର୍ଣ୍ଣାଙ୍ଗଦର୍ଶନର ତମସା ନଦୀ ତୀରସ୍ଥ ଉଷାଲୋକରେ ପହଞ୍ଚିବା ପୂର୍ବରୁ ଭାରତୀୟ ଦର୍ଶନର ବହୁବିଧସୂତ୍ର ଓ ମାର୍ଗକୁ ପରୀକ୍ଷା କରି ଦେଖିଛନ୍ତି । ଯେଉଁଠି ଯେଉଁ ଗୋଟିକ ବର୍ତ୍ତମାନ ଜୀବନପାଇଁ ପ୍ରଯୁଜ୍ୟ ନ ହୋଇଛି, ଠିକ୍‌ ସେଇଠି ସେଇ ଗୋଟିକୁ ପ୍ରତ୍ୟାଖ୍ୟାନ କରିଛନ୍ତି କିମ୍ୱା ତହିଁର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତାକୁ ଆଂଶିକ କିମ୍ୱା ସାର୍ଦ୍ଦିକଭାବେ ଗ୍ରହଣ କରିଛନ୍ତି । ଜୀବନରେ ପରମ ଶାନ୍ତି, ପୂର୍ତ୍ତି, ମୁକ୍ତି ଓ ଆଲୋକମୟ ପ୍ରଗତି ହିଁ ଶ୍ରେୟ ଏବଂ ପ୍ରେୟ । କିନ୍ତୁ ତାହା କ’ଣ କେବଳ ବୌଦ୍ଧିକ ଆଲୋଚନାରେ ମିଳିପାରେ କି, କିମ୍ୱା ବୋଧିଦ୍ରୁମ ତଳେ କୃଚ୍ଛ୍ର ସାଧନା-ଯେଉଁଠି ସମସ୍ତ ଇନ୍ଦ୍ରିୟାନୁଭୂତିକୁ ଜୋର ଜବରଦସ୍ତ ମାରି ଦିଆଯାଏ; ଅନ୍ୟ ପକ୍ଷରେ କହିବାକୁ ଗଲେ ଆତ୍ମହତ୍ୟା କରାଯାଏ-ସେଠାରେ କ’ଣ ତାହା ମିଳିପାରେକି, ସେଇ ସୁଖ, ସେଇ ପୂର୍ଣ୍ଣତାପ୍ରାପ୍ତି ଆଶାରେ ଆଜିର ଯାତ୍ରୀ, ନିଜେ କବି ଯେତେବେଳେ ଜଣେ ସଚେଷ୍ଟ ଉଦ୍‌ଯୋଗୀ, ଠିକ୍‌ ସେତିକିବେଳେ ଏଇ ଇନ୍ଦ୍ରିୟ ସର୍ବସ୍ୱ ଆଜିର ଦେହ, ମନ, ପ୍ରାଣ, ତାହାର ସମାଜ, ସଂସ୍କୃତି ଓ ପରିବେଶ-ଯାହା କେବଳ ଅନ୍ଧକାର ଜୀବନର ପୁତିଗନ୍ଧରେ ଅତିଷ୍ଠ, ନିର୍ଜୀବ ବାଲୁକାର ଇତସ୍ତତଃ ଶଯ୍ୟା; ତାହା ତାଙ୍କୁ ଅତି ଅହେତୁକ ଓ ଅପ୍ରତ୍ୟଶିତଭାବେ ଟାଣି ଧରୁଛି । ସେଥିରୁ ମୁକ୍ତି ପାଇବା ପାଇଁ ସେ ବେଳେ ବେଳେ ତଥାକଥିତ ଆତ୍ମହତ୍ୟାକୁ ଶ୍ରେୟ ବୋଲି ମନେ କରୁଛନ୍ତି, କିନ୍ତୁ ତାହା ନିହାତି ନିରର୍ଥକ; ବେଳେବେଳେ ବହୁଳ ବ୍ୟୟରେ ଆତ୍ମାହୂତି ଦେବାକୁ ଚାହୁଁଛନ୍ତି । ହେଲେ ତାହା ମଧ୍ୟ ବ୍ୟର୍ଥ ଏବଂ ନିରର୍ଥକ । ତେଣୁ ସେଥିପାଇଁ ସମ୍ଭବତଃ କବିଙ୍କର ଜିଜ୍ଞାସୁ ତଥା ଦର୍ଶନପିପାସୁ ଆତ୍ମାର ଦୀର୍ଘଶ୍ୱାସ ସ୍ୱୀୟ ଭାଷାର ସରଳ, ସାବଲୀଳ ଏବଂ ମର୍ମସ୍ପର୍ଶୀ ଆବେଗମୟ ପ୍ରବାହରେ ପରିପୁଷ୍ଟ ହୋଇ ଅନ୍ୟର ଚିତ୍ତକୁ ଚହଲାଇ ଦେଇ କହୁଛି-

 

ନିଛାଟିଆ ଗଳିମୋଡ଼ ଛାଇ ତା’ର ଗିଳିଦେଲା ପରେ

ରହିଯାଏ ଅଭାବ ତଥାପି

ଏ ଛାତି ଭିତରେ ମୋର ନିଃଶ୍ୱାସରେ ଶ୍ୱାସ ପ୍ରଣାଳୀରେ

ମସ୍ତିଷ୍କ ଭିତରେ ମୋର ସବୁ ସୁଅ ସବୁ ଚେତନାରେ

ରହିଯାଏ ତଥାପି ଅଭାବ

ଝଡ଼ର ଓ ତୋଫାନର ବସନ୍ତରେ କୋଇଲି ଡାକର

ବିବର୍ଣ୍ଣ ବେଳାରେ ଢେଉ ଏ ମନର ଗୋଟିଏ ପ୍ରଶ୍ନର

(ଗୋବର ଗଣେଶ)

 

ସେଇ ପ୍ରଶ୍ନର ସମାଧାନ କେବେ, କେଉଁଠି ଓ କେମିତି ତାହାର କାରଣ କ’ଣ, ତାହାହିଁ ପ୍ରକୃତରେ ପ୍ରତ୍ୟେକଙ୍କର ବିଚାର୍ଯ୍ୟ । ଜୀବନରେ ସେ ପ୍ରଶ୍ନର ସମାଧାନରେ ବ୍ୟର୍ଥତା ପାଇଁ ଆମର ବୌଦ୍ଧିକ ଭ୍ରମ କିମ୍ୱା ନୀତିଗତ ଅଜ୍ଞତାକୁ ଦୋଷ ଦେବା ଠିକ୍‌ ନୁହେଁ ବୋଲି କବିଙ୍କର କବିତାମାନଙ୍କରୁ ସୁସ୍ପଷ୍ଟ । ବରଂ ଯୁଗପୁରୁଷ, ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ୍‌ଙ୍କ ଭାଷାରେ ‘‘What we suffer from is not intellectual error or even moral ignorance, but is spiritual blindness’’. ଆଧ୍ୟାତ୍ମିକ ଅନ୍ଧକାର ଆମ ଦେହ, ମନ, ପ୍ରାଣକୁ ଏପରି ଆବୋରି ରଖିଛି-ଯାହା ଫଳରେ ଆମେ ସର୍ବତ୍ର ଏକ ନିଶ୍ଚେଷ୍ଟତାର ମହାବ୍ୟାଧିରେ ପ୍ରପୀଡ଼ିତ, ସେଇ ନିଶ୍ଚେଷ୍ଟତା ଓ ଦେହସର୍ବସ୍ୱ ସାଂସାରିକ ତ୍ରିତାପରୁ ମୁକ୍ତିପାଇଁ କବି ଶ୍ରୀ ମହାନ୍ତି ଯେତେବେଳେ ଜୀବନରେ ଅତିଷ୍ଠ ହୋଇ ଉଠିଛନ୍ତି, ଠିକ୍‌ ସେତିକିବେଳେ ସେ ଅନୁଭବ କରିଛନ୍ତି ଯେ- ‘‘ଆଇସକ୍ରିମ୍‌ ଲେମନେଡ଼୍‌ ଝରଣାରୁ ନିରୁକ୍ତ ମମତା’’ ଆଦି ଅର୍ଥହୀନ । ଦୈହିକ ପ୍ରେମହିଁ ପ୍ରବଞ୍ଚନା, ସାମାଜିକ ବୈବାହିକ ସମ୍ପର୍କ ଅବୁଝାମଣାରେ ଅଶାନ୍ତିକର ଓ ଅସନ୍ତୋଷରେ ପରିପୂର୍ଣ୍ଣ । ତେଣୁ ଏ ସବୁରୁ ଉଦ୍ଧାର ପାଇଁ ହୁଏତ ଭାଗବତର ସେଇ ଅକ୍ରୁର ଏବଂ ଉଦ୍ଧବଙ୍କ ପରି ଜ୍ଞାନମିଶ୍ରା ଭକ୍ତି ଓ ପ୍ରେମମିଶ୍ରା ଭକ୍ତି ଚିତ୍ତରେ ଏକ ନୈଷ୍କର୍ମ୍ମର ଉପାସନା ପାଇଁ ସେମାନଙ୍କ ପଥାନୁସରଣ କରିବା ସମୁଚିତ ବ୍ୟାପାରକୁ ଆଶ୍ରୟ କରିବା ଉଚିତ୍‌ ବୋଲି ସେ ମନେକରିଛନ୍ତି ଓ ସେଥିପାଇଁ ଯେପରି ଜଣେ ପଥହରା ଯାତ୍ରୀ ମରୁଭୂମିରେ ପଥହରାଇ ଅନ୍ୟଯାତ୍ରୀକୁ ଦେଖିଲେ ଭରସାର ସହ ପଚାରେ ‘‘ହେ ଭାଇ, କେଉଁଆଡ଼େ ଯାଉଛ ? ମୋତେ ଟିକେ ନେଇ ଚାଲ’’ । ଠିକ୍‌ ସେହିଭଳି କବି ସେହି ମହାପଥର ଯାତ୍ରୀ ହିସାବରେ ସେହି ସଚ୍ଚିଦାନନ୍ଦ ସ୍ତରକୁ ଉନ୍ନୀତ ହେବାଲାଗି ଅକ୍ରୁର ଏବଂ ଉଦ୍ଧବଙ୍କ ପଥାନୁସରଣ ପାଇଁ ତାକୁ ବାରମ୍ୱାର ସ୍ମରଣ କରି କହନ୍ତି-

 

‘‘ହେ ଅକ୍ରୁର, ହେ ଉଦ୍ଧବ, ସଖା ମୋର ପ୍ରାଣର ସୋଦର

ରୁହ ରୁହ, ଠିଆ ହୁଅ ପିଠିରେ ମୋ ତୁମପରି ବୋଝ

ଅନ୍ଧାରରେ ପାଦ ଯେବେ ଛନ୍ଦିଦିଏ ଗୁଡ଼ିକଙ୍କ ନଟା

ଶୁଖେ ଛାତି, ଭାଙ୍ଗେ ହାଡ଼, ବଢ଼ି ଉଠେ, ବଢ଼ି ଉଠେଶୋଷ ।’’

(କାଳପୁରୁଷ)

 

ସର୍ବତୋଭାବେ ଦେଖିବାକୁ ଗଲେ କବି ଶ୍ରୀଯୁକ୍ତ ମହାନ୍ତିଙ୍କର ଦର୍ଶନର ଧାରା ଭାରତୀୟ ପରମ୍ପରା, ସଂସ୍କୃତି, ସମାଜ ଓ ଦର୍ଶନରୁ ଉତ୍ସର ଯଦିଚ ନିଃସୃତ ତଥାପି ଏତିକି କୁହାଯାଇପାରେ ଯେ, ଆଜିର ବସ୍ତୁ ସର୍ବସ୍ୱ ଜୀବନରେ ଯେଉଁ ମୂଲ୍ୟବୋଧର ଅଭାବ ଏବଂ ଯାହାର ଅଭାବରେ ବ୍ୟକ୍ତିଗତ, ସାମାଜିକ ଓ ଆନ୍ତର୍ଜାତିକ ଜୀବନ ଯେଭଳି-

 

‘‘ପାଦ ଯେବେ ଛନ୍ଦି ଦିଏ ଅନ୍ଧାରରେ ଗୁଡ଼କଙ୍କ ନଟା

ଦେହ ମୋର ଘେରି ରଖେ ସ୍ତୂପ ସ୍ତୂପ କୁଢ଼ କୁଢ଼ ବାଲି ଓ ଅଙ୍ଗାର

ନିରର୍ଥକ ଆତ୍ମହତ୍ୟା ନିରର୍ଥକ ଯେତେ ଅପବ୍ୟୟ

ବୋଧିଦ୍ରୁମ ତଳେ ଅବା ଫାଶିଦିଆ ବରଗଛ ତଳେ

ଭୋକ ଶୋଷ କମି ନାହିଁ, ସରି ନାହିଁ, ଲୋପପାଇ ନାହିଁ’’।

(କାଳପୁରୁଷ)

 

ଉଦ୍ଧୃତ ପଙ୍‌କ୍ତି କେଇଟିରେ ତଥାଗତ ବୁଦ୍ଧଙ୍କର ପ୍ରଦର୍ଶିତ ମାର୍ଗ ବର୍ତ୍ତମାନ ଜୀବନ ପ୍ରବାହରେ ଯେ ନିର୍ବାଣ, ମୁକ୍ତି ତଥା ଶାନ୍ତି ଆଣିଦେବାରେ ଅସମ୍ଭବ, ତାହା ବେଶ୍‌ ଅନୁମେୟ । ଜୀବନରେ ବୁଦ୍ଧଙ୍କର ଧିରୋଦ୍ଦାତ୍ତବାଣୀ-‘‘ଅତ୍ତାନଂ ଗବେଷେୟାତ୍‌ଥ’’ (ବିନୟ ପିଟକ) ଯଦିଚ ଏକ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ପାଇଁ ଉଦ୍ଦିଷ୍ଟ, ତଥାପି କବି ଶ୍ରୀ ମହାନ୍ତି ତାହାକୁ ମୂଳପଞ୍ଚ ରୂପେ ଧରି ଜୀବନଲୋଚନା ସାମଗ୍ରିକଭାବେ ଆରମ୍ଭ କରିଥିଲେ ମଧ୍ୟ ଆଜିର ଦୁନିଆଁରେ ବୁଦ୍ଧଙ୍କର ସେଇ ସମ୍ୟକ ଦୃଷ୍ଟି, ସମ୍ୟକ୍‌ ସଂକଳ୍ପ, ସମ୍ୟକ୍‌ ବାକ୍‌, ସମ୍ୟକ୍‌ କର୍ମାନ୍ତ, ସମ୍ୟକ୍‌ ଆଜିବ, ସମ୍ୟକ୍‌ ବ୍ୟାୟାମ୍‌, ସମ୍ୟକ୍‌ ସ୍ମୃତି, ଓ ପରିଶେଷରେ ସମ୍ୟକ୍‌ ସମାଧି ଇତ୍ୟାଦିର ଅଷ୍ଟରତ୍ନ ପଥ ସେହି ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ପାଇଁ ଯଥେଷ୍ଟ ସହାୟକ ନୁହେଁ । ବରଂ ଅନ୍ୟ ପକ୍ଷରେ କହିବାକୁ ଗଲେ ତାହା ଆଜି ଠିକ୍‌ ତଦ୍ରୂପ ମୂଲ୍ୟବୋଧ ପାଇଁ ତଥାକଥିତ ଭାବେ ଆଦରଣୀୟ କିମ୍ୱା ଆକଷର୍ଣୀୟ ନୁହେଁ । ତାହା ମର୍ମାନ୍ତିକ ନିଷ୍ଠୁରତାରେ ପରିପୂର୍ଣ୍ଣ । ଯେଉଁଠି ଜୀବନ ଏକ ଶୂନ୍ୟ ବାଲିବନ୍ତର ନୀରବ ସନ୍ଧ୍ୟା କିମ୍ୱା ସକାଳ ପରି ନିଷ୍କରୁଣ ମନେ ହେବ । କିନ୍ତୁ କବି ଚାହାଁନ୍ତି ଏକ ସଚେଷ୍ଟ ଜୀବନ, ଯାହା ସମସ୍ତ ଇତର ଇତିବୃତ୍ତି ଭିତରେ ମଧ୍ୟ ଏକ ଇତରୋତ୍ତର ଆନନ୍ଦାଲୋକର ଆହ୍ଲାଦ, ସନ୍ଦେହ ମୁକ୍ତି, ପ୍ରୀତି ଓ ସଦ୍‌ଗତିର ଦର୍ଶନାନୁଭୂତି ଆଣିଦେଇ ପାରିବ ଏବଂ ସେଥିପାଇଁ ସମ୍ଭବତଃ କବିଙ୍କର ଜୀବନର ଐକାନ୍ତିକ ମୂଲ୍ୟବୋଧର ଭାବଧାରା ତାଙ୍କୁ ବୈଷ୍ଣବ ଧର୍ମ ଓ ଦର୍ଶନର ଅକ୍ରୁର ଏବଂ ଉଦ୍ଧବଙ୍କର ଜୀବନ ଚରିତ ନିକଟକୁ ଟାଣିନେଇ ଯାଇଅଛି, ଯାହା ଫଳରେ କି ସଂସାର ସାଗରର ତୀର ଭୂମିରେ ବହୁବିଧ ମୂଲ୍ୟବାନ୍‌ ଶାମୁକା, ବାଲିକଣାର ଅଭ୍ର, ରୌପ୍ୟ, ସ୍ୱର୍ଣ୍ଣାଦି ମୋହମାୟାର ପ୍ରତିଟି ଗଳିକନ୍ଦି କବି ତନ୍ନତନ୍ନ କରି ଅନ୍ୱେଷଣ କରିସାରିବା ପରେ ମଧ୍ୟ ସେଇ ଗୋଟିଏ ଅଭାବ, ଗୋଟିଏ ଶୋଷ, ଗୋଟିଏ ଜିଜ୍ଞାସା ଓ ବଞ୍ଚି ରହିବାର ଇଚ୍ଛା ତଥା ପୂର୍ଣ୍ଣତାପ୍ରାପ୍ତିର ଅଭାବବୋଧ ଅତି ପ୍ରବଳଭାବରେ ଅନୁଭବ କରୁଛନ୍ତି ଏବଂ ସେଥିପାଇଁ ଅତି ନିଃଶସ୍ତ୍ର ଓ ନିରସ୍ତ ହୋଇ ସବୁକିଛି ଖୋଜିବା ପରେ, ସବୁ କିଛି ଦେଖିବା ପରେ. ସବୁକିଛି ଇତର ଅନୁଭୂତି ଆହରଣ କରିବା ପରେ ମଧ୍ୟ କହନ୍ତି ଯେ-

 

‘‘ରହିଯାଏ ଅଭାବ ତଥାପି

ବିବର୍ଣ୍ଣ ବେଳାର ପରେ ଢେଉ ପରେ ଭାଙ୍ଗେ ଯେତେ ଢେଉ

ବାଲିର ପାଚିରୀ ଯାଏ ଛିନ୍ନ ଭିନ୍ନ ସମତୁଲ ହୋଇ

ଓଠର ଗୋଲାପି ରଙ୍ଗ ଏ ଆକାଶ ଶୋଷିଦେଲା ପରେ

ଯୋତାର ଗୋଲାପି ଦୃଶ୍ୟ ଏ ଢେଉରେ ଭାଷିଗଲା ପରେ ।’’

 

ତିଳ ତିଳ ପ୍ରତିମୁହୂର୍ତ୍ତରେ ବୀଭତ୍ସ ଏବଂ ଅସହ୍ୟ, ତହିଁର ଏକ ସମନ୍ୱୟକ୍ଷମ ବିଚାରଧାରାହିଁ ତାଙ୍କ କାବ୍ୟିକ ଦର୍ଶନରେ ପରିବ୍ୟାପ୍ତ । ପ୍ରତ୍ୟେକ ସ୍ଥଳରେ କବି ତାଙ୍କର ତୀକ୍ଷ୍‌ଣ ଓ ଶାଣିତ ଦୃଷ୍ଟିରେ ନିଜର ବ୍ୟକ୍ତିଗତ ଜୀବନର ମର୍ମାନୁଶୀଳନପୂର୍ବକ ସାମାଜିକ ଜୀବନଯାତ୍ରାର ବହୁବିଧ ବିଫଳ ପ୍ରୟାସର ନିଃସଙ୍ଗତାକୁ ତତ୍କାଳିକ ଚେତନାରେ ଚିତ୍ରିତ କରି ତହିଁର ଏକ ଦାର୍ଶନିକ ଭୂମିକା ଦେବାରେ ସିଦ୍ଧହସ୍ତ । ସେଥିପାଇଁ ତାଙ୍କର କାବ୍ୟ କବିତା ଏକ ପରିପୂର୍ଣ୍ଣ ସମଗ୍ର ଜୀବନ ଯାହା ସାମଗ୍ରିକ ଭାବେ ସ୍ୱୟଂସମ୍ପୂର୍ଣ୍ଣ । କବିଙ୍କର କବିତାରେ ଜୀବନ ହିଁ ସତ୍ୟ ତଥା ପରମତତ୍ତ୍ୱ ଓ ସତ୍ୟ ବା ପରମତତ୍ତ୍ୱହିଁ ସାମ୍ପ୍ରତିକ ଜୀବନ । ଏଠାରେ କଳ୍ପନା ଖୁବ୍‌ କ୍ୱଚିତ; ମାତ୍ର କର୍ମଠ ମୁହୂର୍ତ୍ତମାନଙ୍କର ସକାଳ, ମଧ୍ୟାହ୍ନ, ସନ୍ଧ୍ୟା ଓ ରାତ୍ରି ବେଶ୍‌ ବିସ୍ତୃତ ।

 

ସେଇ ବିସ୍ତୃତରେ ଏକ ମୁକ୍ତି ଓ ପୂର୍ତ୍ତିକାମୀ ଦେହ, ମନ ଓ ପ୍ରାଣର ମିଶ୍ରିତ ସ୍ୱର ବହୁବିଧ ବାହ୍ୟାନୁଭୂତି ତଥା ଅନ୍ତରାନୁଭୂତିରେ କେଉଁଠାରେ ବିପ୍ଳବୀ ତ କେଉଁଠାରେ କରତାଳି, କେଉଁଠି ନାୟକ ତ କେଉଁଠି ବିମନା ଚଇତ୍ରର ଆନମନା ଅନ୍ତଃସଲିଳା ଫଲଗୁଧାରା । ଏହିପରି ବହୁବିଧତା ଭିତରେ କବି ଯେତେବେଳେ ସ୍ପଷ୍ଟ ଦେଖିପାରନ୍ତି ଯେ-ଏ ସଂସାର ଯେଉଁଠି ସେ ବର୍ତ୍ତମାନ ଦଣ୍ଡାୟମାନ, ତାହା ଯେତେବେଳେ ପ୍ରତ୍ୟେକ ସ୍ଥଳରେ ଅନ୍ଧାରରୁ, ମରଣରୁ ଓ ଅସତ୍‌ରୁ ତା’ର ଆହ୍ନିକ ଗତି ଆରମ୍ଭ କରୁଛି, ସେତେବେଳେ ସେହି ସଂସାରର ପ୍ରୟାସ ନିଶ୍ଚିତ ରୂପରେ ବଞ୍ଚିବା ଲାଗି ଏକ ଅନିଶ୍ଚିତତା ଓ ଅହର୍ନିଶ ଦ୍ୱନ୍ଦ, କନ୍ଦଳ-ଖାଲି କୋଳାହଳମୟ । ଯେଉଁଠି ଶାନ୍ତି, ମୁକ୍ତି ଓ ପ୍ରଗତିର ଏକ ଯୁଗାନ୍ତକାରୀ ମୃତ୍ୟୁ ଘଟିଛି କିମ୍ୱା ଘଟିବ, - ସେହି ପଟ୍ଟଭୂମି ହିଁ ଏକ ପତିତଭୂମି ଓ ପ୍ରଳୟର ତାଣ୍ଡବ ଆସର । ସେଇଠି ପ୍ରତ୍ୟେକ ବ୍ୟକ୍ତି ଆତ୍ମକୈନ୍ଦ୍ରିକ ହୋଇ ଅନ୍ଧପ୍ରବୃତ୍ତିର ବଶବର୍ତ୍ତୀ ପୂର୍ବକ ଜୀବନକୁ କ୍ଷଣିକ ଭୋଗ-ଲିପ୍‌ସାର ପ୍ରଚ୍ଛନ୍ନ ଧ୍ୱଂସାବଶେଷକୁ ଟାଣି ନିଅନ୍ତି । ଯାହାକୁ ଲକ୍ଷ୍ୟକରି ଆଜିର ଦାର୍ଶନିକ ରାଧାକୃଷ୍ଣନ୍‌ କହନ୍ତି ‘‘A blind impulse to destroy seems to have taken possession of mankind and, if there is no check to it, we will take a long stride towards final exstination and prepare for an era of intellectual darkness and ethical barbarism in which mans noblest accomplishment of the past would be laid waste’’ (Religion and society) ସେହିପରି ଏକ ଅନିର୍ଦ୍ଦିଷ୍ଟ ଯାଯାବର ଜୀବନର ଜ୍ଞାନାନ୍ଧକାର ଏବଂ ନୈତିକ ବିକ୍ଷିପ୍ତତାଠାରୁ ଏ ସୃଷ୍ଟିକୁ ଉଦ୍ଧାର କରିବାପାଇଁ କବି ଶ୍ରୀଯୁକ୍ତ ମହାନ୍ତି ଉପନିଷଦର ସେଇ ଧୀରୋଦ୍ଦାତ୍ତ ବାଣୀର ସ୍ମରଣ କରି ସମସ୍ତଙ୍କୁ ଚେତାଇ ଦିଅନ୍ତି-

 

‘‘ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ଅନ୍ଧାରରୁ........

ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ମରଣରୁ...............

ଏ ଗ୍ରହର ନଷ୍ଟଯାତ୍ରା ଆଜି ଯଦି ଅସତ୍‌ରୁ.............

(କାଳପୁରୁଷ)

 

ତେବେ ହେ ସର୍ବଶକ୍ତିମାନ, ଆଜି ଠିକ୍‌ ଏଇଠି ଏଇ ମୁହୂର୍ତ୍ତରେ-

 

‘‘ଅସତୋ ମାଂ ସଦ୍‌ଗମୟ

ତମସୋ ମାଂ ଜ୍ୟୋତିର୍ଗମୟ

ମୃତ୍ୟୁ ର୍ମାଂ ଅମୃତଂ ଗମୟ........’’

ଆଜ୍ଞା ହେଉ । ଜୀବନର ମୁକ୍ତି ଓ ଦ୍ୟୁତି ପ୍ରତିଭାତ ହେଉ ।

 

ସୂରି-ସର୍ବସ୍ୱ ପରିଚୟ

ଶ୍ରୀ ଭଗବାନ ପଣ୍ଡା

 

(ତିନି)

(ପୂର୍ବାନୁସୃତ)

ପୂର୍ବଲିଖିତ ପ୍ରବନ୍ଧ ଦୁଇଟିରେ ଆଲୋଚ୍ୟ ଗ୍ରନ୍ଥର ଆରମ୍ଭରୁ ପଞ୍ଚବିଂଶ ସଂଗ୍ରହ ପର୍ଯ୍ୟନ୍ତ ବିଷୟବସ୍ତୁର ସଂକ୍ଷିପ୍ତ ପରିଚୟ ଦିଆଯାଇ ଅଛି । ଏହି ପ୍ରବନ୍ଧରେ ଗ୍ରନ୍ଥର ଅବଶିଷ୍ଟାଂଶ ଅର୍ଥାତ୍ ଷଡ଼୍‌ବିଂଶ ସଂଗ୍ରହଠାରୁ ଚତ୍ୱାରିଂଶ ସଂଗ୍ରହ ପର୍ଯ୍ୟନ୍ତ ପ୍ରତିପାଦିତ ବିଷୟର ପରିଚୟ ପୂର୍ବ ରୀତିରେ ଉପସ୍ଥାପିତ ହେଲା ।

 

ଷଡ଼୍‌ବିଂଶ ସଂଗ୍ରହ-

ଷଡ଼୍‌ବିଂଶ ସଂଗ୍ରହର ଏକଶହ ସତରଟି ଶ୍ଳୋକ ମଧ୍ୟରେ ମୁଖ୍ୟତଃ ମାତୃକାଭେଦର ନିରୂପଣ କରାଯାଇଅଛି । ପୂର୍ବାଲୋଚିତ କେବଳ ବିନ୍ଦୁସଂଯୁକ୍ତ, ବିସର୍ଗଯୁକ୍ତ ଓ ବିନ୍ଦୁବିସର୍ଗାତ୍ମକ ମାତୃକାଭେଦ ଚତୁଷ୍ଟୟ ବ୍ୟତୀତ ଶ୍ରୀ ବିଦ୍ୟାର୍ଣ୍ଣବ ତନ୍ତ୍ରରେ ମାତୃକାର ଅପର ଦଶବିଧ ଭେଦ ନିମ୍ନମତେ ଉଲ୍ଲିଖିତ ଅଛି-

 

ଅନ୍ତର୍ବହିଷ୍ଠାଶ୍ଚ କଳାଯୁତାଶ୍ଚ ଶ୍ରୀକଣ୍ଠବିଷ୍ଣ୍ୱାଦିସମନ୍ୱିତାଶ୍ଚ ।

ଲଜ୍ଜାରମାକାମପୃଥକ୍ ସମୂହାଃ ପ୍ରପଞ୍ଚଯାଗୋ ଦଶମାତୃକାଃ ସ୍ୟୁଃ ।।୬-୧।।

 

ଅର୍ଥାତ୍ ଅନ୍ତର୍ମାତୃକା, ବହିର୍ମାତୃକା, କଳାମାତୃକା, ଶ୍ରୀକଣ୍ଠମାତୃକା, ବିଷ୍ଣୁମାତୃକା, ଶକ୍ତିମାତୃକା, ରମା(ଶ୍ରୀ)ମାତୃକା, କାମେଶ୍ୱରୀ ମାତୃକା, ସମ୍ମୋହନୀମାତୃକା ଓ ପ୍ରପଞ୍ଚଯାଗମାତୃକା ନାମରେ ବର୍ଣ୍ଣମାଳାତ୍ମକ ନିଖିଳ ମାତୃକା ପ୍ରଥମତଃ ଦଶ ଭାଗରେ ବିଭକ୍ତ ।

 

ନ୍ୟାସକ୍ରମରେ ମାତୃକାର ବର୍ଣ୍ଣ, କଳା, ମୂର୍ତ୍ତି ଓ ପ୍ରପଞ୍ଚଯାଗ ନାମରେ ମଧ୍ୟ ଭେଦ ଚତୁଷ୍ଟୟ ଥିବାର ଜଣାଯାଏ । ତନ୍ମଧ୍ୟରୁ ବର୍ଣ୍ଣମାତୃକା ନ୍ୟାସ ବାଳା, ପରା, ବିଦ୍ୟା, ହଂସ ଓ ପରମହଂସ ରୂପେ ଆରୋହ ଅବରୋହ କ୍ରମରେ ଦଶପ୍ରକାର ହୋଇଥାଏ । କଳାମାତୃକା ନ୍ୟାସ ତାରୋତ୍‌ଥକଳା, କାମକଳା, ସୋମକଳା, ତ୍ରିମୂର୍ତ୍ତିକଳା ଓ ଅଷ୍ଟାତ୍ରିଂଶତ୍‌କଳା ନାମରେ ପାଞ୍ଚପ୍ରକାର-। ଏତଦ୍‌ବ୍ୟତୀତ ‘ଯୋଗିନୀ ହୃଦୟ’ ଅନୁସାରେ ଷୋଢ଼ାନ୍ୟାସ, ସୃଷ୍ଟି, ସ୍ଥିତି ଓ ସଂହାର କ୍ରମରେ ତ୍ରିବିଧ ଶ୍ରୀଚକ୍ରନ୍ୟାସ ଓ କରଶୁଦ୍ଧି-ନ୍ୟାସ ନାମରେ ଅନ୍ୟ ଚତୁର୍ବିଧ ନ୍ୟାସର ବିଧାନ ପୂଜା ଓ ଜପ କାଳରେ ଆବଶ୍ୟକ ବୋଲି ଉଲ୍ଲେଖ ଅଛି ।

 

ଗ୍ରନ୍ଥର ପୂର୍ବ (ପଞ୍ଚବିଂଶ) ସଂଗ୍ରହରେ ଷୋଢ଼ାନ୍ୟାସ ବା ଛଅପ୍ରକାର(ଗଣେଶ, ଗ୍ରହ, ନକ୍ଷତ୍ର, ଯୋଗିନୀ, ରାଶି ଓ ପୀଠ) ମାତୃକା ନ୍ୟାସ ବିଧିର ପରିଚୟ ଦିଆ ଯାଇଅଛି । ଆଲୋଚ୍ୟ ସଂଗ୍ରହରେ ଶ୍ରୀଚକ୍ର-ନ୍ୟାସର ସୃଷ୍ଟି, ସ୍ଥିତି, ସଂହାର କ୍ରମେ ମାତୃକା ଧ୍ୟାନ ଓ ନ୍ୟାସ ବିଧି (ଶ୍ଳୋକ = ୧-୧୦) ରମାଦି ମାତୃକା ନ୍ୟାସ (ଶ୍ଳୋକ = ୧୧-୧୩), କାମବୀଜାଦି ମାତୃକା (ଶ୍ଳୋକ = ୧୪-୧୭), ଲଜ୍ଜାଶକ୍ତି ମାତୃକା (ଶ୍ଳୋକ = ୧୮-୧୯) ବିଦ୍ୟା ଓ ପରାମାତୃକା (ଶ୍ଳୋକ = ୨୦-୨୫) ନ୍ୟାସବିଧି, ଧ୍ୟାନ, ମୁନି, ଛନ୍ଦ, ଦେବତାଦିର ବିଚାର ଉଲ୍ଲେଖ କରାଯାଇଅଛି ।

 

ଏହାପରେ ବୀଜଲିପି ସହିତ ରମା, ଲଜ୍ଜା ଓ ଶ୍ରୀଶକ୍ତି ଧ୍ୟାନ ଓ ନ୍ୟାସ (ଶ୍ଲୋକ = ୨୬-୩୨), ସମ୍ମୋହନୀମାତୃକା (ଶ୍ଲୋକ = ୩୩-୩୫), ଅଜପାମାତୃକା (ଶ୍ଲୋକ = ୩୬-୩୮) ବାଳାମାତୃକା (ଶ୍ଲୋକ = ୩୯-୪୧) ନ୍ୟାସାଦିର ପରିଚୟ ଦିଆ ଯାଇଅଛି । କଳା ନ୍ୟାସରେ ପଞ୍ଚକଳା (ଅକାର, ଉକାର, ମକାର, ବିନ୍ଦୁ ଓ ନାଦ) ଯୁକ୍ତ ପ୍ରଣବ ସମୁଦ୍‌ଭବ ମାତୃକା ମଧ୍ୟରୁ ନାଦୋତ୍ପନ୍ନ (ଅଠାରୁ ଅଃ ପର୍ଯ୍ୟନ୍ତ ଷୋଡ଼ଶ ବର୍ଣ୍ଣଯୁକ୍ତ) ଷୋଡ଼ଶ କଳା (ଶ୍ଲୋକ = ୪୨-୪୬), ଅକାର ଉତ୍ପନ୍ନ (କଠାରୁ ଞ ପର୍ଯ୍ୟନ୍ତ ଦଶ ବର୍ଣ୍ଣଯୁକ୍ତ) ଦଶକଳା (ଶ୍ଲୋକ = ୪୭-୪୮) ଉକାର ଉତ୍ପନ୍ନ (ଟ ଠାରୁ ନ ପର୍ଯ୍ୟନ୍ତ ଦଶ ବର୍ଣ୍ଣଯୁକ୍ତ) ଦଶକଳା (ଶ୍ଳୋକ = ୪୯-୫୦), ମକାର ଉତ୍ପନ୍ନ(ପ ଠାରୁ ଶ ପର୍ଯ୍ୟନ୍ତ ଦଶବର୍ଣ୍ଣଯୁକ୍ତ) ଦଶକଳା (ଶ୍ଲୋକ = ୫୧-୫୨) ବିନ୍ଦୁ ଉତ୍ପନ୍ନ (ଷ, ସ, ହ, କ୍ଷ, ଚତୁର୍ବର୍ଣ୍ଣଯୁକ୍ତ) ଚାରିକଳା (ଶ୍ଲୋକ = ୫୩-୫୫) ଏପରି ପଞ୍ଚାଶଦ୍ ବର୍ଣ୍ଣର ପଞ୍ଚାଶଦ୍ କଳାନ୍ୟାସର ବର୍ଣ୍ଣନା କରାଯାଇଛି । ବର୍ଗାନୁସାରୀ ଉକ୍ତ କଳାମାନଙ୍କର ନାମ (ଶ୍ଳୋକ = ୫୬-୬୯) ପରିଚୟ ପରେ ଶ୍ରୀକଣ୍ଠାଦି ମାତୃକା ବିଧାନ, ନ୍ୟାସ, ଦେବତା ଓ ଶକ୍ତି ପ୍ରଭୃତିର ବିଶେଷ ଆଲୋଚନା (ଶ୍ଲୋକ = ୭୦-୮୯) କରାଯାଇଛି । କେଶବାଦି ନ୍ୟାସରେ ଦେବତା, ଋଷି ଓ ଛନ୍ଦାଦିର ପରିଚୟ (ଶ୍ଳୋକ = ୯୦-୧୧୭) ଦିଆ ଯାଇଅଛି । ସଂଗ୍ରହଟି ପ୍ରାତଃକୃତାର୍ଚ୍ଚନ ଆନୁଷଙ୍ଗିକ ମାତୃକା ଭେଦ ନିରୂପଣ ନାମରେ ନାମିତ କରାଯାଇଅଛି ।

 

ସପ୍ତବିଂଶ ସଂଗ୍ରହ-

ସପ୍ତବିଂଶ ସଂଗ୍ରହରେ ଅବଶିଷ୍ଟ ମାତୃକା ନ୍ୟାସ ବିଧିର ପରିଚୟ ଶହେ ପାଞ୍ଚୋଟି ଶ୍ଳୋକ ମଧ୍ୟରେ ବର୍ଣ୍ଣନା କରାଯାଇଛି । ତାର (ଓଁ), ଶକ୍ତି (ହ୍ରୀଂ), ଅଜପା (ହଂସ), ପରମାତ୍ମା (ସୋହଂ) ଓ ବହ୍ନିପ୍ରିୟା (ସ୍ୱାହା) - ଏହି ପାଞ୍ଚୋଟି ମନ୍ତ୍ରକୁ ନେଇ ଅଷ୍ଟାକ୍ଷର ସମ୍ୱଳିତ ମନ୍ତ୍ରର ନାମ ପ୍ରପଞ୍ଚଯାଗମନ୍ତ୍ର । ପୂର୍ବାଲୋଚିତ ଦଶବିଧ ମାତୃକା ନ୍ୟାସ ମଧ୍ୟରେ ଏହା ଅନ୍ୟତମ । ସକଳାର୍ଥ ପ୍ରଦାୟିନୀ ପ୍ରପଞ୍ଚଯାଗ ମନ୍ତ୍ରର ପରିଚୟ, ନ୍ୟାସବିଧି ଓ ହୋମବିଧି (ଶ୍ଳୋକ = ୧-୩୨) ସଂଗ୍ରହର ପ୍ରାରମ୍ଭରୁ ବିସ୍ତୃତଭାବେ ବର୍ଣ୍ଣିତ ହୋଇଅଛି ।

 

ଏହାପରେ ଭୂତଲିପିର ପରିଚୟରେ ନବବର୍ଗଯୁକ୍ତ ବୟାଳିଶ ଅକ୍ଷରମୂଳକ (ଅ, ଇ, ଉ, ଋ, ୠ = ପଞ୍ଚହ୍ରସ୍ୱସ୍ୱର । ଏ, ଐ, ଓ, ଔ = ଚାରି ସନ୍ଧ୍ୟକ୍ଷର । ହ, ଯ, ବ, ର, ଳ = ପାଞ୍ଚ ହକାର ବର୍ଗ । ଙ, କ, ଖ, ଘ, ଗ = ପଞ୍ଚକକାର ବର୍ଗ । ଞ, ଚ, ଛ, ଝ, ଜ = ପଞ୍ଚଚକାର ବର୍ଗ । ଣ, ଟ, ଠ, ଢ, ଡ = ପଞ୍ଚ ଟକାରବର୍ଗ । ନ, ତ, ଥ, ଧ, ଦ = ପଞ୍ଚ ତକାରବର୍ଗ । ମ, ପ, ଫ, ଭ, ବ = ପଞ୍ଚ ମକାରବର୍ଗ ଏବଂ ଶ, ଷ, ସ = ତିନି ଶକାରବର୍ଗ) ଭୂତଲିପିର ନିରୂପଣ କରାଯାଇଛି । ଉକ୍ତ ନବବର୍ଗରେ ଯଥାକ୍ରମେ କ୍ରିୟାଶକ୍ତି ସହିତ ବ୍ରହ୍ମା, ଇଚ୍ଛାଶକ୍ତି ସହିତ ବିଷ୍ଣୁ, ଜ୍ଞାନଶକ୍ତି ସହିତ ରୁଦ୍ର, ଆରୋଗ୍ୟ ଶକ୍ତି ସହିତ ଅଶ୍ୱିନୀକୁମାର ଦ୍ୱୟ, ତଦ୍‌ଭବ ଶକ୍ତିସହ ପ୍ରଜାପତି, ରକ୍ଷଣ ଶକ୍ତିଯୁକ୍ତ ଇନ୍ଦ୍ର, କ୍ଷୟ ଶକ୍ତିଯୁକ୍ତ ଯମ, ପ୍ଳାବନଶକ୍ତି ସହିତ ବରୁଣ ଓ ପୋଷଣଶକ୍ତି ସହିତ କୁବେରାଦି ଦେବଗଣ ଅଧିଷ୍ଠିତ ରହିଥାନ୍ତି ।

 

ନବବର୍ଗର ପ୍ରଥମ ବର୍ଣ୍ଣରେ ଆକାଶ, ଦ୍ୱିତୀୟ ବର୍ଣ୍ଣରେ ବାୟୁ, ତୃତୀୟ ବର୍ଣ୍ଣରେ ତେଜ, ଚତୁର୍ଥ ବର୍ଣ୍ଣରେ ଜଳ ଓ ପଞ୍ଚମ ବର୍ଣ୍ଣରେ ଭୂମିର ସ୍ଥାନ ନିରୂପିତ ହୋଇଅଛି । ଋଷି, ଛନ୍ଦ ଓ ଧ୍ୟାନ ସହିତ ଭୂତଲିପିର ନ୍ୟାସକ୍ରମାଦି ବିଷୟର (ଶ୍ଳୋକ = ୧୪୯) ବର୍ଣ୍ଣନା କରାଯାଇଅଛି । ତତ୍ପରେ ଭୂତଲିପି ଯନ୍ତ୍ର (ଶ୍ଳୋକ = ୫୦-୫୧), ଭ୍ରମର ନ୍ୟାସ (ଶ୍ଳୋକ = ୫୨-୫୬), ଭୁବନନ୍ୟାସ (ଶ୍ଳୋକ = ୫୬-୬୨) ତତ୍ତ୍ୱନ୍ୟାସ (ଶ୍ଳୋକ = ୬୩-୭୩), ରେଚକ, ପୁରକ, କୁମ୍ଭକ କ୍ରମରେ ପ୍ରାଣାୟାମ ବିଧି (ଶ୍ଳୋକ = ୭୪-୭୯), ଯୋଗପୀଠ ନ୍ୟାସରେ କଳା ଓ ଶକ୍ତି କଳ୍ପନା ସହିତ ପୀଠ ଭାବନା (ଶ୍ଳୋକ = ୮୦-୧୦୦), ପୀଠ ଭାବନା (ଶ୍ଳୋକ = ୧୦୧), କରଭାବନା (ଶ୍ଳୋକ = ୧୦୨-୧୦୩) ଏବଂ ବପୁ ଭାବନା (ଶ୍ଳୋକ = ୧୦୪-୧୦୫) ପ୍ରଭୃତି ବିଷୟର ପର୍ଯ୍ୟାଲୋଚନା କରାଯାଇଅଛି । ସଂଗ୍ରହଟି ‘ପୂଜାନୁଷଙ୍ଗୀ ଭାବନା ଚତୁଷ୍ଟୟ ପର୍ଯ୍ୟନ୍ତ ନ୍ୟାସ ପ୍ରପଞ୍ଚ’ ନାମରେ ଅଭିହିତ ହୋଇଅଛି ।

 

ଅଷ୍ଟାବିଂଶ ସଂଗ୍ରହ:-

ଅଷ୍ଟାବିଂଶ ସଂଗ୍ରହରେ ଏକଶହ ଅଠରଟି ଶ୍ଳୋକ ଅଛି । ଏଥିରେ ମୂଖ୍ୟତଃ ମନ୍ତ୍ରର ନ୍ୟାସବିଧି ନିରୂପଣ କରାଯାଇଅଛି । ପୂର୍ବୋକ୍ତ ନ୍ୟାସବିଧି ଅନୁସାରେ ସାଧକ ମାତୃକା ନ୍ୟାସ ପରେ ମନ୍ତ୍ରୋଦ୍ଧାର ପୂର୍ବକ ମୂଳମନ୍ତ୍ରର ନ୍ୟାସ ଓ ପୁରଶ୍ଚରଣ କରିବେ । ଶିବ ଶକ୍ତ୍ୟାଦି ଦେବଦେବୀଙ୍କ ମୂଳମନ୍ତ୍ର ସାଧନାରେ ଲୋକ ଇପ୍‌ସିତ ଫଳଲାଭ କରିଥାଏ । ସେ ସମସ୍ତ ମନ୍ତ୍ରମଧ୍ୟରେ ବିଷ୍ଣୁମନ୍ତ୍ର ସର୍ବୋତ୍ତମ ଏବଂ ବିଷ୍ଣୁମନ୍ତ୍ର ମଧ୍ୟରେ କୃଷ୍ଣମନ୍ତ୍ର ବରତମ ବୋଲି କବିଭୂଷଣ ନିମ୍ନମତେ ଉଲ୍ଲେଖ କରିଛନ୍ତି-

 

ମନ୍ତ୍ର ହିଁ ସନ୍ତି ଶିବଶକ୍ତିମୁଖାମରାଣାଂ

ନାନାପ୍ରକାରଫଳଦାଃ ଜଗତି ପ୍ରସିଦ୍ଧାଃ ।

ତେଷୁତ୍ତମାଃ ନିଗଦିତାଃ ଖଳୁ ବିଷ୍ଣୁ ମନ୍ତ୍ରାଃ

ତେଷାଂ ପୁନର୍ବରତମାଃ କଳି କୃଷ୍ଣମନ୍ତ୍ରାଃ।।୨।।

 

ଏକ ଅକ୍ଷରଠାରୁ ଛଅ ଅକ୍ଷରବିଶିଷ୍ଟ କୃଷ୍ଣମନ୍ତ୍ରର ପରିଚୟ ଓ ମନ୍ତ୍ରଫଳ (ଶ୍ଳୋକ = ୧-୧୫) ବର୍ଣ୍ଣନା ପରେ ‘କୃଷ୍ଣ’ ଶବ୍ଦର ଅର୍ଥ ନିମ୍ନୋଦ୍ଧୃତ ଶ୍ଳୋକ ଅନୁସାରେ ପ୍ରକାଶ କରାଯାଇଅଛି-

 

ସତ୍ତାର୍ଥଃ କୃଷିରେବ ତତ୍ର ପରମାନନ୍ଦାର୍ଥକୋଣୋ ମତ-

ସ୍ତତ୍ରୈକ୍ୟଂ ତୁ ଚିଦର୍ଥକଂ ମନୁରତୋଽସୌ ସଚ୍ଚିଦାନନ୍ଦବାକ୍‌ ।

କିମ୍ବା ଭକ୍ତିଜନାଘକର୍ଷକତୟା କୃଷ୍ଣୋ ମତୋ ବାଥ ତ-

ବ୍ବର୍ଣ୍ଣତ୍ୱାଦଥବା ସ୍ୱଭକ୍ତଦୂରଦୃଷ୍ଟସ୍ୟାକ୍ଷରୋଲ୍ଲେଖନାତ୍‌ ।।୧୬।।

 

କୃଷ୍‌ + ଇ = କୃଷି, କୃଷ୍‌ ଧାତୁର ଅର୍ଥ ଆକର୍ଷଣ, ବିଲେଖନ । କୃଷିର ଅର୍ଥ ସତ୍ତା ବା ଭୂ ଏବଂ ‘ଣ’ ପ୍ରତ୍ୟୟର ଅର୍ଥ ପରମାନନ୍ଦ । କୃଷି + ଣ = କୃଷ୍ଣର ଅର୍ଥ ଚିତ୍‌ ବା ସଚ୍ଚିଦାନନ୍ଦ, ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି ବା ଭକ୍ତଜନଙ୍କ ଦୁଃଖ ଦୂର କରି ଆନନ୍ଦଦାୟକ ହୋଇଥାନ୍ତି ସେ ହିଁ କୃଷ୍ଣ-। କୃଷ୍ଣ ଶବ୍ଦର ଅର୍ଥ ନିମ୍ନମତେ ପ୍ରତିପାଦିତ ହୋଇଅଛି-

 

କୃଷିର୍ଭୂବାଚକଃ ଶବ୍ଦୋ ଣଶ୍ଚ ନିବୃତ୍ତିବାଚକଃ ।

ତୟୋରୈକ୍ୟତ୍ପରଂ ବ୍ରହ୍ମ କୃଷ୍ଣ ଇତ୍ୟଭିଧୀୟତେ ।।

(ଶ୍ରୀଧରସ୍ୱାମୀ)

 

କୃଷିଭୂର୍ବାଚକଃ ଶବ୍ଦୋ ଣଶ୍ଚ ନିବୃତ୍ତିବାଚକଃ ।

କୃଷ୍ଣସ୍ତଦ୍‌ଭାବ ଯୋଗାଚ୍ଚ କୃଷ୍ଣୋ ଭବତି ସାତ୍ତ୍ୱତଃ ।।

(ମହାଭାରତ = ୫/୭୦/୫)

 

ଭଗବାନଙ୍କର ଅବତାରଭୂତ ଧର୍ମାର୍ଥକାମ ପରମାର୍ଥ ପରାୟଣ ସେହି କୃଷ୍ଣହିଁ ସମସ୍ତଙ୍କର ଉପାସ୍ୟ ଓ ଧ୍ୟେୟ । ତେଣୁ କୃଷ୍ଣ ଶବ୍ଦର ବିଶେଷ ଅର୍ଥ କବିଭୂଷଣ ନିମ୍ନମତେ ଉଲ୍ଲେଖ କରିଛନ୍ତି-

 

କିମ୍ବା ଗୋକୁଳବାସିମ ନସସମାକକ୍ଷାକ୍ଷତୋଽଙ୍ଗଶ୍ରିୟା

କୃଷ୍ଣସ୍ତେନ ମତଃ କୃଷେଃ ସବିହିତଃ ଶବ୍ଦଶ୍ଚଣ ପ୍ରତ୍ୟୟାତ୍‌ ।

ବାଚ୍ୟଃ ଶ୍ରୀବ୍ରଜରାଜନନ୍ଦନ ଇହାବସ୍ଥାଂ ଗତଃ ଶୈଶବୀଂ

ସାକ୍ଷାତ୍‌ ସର୍ବରସାଶ୍ରୟୋଽପି ସ ପୁନଃ ବାତ୍ସଲ୍ୟଭକ୍ତ୍ୟା ବଶଃ ।।୧୭।।

 

ଏହାପରେ କୃଷ୍ଣମନ୍ତ୍ରର ପରିଚିତ (ଶ୍ଲୋକ=୧୬-୨୮), ଅଷ୍ଟାଦଶାକ୍ଷରଠାରୁ ଛବିଶ ଅକ୍ଷର ବିଶିଷ୍ଟ କୃଷ୍ଣମନ୍ତ୍ରର ପରିଚୟ ଓ ମନ୍ତ୍ରଜପ ଫଳ, ଗୋବିନ୍ଦ, ଗୋପୀଜନବଲ୍ଲଭାଦି ଶବ୍ଦର ପାରମାର୍ଥିକ ଅର୍ଥର ପର୍ଯ୍ୟାଲୋଚନା (ଶ୍ଲୋକ = ୨୯-୪୮) କରାଯାଇଅଛି । ମନ୍ତ୍ରର ତ୍ରିବିଧ କୈଶୋର (ଆଦ୍ୟ, ମଧ୍ୟ, ଅନ୍ତ୍ୟ) ବୀଜ, ଶକ୍ତି, କୀଳକ, ଋଷି, କବଚ, ମନ୍ତ୍ରାକ୍ଷର ନ୍ୟାସ, ବୃନ୍ଦାବନଧାମ, ଶ୍ରୀକୃଷ୍ଣଙ୍କ ସ୍ୱରୂପାଦି (ଶ୍ଲୋକ = ୪୯-୯୨) ବର୍ଣ୍ଣିତ ହୋଇଅଛି । ପୂଜାରେ ପୂଜକ ଦେବଦେବୀଙ୍କର କେଉଁ ପାର୍ଶ୍ୱରେ ରହି ପ୍ରାର୍ଥନା କରିବେ ତାହା ନିମ୍ନପ୍ରକାରେ ନିର୍ଦ୍ଦେଶ କରାଯାଇଅଛି ।

 

ଦେବାନ୍‌ ସଂମୁଖତଃ ପିତାମହମହାଦେବେନ୍ଦ୍ରମୁଖ୍ୟାନୃଷୀନ୍‌

ଦକ୍ଷେ ସବ୍ୟଗତାନଥାମରବଧୁ ଗନ୍ଧର୍ବବିଦ୍ୟାଧରାନ୍‌ ।

ଯୋଗୀନ୍ଦ୍ରାନ୍‌ ସନକାଦିକାନ୍‌ ବିମଳଧୀଃ ସଂଚିନ୍ତୟେତ୍‌ପୃଷ୍ଠତଃ

ବୀଣାବାଦନତତ୍ପରଂ ସୁରପଥେ ଭକ୍ତୋତ୍ତମଂ ନାରଦମ୍‌ ।।୯୩।।

 

ଏହାପରେ ଦଶାକ୍ଷରଯୁକ୍ତ ମନ୍ତ୍ରର ପୌଗଣ୍ଡ ଅବସ୍ଥା ଓ ଜପ ପରିଚୟ ଏବଂ ସୃଷ୍ଟି, ସ୍ଥିତି, ସଂହାରକ୍ରମରେ ନ୍ୟାସବିଧି ଓ ଦଶତତ୍ତ୍ୱ ବିନ୍ୟାସ (ଶ୍ଲୋକ = ୯୩-୧୧୨), ବିଭୂତି ପଞ୍ଜର ପରିଚୟ (ଶ୍ଲୋକ = ୧୧୩-୧୧୮) ଉଲ୍ଲେଖ କରାଯାଇ ଅଛି । ସଂଗ୍ରହଟି ପ୍ରାତଃପୂଜାରେ ‘ମନ୍ତ୍ରାଦିନିର୍ଦ୍ଦେଶ’ ନାମରେ ନାମିତ ହୋଇଅଛି ।

 

ଊନତ୍ରିଂଶ ସଂଗ୍ରହ :-

ଊନତ୍ରିଂଶ ସଂଗ୍ରହର ଶହେ ଦଶଟି ଶ୍ଳୋକ ମଧ୍ୟରେ ମୁଖ୍ୟତଃ ଧ୍ୟାନାଦିର ବର୍ଣ୍ଣନା କରାଯାଇଅଛି । ମଣ୍ଡପର ମଧ୍ୟଭାଗରେ ପୂଜିତ ସମଗ୍ର ବିଶ୍ୱର ଆଶ୍ରୟଭୂତ ଭଗବାନ ଶ୍ରୀକୃଷ୍ଣଙ୍କର କୈଶୋର ସ୍ୱରୂପ ଧ୍ୟାନ ଓ ନ୍ୟାସବିଧି (ଶ୍ଲୋକ = ୧-୨୩), ପୌଗଣ୍ଡ ସ୍ୱରୂପ ଧ୍ୟାନ (ଶ୍ଲୋକ = ୨୪-୩୩), ଯୌବନ ସ୍ୱରୂପ ଧ୍ୟାନ (ଶ୍ଲୋକ = ୩୪-୪୨) ପ୍ରାତର୍ମଧ୍ୟାହ୍ନ ସାୟଂକାଳ ଅନୁସାରେ ବର୍ଣ୍ଣିତ ହୋଇଅଛି । ଏହା ପରେ ରାସଗୋଷ୍ଠୀ ପରିଚୟ (ଶ୍ଲୋକ = ୪୩-୫୪) ମଧ୍ୟରେ ଧ୍ୟାନର ଫଳ ଏବଂ ବିଶେଷ ଧ୍ୟାନ (ଶ୍ଲୋକ = ୫୫-୮୬) ଓ ତ୍ରିକାଳାନୁସାରେ ସାମାନ୍ୟ ଧ୍ୟାନର (ଶ୍ଲୋକ = ୮୮-୯୧) ଉଲ୍ଲେଖ ଅଛି । ସୃଷ୍ଟି, ସ୍ଥିତି ଓ ସଂହାର କ୍ରମରେ ସୁଦର୍ଶନ ମନ୍ତ୍ରରେ ଦିଗ୍‌ବନ୍ଧନ, ମନ୍ତ୍ରନ୍ୟାସ ଓ ଧ୍ୟାନର (ଶ୍ଲୋକ = ୯୨-୧୧୦) ବର୍ଣ୍ଣନ କରାଯାଇଅଛି । ନିମ୍ନୋଦ୍ଧୃତ ଶ୍ଲୋକ କେତୋଟିରୁ କବିଭୂଷଣଙ୍କ ପାଣ୍ଡିତ୍ୟର ଯଥାର୍ଥ ପରିଚୟ ଅନୁଭୂତ ହୁଏ ।

 

କୁସୁମିତ ବୃକ୍ଷଲତାଦି ପରିପୂର୍ଣ୍ଣ, ଅବିରତ ଭୃଙ୍ଗ ଝଙ୍କାର ଝଙ୍କୃତ, ନାନାବିଧି ପକ୍ଷୀ କଳରବ ମୁଖରିତ ଓ ନୃତ୍ୟରତ ମୟୂରକୁଳ-ସଙ୍କୁଳ ବୃନ୍ଦାବନର ବର୍ଣ୍ଣନା-

 

ବିକାଶିସୁମନୋରସା ସ୍ୱନବମଞ୍ଜୁଳୈଃ ସଞ୍ଚର-

ଚ୍ଛିଳୀମୁଖମୁଖୋଦ୍‌ଗତୈର୍ମୁ ଖରିତାନ୍ତରଂ ଝଙ୍କ ତୈଃ ।

କପୋତଶୁକସାରିକାପରଭୃତାଦିଭିଃ ପତ୍ରିଭି-

ର୍ବରାଣିତମିତସ୍ତତୋ ଭୁଜଗଶତ୍ରୁନୃତ୍ୟତ୍କୁଳମ୍‌ ।।୨୫।।

କଳିନ୍ଦଦୁହିତୁଶ୍ଚଳଲ୍ଲହରୀବିପ୍ରୂଷାଂ ବାହିଭିଃ

ବିନିଦ୍ରସରସୀରୁହୋଦରରଜଶ୍ଚୟୋଦ୍ଧୂସରୈଃ ।

ପ୍ରଦୀପିତମନୋଭବବ୍ରଜବିଳାସିନୀ ବାସସାଂ

ବିଲୋଳନପରୈ ର୍ନିଷେବିତମନାରତଂ ମାରୁତୈଃ ।।୨୬।।

 

ଅମୃତତୁଲ୍ୟମନ୍ଦ୍ରମଧୁର ବେଣୁସ୍ୱନାକୁଳିତହୃଦୟା ଗୋପସୁରୀପରିବେଷ୍ଟିତ ଅପ୍ରାକୃତ ପ୍ରେମମୟ ବେଣୁଧାରୀ କୃଷ୍ଣଙ୍କର ବର୍ଣ୍ଣନା-

 

ସଂବେଷ୍ଟିତଂ ସ୍ୱମଭିତୋଽଖିଳବଲ୍ଲବୀଭି-

ର୍ବେଣୁସ୍ୱନାମୃତହୃତେନ୍ଦ୍ରିୟ ବୃତ୍ତିଧୀଭିଃ ।

ତଦ୍‌ବିସ୍ମିତାଖିଳଚରସ୍ଥି ରଜୀବଜାତୈ-

ରପ୍ରାକୃତୈରବଗତାତ୍ମତୟାବଦାତୈଃ ।।୪୦।।

ତରୁଣୀକୁଚଯୁକ୍‌ପରିରମ୍ଭ ମିଳଦ୍‌

ଘୁସୂଣାରୁବକ୍ଷସମୁକ୍ଷଗତିମ୍‌ ।

ଶିବବେଣୁସମୀରଣଗାନପରଂ

ସ୍ମରବିହ୍ୱଳିତଂ ଭୁବନୈକଗୁରୁମ୍‌ ।।୫୪।।

 

ଉନ୍ମଦନା ଗୋପୀଗଣ ସେବିତ ଶ୍ରୀକୃଷ୍ଣଙ୍କ ବନ୍ଦନା:-

ବିଶ୍ରଂସତ୍କବରୀକଳାପବିଗଳତ୍‌ଫୁଲ୍ଲପ୍ରସୂନସ୍ରବ-

ନ୍ମାଧ୍ୱୀଲମ୍ପଟଚଞ୍ଚରୀକଘଟୟା ସଂସେବିତାନାଂମୁହୁଃ ।

ମାରୋନ୍ମାଦମଦସ୍ଖଳନ୍ମୃ ଦୁଗିରାମାଲୋଳକାଞ୍ଚ୍ୟୁଲ୍ଲସ-

ନ୍ନୀବୀବିଶ୍ଲଥମାନଚୀନସିଚୟାନ୍ତାଦିର୍ନିତମ୍ବତ୍ୱିଷାମ୍‌ ।।୭୮।।

 

ଶଙ୍ଖଚକ୍ର-ଗଦାଧାରୀ ଶ୍ରୀକୃଷ୍ଣଙ୍କ ସ୍ତୁତି ବର୍ଣ୍ଣନା:-

ବିଷ୍ଣୁଂ ଶାରଦଚନ୍ଦ୍ରକୋଟିସଦୃଶଂ ଶଙ୍ଖଂ ରଥାଙ୍ଗଂ ଗଦା-

ମମ୍ଭୋଜଂ ଦଧତଂ ଶିତାବ୍‌ଜନିଳୟଂ କାନ୍ତ୍ୟା ଜଗନ୍ମୋହନମ୍‌ ।

ଆବଦ୍ଧାଙ୍ଗଦହାରକୁଣ୍ଡଳମହାମୌଳିଂ ସ୍ଫୁରତ୍କଙ୍କଣଂ

ଶ୍ରୀବତ୍ସାଙ୍କମୁଦାରକୌସ୍ତୁଭଧରଂ ବନ୍ଦେ ମୁନୀନ୍ଦ୍ରୈଃ ସ୍ତୁତମ୍‌ ।।୯୯।।

 

ଏହି ସଂଗ୍ରହଟି ଏହିଭଳି ବହୁ ଶ୍ଲୋକରେ ମଣ୍ଡିତ ହୋଇଅଛି । ‘ଧ୍ୟାନନିଦ୍ଦେର୍ଶ’ ନାମରେ ସଂଗ୍ରହଟିର ନାମକରଣ କରାଯାଇଅଛି ।

 

ତ୍ରିଂଶ ସଂଗ୍ରହ-

ତ୍ରିଂଶତ୍‌ (ତିରିଶ) ସଂଗ୍ରହରେ ଶହେ ଛବିଶଟି ଶ୍ଲୋକ ଅଛି । ଏଥିରେ ମୁଖ୍ୟତଃ ଆଭ୍ୟନ୍ତରପୂଜାବିଧି ନିରୂପିତ ହୋଇଅଛି । ପ୍ରଥମେ ସ୍ୱଦେହରେ ଯୋଗପୀଠନ୍ୟାସ (ଶ୍ଲୋକ = ୧-୨୪), ବିମଳାଦି ଅଷ୍ଟଦିଗଙ୍ଗନା ପୂଜା (ଶ୍ଳୋକ = ୨୫-୨୯), ବିଭୂତିପଞ୍ଜରନ୍ୟାସକ୍ରମର (ଶ୍ଲୋକ = ୩୦-୩୨) ପରିଚୟ ପରେ ଆସନାଦି ଉପଚାର ଦ୍ୱାରା ଇଷ୍ଟଦେବଙ୍କ ପୂଜାବିଧିର (ଶ୍ଲୋକ = ୩୩-୪୯) ବର୍ଣ୍ଣନା କରାଯାଇ ଅଛି । ଏହାପରେ ଚତୁର୍ବିଧ ମୁଦ୍ରା (ବେଣୁ, ମାଳା, କୌସ୍ତୁଭ ଓ ଶ୍ରୀବତ୍ସ) ସହିତ ବିଲ୍ୱମୁଦ୍ରା ରୂପେ ପଞ୍ଚମ ମୁଦ୍ରାର ପରିଚୟ (ଶ୍ଲୋକ = ୫୦-୫୬) ସହିତ ଅନ୍ୟାନ୍ୟ ଆଭରଣ ଓ ପୁଷ୍ପାଞ୍ଜଳି, ତାମ୍ବୂଳ, ଗନ୍ଧ, ଧୂପ, ଦୀପ, ଷଡ଼୍‌ବିଧ ନୈବେଦ୍ୟ, ଆଚମନ, ନୀରାଜନା ବିଧି (ଶ୍ଲୋକ = ୫୭-୮୭) ନିରୂପିତ ହୋଇଅଛି । ତତ୍ପରେ ରାଜୋପଚାର ପୂଜାରେ ମୁକୁର, ଛତ୍ର, ଚାମର, ତ୍ରାସ, ପିଚ୍ଛ, ଭୃଙ୍ଗାର, ବ୍ୟଜନ, ସଂପୁଟକ, କାହାଳ, ସୁଷିର, ଅନ୍ୟାନ୍ୟ ବାଦ୍ୟ ସହିତ ସଂସ୍କୃତ ଓ ପ୍ରାକୃତ ଗୀତ, ନୃତ୍ୟ, ପଲ୍ୟଙ୍କ, ଚତୁରଙ୍ଗ, ବଳାଦିର ବର୍ଣ୍ଣନା ସହିତ ବିଷ୍ଣୁଗାୟତ୍ରୀ (ଓଁ ତ୍ରୈଲୋକ୍ୟ ମୋହନୀୟ ବିଦ୍‌ମହେ ନାରାୟଣାୟ ଧୀମହି ତନ୍ନୋ ବିଷ୍ଣୁଃ ପ୍ରଚୋଦୟାତ୍‌) ମନ୍ତ୍ରର ଜପ ଓ ହୋମବିଧି ଉଲ୍ଲିଖିତ ଅଛି । ସଂଗ୍ରହଟି ‘ଅନ୍ତର୍ଯଜନ ବିଧି’ ନାମରେ ନାମିତ ହୋଇଅଛି ।

 

ଏକତ୍ରିଂଶ ସଂଗ୍ରହ-

ଏକତ୍ରିଂଶ ସଂଗ୍ରହରେ ମୁଖ୍ୟତଃ ବାହ୍ୟପୂଜାବିଧି ଶହେ ଏଗାରଟି ଶ୍ଲୋକ ମଧ୍ୟରେ ବର୍ଣ୍ଣନା କରାଯାଇ ଅଛି । ଅର୍ଘ୍ୟ ସଂସ୍କାର (ଶ୍ଲୋକ = ୧-୨୭), ଦ୍ରବ୍ୟଶୁଦ୍ଧିରେ ବିଭିନ୍ନ ପାତ୍ର, ବସ୍ତ୍ର, ଆଭରଣ, ପ୍ରଭୃତି ସହିତ ବିଭିନ୍ନ ଗନ୍ଧ ଓ ପୁଷ୍ପର ପରିଚୟ (ଶ୍ଲୋକ = ୨୮-୫୫) ଏବଂ ଦ୍ୱାଦଶ ଧୂପର ବର୍ଣ୍ଣନା ପରେ ଧୂପର ମହତ୍ତ୍ୱ ବିଷୟ କବିଭୂଷଣ ନିମ୍ନମତେ ଉଲ୍ଲେଖ କରିଛନ୍ତି-

 

ଯଦ୍ଧୂମଗ୍ରହଣାଚ୍ଚ ଜାଗ୍ରତି ସୁରା ନୈବେଦ୍ୟମାସ୍ୱାଦିତୁଂ

ମୋଦଂଚାପି ବିତନ୍ୱତେ ବହୁବିଧଂ ତଦ୍ଦାତୃ ନୃଣାମପି ।

ଦୂରଂ ଯାନ୍ତି ପିଶାଚଭୂତନିବହା ଆମୋଦତେ ଦିଙ୍‌ମୁଖଂ

ସର୍ବେଷ୍ୱପ୍ୟୁପଚାରକେଷୁ ଯଜତାଂ ଧୂପଃ ପରଂ ଶସ୍ୟତେ ।।୫୮।।

 

ଏହାପରେ ଉତ୍ତମ ମଧ୍ୟମାଧମ ଭେଦରେ ତ୍ରିବିଧ ଦୀପ, ନୈବେଦ୍ୟ ଓ ଦ୍ରବ୍ୟମୁଦ୍ରା ପରିଚୟ ଦେଇ ଦ୍ରବ୍ୟଶୁଦ୍ଧି ବର୍ଣ୍ଣନା (ଶ୍ଲୋକ = ୫୬-୬୭) ପରେ ପଞ୍ଚବିଧ ଶୁଦ୍ଧି (ଆତ୍ମଶୁଦ୍ଧି, ଅର୍ଘ୍ୟଶୁଦ୍ଧି, ଦ୍ରବ୍ୟଶୁଦ୍ଧି, ମନ୍ତ୍ରଶୁଦ୍ଧି ଓ ଦେବତାଶୁଦ୍ଧି) ପ୍ରସଙ୍ଗରେ ମନ୍ତ୍ରଶୁଦ୍ଧି (ଶ୍ଲୋକ = ୬୮-୭୧) ଓ ଦେବଶୁଦ୍ଧିରେ (ଶ୍ଲୋକ = ୭୨-୮୧) ତ୍ରିବିଧ ଯନ୍ତ୍ରର (ପାରକ, ଗୋପାଳ, ଗୋବିନ୍ଦ) ବର୍ଣ୍ଣନା କରା ଯାଇଅଛି । ଯନ୍ତ୍ର ପୂଜାବିଧି (ଶ୍ଲୋକ = ୮୨-୮୭), ଦେବପୀଠ ପୂଜା (ଶ୍ଲୋକ = ୮୮-୯୫) ନିର୍ଦ୍ଦେଶ ପରେ ପ୍ରତିମା ପୂଜାରେ ଦଶବିଧ କାର୍ଯ୍ୟର (ଆବାହନ, ସଂସ୍ଥାପନ, ସନ୍ନିଧାନ, ସନ୍ନିରୋଧନ, ସମ୍ମୁଖୀକରଣ, ସକଳୀକରଣ, ଅବଗୁଣ୍ଠନ, ଅମୃତୀକରଣ, ପରମୀକରଣ ଓ ଚେତନୀକରଣ) ଉଲ୍ଲେଖ (ଶ୍ଲୋକ-୯୭-୧୧୧) କରାଯାଇ ଅଛି । ଉକ୍ତ ଦଶବିଧ କାର୍ଯ୍ୟର ଅର୍ଥ ନିମ୍ନମତେ ଉପସ୍ଥାପିତ ହେଲା ।

 

(୧)

ଆବାହନ = ଦେବତା ସନ୍ନିବେଶ, ଅଥବାସମ୍ମୁଖୀକରଣ,

(୨)

ସଂସ୍ଥାପନ = ଦେବତା ସ୍ଥିରତ୍ୱ, ଅଥବାଭକ୍ତିସହିତ ଉପବେଶନ,

(୩)

ସନ୍ନିଧାନ = ନିକଟସ୍ଥିତି, ଅଥବାସ୍ୱାବାସ,

(୪)

ସନ୍ନିରୋଧନ = ପୂଜା ଶେଷ ପର୍ଯ୍ୟନ୍ତ ଅବସ୍ଥିତି, ଅଥବାକର୍ମାବସାନ କାଳପର୍ଯ୍ୟନ୍ତ ଅବସ୍ଥାନ

(୫)

ସମ୍ମୁଖୀକରଣ = ପୂଜକ ପ୍ରତି ପ୍ରସନ୍ନତା, ଅଥବାପୂଜାରେ ସାବଧାନଭାବ,

(୬)

ସକଳୀକରଣ = ସମୃଦ୍ଧି ପୂର୍ଣ୍ଣତା, ଅଥବାପୂଜ୍ୟ ଓ ପୂଜକରଅଭେଦ୍ୟ ଭାବପ୍ରାପ୍ତି ।

(୭)

ଅବଗୁଣ୍ଠନ = ପରିଚ୍ଛିନ୍ନତା, ଅଥବାଅବିଦ୍ୟାଗୋପନ,

(୮)

ଅମୃତୀକରଣ = ମର୍ତ୍ତ୍ୟଭାବଶୂନ୍ୟତା, ଅଥବାଦେବଭାବ,

(୯)

ପରମୀକରଣ = ପୂର୍ଣ୍ଣତା, ଅଥବାପରମାର୍ଥାନୁଭୂତି,

(୧୦)

ଚେତନୀକରଣ = ପ୍ରାଣସ୍ଥାପନଅଥବାଉପଚାର ଗ୍ରହଣ ନିମିତ୍ତପ୍ରବୃତ୍ତି ।

 

ଏହି ସଂଗ୍ରହଟି ବାହ୍ୟପୂଜାରେ ‘ଆବାହନାଦି ବିଧି’ ନାମରେ ଅଭିହିତ ହୋଇଅଛି ।

 

ଦ୍ୱାତ୍ରିଂଶ ସଂଗ୍ରହ-

ଦ୍ୱାତ୍ରିଂଶ (ବତିଶ) ସଂଗ୍ରହର ଶହେ ସାତୋଟି ଶ୍ଲୋକ ମଧ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ ପର୍ଯ୍ୟନ୍ତ ପୂଜାବିଧି ବର୍ଣ୍ଣନାକରାଯାଇ ଅଛି । ପ୍ରଥମେ ଭଗବାନଙ୍କୁ ପ୍ରାର୍ଥନା ଜଣାଇ ପୂର୍ବୋକ୍ତ ଆବାହନାଦି ଦଶବିଧ କାର୍ଯ୍ୟର ସେହି ନାମରେ ଦଶବିଧ ମୁଦ୍ରାର ସ୍ୱରୂପ (ଶ୍ଲୋକ = ୧-୩୮) ଓ ଫଳ ନିର୍ଣ୍ଣୟ ସହିତ କବିଭୂଷଣ ନିମ୍ନପ୍ରକାରେ ମୁଦ୍ରାର ପ୍ରଶସ୍ତିଗାନ କରିଛନ୍ତି-

 

ମୁଦଂ ଦେବତାନାଂ ସମଗ୍ରାଂ ବିଧତ୍ତେ

ତଥା ଦ୍ରାବୟତ୍ୟେବ ରକ୍ଷୋଗଣାଂଶ୍ଚ ।

ମୁଦଂ ରାତି ତେଷାମିତି ବ୍ୟାଖ୍ୟୟା ବା

ପ୍ରଶସ୍ୟେତ ମୁଦ୍ରା ଦ୍ୟୁଷତ୍ତୋଷଦାତ୍ରୀ ।।୩୬।।

 

ମୁଦ୍ରା ବିଧାନରେ କୋଟି କୋଟି ସଂଖ୍ୟକ ମୁଦ୍ରା ଅଛି । ତନ୍ମଧ୍ୟରୁ ଗଣନାନୁସାରେ ସାତଶହ ମୁଦ୍ରା ପ୍ରଶସ୍ତ ଅଟେ । ସମସ୍ତ ମୁଦ୍ରା ଦେବତା, ନ୍ୟାସ ଓ ଉପଚାର ଅନୁଗାମୀ ହେଇଥାନ୍ତି । ବିଭିନ୍ନ ଦେବତାଙ୍କର ମୁଦ୍ରାସଂଖ୍ୟା ବିଷୟରେ ଉଲ୍ଲେଖ ଅଛି-

 

ଦୃଶ୍ୟା ଗୀରୀଶସ୍ୟ ଚ ଷୋଡ଼ଶ ସ୍ୟୁ-

ଶ୍ଚାଷ୍ଟୌ ଚ କେଚିତ୍‌ ପ୍ରବଦନ୍ତି ସନ୍ତଃ ।

ଶକେସ୍ତଥାଷ୍ଟୌ ଗଣପସ୍ୟ ସପ୍ତ

ସୂର୍ଯ୍ୟସ୍ୟ ବିଷ୍ଣୋରପି ବିଂଶତିଃ ସ୍ୟୁଃ ।।୩୯।।

 

ଅର୍ଥାତ୍‌ ଶିବଙ୍କଠାରେ ଆଠ ବା ଷୋହଳ, ଶକ୍ତିଙ୍କଠାରେ (ଦୁର୍ଗା) ଆଠ ବା ଷୋହଳ, ଗଣେଷଙ୍କଠାରେ ଆଠ, ସୂର୍ଯ୍ୟଙ୍କଠାରେ ସାତ ଓ ବିଷ୍ଣୁଙ୍କଠାରେ କୋଡ଼ିଏଟି ମୁଦ୍ରା ପ୍ରଦର୍ଶିତ ହୋଇଥାଏ । ଉକ୍ତ ପଞ୍ଚଦେବତା ବ୍ୟତୀତ ଅନ୍ୟ ଦେବଗଣଙ୍କଠାରେ କଳ୍ପିତ ଅନୁରୂପମୁଦ୍ରା ପ୍ରଦର୍ଶନ କରାଯାଇ ଥାଏ । ବିଷ୍ଣୁଙ୍କର ପ୍ରିୟ ବିଂଶତି ମୁଦ୍ରାର ନାମ ସୁଚନା ନିମ୍ନ ପ୍ରକାରେ ଦିଆଯାଇ ଅଛି-

 

ଶଙ୍ଖଶ୍ଚକ୍ରଗଦାସରୋଜମୂଷଳାଃଶାର୍ଙ୍ଗାସିପାଶାଙ୍କୁଶାଃ

ବାଣଶ୍ଚର୍ମ ଚ ବୈନତେୟସହିତଶ୍ରୀବତ୍ସକଂ କୌସ୍ତୁଭଃ ।

ବେଣୁଶ୍ଚାଭୟଦଂ ବରୋ ବନଯୁତା ମାଳା, ବିଷାଣଶ୍ରିୟା-

ବିତ୍‌ଥଂ ବିଂଶତିମାଃ ଫଳାଶୁଗବିଷାଣାନ୍ତ୍ୟଂବିନା ଷୋଡ଼ଶ ।।୪୧।।

 

ଉକ୍ତ ବିଂଶତି ମୁଦ୍ରାରୁ ଫଳକ, ଶର, ଶୃଙ୍ଗ ଓ ବନମାଳା ବ୍ୟତୀତ ଅବଶିଷ୍ଟ ମୁଦ୍ରାକୁ ବିଷ୍ଣୁଙ୍କ ଷୋଡ଼ଶ ମୁଦ୍ରାରୂପେ ଗ୍ରହଣ କରାଯାଇ ଥାଏ ।

 

ବନମାଳା, ବେଣୁ, ଶୃଙ୍ଗ, ଶ୍ରୀବତ୍ସ ଚିହ୍ନ ଓ କୌସ୍ତୁଭ ଏହି ପାଞ୍ଚୋଟି ଗୋପାଳ ମୂର୍ତ୍ତିର ପ୍ରିୟମୁଦ୍ରା ବୋଲି କବିଭୂଷଣ ଉଲ୍ଲେଖ କରିଛନ୍ତି । ମୁଦ୍ରାସଂଖ୍ୟା ନିର୍ଣ୍ଣୟ ସହିତ ମୁଦ୍ରାର ସ୍ୱରୂପ ବିଧି (ଶ୍ଳୋକ = ୩୯ ୬୩) ନିରୂପଣ ପରେ ଉପଚାର ପୂଜାରେ ବିଭିନ୍ନ ଉପଚାର ଦ୍ରବ୍ୟ-ସୂଚକ ମୁଦ୍ରାର ପରିଚୟ (ଶ୍ଳୋକ = ୬୪-୯୦) ସହିତ ରାଜୋପଚାର ଦ୍ରବ୍ୟାଦି ସମର୍ପଣ କାଳରେ ଦର୍ଶନୀୟ ମୁଦ୍ରାମାନଙ୍କର ମଧ୍ୟ ସ୍ୱରୂପ (ଶ୍ଳୋକ = ୯୧-୧୦୭) ବର୍ଣ୍ଣିତ ହୋଇଅଛି । ସଂଗ୍ରହଟି ପ୍ରାତଃ ପୂଜାରେ ‘ପୁଷ୍ପ ପ୍ରଦାନାବଧି ବିଧି’ ନାମରେ ଅଭିହିତ ।

 

ତ୍ରୟସ୍ତ୍ରିଂଶ ସଂଗ୍ରହ-

ତ୍ରୟସ୍ତ୍ରିଂଶ (ତେତିଶ) ସଂଗ୍ରହରେ ଶହେ ଏକୋଇଶଟି ଶ୍ଳୋକ ଅଛି । ଏଥିରେ ପ୍ରଥମେ ଆବରଣ ଦେବତା ପୂଜାର ଅବତାରଣା କରାଯାଇଅଛି । ପ୍ରତ୍ୟେକ ଦେବତାଙ୍କର ପୃଥକ୍‌ ପୃଥକ୍‌ ଆବରଣ ଦେବତା ଅଛନ୍ତି । ତନ୍ମଧ୍ୟରୁ ବିଭିନ୍ନ ମତାନୁଯାୟୀ ବିଷ୍ଣୁଙ୍କର ଏକ, ତିନି, ସାତ, ନଅ ବା ଦଶ ଆବରଣ ଦେବତା ପୂଜିତ ହୋଇଥାନ୍ତି । ବିଷ୍ଣୁଙ୍କର ଅଙ୍ଗଦେବତା ପୂଜାକୁ ପ୍ରଥମାବରଣ, ଦାମସୁଦାମାଦି ସହିତ ଦ୍ୱିତୀୟାବରଣ, ଶ୍ରୀକୃଷ୍ଣମହିଷୀ ସହିତ ତୃତୀୟା-ବରଣ, ବସୁଦେବାଦି ସହିତ ଚତୁର୍ଥାବରଣ, ଯାଦବାଦି ସହିତ ପଞ୍ଚମାବରଣ, କଳ୍ପଦ୍ରୁମାଦି ସହିତ ଷଷ୍ଠାବରଣ, ନିଧି ସହିତ ସପ୍ତମାବରଣ, ଗରୁଡ଼ ସହିତ ଅଷ୍ଟମାବରଣ, ଇନ୍ଦ୍ରାଦି ଦିକ୍‌ପାଳ ସହିତ ନବମାବରଣ ଏବଂ ବଜ୍ରାଦି ଆୟୁଧ ସହିତ ବିଷ୍ଣୁଙ୍କ ପୂଜାକୁ ଦଶମାବରଣ ପୂଜା କୁହାଯାଏ । ଏହାପରେ ଉକ୍ତ ଦଶାବରଣ ପୂଜାର ସ୍ୱରୁପ ଓ ଯନ୍ତ୍ର ପରିଚୟ (ଶ୍ଳୋକ = ୧-୭୬) ସହିତ ପ୍ରତ୍ୟେକ ଆବରଣ ପୂଜାରେ ପ୍ରତ୍ୟେକ ଦେବ, ଦେବୀ, ଆୟୁଧ ଓ ଅଳଙ୍କାରାଦିର ବର୍ଣ୍ଣନା କରାଯାଇଅଛି । ପୁଷ୍ପାଞ୍ଜଳି ଦାନ, ଦୀପଦାନ ବା ନୈବେଦ୍ୟ ପ୍ରଦାନ ପରେ ଉକ୍ତ ଆବରଣ ଦେବତା ପୂଜା ଅନୁଷ୍ଠିତ ହୁଏ ବୋଲି କବିଭୂଷଣ ଉଲ୍ଲେଖ କରିଛନ୍ତି-

 

ପୂଜାମେଷାଂ ପୁଷ୍ପଦାନାବସାନେ

କେଚିଦ୍ଦୀପାନନ୍ତରଂ କେଚିଦାର୍ଯ୍ୟାଃ ।

ନୈବେଦ୍ୟାନ୍ତେ କେଽପି କୁର୍ବନ୍ତି ଭକ୍ତ୍ୟା

ଗନ୍ଧାଦ୍ୟୈର୍ବା କେବଳୈର୍ବା ପ୍ରସୂନୈଃ ।।୭୩।।

 

ଆବରଣ ଦେବତା ପୂଜା ପରେ ଘଣ୍ଟାପୂଜା (ଶ୍ଳୋକ = ୭୭-୮୦), ଧୂପଦାନ (ଶ୍ଳୋକ = ୮୧-୮୫), ଦୀପଦାନ (ଶ୍ଳୋକ = ୮୬-୯୦), ନୈବେଦ୍ୟ ଦାନ (ଶ୍ଳୋକ = ୯୧-୧୦୯), ବୈଶ୍ୱଦେବ ହୋମ (ଶ୍ଳୋକ = ୧୧୦-୧୧୩), ନୈବେଦ୍ୟଦାନ ପରକାର୍ଯ୍ୟ (ଶ୍ଳୋକ = ୧୧୪-୧୧୮) ଏବଂ ହରିଙ୍କର ତଟସ୍ଥ (ଜୀବ), ବହିରଙ୍ଗ (ମାୟା) ଅନ୍ତରଙ୍ଗ ଓ (ସ୍ୱରୂପ) ଶକ୍ତିର ପରିଚୟ (ଶ୍ଳୋକ = ୧୧୯-୧୨୧) ଉଲ୍ଲିଖିତ ଅଛି । ‘ନୈବେଦ୍ୟଦାନାବଧି ବିଧି’ ନାମରେ ସଂଗ୍ରହଟିର ନାମକରଣ କରାଯାଇଅଛି ।

 

ଚତୁସ୍ତ୍ରିଂଶ ସଂଗ୍ରହ-

ଚତୁସ୍ତ୍ରିଂଶ (ଚଉତିଶ) ସଂଗ୍ରହର ଶହେ କୋଡ଼ିଏଟି ଶ୍ଳୋକ ମଧ୍ୟରେ ମୁଖ୍ୟତଃ ତର୍ପଣ ବିଧିର ପର୍ଯ୍ୟାଲୋଚନା କରାଯାଇଛି । ଭଗବାନଙ୍କ ଚିତ୍‌ ଅଂଶରୁ ଶ୍ରୀଶକ୍ତି, ସଦ୍‌ଅଂଶରୁ ଧରଣୀ ଓ ଆନନ୍ଦ ଅଂଶରୁ ବୃଷଭାନୁପୁତ୍ରୀ ରାଧିକାର ସ୍ୱରୂପ ନିର୍ଣ୍ଣୟ କରାଯାଇଅଛି ଏବଂ ସଚ୍ଚିଦାନନ୍ଦ ରୂପ ଶ୍ରୀକୃଷ୍ଣଙ୍କଠାରେ ସେମାନଙ୍କର ସ୍ୱରୂପ କଳ୍ପନା ନିମ୍ନ ପ୍ରକାରେ ଉଲ୍ଲିଖିତଅଛି-

 

ଐଶ୍ୱର୍ଯ୍ୟାତିଶୟେନ ବୈ ଭଗବତୋ ନ ରାୟଣାଖ୍ୟା ତନୁ-

ର୍ମାଧୁର୍ଯ୍ୟାତିଶୟେନମୋହକତୟାଗୋପାଳମୂର୍ତ୍ତିଃ ପରା ।

ଗୋପାଳସ୍ୟ ସମଗ୍ରଶକ୍ତିରଧିକା ଶ୍ରୀରାଧିକା ପ୍ରେୟସୀ

ହେଚାନ୍ୟେ ଧରଣୀ ରମା ଚ ବିହିତେ ନାରାୟଣସ୍ୟ ପ୍ରିୟେ ।।୧।।

 

ନବଶକ୍ତି (ପ୍ରେମଦା, କାମଦା, ରମା, ମନୋରମା, ରତିକଳା, କଳକଣ୍ଠା, କଳାବତୀ, ମନୋଜ୍ଞା ଓ ଗୁଣଶୀଳା) ସହିତ ଶ୍ରୀରାଧିକାଙ୍କ ପୂଜାବିଧି (ଶ୍ଳୋକ = ୧-୧୦) ନିରୂପଣ କରାଯାଇଅଛି ।

 

ଏହା ପରେ ଶ୍ରୀଧରଙ୍କ ବାମ ଦକ୍ଷିଣ କ୍ରମରେ ରମା ଓ ଧରିତ୍ରୀ ପୂଜା ସହିତ ଚଣ୍ଡଦାନବିଧି (ଶ୍ଳୋକ = ୧୧-୩୨), ବୈଷ୍ଣବମାନଙ୍କୁ (ଶ୍ରୀମଦ୍‌ ଭାଗବତ ବର୍ଣ୍ଣିତ ବିଷ୍ଣୁଭକ୍ତି) ନୈବେଦ୍ୟ ପ୍ରଦାନ (ଶ୍ଳୋକ = ୩୩-୪୩), ନମସ୍କାର ବିଧିର (ନମସ୍କାର, ପଞ୍ଚାଙ୍ଗ ପ୍ରଣାମ, ଅଷ୍ଟାଙ୍ଗ ପ୍ରଣାମ ) ବିଶେଷ ପରିଚୟ (ଶ୍ଳୋକ = ୪୪-୬୧) ଦିଆଯାଇଅଛି । ତତ୍ପରେ ନୀରାଜନା ବଧି (ଶ୍ଳୋକ = ୬୨-୬୭), ବିଲୋମ ଅର୍ଘ୍ୟବିଧି ଓ ପୂଜା ଉପସଂହାରବିଧି (ଶ୍ଳୋକ = ୬୮-୮୦), ଦେବସ୍ତୁତି (ଶ୍ଳୋକ = ୮୧-୯୦), ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଶ୍ରୀକୃଷ୍ଣଙ୍କ ଅଷ୍ଟାବରଣ ପୂଜା, ଜଳାଞ୍ଜଳିଦାନ ବିଧି, ସ୍ନାନବିଧି ପ୍ରଭୃତି ତର୍ପଣ ବିଧିରେ (ଶ୍ଳୋକ = ୯୧-୧୨୦) ପର୍ଯ୍ୟାଲୋଚନା କରାଯାଇଅଛି ।

 

ଶ୍ରୀକୃଷ୍ଣପ୍ରିୟା ରମାଙ୍କୁ ନବଶକ୍ତି (ବିଭୁତି, ଉନ୍ନତି, କାନ୍ତି, ପୁଷ୍ଟି, କୀର୍ତ୍ତି, ସନ୍ନତି, ବ୍ୟୁଷ୍ଟି, ଉତ୍କୃଷ୍ଟି ଓ ୠଦ୍ଧି ) ସହିତ ପୂଜା କରାଯାଏ । କବିଭୂଷଣ ରମା ଓ ଧରଣୀଙ୍କ ସ୍ୱରୂପ ନିମ୍ନ ପ୍ରକାରେ ବର୍ଣ୍ଣନା କରିଛନ୍ତି-

 

ପଦ୍ମସ୍ଥା ପଦ୍ମନେତ୍ରା କମଳଯୁଗବରାଭୀତିଯୁଗ୍‌ଦୋଃ ସରୋଜା

ଦେହୋତ୍‌ଥାଭିଃ ପ୍ରଭାଭିସ୍ତ୍ରିଭୁବନକୁହରଂ ଭାସୁରା ଭାସୟନ୍ତୀ ।

ମୁକ୍ତାହାରାଭିରାମୋନ୍ନତକୁଚକଳଶାରତ୍ନମଞ୍ଜୀରକାଞ୍ଚୀ

ଗ୍ରୈବେୟୋର୍ମଙ୍ଗଦାଢ଼୍ୟାଧୃତମଣିମୁକୁଟା ଶ୍ରେୟସେ ଶ୍ରୀର୍ଭବେନ୍ନଃ ।।୧୪।।

 

ମୁଖ୍ୟାମ୍ଭୋଜେ ନିବିଷ୍ଟାରୁଣଚରଣତଳା ଶ୍ୟାମଳାଙ୍ଗୀ ମନୋଜ୍ଞା

ଚଞ୍ଚଚ୍ଛାଲ୍ୟଗ୍ରଚୁମ୍ୱଚ୍ଛୁ କଲସିତକରା ପ୍ରାପ୍ତନୀଳୋତ୍ପଳାଚ ।

ରତ୍ନାକଳ୍ପାଭିରାମା ମଣିମୟମୁକୁଟା ଚିତ୍ରବସ୍ତ୍ରା ପ୍ରସନ୍ନା

ଦିଶ୍ୟାଦ୍‌ ବିଶ୍ୱମ୍ଭରା ବଃ ସକଳମଭିମତଂ ବଲ୍ଲଭା କୈଟଭାରେଃ ।।୨୧।।

 

ନିମ୍ନୋଦ୍ଧୃତ କେତୋଟି ସ୍ତୁତିରେ ତ୍ରିଗୁଣାତ୍ମକ ତ୍ରିଗୁଣାବତାରଭୂତ ବିଶ୍ୱାକାର ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣ ବର୍ଣ୍ଣନାରେ କବି କବିଭୂଷଣଙ୍କ କବିତ୍ୱର ଯଥାର୍ଥ ପରିଚୟ ମିଳେ-

 

ଯନ୍ମାୟୟା ତ୍ରିଗୁଣୟା ତ୍ରିଗୁଣାବତାରା

ବ୍ରହ୍ମା ଚ ବିଷ୍ଣୁରଥ ରୁଦ୍ର ଇତି ତ୍ରିଲୋକ୍ୟାମ୍‌ ।

ସୃଷ୍ଟିସ୍ଥିତିପ୍ରଳୟକର୍ମସୁ ସଂନିଯୁକ୍ତା

ନିତ୍ୟଂ ଭ୍ରମନ୍ତି ନିଖିଳଂ ଭ୍ରମୟନ୍ତି ବିଶ୍ୱମ୍‌ ।।୮୩।।

ପାରଂ ନ ଯାନ୍ତି ମୁନୟୋ ବିନୟୋପାପନ୍ନାଃ

କାଳତ୍ରୟା ବ୍ୟୟଧିୟୋଽପି ହି ଯନ୍ମହିମ୍ନଃ ।

ଭକ୍ତ୍ୟା ସ୍ମରନ୍ତି ଚ ଯଦା ଚରିତାନି ନିତ୍ୟଂ

ଶକ୍ତ୍ୟା କୟା ବତ ଗୃଣାମି ଗୁଣାନ୍‌ ବିଭୁମ୍ନଃ ।।୮୪।।

 

ବେଦ, ପୁରାଣ, ଗୀତାଦିରେ ଯାହାଙ୍କ ମହିମା ଗାନ ସମ୍ଭବ ହୋଇନାହିଁ ଏବଂ ଏକାଧାରାରେ ବ୍ରହ୍ମା, ଶିବ, ଗଣପତି ଓ ଶକ୍ତି ସ୍ୱରୂପ ସେହି ଭଗବାନଙ୍କର ଗୁର୍ଣ୍ଣବର୍ଣ୍ଣନାରେ କବି ନିଜର ଅସାମର୍ଥ୍ୟ ବିନୀତଭାବେ ପ୍ରକାଶ କରିଛନ୍ତି-

 

ବ୍ରହ୍ମେତି ଯଂ ନିଖିଳବେଦବିଦୋ ବଦନ୍ତି

ଶୈବାଃ ଶିବଂ ଗଣପତିଂ କିଳ ଗାଣପତ୍ୟାଃ ।

ଶାକ୍ତାଶ୍ଚ ଶକ୍ତିମିତରେଽଭିମତାବତାରଂ

ତଂ କୃଷ୍ଣମେବମଖିଳାତ୍ମକମଭ୍ୟୁପୈମି ।।୮୫।।

କିଂ ସ୍ତୋମି ବାଚା ମହିମାନମୀଶ !

ତବାନବଦ୍ୟଂ ବିବୁଧୈରବେଦ୍ୟମ୍‌ ।

ଯଦନ୍ତମୀୟୁଃ ଶ୍ରୂତୟୋ ନ କିଞ୍ଚି-

ତ୍ତଦ୍‌ବର୍ଣ୍ଣନେଽହଂ କତମୋ ବରାକଃ ।।୮୬।।

 

ପରିଶେଷରେ ‘‘ତର୍ପଣାବଧିବିଧି’’ ନାମରେ ସଂଗ୍ରହଟିର ନାମକରଣ କରାଯାଇ ଅଛି :-

 

ପଞ୍ଚତ୍ରିଂଶ ସଂଗ୍ରହ:-

ପଞ୍ଚତ୍ରିଂଶ ସଂଗ୍ରହର ଶହେ ତେଇଶଟି ଶ୍ଳୋକ ମଧ୍ୟରେ ମଧ୍ୟାହ୍ନପୂଜା ପର୍ଯ୍ୟନ୍ତ ବିଧାନମାନ ବର୍ଣ୍ଣିତ ହୋଇଅଛି । ପ୍ରଥମେ ପାଦ୍ୟ, ଆଚମନ, ସ୍ନାନାଦି ବିବିଧ ଉପଚାରର ଫଳ (ଶ୍ଳୋକ = ୧-୨୮) ବର୍ଣ୍ଣନା କରାଯାଇଛି । ପୂର୍ବାହ୍ନ ପୂଜାରେ ପୂର୍ବୋକ୍ତ ସ୍ନାନାଦି ବିଧିସହିତ ଦେବତର୍ପଣ, ମନ୍ୱାଦି ତର୍ପଣ, ପିତୃତପଣାଦି (ଶ୍ଳୋକ = ୨୯-୧୦୭) ବିଶେଷଭାବେ ପର୍ଯ୍ୟାଲୋଚିତ ହୋଇଅଛି-। ଏହାପରେ ତାନ୍ତ୍ରିକ ତର୍ପଣବିଧି (ଶ୍ଳୋକ = ୧୦୮-୧୧୨), ମଧ୍ୟାହ୍ନପୂଜା ପୂର୍ବ-ବିଧାନର ନିରୂପଣ ଉଲ୍ଲିଖିତ ଅଛି । ପ୍ରତ୍ୟେକ ଗୃହସ୍ଥ ଦୈନନ୍ଦିନ ଜୀବନରେ ପାଞ୍ଚୋଟି ଯଜ୍ଞ ଆଚରଣ କରିଥାନ୍ତି । ସେହି ଯଜ୍ଞମାନଙ୍କର ନାମ ହେଲା ସ୍ୱାଧ୍ୟାୟ (ବେଦାଧ୍ୟୟନ ବା ବ୍ରହ୍ମଯଜ୍ଞ), ଶ୍ରାଦ୍ଧ (ପିତୃଯଜ୍ଞ), ହୋମ (ଦେବଯଜ୍ଞ), ବଳିଦାନ (ଭୂତଯଜ୍ଞ) ଓ ଆତିଥ୍ୟ (ନୃଯଜ୍ଞ) କବିଭୂଷଣ କହିଛନ୍ତି-

 

ଶ୍ରାଦ୍ଧଂ ହି ପୈତ୍ରୋ ହୁତମେବ ଦୈବୋ

ଭୌତୋ ବଳିଶ୍ଚାତିଥିକୋ ନୃଯଜ୍ଞଃ ।

ଇମାନ୍‌ ଗୃହସ୍ଥୋ ଯଦି ଯୋ ନ କୁର୍ଯ୍ୟା-

ନ୍ନ ତସ୍ୟ ଲୋକା ପିତରୋ ନ ସନ୍ତି ।।

 

ସଂଗ୍ରହଟି ‘ମଧ୍ୟାହ୍ନପୂଜାବଧି ବିଧି’ ନାମରେ ନାମିତ ହୋଇଅଛି ।

 

ଷଟ୍‌ତ୍ରିଂଶ ସଂଗ୍ରହ:-

ଷଟ୍‌ତ୍ରିଂଶ (ଛତିଶ) ସଂଗ୍ରହର ଶହେ ବାରଟି ଶ୍ଳୋକ ମଧ୍ୟରେ ‘ରାତ୍ରିପୂଜା ବିଧି’ ନିରୂପଣ କରାଯାଇ ଅଛି । ପ୍ରଥମେ ବୈଶ୍ୱଦେବ ନିମିତ୍ତ ହବିଷ୍ୟାନ୍ନ ପ୍ରସ୍ତୁତ ବିଧିରେ ଆମିଷ ନିରାମିଷ ଦ୍ରବ୍ୟ ସହିତ ଖାଦ୍ୟାଖାଦ୍ୟ ବିଚାର, ହବିଷ୍ୟାନ୍ନ ସମର୍ପଣବିଧି ପ୍ରଭୃତିର (ଶ୍ଳୋକ = ୧-୨୯) ପ୍ରାଚୀନ ଆଚାର୍ଯ୍ୟଙ୍କ ମତାନୁସାରେ ପ୍ରଦର୍ଶିତ ହୋଇଅଛି । ଆଧୁନିକ ବିଧି ଅନୁଯାୟୀ ବୈଶ୍ୱଦେବ ମଣ୍ଡଳ, ପାତ୍ର ପରିଚୟ, ଭୋଜନ ବିଧି (ଶ୍ଳୋକ = ୩୦-୭୩) ନିରୂପଣ ପରେ ତାମ୍ୱୂଳ ସେବନ ଓ ଭୋଜନ ସ୍ଥାନ, ପାକଶାଳଶୁଦ୍ଧି ବିଷୟ (ଶ୍ଳୋକ = ୭୪-୮୦) ସହିତ ଭୋଜନ ଭେଦ, ଭୋଜନ ସମୟ ଓ ଫଳାଫଳ ତଥା ରାତ୍ରିକାଳୀନ ଦେବପୂଜା ବିଧିର (ଶ୍ଳୋକ = ୮୧-୧୧୨) ବର୍ଣ୍ଣନା କରାଯାଇ ଅଛି ।

 

ଭୋଜନକାଳରେ ଭୋଜ୍ୟ ଦ୍ରବ୍ୟର ଭୋଜନକ୍ରମ କବିଭୂଷଣ ନିମ୍ନପ୍ରକାରେ ଉଲ୍ଲେଖ କରିଛନ୍ତି-

 

ଦ୍ରବଦ୍ରବ୍ୟଂ ପୂର୍ବଂ ତଦନୁ ମଧୁ ରାମ୍ଳାବପିରସୌ

କଠୋରଂ ତନ୍ମଧ୍ୟେ ତଦନୁ କଟୁତିକ୍ତଂ ରସମପି ।

ମୃଦୁସ୍ନିଗ୍‌ଧଂ ଚାନ୍ତେ ସଲବଣକଷାୟଂ ଚ କିମପି

ବ୍ୟବସ୍ଥିତ୍ୱା ଭୁକ୍ତ୍ୱ । ପୂନରପି ସମପ୍ନୋତୁ ମଧୁରୈଃ ।।୬୦।।

ପୟସ୍ତୁ ପୂର୍ବଂ ଦଧିଭୋଜନାର୍ଦ୍ଧେ

ଶେଷେ ଜଳଂ ପୀତବତୋ ନ ରୋଗାଃ ।

ଭବନ୍ତି ଜାତୁ ପ୍ରଚୁରାନ୍ନଭୋକ୍ତୁଃ

ବିପର୍ଯ୍ୟୟେଣାତ୍ର ବିପର୍ଯ୍ୟୟଃ ସ୍ୟାତ୍‌ ।।୬୧।।

 

ଭୋଜନ ପରେ ହସ୍ତପଦାଦି ପ୍ରକ୍ଷାଳନ ପୂର୍ବକ ଭୁକ୍ତ ଅନ୍ନର ପରିପାକ ନିମିତ୍ତ କେତେଗୁଡ଼ିଏ ମନ୍ତ୍ରପଠନର ନିର୍ଦ୍ଦେଶ ଦିଆଯାଇଅଛି । ସେଥିରୁ ଦୁଇଟି ଉଦ୍ଧାର କରାଗଲା-

 

ଅତ୍ତା ବିଷ୍ଣୁର୍ବିଷ୍ଣରନଂ ରସୋଽସୌ

ପାକୋ ବିଷ୍ଣୁଃ ପାଚକୋ ଧାତବଶ୍ଚ ।

ତସ୍ମାତ୍ସତ୍ୟେନାମ୍ୱୁନାନ୍ନଂ ମମୈତଦ୍‌

ଭୂକ୍ତଂ ଜୀର୍ଯ୍ୟତ୍ୱସ୍ତୁ ମେ ଶର୍ମ ନିତ୍ୟମ୍‌ ।।୬୮।।

 

ଅନ୍ନଂ ବଳାୟ ମମ ଚାସ୍ତୁ ଭୁବସ୍ତଥାପାଂ

ବୈଶ୍ୱାନରଃ ସମରୁତଃ ପରିଣାମତୋଽସ୍ୟ ।

ପୁଷ୍ପ୍ୟନ୍ତୁ ଧାବତ ଇମେ ବଳତାଂ ମମୋଜୋ

ନିତ୍ୟଂ ମମାସ୍ତୁ ସୁଖମେବମନାମୟଂ ଚ ।।୭୦।।

 

ଭୋଜନ ପ୍ରଥମତଃ ଭୁକ୍ତକ, ଅଯାଚିତ ଓ ନକ୍ତ ନାମରେ ତ୍ରିବିଧ । ଭୁକ୍ତକ ଭୋଜନ ସ୍ୱାଙ୍ଗିକ (ରବିବାରାଦି ଦିନର ସ୍ୱତନ୍ତ୍ର ଭୋଜନ), ପ୍ରତିବିଧି (ଉପବାସ କରିବାକୁ ଅସମର୍ଥ ଥିବା ବ୍ୟକ୍ତିର ଭୋଜ) ଓ ପରାଙ୍ଗ (ପୂର୍ବଦିବସର ବ୍ରତଶେଷ ଭୋଜନ ?) ଭାବରେ ତିନିପ୍ରକାର ହୁଏ ଏବଂ ମଧ୍ୟାହ୍ନ ପରେ ବା ଦିନ ୧୨ଟା ପରେ ଏ ପ୍ରକାର ଭୋଜନ କରାଯାଏ । ଦୈବାତ୍‌ ଯେଉଁ ଭୋଜନ ମିଳେ ତାହା ଅଯାଚିତ ଏବଂ ଦିବସ ଶେଷ ପୂର୍ବରୁ ଯେ କୌଣସି ସମୟରେ ଏ ପ୍ରକାର ଭୋଜନକରାଯାଇ ପାରେ । ଦିବାଶେଷରେ ବା ରାତ୍ରିର ପ୍ରଥମ ପ୍ରହର ମଧ୍ୟରେ ଭୋଜନକୁ ରାତ୍ରି ଭୋଜନ କୁହାଯାଏ । ଏହାପରେ ରାତ୍ରିପୂଜାରେ ଇଷ୍ଟଦେବ ପ୍ରାର୍ଥନା, ପୂଜା, ନୀରାଜନା, ପହୁଡ଼ବିଧି ଓ ଅତିଥି ଚର୍ଚ୍ଚାଦି ବିଷୟ ବର୍ଣ୍ଣିତ ହୋଇଅଛି । ‘ରାତ୍ରି ପୂଜାବିଧି’ ନାମରେ ସଂଗ୍ରହଟିର ନାମକରଣ କରାଯାଇଅଛି ।

 

ସପ୍ତତ୍ରିଂଶ ସଂଗ୍ରହ-

ସପ୍ତତ୍ରିଂଶ ସଂଗ୍ରହରେ ଶହେ ବାରଟି ଶ୍ଳୋକ ଅଛି । ଏଥିରେ ଶଯ୍ୟା ପ୍ରସ୍ତୁତ ବିଧି, ସ୍ତ୍ରୀ ସହବାସ ବିଧି, ଦୁଃସ୍ୱପ୍ନ ନିବାରଣ ଓ ସୁଖସୁପ୍ତି ନିମିତ୍ତ ପ୍ରାର୍ଥନା ପ୍ରଭୃତି ନୈମିତ୍ତିକ ବିଧିର (ଶ୍ଳୋକ = ୧-୧୯) ପର୍ଯ୍ୟାଲୋଚନା ପରେ ଭଗବତ୍‌ ପ୍ରସନ୍ନତା ନିମିତ୍ତ ମାସ, ୠତୁ, ବାର ଓ ତିଥି ଭେଦରେ ବିଶେଷ ପୂଜାର (ଶ୍ଳୋକ = ୨୦-୧୧୨) ବିଧି ନିର୍ଦ୍ଦେଶ କରାଯାଇଅଛି । ଉକ୍ତ ପୂଜାବିଧିରେ ଅଭିଷେକୋତ୍ସବ (ଶ୍ଳୋକ = ୨୩-୨୬), ଦୋଳୋତ୍ସବ (ଶ୍ଳୋକ = ୨୭-୩୬) ରାମ ନବମୀ (ଶ୍ଳୋକ = ୩୭-୪୨), ଜଳସ୍ନାନ (ଶ୍ଳୋକ = ୪୩-୫୨), ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ (ଶ୍ଳୋକ = ୬୧-୬୫); କୋଜାଗର ବ୍ରତ, ବାମନ ଜନ୍ମ ସହିତ ଅଷ୍ଟମୀ, ଏକାଦଶୀ, ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପୂର୍ଣ୍ଣିମାଦି ପର୍ବଦିସକୃତ୍ୟ ବର୍ଣ୍ଣିତ ହୋଇଅଛି । ଏଥିରେ ମାର୍ଗଶିରଠାରୁ ବର୍ଷର ମାସ ଗଣନା ଆରମ୍ଭ ହୋଇ କାର୍ତ୍ତିକଠାରେ ବର୍ଷଶେଷ କରାଯାଇଛି ।

 

ଏହିପରେ ବସନ୍ତାଦି କ୍ରମରେ ଛଅ ଋତୁର ପୂଜାବିଧାନ ସହିତ ଦ୍ୱାଦଶୀ ପାରଣା ବିଧି, କାର୍ତ୍ତିକ ବ୍ରତ, ମାଘବ୍ରତ, ବୈଶାଖବ୍ରତ, ବର୍ଣ୍ଣିତ ହୋଇଅଛି । ‘ଭଗବନ୍ନୈମିତ୍ତିକ-ପରିଚର୍ଯ୍ୟା ବିଧି’ ନାମରେ ସଂଗ୍ରହଟିର ନାମକରଣ କରାଯାଇଅଛି ।

 

ଅଷ୍ଟାତ୍ରିଂଶ ସଂଗ୍ରହ

ଅଷ୍ଟାତ୍ରିଂଶ (ଅଡ଼ତିରିଶ) ସଂଗ୍ରହରେ ଶହେଏକ ସଂଖ୍ୟକ ଶ୍ଳୋକ ଅଛି । ଏଥିରେ ମୁଖ୍ୟତଃ ମାନସିକ ପୂଜାର ଆଲୋଚନା ପ୍ରସଙ୍ଗରେ ଦିବସ ଓ ରାତ୍ରିର ପ୍ରହର ଅନୁକ୍ରମେ ଶ୍ରୀକୃଷ୍ଣଙ୍କ ପୂଜା ବିଷୟ ଉଲ୍ଲିଖିତ ଅଛି ।

 

ସର୍ବସିଦ୍ଧି-ପ୍ରହାୟକ ହରିଙ୍କ ଧ୍ୟାନ କର୍ତ୍ତବ୍ୟ । ବିଷ୍ଣୁ ସ୍ମରଣ ବିଷୟରେ ପ୍ରତ୍ୟେକ ଅଭ୍ୟସ୍ତ ହେବା ଉଚିତ । ହରିସେବା ଓ ହରି ସ୍ମରଣ ବିନା ଲୋକର ଅଭ୍ୟାସ ସମ୍ଭବ ହୁଏନାହିଁ ବୋଲି କବିଭୁଷଣ କହିଛନ୍ତି-

 

‘‘ସେବା ଚିନ୍ତା ମନ୍ତରେଣ ନାଭ୍ୟାସୋ ଜାୟତେ ନୃଣାମ୍‌ ।

ରହସ୍ୟମେତତ୍ପରମଂ କଥ୍ୟତେ ଭକ୍ତି ବର୍ଦ୍ଧନମ୍‌ ’’।।୨।।

 

‘‘ଚିତ୍ତ ସ୍ୟୈକସ୍ମିନ୍ନଭ୍ୟନ୍ତରେ ବାହ୍ୟେ ବା ପ୍ରତିମାଦାବାଲମ୍ବନେ ସର୍ବତଃ ସମାହୃତ୍ୟ ପୁନଃ ପୁନଃ ସ୍ଥାପନମଭ୍ୟାସଃ’’-ଭକ୍ତିର ଆଲମ୍ବନ ବିଭାବ ପ୍ରତିମା, ସେହି ପ୍ରତିମା ଅନ୍ତରରେ ବା ବାହ୍ୟରେ ବା ଅନ୍ୟତ୍ର କୌଣସି ଗୋଟିକର ଅନ୍ତରରେ ବା ବାହାରେ ସବୁ କିଛିରୁ ନିବୃତ୍ତ କରି ଚିତ୍ତର ପୁନଃସ୍ଥାପନକୁ ଅଭ୍ୟାସ କୁହାଯାଏ । ‘‘ଅଭ୍ୟାସାତ୍‌ ଧାର୍ଯ୍ୟତେ ବିଦ୍ୟା’’-ତେଣୁ ସେହି ଅଭ୍ୟାସର ଅଭିବୃଦ୍ଧି ନିମିତ୍ତ ସେବା ଓ ପୂଜା କରାଯାଏ ।

 

ନିତ୍ୟଶୁଦ୍ଧ ଭଗବାନ୍‌ ବିଷ୍ଣୁଙ୍କ ଶୌଚ ସ୍ନାନାଦି ବିଧି ବିଷୟରେ ପ୍ରଶ୍ନ ଉଠିପାରେ, ମାତ୍ର ସେବକ ‘‘ଯଥା ଦେହେ ତଥା ଦେବେ’’ ନ୍ୟାୟରେ ଦିବସ, ରାତ୍ରି ଓ ପ୍ରହର ଅନୁସାରେ ଇଷ୍ଟଦେବଙ୍କ ଅର୍ଚ୍ଚନା କରଣୀୟ ବୋଲି କବିଭୁଷଣ କହିଛନ୍ତି-

 

‘‘ନାସ୍ତି ଯଦ୍ୟପି ପୂର୍ଣ୍ଣସ୍ୟ ଶୌଚସ୍ନାନାଦିକା କ୍ରିୟା ।

ଯଥା ଦେହେ ତଥା ଦେବେ ତଥା ଯାମାନ୍‌ ବିଚିନ୍ତୟେତ୍‌ ।।୪।।

ଯଥା ଦେହେ ତଥା ଦେବେ ଯଥା ଦେବେ ତଥା ହୃଦି ।

ଦେହଦେବ ହୃଦ ମୈକ୍ୟଭାବନଂ ଭବମୋଚନମ୍‌’’ ।।୯୨।।

 

ଏହାପରେ ପ୍ରଥମ ପ୍ରହର ପୂଜା ବ୍ରାହ୍ମମୁହୂର୍ତ୍ତ ଠାରୁ ଆରମ୍ଭ ହେବ । ଏଥିରେ ଶ୍ରୀକୃଷ୍ଣଙ୍କ ଉତ୍‌ଥାପନ, ସ୍ନାନ, ତିଳକ, ବସ୍ତ୍ର ଓ ଆଭରଣାଦି ଗ୍ରହଣ, ଚତୁର୍ବିଧ ଭୋଜ୍ୟଦ୍ରବ୍ୟ, ଗୋପବାଳକ ସହିତ ଯମୁନାକୂଳରେ କ୍ରୀଡ଼ା, ଗୋପୀ ସମ୍ଭାଷଣ ଇତ୍ୟାଦି ବର୍ଣ୍ଣନା (ଶ୍ଳୋକ = ୧-୪୨) କରାଯାଇଅଛି ।

 

ଦ୍ୱିତୀୟ ପ୍ରହରରେ ମଧୁସୂଦନଙ୍କ ଜଳକ୍ରୀଡ଼ା ଓ ତୃତୀୟ ପ୍ରହରରେ ଗୋପବାଳିକାସେବିତ ଶ୍ରୀକୃଷ୍ଣଙ୍କ ଶୟନ (ଶ୍ଳୋକ = ୪୩-୬୨) ଚତୁର୍ଥ ପ୍ରହରରେ ବ୍ରଜପୁର ପ୍ରତ୍ୟାଗମନ (ଶ୍ଳୋକ = ୬୩-୬୯) ଓ ସନ୍ଧ୍ୟାକାଳୀନ ବ୍ରଜପୁରର ବର୍ଣ୍ଣନା ସହିତ ଶ୍ରୀକୃଷ୍ଣ ସେବନବିଧି ନିରୂପିତ ହୋଇଅଛି ।

 

ତତ୍ପରେ ରାତ୍ରିର ପ୍ରଥମ ପ୍ରହରରେ ରାସୋତ୍ସବ ଅଭିଳାଷୀ ଶ୍ରୀକୃଷ୍ଣଙ୍କ ସ୍ମରଣ, ଦ୍ୱିତୀୟ ପ୍ରହରରେ ଶୟନ, ତୃତୀୟ ପ୍ରହରରେ ମାନସୋତ୍‌ଥିତ ହରିଙ୍କ ସେବା ଏବଂ ଚତୁର୍ଥ ପ୍ରହରଠାରୁ ପୂର୍ବୋକ୍ତ ପ୍ରକାରେ ପୁନଃ ସେବାବିଧି (ଶ୍ଳୋକ = ୮୦-୮୬), ପ୍ରତିମା ପୂଜା ବିଧି ଓ ଫଳ, ଉପାସନା ପ୍ରକାର (ଶ୍ଳୋକ = ୮୭-୧୦୧) ପ୍ରଭୃତି ବର୍ଣ୍ଣନା କରାଯାଇଅଛି । ଉପାସନାରେ ନିଜର ପ୍ରିୟ ଇଷ୍ଟଦେବଙ୍କଠାରେ ତନ୍ମୟ ହେବା ଏବଂ ସାକ୍ଷାତ୍କାର ପର୍ଯ୍ୟନ୍ତ ସଗୁଣ ଭାବନାରେ ଭଗବାନଙ୍କ ପୂଜାବିଧି ପାଳନ କରିବା ପୂଜକର ପ୍ରଧାନ କର୍ତ୍ତବ୍ୟ । ସେହି ସର୍ବଶକ୍ତିମାନ ଈଶ୍ୱରଙ୍କଠାରେ ବନ୍ଧନ ଓ ମୋକ୍ଷର କାରଣଭୂତ ମନ ସନ୍ନିବେଶ ବା ତନ୍ମୟଭାବ ହିଁ ଶ୍ରେଷ୍ଠ ଉପାସନା ଓ ଉପାସକର କର୍ତ୍ତବ୍ୟରୂପେ ଗୃହୀତ ହୋଇଥାଏ । ତେଣୁ ଏ ବିଷୟରେ କବିଭୂଷଣଙ୍କ ମନ୍ତବ୍ୟ ଓ ଅତ୍ୟନ୍ତ ଉପାଦେୟ ମନେହୁଏ:-

 

‘‘ତତ୍ସାକ୍ଷାତ୍କାରପର୍ଯ୍ୟନ୍ତଂ ସଗୁଣଂ ଭାବୟେଦିତି ।

ତତ୍ରୈବ ଲଗ୍ନେ ମନସି ଦ୍ୱୟୋରୈକ୍ୟଂ ବିଭାବୟତ୍‌ ।।୯୦।।

ବାହ୍ୟୋପକରଣାତ୍‌ କୋଟୀଗୁଣଂ ମାନସସେବନମ୍‌ ।

ମନ ଏବୋ ଯତୋ ବନ୍ଧମୋକ୍ଷୟୋଃ କାରଣଂ ମତମ୍‌’’ ।।୯୧।।

 

ପରିଶେଷରେ କବିଭୂଷଣ କହିଛନ୍ତି ପୁର୍ବାଲୋଚିତ ପୂଜାବିଧି ଅନୁସାରେ ଭଗବଦ୍‌ ଆରାଧନା ଖର୍ଚ୍ଚ ସାଧ୍ୟ ବା ଆୟାସସାଧ୍ୟ ନୁହେଁ, ମାତ୍ର ଅଳସବ୍ୟକ୍ତିମାନଙ୍କଠାରେ ଏହା ସମ୍ଭବ ହୋଇ ନ ପାରେ, ତେଣୁ ଯେଉଁମାନେ ପୂଜାବିଧି ପାଳନରେ ଅଳସ ଭାବାପନ୍ନ, ସେମାନଙ୍କୁ ନମସ୍କାର । ସଂଗ୍ରହଟି ‘‘ଭଗବଦ୍‌ ଆରାଧନବିଧି’’ ନାମରେ ନାମିତ କରାଯାଇଅଛି ।

 

ଊନଚତ୍ୱାରିଂଶ ସଂଗ୍ରହ-

ଊନଚତ୍ୱାରିଂଶ (ଅଣଚାଳିଶ) ସଂଗ୍ରହର ଶ୍ଳୋକସଂଖ୍ୟା ସତସ୍ତରି । ଏଥିରେ ମୁଖ୍ୟତଃ ଉପାସନାର ରହସ୍ୟ ବର୍ଣ୍ଣନା କରାଯାଇଛି । ପ୍ରାଣାୟାମାଦିଦ୍ୱାରା ଶୁଦ୍ଧାନ୍ତଃକରଣରେ ଦେବତାଙ୍କର ଯେଉଁ ଉପଚାର ବା ସେବା କରାଯାଏ ତାହା ଉପଚାରରୂପେ ଅଭିହିତ । ଏହି ଉପଚାର ପଞ୍ଚୋପଚାରଠାରୁ ସହସ୍ର ପ୍ରକାର ପର୍ଯ୍ୟନ୍ତ ଅଛି ବୋଲି ପଣ୍ଡିତମାନଙ୍କ ମତ । ପଞ୍ଚୋପଚାର ତତ୍ତ୍ୱରେ ଗନ୍ଧ, କୁସୁମ, ଧୁପ, ଦୀପ, ନୈବେଦ୍ୟ ଯଥାକ୍ରମେ ପୃଥିବୀ, ଆକାଶ, ବାୟୁ, ଅଗ୍ନି ଓ ଜଳ ଭାବରେ ପଞ୍ଚମହାଭୂତର ଦ୍ୟୋତକ ଏବଂ ଯେ କୌଣସି ପ୍ରକାର ବିକାର ଉକ୍ତ ଭୌତିକ ଉପାଦାନ ଉପରେ ଆଧାରିତ ଓ ବିକୃତି ମଧ୍ୟରେ ନାଭସ ବିକାର (ପୁଷ୍ପ) ହେଉଛି ମୁଖ୍ୟ । ଉପଚାର ଓ ମୁଦ୍ରାଦିର ତାତ୍ପର୍ଯ୍ୟକବିଭୂଷଣ ନିମ୍ନମତେ ବର୍ଣ୍ଣନା କରିଛନ୍ତି-

 

ଭବ୍ୟୋ ଦେବଃ ସମ୍ପ୍ରଦାନୀୟରୂପୋ

ଦାନଦ୍ରବ୍ୟଂ ତତ୍ର ପୂଜୋପଚାରଃ ।

ମୁଦ୍ରା ତସ୍ମିନ୍‌ ଦକ୍ଷିଣା ଦେବତାୟାଃ

ସାଙ୍ଗ ଭୂୟାଦ୍ଦେବମର୍ଚ୍ଚାବିଧାନମ୍‌ ।।୮।।

 

ଉପଚାର ତତ୍ତ୍ୱ ସହିତ ପୂଜାକ୍ରମ ବିସ୍ତୃତିରେ ପୂଜକର କର୍ତ୍ତବ୍ୟ (ଶ୍ଳୋକ = ୧-୧୦), ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣରେ ପୂଜନବିଧି, ଘଣ୍ଟାଧ୍ୱନିର ବୈଶିଷ୍ଟ୍ୟ (ଶ୍ଳୋକ = ୧୧-୧୫), ଭୂତଶୁଦ୍ଧିରେ ପଞ୍ଚବିଂଶତି ତତ୍ତ୍ୱର ପରିଚୟ, ପାପପୁରୁଷର ସ୍ୱରୂପ ଓ ଦହନପ୍ରକାର, ପୁରୁଷ ପରିଚୟ ଓ ବିଭିନ୍ନ ନ୍ୟାସବିଧି ପାଳନର ଫଳ (ଶ୍ଳୋକ = ୧୬-୨୫) ପ୍ରଭୃତି ନିର୍ଣ୍ଣୟ କରାଯାଇଅଛି ।

 

ନାମ କୀର୍ତ୍ତନ ଅପେକ୍ଷା ମନ୍ତ୍ର ଜପର ଫଳ ଅଧିକ, କାରଣ ନାମ କୀର୍ତ୍ତନରେ ପାପ ଦୂର ହୁଏ ଏବଂ ମନ୍ତ୍ରଜପରେ ମୋକ୍ଷ ଲାଭ ହୁଏ ବୋଲି କବିଭୂଷଣ ମତବ୍ୟକ୍ତ କରିଛନ୍ତି-

 

ମନ୍ତ୍ରୋ ଜପ୍ୟୋ ନାମ ଚେତ୍କୀର୍ତ୍ତନୀୟଂ

ନାମ୍ନାମଂହଃ କ୍ଷୀୟତେ କୀର୍ତ୍ତନେନ ।

ମୋକ୍ଷୋ ନଣାଂ ମନ୍ତ୍ରମୀମାଂସୟାସ୍ୟା-

ତ୍ତସ୍ମାନ୍ନାମ୍ନୋ ମନ୍ତ୍ର ଏବଂ ପ୍ରଶସ୍ତଃ ।।୨୬।।

 

ଏହାପରେ ପୀଠଭାବନା, ମନ୍ତ୍ର, ଦୈବତଗୃହରୂପ ଯନ୍ତ୍ର ଓ ଆବରଣ ପୁଜାର ରହସ୍ୟ (ଶ୍ଳୋକ = ୨୬-୩୩) ବର୍ଣ୍ଣନାପରେ ପୁରୁଷାର୍ଥ ସାଧନ ନିମିତ୍ତ ଯୋଗକ୍ରିୟା, ବିଭିନ୍ନ ଦେବଦେବୀଙ୍କ ନିଷିଦ୍ଧ ପୂଜାଦ୍ରବ୍ୟ, ହୋମର ତାତ୍ପର୍ଯ୍ୟ, ପ୍ରଣବପୁଟିତ ମନ୍ତ୍ରଜପ ଫଳ, ଯୋଗ ଯନ୍ତ୍ର, ମନ୍ତ୍ରାଦି ଗୋପନୀୟଭାବେ ରଖିବାର କାରଣ (ଶ୍ଳୋକ = ୩୪-୪୭) ପ୍ରଭୃତିର ପର୍ଯ୍ୟାଲୋଚନା କରାଯାଇଅଛି ।

 

ଦେବସେବା ସମୟରେ ଅପରାଧସୂଚକ ସମସ୍ତ କାର୍ଯ୍ୟ କାଳସର୍ପ ତୁଲ୍ୟ ତ୍ୟାଗ କରିବା ଉଚିତ, କାରଣ ତଦ୍ଦ୍ୱାରା ଭଗବଦ୍‌ ଉପଲବ୍‌ଧି ସମ୍ଭବ ହୁଏ ନାହିଁ । ତନ୍ତ୍ର ଓ ପୁରାଣାଦି ସମ୍ମତ କେତେକ ସେବାପରାଧ କବିଭୂଷଣ ନିମ୍ନୋଦ୍ଧୃତ ଶ୍ଳୋକ ଦୁଇଟିରେ ଉପସ୍ଥାପିତ କରିଛନ୍ତି-

 

ଅସ୍ନାତୋଽକୃତପୁଣ୍ଡ କୋ ଜନିମୃତାଶୌଚୀ ଶବାନୁବ୍ରଜୀ

ପାନାରୋହ୍ୟଥପାଦୁକୀ ନିଧୁବନୀ କ୍ରୁଦ୍ଧଃ କଳଞ୍ଜାଶନୀ ।

ଉଚ୍ଛିଷ୍ଟୋଽଧିକ କମ୍ବଳାବୃତତନୁର୍ମାଂସାନ୍ମପିଶ୍ୟାକଭୁକ୍‌

ତୈଳାଭ୍ୟକ୍ତବପୁସ୍ତ୍ୱ ଧୋତକରପାନ୍ନି ର୍ବାଣଦୀପସ୍ପୁଶଃ ।।୫୦।।

ତିର୍ଯ୍ୟକ୍‌ପୁଣ୍ଡ୍ର ଧରୋ ମଳୀମସହରିତ୍ପାରକ୍ୟାନୀଳାଂଶୁକୀ

ଭୁକ୍ତଶ୍ଚର୍ବିତବୀଟିକୋଽନ୍ୟବିଷୟେ ଦତ୍ତାଶ୍ରୟଃ କ୍ରୂରବାନ୍‌ ।

ଯୋ ଗଚ୍ଛେଦ୍‌ ଭଗବଦ୍‌ଗୃହଂ ତଦନୁତଂ ଦ୍ରଷ୍ଟୁଂ ତଥାଭ୍ୟର୍ଚ୍ଚିତୁଂ

କିଂବା ତତ୍ର ବିଶେତ୍ସଦୋଷକକଳିଳଃ ସେବାପରାଧୀମତଃ ।।୫୧।।

 

ସେବାପରାଧ ସହିତ ପୂଜାପରାଧର ବିଶେଷ ବର୍ଣ୍ଣନା (ଶ୍ଳୋକ = ୪୮-୫୮), ଅଷ୍ଟାଙ୍ଗଯୋଗ ବିଧିରେ ଦୁରନ୍ତ ଷଡ଼୍‌ରିପୁର (କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ) ଦମନ ନିମିତ୍ତ ଯମ, ନିୟମ, ଆସନ, ପ୍ରାଣାୟାମ, ଇନ୍ଦ୍ରୟନିଗ୍ରହ, ଧ୍ୟାନ, ଧାରଣା ଓ ସମାଧି ମଧ୍ୟରୁ ପ୍ରତ୍ୟେକର ପରିଚୟ ଓ ବୈଶିଷ୍ଟ୍ୟର (ଶ୍ଳୋକ = ୫୯-୭୭) ପର୍ଯ୍ୟାଲୋଚନା କରାଯାଇଅଛି । ଏହାପରେ ନିମ୍ନମତେ ସୂରିସର୍ବସ୍ୱ ଉପସଂହାର ସୂଚିତ ହୋଇଅଛି-

 

ଇତି ନିଗଦିତମେତତ୍ସୁରିସର୍ବସ୍ୱ ନାମ

ଦ୍ରୁହିଣ ମୁଖମୁନୀନା ମୁକ୍ତମାର୍ଗାନୁଗାମୀ ।

ଇହ ବିଦଧତୁ ଶାସ୍ତ୍ରେ ତନ୍ତ୍ରମାର୍ଗେଣ ଧୀରାଃ

ଭୁବି ଭଗବଦୁପାନ୍ତେ ଯେ ସଦାଚାରବନ୍ତଃ ।।୭୬।।

 

ଏହି ସଂଗ୍ରହଟି ଶେଷ ରହସ୍ୟ ପ୍ରକାଶକ ନାମରେ ଅଭିହିତ ହୋଇଅଛି ।

 

ଚତ୍ୱାରିଂଶ ସଂଗ୍ରହ-

ଚତ୍ୱାରିଂଶ ସଂଗ୍ରହର ଶ୍ଳୋକ ସଂଖ୍ୟା ବତିଶ, ତନ୍ମଧ୍ୟରୁ ପାଞ୍ଚରୁ ଏକତ୍ରିଶ ଶ୍ଳୋକ ମଧ୍ୟରେ କବିଭୂଷଣ ନିଜବଂଶର ପରିଚୟ ଦେଇଅଛନ୍ତି । ଏହା ପୁର୍ବରୁ କବି ପରିଚୟ ମଧ୍ୟରେ କବିଭୂଷଣ ଗୋବିନ୍ଦ ସାମନ୍ତରାୟଙ୍କ ବଂଶାବଳୀର ସୂଚନା ଦିଆଯାଇଥିବାରୁ ଏଠାରେ ତାହା ଉପେକ୍ଷିତ ହେଲା-। କବିଭୂଷଣ ଗ୍ରନ୍ଥଟିର ସଂଗ୍ରହ ନାମକରଣର ଔଚିତ୍ୟ ନିମ୍ନମତେ ଉଲ୍ଲେଖ କରିଛନ୍ତି-

 

ସୁରୟଃ କିଳ ବିବେକଶାଳିନଃ

କୃଷ୍ଣଭକ୍ତିପଥିକାନୁପାଳିନଃ ।

ତତ୍ସମସ୍ତଧନବତ୍‌ ପ୍ରଯତ୍ନତଃ

ଶାସ୍ତ୍ରମେତଦିତି ସଂଗ୍ରହୋଚିତମ୍‌ ।।୧।।

 

ଯେପରି ଏକ, ଦୁଇ, ତିନି, ଇତ୍ୟାଦି ଅଙ୍କ ବ୍ୟତୀତ ଦଶ, ଶତ, ସହସ୍ର ବା ଅୟୁତାଦିବୋଧକ ଶୂନ୍ୟ ସଂଖ୍ୟା ନିରର୍ଥକ, ସେହିପରି ଭଗବତ୍‌ କଥା ବ୍ୟତୀତ କବିଙ୍କ ରଚନାବଳୀ ନିରର୍ଥକ ପ୍ରତୀତ ହୁଏ । ଭଗବାନ୍‌ ଶ୍ରୀକୃଷ୍ଣଙ୍କ କଥାତିରିକ୍ତ କବିର ବିଶେଷଭାବେ ଆଦୃତ ଲାଭ କରିପାରେ ନାହିଁ ବୋଲି କବିଭୂଷଣ ନିମ୍ନମତେ ବ୍ୟକ୍ତ କରିଛନ୍ତି-

 

କବିତା ଭଗବତ୍‌ କଥାଂ ବିନା

ବିପୁଳାର୍ଥାୟ ନ କଳ୍ପତେ କବୀନାମ୍‌ ।

ନିୟୁତାୟୁତ କୋଟିଲକ୍ଷସଂଖ୍ୟା

ବିଫଳଭାତି ଯଥା ବିନାଙ୍କଲେଖାମ୍‌ ।।୨।।

 

କବିଭୂଷଣ ନିଜ ବଂଶାବଳୀର ପରିଚୟ ପ୍ରଦାନ ପରେ ଖଳଲୋକଙ୍କୁ ସ୍ତୁତି କରିଛନ୍ତି । ଉତ୍ସବ ବିଘ୍ନକାରୀ ଦୋଷଦର୍ଶୀ ଖଳ ଲୋକଠାରେ ଏହି ଗ୍ରନ୍ଥ ପ୍ରସଙ୍ଗତ ଆଲୋଚିତ ନ ହେଉ ବୋଲି କବି ଆଶା ପୋଷଣ କରିବା ସଙ୍ଗେ ସଙ୍ଗେ ଗ୍ରନ୍ଥ ସମାପ୍ତ ହୋଇଅଛି-

 

ନମଃ ଖଳେଭ୍ୟୋସ୍ତୁ ମହାବଳେଭ୍ୟୋ

ଦୋଷାଦୟଂ ମିତ୍ରପୁରୋଦଧଦ୍‌ଭ୍ୟଃ ।

ନ ଜାତୁ ମତ୍କାବ୍ୟକଥା ପ୍ରସଙ୍ଗେ

ଭୂୟାଦମୀଷାଂ ଶ୍ରବଣାବଧାନମ୍‌ ।।୩୨।।

 

ସୂରି-ସର୍ବସ୍ୱରେ ଉଦ୍ଧୃତ ଗ୍ରନ୍ଥନାମ-

କବିଭୂଷଣ ସ୍ମୃତି, ତନ୍ତ୍ର ଓ ସଂହିତା ଶାସ୍ତ୍ରମାନ ବିଚାରପୂର୍ବକ ଏହି ଗ୍ରନ୍ଥ ରଚନା କରିଥିବା ‘‘ବିଚାର୍ଯ୍ୟ ଶାସ୍ତ୍ରସ୍ମୃତି ତନ୍ତ୍ର ସଂହିତାଃ’’-ଉକ୍ତିରୁ ଜଣାଯାଏ । ଗ୍ରନ୍ଥ ପ୍ରଣୟନ ନିମିତ୍ତ କବି ସାହାଯ୍ୟ ନେଇଥିବା ଗ୍ରନ୍ଥମାନଙ୍କର ନାମ ନିମ୍ନପ୍ରକାରେ ଉଲ୍ଲେଖ କରିଛନ୍ତି-

 

‘ଯତ୍କର୍ମଣେତ୍ୟାଦି ଜଗଦ ବାକ୍ୟଂ

ଗୀତାସୁ ସାକ୍ଷାଦ୍ଦଶମେ ଚ କୃଷ୍ଣଃ ।

ତମେତମିତ୍ୟାଦିରିହ ଶ୍ରୁତିଷ୍ଚ

ତଦାହ ତସ୍ମାଦୁଭୟଂ ପ୍ରମାଣମ୍‌ ।।୧-୯।।

ଶ୍ରାଶାରଦାତିଳକତାନ୍ତ୍ରିକ ଗୌତମୀୟ-

ଶ୍ରାପଞ୍ଚରାତ୍ର ମୁଖତନ୍ତ୍ରମବେକ୍ଷ୍ୟ ବୁଦ୍ଧ୍ୟା ।

ସିଦ୍ଧା ହି ସିଦ୍ଧି ମତୁଳାଂ ଚ ଯୟା ପୁରଗ୍ରେ

ତାଂ କର୍ମଯୋଗପଦବୀମବିଶଙ୍କ୍ୟ ବକ୍ଷ୍ୟେ ।।।୧-୧୦।।

ଦେତତ୍‌ ପ୍ରୋକ୍ତଂ ଗୋଭିଳାଦେର୍ମତଂ ଚ ।।।୨-୨୭।।

ଇତି କାଳବିଶେଷଦେଶଶୁଦ୍ଧି-

ର୍ଗଦିତା ଶ୍ରାଗୁରୁବାକ୍ୟଶିକ୍ଷୟା ମେ ।।।୪-୪୭।।

ଇମଂ ମତଂ ଚେତ୍ସକଳାଗମାନାଂ

ପ୍ରପଞ୍ଚସାରସ୍ୟ ମତେ ତଥାପି ।।।୫-୩୭।।

ଏତେ ପ୍ରୟୋଗାଃ କିଳ ନାରଦୋକ୍ତଃ

ସ୍ୱକର୍ମ ସିଦ୍ଧାବିହ ସଂଗୃହୀତାଃ ।

ଅନ୍ୟଚ୍ଚ ଷଟ୍‌କର୍ମବିଦାଂ ମତଂ ଯ-

ତ୍ତଚ୍ଚାଥ ଶାସ୍ତ୍ରାନୁମତେନ ବକ୍ଷ୍ୟେ ।।୧୫-୭୧।।

ଶ୍ରାଗୌତମୀୟ ଉତ ଯତ୍‌କ୍ରମଦୀପିକାୟାଂ

ଶ୍ରା ଶାରଦାତିଳକତଃ କିଳକୀର୍ତ୍ତିତଂ ଯତ୍‌ ।।।୩୧-୮୧।।

ଅୟଂ ଭକ୍ତିରହସ୍ୟୋକ୍ତଃ

ପରିଚର୍ଯ୍ୟାବିଧିର୍ହରେଃ ।।।୩୮-୯୮।।

 

ଉପର୍ଯ୍ୟୁକ୍ତ ଉଦ୍ଧୃତି ଅନୁସାରେ କବିଭୂଷଣ ଅନ୍ୟାନ୍ୟ ପୁରାଣ, ଉପନିଷଦ୍‌ ସହିତ ଭଗବଦ୍‌ଗୀତା, ଶାରଦାତିଳକ, ଗୌତମୀୟ ତନ୍ତ୍ର, ଶ୍ରୀପଞ୍ଚରାତ୍ର, ଗୋଭିଳ ଗୃହସୂତ୍ର, ପ୍ରପଞ୍ଚସାର, ନାରଦୋକ୍ତତନ୍ତ୍ର, କ୍ରମଦୀପିକା, ଭକ୍ତିରହସ୍ୟ ପ୍ରଭୃତି ଗ୍ରନ୍ଥନାମ ମୂଖ୍ୟତଃ ଉଲ୍ଲିଖିତ ଅଛି । ଏତଦ୍‌ ବ୍ୟତୀତ ‘‘କେଚନ ତାନ୍ତ୍ରିକା (୨-୫୪), କେଚିତ୍‌ ପ୍ରାହୁଃ (୩-୩, ୬-୨, ୭-୨୮, ୯-୮୦, ୧୦-୨୪, ୧୮-୨୫), ଗୁରୁପଦେଶାତ୍‌ (୩-୧୭), ବଦନ୍ତି କେଚିତ୍‌ (୫-୧୦), କେଚନ ପ୍ରାହୁଃ (୩-୧୭, ୫-୩୧), ପିନାକୀ ବକ୍‌ତ୍ରନିର୍ଗତମ୍‌ (୫-୫୦), ଇତ୍ୟାର୍ଷବଚନାତ୍‌ (୬-୧୫), କେଚିଦ୍‌ ବୁଧାଃ (୧୦-୨୫), ସର୍ବାଗମସାରଭୂତା (୧୨-୧), କେଚିନ୍ମାନ୍ତ୍ରିକାଃ ପ୍ରାହୁରିତ୍‌ଥଂ (୧୨-୪୪), ଅନ୍ୟୈଶ୍ଚାଥ ପ୍ରୋଚ୍ୟତେ (୧୬-୧) ଇତ୍ୟାର୍ଷୋକ୍ତେଃ (୨୦-୫୧), ଆଗମୋକ୍ତଂ (୨୧-୧), କେଚିବ୍‌ବଦନ୍ତି (୨୩-୯୯), ଆର୍ଥର୍ବଣୋକ୍ତା (୨୫-୯୯), ଗୁର୍ବାଜ୍ଞା ଧ୍ୱନି ନିଖିଳାଗମାନ୍‌ ବିଲୋକ୍ୟ (୨୬-୧୧୭), ଆଥର୍ବଣନିଗମଶିରଃ (କୃଷ୍ଣୋପନିଷତ୍‌) (୨୮-୪୩)’’ ପ୍ରଭୃତି ମଧ୍ୟରେ ଗ୍ରନ୍ଥପ୍ରତିପାଦ୍ୟ ବିଭିନ୍ନ ବିଷୟର ପର୍ଯ୍ୟାଲୋଚନା କରାଯାଇଅଛି । ତେଣୁ ଗ୍ରନ୍ଥକାର ଯଥାର୍ଥରେ କହିଛନ୍ତି-

 

କ୍ୱଚିତ୍‌ ସ୍ୱବାକ୍ୟୈଃ କ୍ୱଚିଦାର୍ଷ ବାକ୍ୟୈ-

ରିହ କ୍ୱଚିତ୍‌ ପୌରୁଷତନ୍ତ୍ରବାକ୍ୟୈଃ ।

ସଂଗୃହ୍ୟତେଽସ୍ମିନ୍‌ କିଳ କର୍ମ୍ମଯୋଗଃ

ସନ୍ତୋଷଭାଜସ୍ତ୍ୱିହ ସନ୍ତୁ ସନ୍ତଃ ।।୧-୭।।

 

‘ସୂରିସର୍ବସ୍ୱ’ରେ ପ୍ରଦଶିତ ଆହ୍ନିକ କୃତ୍ୟରେ ବୈଦିକ ବିଧିବିଧାନ ଅପେକ୍ଷା ତାନ୍ତ୍ରିକ ବିଧାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଅଛି । ଧର୍ମଶାସ୍ତ୍ରର ପ୍ରତିପାଦ୍ୟ ବିଷୟରେ ଆନୁସାଙ୍ଗିକ ପରିଚୟ ଓ ଆଲୋଚନା ସହିତ ଉପର୍ଯ୍ୟୁକ୍ତ ଉଦ୍ଧୃତି ଅନୁଯାୟୀ କବିଭୂଷଣ କର୍ମ୍ମଯୋଗ ଉପରେ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି । ବେଦ, ପୁରାଣ, ସ୍ମୃତି, ତନ୍ତ୍ରାଦି ମତାମତ ବିଚାରପୂର୍ବକ ଗ୍ରନ୍ଥକାର ସ୍ୱଭାଷାରେ ବିଷୟ ବସ୍ତୁର ସଂଯୋଜନା ଓ ପର୍ଯ୍ୟାଲୋଚନା କରିଛନ୍ତି । ବୈଦିକ ଓ ତନ୍ତ୍ରାନୁମୋଦିତ ବିବିଧ କର୍ମ୍ମ ଓ ଆଚରଣବିଧି ନିରୂପିତ ହୋଇଅଛି । ପ୍ରାତରୁତ୍‌ଥାନ ଠାରୁ ରାତ୍ରିଶୟନାବଧି ଅହୋରାତ୍ରର କୃତ୍ୟ ବା ନିତ୍ୟକର୍ମ୍ମ ପରିଚୟ ସହିତ ବାସ୍ତୁ, ମଣ୍ଡପ, କୁଣ୍ଡ, ମଣ୍ଡଳ, ବୈଶ୍ୱଦେବ, ଆଶ୍ରମ ଧର୍ମ୍ମ, ଦୀକ୍ଷା, ଉପାସନାକାର, ବିଭିନ୍ନ ଧର୍ମ୍ମଭାବନା, ପୂଜା ରହସ୍ୟ ପ୍ରଭୃତି ବର୍ଣ୍ଣନା ମଧ୍ୟରେ କବିଭୂଷଣଙ୍କ ବିଚାର ସ୍ୱାତନ୍ତ୍ର୍ୟ ସୁରକ୍ଷିତ ରହିବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଉଦାର ଓ ସର୍ବଜନଗ୍ରହଣୀୟ ହୋଇଥିବା ମନେ ହୁଏ ।

 

ବର୍ତ୍ତମାନ ‘ସୂରିସର୍ବସ୍ୱ’ର ଚତୁର୍ଥ ଓ ପଞ୍ଚମ ସଂଗ୍ରହରେ ମନ୍ତ୍ର ଶୁଦ୍ଧି ଓ ମନ୍ତ୍ରସିଦ୍ଧି ବିଷୟରେ ଆଲୋଚିତ ଦଶବିଧ ଚକ୍ରର ପରିଚୟ ଦିଆଗଲା-

 

(୧) ସିଦ୍ଧାରିଚକ୍ର-

ପୂର୍ବ, ପଶ୍ଚିମ ଓ ଉତ୍ତର ଦକ୍ଷିଣ କ୍ରମରେ ପାଞ୍ଚୋଟି କରି ରେଖା ଟାଣି ଟାଣି ମୋଟ ଷୋହଳଟି କୋଠିରେ ବିଭକ୍ତ କରାଯିବ । ପ୍ରଥମ ଓ ତୃତୀୟ କୋଠି ଚାରୋଟି କରି ଅନ୍ୟ କୋଠି ଗୁଡ଼ିକରେ ତିନୋଟିକରି ସମସ୍ତ ମାତୃକାକ୍ଷର ଆବର୍ତ୍ତକ୍ରମେ ଉଲ୍ଲିଖିତ ହେବ । ସାଧକ ନାମର ପ୍ରଥମ ବର୍ଣ୍ଣ ପ୍ରଥମ ଚତୁଷ୍କରେ ଥିଲେ ମନ୍ତ୍ର ସିଦ୍ଧହେବ; ଦ୍ୱିତୀୟ ଚତୁଷ୍କରେ ଥିଲେ ମନ୍ତ୍ର ସାଧ୍ୟ, ତୃତୀୟ ଚତୁଷ୍କରେ ଥିଲେ ମନ୍ତ୍ର ସୁସିଦ୍ଧ ଏବଂ ଚତୁର୍ଥ ଚତୁଷ୍କ ମଧ୍ୟରେ ଥିଲେ ମନ୍ତ୍ର ଶତ୍ରୁସ୍ଥାନୀୟ ବୋଲି ବିବେଚିତ ହୁଏ । ସିଦ୍ଧମନ୍ତ୍ର ବନ୍ଧୁସ୍ଥାନୀୟ-ଏହା ଜପ ଓ ହୋମଦ୍ୱାରା ସିଦ୍ଧ ହୁଏ । ସାଧ୍ୟ ମନ୍ତ୍ର ସେବକ ସ୍ୱରୂପ-ଏହା ପୁରଶ୍ଚରଣ ଦ୍ୱାରା ସଫଳ ହୁଏ । ସୁସିଦ୍ଧମନ୍ତ୍ର ପାଳନକର୍ତ୍ତା-ଏହାଦ୍ୱାରା ଅଖିଳ ଶୁଭ ଲାଭ ହୁଏ । ଶତ୍ରୁସ୍ଥାନୀୟ ମନ୍ତ୍ର ସବୁକିଛିର ଘାତକ ସ୍ୱରୂପ ।

 

(୨) ରାଶିଚକ୍ର-

ଜାତକ ଚକ୍ର ପରି ରାଶିଚକ୍ରର ଦ୍ୱାଦଶ ମେଷଠାରୁ ମୀନଯାଏ ରାଶିର ନାମ ଉଲ୍ଲିଖିତ ହେବ ଏବଂ ଏବଂ ‘ଅ’ ଠାରୁ ଅନ୍ତସ୍ଥ ‘ବ’ଯାଏ ତେୟାଳିଶଟି ବର୍ଣ୍ଣ ମଧ୍ୟରୁ କନ୍ୟାରାଶି ଗୃହ ବ୍ୟତୀତ ଯଥାକ୍ରମେ ଚାରି, ତିନି, ତିନି, ଦୁଇ, ଦୁଇ, ପାଞ୍ଚ (ପାଞ୍ଚଥର) ଓ ଚାରିଟି ଲେଖାଯିବା ସଙ୍ଗେ ସଙ୍ଗେ କନ୍ୟା ଗୃହରେ ଅଂ, ଅଃ, ଶ, ଷ, ସ, ହ, ଲ, କ୍ଷ ବର୍ଣ୍ଣଗୁଡ଼ିକର ଉଲ୍ଲେଖ ରହିବ । ଯେଉଁ ଗୃହରେ ସାଧକର ଜନ୍ମରାଶି ନା ନାମର ପ୍ରଥମ ବର୍ଣ୍ଣ ଥିବ ତାହାକୁ ଲଗ୍ନ ମନେକରି ଦ୍ୱିତୀୟ ଗୃହଠାରୁ ଯଥାକ୍ରମେ ଧନ, ସହଜ, ବନ୍ଧୁ, ସୁତ, ଶତ୍ରୁ, ପତ୍ନୀ, ଅନ୍ତକ, ଧର୍ମ, କର୍ମ, ଆୟ, ବ୍ୟୟ ପ୍ରଭୃତି ବିଚାର କରାଯିବ ।

 

ମନ୍ତ୍ରବର୍ଣ୍ଣ ଲଗ୍ନରେ ଥିଲେ ସୁଖଲାଭ, ଦ୍ୱିତୀୟରେ ଧନ, ତୃତୀୟରେ ସୌଭାଗ୍ୟ, ଚତୁର୍ଥରେ ପରାଜୟ ଓ ଅପମାନଦୁଃଖ, ପଞ୍ଚମରେ ସିଦ୍ଧି, ଷଷ୍ଠରେ ପ୍ରାଣାନ୍ତରୋଗ, ସପ୍ତମ ଓ ଅଷ୍ଟମରେ ବହୁ ଧନ ଜନ ଲାଭ, ନବମରେ ମୃତ୍ୟୁ, ଦଶମରେ କୀର୍ତ୍ତି, ଏକାଦଶରେ ଧୈର୍ଯ୍ୟ ଓ ବିବେକଲାଭ ଏବଂ ଦ୍ୱାଦଶରେ ମାନଭଙ୍ଗ ହୁଏ । କେତେକଙ୍କ ମତରେ ଚତୁର୍ଥ ଗୃହସ୍ଥ ମନ୍ତ୍ର ଶତ୍ରୁ ଏବଂ ଷଷ୍ଠ ଓ ଅଷ୍ଟମରେ ଗୃହସ୍ଥ ମନ୍ତ୍ର ବ୍ୟୟକାରକ । କବିଭୂଷଣଙ୍କ ମତରେ-

 

ଏକ ପଞ୍ଚନବ ବାନ୍ଧବାଃ ସ୍ତୃତାଃ

ଯୁଗ୍ମଷଟ୍‌ ଦଶମ ଏବ ସେବକାଃ ।

ବହ୍ନିରୁଦ୍ର ମୁନୟସ୍ତୁ ପୋଷକାଃ

ଦ୍ୱାଦଶାଷ୍ଟ ଚତୁରସ୍ତୁ ଘାତକାଃ ।।୫-୭।।

 

ଅର୍ଥାତ୍‌ ପ୍ରଥମ, ପଞ୍ଚମ ଓ ନବମଗୃହସ୍ଥ ମନ୍ତ୍ର ବନ୍ଧୁସ୍ଥାନୀୟ; ଦ୍ୱିତୀୟ, ଷଷ୍ଠ ଓ ଦଶମସ୍ଥାନୀୟ ମନ୍ତ୍ର ସେବକତୁଲ୍ୟ, ତୃତୀୟ, ସପ୍ତମ ଓ ଏକାଦଶସ୍ଥ ମନ୍ତ୍ର ପୋଷାକ ଏବଂ ଚତୁର୍ଥ, ଅଷ୍ଟମ ଓ ଦ୍ୱାଦଶ ଗୃହସ୍ଥ ମନ୍ତ୍ର ଘାତକତୁଲ୍ୟ ଅଟେ ।

 

(୩) ଅକଡ଼ମ ଚିତ୍ର-

ଉପର୍ଯ୍ୟୁକ୍ତ ରାଶିଚକ୍ର ଭଳି ଅକଡ଼ମ ଚକ୍ର ଅଙ୍କିତ ହେବ । ଏହାର ଦ୍ୱାଦଶ ଗୃହରେ ଦକ୍ଷିଣ କ୍ରମେ ଅର୍ଥାତ୍‌ ମେଷଠାରୁ ବୃଷ ପର୍ଯ୍ୟନ୍ତ ଆବର୍ତ୍ତକ୍ରମେ ସମସ୍ତ ବର୍ଣ୍ଣର ଉଲ୍ଲେଖ ରହିବ । ସାଧକ ନାମର ପ୍ରଥମାକ୍ଷର ସ୍ଥିତ ଗୃହଠାରୁ ପ୍ରଥମ, ପଞ୍ଚମ ଓ ନବମ ଗୃହସ୍ଥ ମନ୍ତ୍ର ସିଦ୍ଧ-ଏହା ବିଳମ୍ୱରେ ଫଳଦାୟକ ହୁଏ । ଦ୍ୱିତୀୟ, ଷଷ୍ଠ ଓ ଦଶମଗୃହସ୍ଥ ମନ୍ତ୍ର ସାଧ୍ୟ-ଏହା ସିଦ୍ଧିପ୍ରଦ । ତୃତୀୟ, ସପ୍ତମ ଓ ଏକାଦଶ ଗୃହସ୍ଥ ମନ୍ତ୍ର ସୁସିଦ୍ଧ-ଏହା ସହସା ଫଳଦାୟକ ଏବଂ ଚତୁର୍ଥ, ଅଷ୍ଟମ ଓ ଦ୍ୱାଦଶ ଗୃହସ୍ଥ ମନ୍ତ୍ର ରିପୁସ୍ଥାନୀୟ-ଏହା କେବେହେଁ ସେବନୀୟ ନୁହେଁ ।

 

(୪) ଋଣଧନ ଚକ୍ର-

ପୂର୍ବରୁ ପଶ୍ଚିମକୁ ବାରଟି ଏବଂ ଉତ୍ତରରୁ ଦକ୍ଷିଣକୁ ସାତୋଟି ରେଖା ଟାଣି ଛଷଠିଟି କୋଠି କରାଯିବ । ଉପର ଧାଡ଼ିରେ ସାଧ୍ୟାଙ୍କ, ସର୍ବନିମ୍ନ ଧାଡ଼ିରେ ସାଧକାଙ୍କ ଏବଂ ମଧ୍ୟସ୍ଥ ଚାରୋଟି ଧାଡ଼ିରେ ସାଧକାଙ୍କ ଏବଂ ମଧ୍ୟସ୍ଥ ଚାରୋଟି ଧାଡ଼ିରେ ସ୍ୱର ଓ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକର ଲେଖା ରହିବ । ‘ଅ’ ଠାରୁ ଌ (ଲୁ) ପର୍ଯ୍ୟନ୍ତ ଦୁଇଟି କରି ପାଞ୍ଚଟି କୋଠିରେ ରହିବ ଏବଂ ଅପର ଛ’ଟି କୋଠିରେ ‘ଏ’ କାର ଠାରୁ ‘ଅଃ’ ପର୍ଯ୍ୟନ୍ତ ଗୋଟିଏ କରି ବର୍ଣ୍ଣ ରହିବ । ଅନ୍ୟ ତିନୋଟି ଧାଡ଼ିରେ ଗୋଟିଏ କରି ‘କ’ ଠାରୁ ‘ହ’ ପର୍ଯ୍ୟନ୍ତ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକ ଉଲ୍ଲିଖିତ ହେବ । ଉପରେ ସାଧ୍ୟାଙ୍କ ୬, ୬, ୬, ୦, ୩, ୪, ୪, ୦, ୦, ୦, ୩, ଏବଂ ତଳେ ସାଧକାଙ୍କ ୨, ୨, ୫, ୦, ୦, ୨, ୧, ୦, ୪, ୪, ୧, ଲେଖାଯିବ । ମନ୍ତ୍ରାକ୍ଷରମାନ ଥିବା କୋଠିର ସମସ୍ତ ସଂଖ୍ୟା ମିଶାଇ ୮ରେ ଭାଗ (ହରଣ) କରାଯିବ ଏବଂ ସାଧକର ନାମାକ୍ଷରମାନ ଥିବା କୋଠିର ସଂଖ୍ୟାଗୁଡ଼ିକ ମିଶାଇ ୮ରେ ଭାଗ ହେବ । ଉଭୟର ଶେଷାଂଶ ମଧ୍ୟରୁ ଯେ ଅଧିକ ସେ ଋଣୀ ଏବଂ ଯେ ନ୍ୟୂନ ସେ ଧନୀ ବୋଲି ବିଚାରିବାକୁ ହେବ । ମନ୍ତ୍ର ଧନୀ ହେଲେ ନିଷ୍ଫଳ ଓ ଋଣୀ ହେଲେ ସର୍ବାଭୀଷ୍ଟପ୍ରଦ ଏବଂ ସମାନ ହେଲେ ତୁଲ୍ୟ-ଫଳଦାୟକ ଓ ଶୂନ୍ୟ ରହିଲେ ମୃତ୍ୟୁକାରକ ହୁଏ ।

 

(୫) ନକ୍ଷତ୍ର ଚକ୍ର-

ପୂର୍ବରୁ ପଶ୍ଚିମକୁ ଦଶଟି ଓ ଦକ୍ଷିଣରୁ ଉତ୍ତରକୁ ଚାରୋଟି ରେଖା ଟାଣି ସତାଇଶଟି କୋଠିରେ ନକ୍ଷତ୍ରମାନଙ୍କର ନାମ ଲେଖାଯିବ । ‘ଅ’ ଠାରୁ ‘କ୍ଷ’ ପର୍ଯ୍ୟନ୍ତ ଯଥାକ୍ରମେ ୨, ୧, ୩, ୪, ୧, ୧, ୨, ୧; ୨; ୨; ୧, ୨, ୨, ୨;୧; ୨; ୩, ୧, ୩, ୧; ୧; ୧, ୨, ୧, ୨, ୩, ଓ ୪ (ଅ, ଅଃ) ସଂଖ୍ୟକ ବର୍ଣ୍ଣଗୁଡ଼ିକର ଉଲ୍ଲେଖ ରହିବ । ସାଧକ ନକ୍ଷତ୍ରଠାରୁ ବା ନାମର ଆଦ୍ୟକ୍ଷର ଠାରୁ ଜନ୍ମ, ସମ୍ପତ୍‌, ବିପତ୍‌, କ୍ଷେମ, ପ୍ରତ୍ୟରି, ସାଧକ, ଘାତକ, ମିତ୍ର, ଅତିମିତ୍ର ପ୍ରଭୃତି ଆବର୍ତ୍ତକ୍ରମେ ତିନିବାର ଗଣନା କରାଯିବ । ମନ୍ତ୍ରାକ୍ଷର ୧, ୨, ୪, ୬, ୮ ସଂଖ୍ୟାରେ ଥିଲେ ସାଧକ ସିଦ୍ଧିଲାଭ କରେ ଏବଂ ୩, ୫, ୭, ୯; ରେ ଥିଲେ ଅଶୁଭ ହୁଏ । ‘ପ୍ରପଞ୍ଚସାର’ ତନ୍ତ୍ର ଅନୁସାରେ ନକ୍ଷତ୍ର ଚକ୍ରର ବିଚାର ମଧ୍ୟ ଏଥିରେ କବିଭୂଷଣ ଉଲ୍ଲେଖ କରିଛନ୍ତି ।

 

(୬) ତ୍ରିନାଡ଼ି ଚକ୍ର-

ଗୋଟିଏ ଧାଡ଼ିରେ ସତାଇଶଟି ମଣ୍ଡଳରେ ନକ୍ଷତ୍ରମାନଙ୍କ ନାମ ଲେଖି ତାହାକୁ ତିନୋଟି ସର୍ପାକାର ରେଖାଦ୍ୱାରା ବେଧ କରାଯିବ । ସେହି ତିନୋଟି ନାଡ଼ିର ତୁରଗ, ଅନ୍ତକ ଓ ଅନଳନାମରେ ତିନୋଟି ମୁଖ ଏବଂ ସେ ମଧ୍ୟରୁ ପ୍ରଥମ ଦୁଇଟି ମଙ୍ଗଳପ୍ରଦ ଓ ଶେଷଟି ଅଶୁଭକର ଅଟେ । ନକ୍ଷତ୍ର ଚକ୍ର ଅନୁସାରେ ସାଧକ ନାମ୍ୟାକ୍ଷର ଓ ମନ୍ତ୍ରାକ୍ଷର ଭିନ୍ନ ଭିନ୍ନ ନାଡ଼ିରେ ରହିଲେ ଶୁଭ ଅନ୍ୟଥା ଅଶୁଭ ହୋଇଥାଏ ।

 

(୭) କୁଳାକୁଳ ଚକ୍ର-

ପୂର୍ବରୁ ପଶ୍ଚିମକୁ ଛଅଟି ଓ ଦକ୍ଷିଣରୁ ଉତ୍ତରକୁ ଏଗାରଟି ରେଖା ଟାଣି ପ୍ରଥମ ଧାଡ଼ିର ପାଞ୍ଚୋଟି କୋଠିରେ ବାୟୁ, ଅଗ୍ନି, ଭୂମି, ଜଳ, ଆକାଶ-ଏହି ପଞ୍ଚଭୂତର ଉଲ୍ଲେଖ ରହିବ । ଦ୍ୱିତୀୟ ଧାଡ଼ିରେ ‘ଅ’ଠାରୁ ‘ଌ’ (ଲୁ) ପର୍ଯ୍ୟନ୍ତ ଦୁଇ ଦୁଇଟି ବର୍ଣ୍ଣ ପ୍ରତ୍ୟେକ କୋଠିରେ ଏବଂ ଅନ୍ୟତ୍ର ଅନ୍ୟ ସମସ୍ତ ବର୍ଣ୍ଣ ଗୋଟିଏ ଗୋଟିଏ କରି ଯଥାକ୍ରମେ ଉଲ୍ଲିଖିତ ହେବ, ମାତ୍ର ଶେଷ ଧାଡ଼ିରେ ବର୍ଣ୍ଣଗୁଡ଼ିକ ଷ. କ୍ଷ, ଲ, ସ, ହ କ୍ରମରେ ରହିବ ।

 

ପଞ୍ଚଭୂତ ମଧ୍ୟରୁ କୌଣସି ଗୋଟିକରେ ମନ୍ତ୍ର ଓ ମାନ୍ତ୍ରିକର ଆଦ୍ୟକ୍ଷର ରହିଲେ ଶୁଭ ଏବଂ ଅନ୍ୟତ୍ର ମିତ୍ରା ମିତ୍ର ବିଚାର କରି ମିତ୍ରରେ ଶୁଭ ଓ ଅମିତ୍ରରେ ଅଶୁଭ ବୋଲି ଗୃହୀତ ହେବ । ପଞ୍ଚଭୂତର ମିତ୍ରାମିତ୍ର ବିଷୟ କବିଭୂଷଣ ନିମ୍ମମତେ ବର୍ଣ୍ଣନା କରିଛନ୍ତି-

 

କ୍ଷିତେଜଳଂ ମିତ୍ରମରିଃ ସମୀରୋ

ଜଳସ୍ୟ ଭୂର୍ମିତ୍ରମରିଃ କୃଶାନୁଃ ।

ଅଗ୍ନେଃ ସୁହୃଦ୍‌ବାୟୁରରିର୍ଜ୍ଜଳଂ ଚ

ବାୟୋରରିର୍ଭୂରନଳଃ ସହାୟଃ ।।୫-୫୭ ।।

 

ଅର୍ଥାତ୍‌ ଭୂମିର ମିତ୍ର ଜଳ; ବାୟୁ ଶତ୍ରୁ; ଜଳର ଭୂମି ମିତ୍ର, ଅଗ୍ନି ଶତ୍ରୁ, ଅଗ୍ନିର ମିତ୍ର ବାୟୁ, ଜଳ ଶତ୍ରୁ, ବାୟୁର ମିତ୍ର ଅଗ୍ନି; ଭୂମି ଶତ୍ରୁ ଏବଂ ଆକାଶର ମିତ୍ର ବା ଅମିତ୍ର କିଛି ନାହିଁ ।

 

(୮) ଷଟପଦ ଚକ୍ର-

ପୂର୍ବ ଐଶାନ୍ୟ କୋଣରୁ ନୈଋତ ପଶ୍ଚିମ କୋଣ ପର୍ଯ୍ୟନ୍ତ ଏବଂ ପୂର୍ବାଗ୍ନି କୋଣରୁ ପଶ୍ଚିମବାୟବ୍ୟ କୋଣ ପର୍ଯ୍ୟନ୍ତ ଦୁଇଟି ତିର୍ଯ୍ୟକ୍‌ ରେଖା ଅଙ୍କନ କଲା ପରେ ଦକ୍ଷିଣ ଉତ୍ତର ଦିଗରେ ଏକ ଆୟତାକାର ରେଖା ଟଣାଯିବ । ପ୍ରତ୍ୟେକ ରେଖାରୁ ଅନ୍ୟ ରେଖାଯାଏ କୋଣାକାର ରେଖାଦ୍ୱାରା ଛଅଟି ଦଳରେ ବିଭକ୍ତ ହେବ । ପ୍ରତ୍ୟେକ ଦଳ ବା ପତ୍ରରେ ପୂର୍ବ ଦିଗରୁ ଆରମ୍ଭ କରି ବିନ୍ଦୁ ବିସର୍ଗ ବ୍ୟତୀତ ଆଠୋଟି କରି ସମସ୍ତ ବର୍ଣ୍ଣର ଉଲ୍ଲେଖ ରହିବ । ମନ୍ତ୍ର ଓ ମାନ୍ତ୍ରିକର ଆଦ୍ୟକ୍ଷର ଗୋଟିଏ ଦଳରେ ଥିଲେ ଶୁଭ ଅନ୍ୟାଥା ଅଶୁଭ ହୁଏ ।

 

(୯) ବର୍ଗ ଚକ୍ର:-

ପୂର୍ବ ପଶ୍ଚିମ କ୍ରମେ ପାଞ୍ଚୋଟି ଓ ଦକ୍ଷିଣ ଉତ୍ତରକ୍ରମେ ତିନୋଟି ରେଖା ଟାଣି ଆଠଟି କୋଠିରେ ବିଭକ୍ତ କରାଯିବ । ପ୍ରଥମ କୋଠିରେ ‘ଅ’ ଠାରୁ ‘ଃ’ (ବିସର୍ଗ)ପର୍ଯ୍ୟନ୍ତ ଷୋହଳଟି ବର୍ଣ୍ଣ ଏବଂ ଅପର ସାତୋଟିରେ ଅନ୍ୟ ସମସ୍ତ ବର୍ଣ୍ଣ କ, ଚ, ଟ, ତ, ପ, ଯ ଓ ଶ ବର୍ଗକ୍ରମେ ଉଲ୍ଲିଖିତ ହେବ । ପ୍ରତ୍ୟେକ କୋଠିରେ ବର୍ଣ୍ଣମାନଙ୍କ ଉପରେ କ୍ରମଶଃ ଗରୁଡ଼, ମାର୍ଜାର, ସିଂହ, ଶ୍ୱାନ, ବିଷଧର, ଆଖୁ (ମୂଷା), ନାଗ ଓ ମେଷ ଲେଖାଯିବ । ମନ୍ତ୍ର ଓ ସାଧକର ଆଦ୍ୟକ୍ଷରର ଅବସ୍ଥିତିକୁ ନେଇ ଫଳାଫଳ ବିଚାର କରାଯିବ । ପ୍ରାଣୀମାନଙ୍କର ପରସ୍ପର ଅମିତ୍ର ଜନିତ ଭୟର କାରଣ ଅଧୋରିତ ହେଲେ ଶୁଭ ଏବଂ ଊର୍ଦ୍ଧ୍ୱଗତ ହେଲେ ଅଶୁଭ ହୋଇଥାଏ ।

 

(୧୦) ଅଂଶ ଚକ୍ର-

ଚତୁଃକୋଷ୍ଠଯୁକ୍ତ ଚକ୍ରରେ ଅନୁସ୍ୱାର ବିସର୍ଗ ବ୍ୟତୀତ ସମସ୍ତ ବର୍ଣ୍ଣ ବାରଥର ଆବର୍ତ୍ତନକ୍ରମେ ଉଲ୍ଲିଖିତ ହେବ । ତଦନନ୍ତର ସାଧକ ବର୍ଣ୍ଣଠାରୁ ଯଥାକ୍ରମେ ଚନ୍ଦ୍ର, ସୂର୍ଯ୍ୟ, ଅଗ୍ନି ଓ ଉକ୍ତ ଗ୍ରହର ସମବାୟ ଗଣନା କରି ଚନ୍ଦ୍ର ସିଦ୍ଧ, ସୂର୍ଯ୍ୟ ସାଧ୍ୟ ଓ ଅଗ୍ନି ସୁସିଦ୍ଧ ଏବଂ ସମବାୟ ଅରିରୂପେ କଳ୍ପନା କରି ଫଳାଫଳ ନିର୍ଦ୍ଦେଶିତ ହେବ ।

 

ଏହି ଚକ୍ରର ଅନ୍ୟ ପ୍ରକାର ବିଚାର ‘ରୁଦ୍ରଯାମଳ’ ତନ୍ତ୍ରରେ ଦେଖାଯାଏ । ଶୁଭାଶୁଭ ଫଳାଫଳ ନିମିତ୍ତ ଚଉଷଠି ପ୍ରକାର ଚକ୍ର ମଧ୍ୟରୁ ପୂର୍ବୋକ୍ତ ତନ୍ତ୍ରରେ ଷୋହଳଟିର ପ୍ରାଧାନ୍ୟ ସ୍ୱୀକାର କରାଯାଇଅଛି । କବିଭୂଷଣ ଉପର୍ଯ୍ୟୁକ୍ତ ଦଶବିଧ ଚକ୍ର ମଧ୍ୟରୁ ସିଦ୍ଧାରି ଚକ୍ର ଓ ଋଣଧନ ଚକ୍ର ଦୁଇଟିକୁ ବିଶେଷ ପ୍ରାଧାନ୍ୟ ଦେଇଛନ୍ତି ।

 

ସୂରି-ସର୍ବସ୍ୱ ବର୍ଣ୍ଣିତ କୁଣ୍ଡ, ମଣ୍ଡଳ, ବିଭିନ୍ନ ପାତ୍ର, ପ୍ରାସାଦ, ମଣ୍ଡପ, ଯୋଗାସନ ପ୍ରଭୃତିର ସ୍ୱରୂପ ନିର୍ଣ୍ଣୟ ପ୍ରବନ୍ଧରେ ବିସ୍ତୃତି ଆଶଙ୍କାରେ ଉପେକ୍ଷିତ ହେଲା । ପରିଶେଷରେ ଏତିକି କହିଲେ ଯଥେଷ୍ଟ ହେବ ଯେ କବିଭୂଷଣ ଉଦାରତାର ଭାବେ ଯେଉଁ ବିଧି ବିଧାନମାନ ନିର୍ଦ୍ଦେଶ କରିଛନ୍ତି ସେ ସବୁର ଯଥାରୀତି ପାଳନ କରିବା ଯେ କୌଣସି ଆଗ୍ରହୀ ବ୍ୟକ୍ତିଠାରେ କେବେହେଲେ କଷ୍ଟକର ହେବ ନାହିଁ ବୋଲି ବିଶ୍ୱାସ ।

 

ସ୍ୱରି-ସର୍ବସ୍ୱରେ ବୈଦିକ କର୍ମ୍ମକାଣ୍ଡ, ଆଗମର ଜ୍ଞାନ, ଯୋଗ, କ୍ରିୟା ଓ ଚର୍ଯ୍ୟା ସହିତ ତାନ୍ତ୍ରିକ ପୂଜାର ମନ୍ତ୍ର, ଯନ୍ତ୍ର ଓ ମୁଦ୍ରାର ସାମୂହିକ ପର୍ଯ୍ୟାଲୋଚନା ହୋଇଥିବା ଦେଖାଯାଏ । ଆଗମ ଶାସ୍ତ୍ରୀୟ ଗୁରୁଶିଷ୍ୟର ସ୍ୱରୂପ, ଦୀକ୍ଷାବିଧାନ, ପ୍ରତିମା ପୂଜା ଏବଂ ତାନ୍ତ୍ରିକ ବିଧାନ ଅନୁଯାୟୀ ମନ୍ତ୍ର ଓ ମାତୃକାଦି ନ୍ୟାସ, ଷଟ୍‌ଚକ୍ର ସାଧନା, ଯନ୍ତ୍ର ଓ ମୁଦାଦିର ଯଥୋଚିତ ନିରୂପଣ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ବିଧିବିଧାନର ବିଚାରତ୍ମକ ସିଦ୍ଧାନ୍ତ ଏହି ଗ୍ରନ୍ଥରେ ସନ୍ନିବେଶିତ ହୋଇଅଛି । ଓଡ଼ିଶାର ଧର୍ମଶାସ୍ତ୍ର ସାହିତ୍ୟରେ ‘ସୂରି-ସର୍ବସ୍ୱ’ ସର୍ବଶେଷ ଊତ୍କୃଷ୍ଟ ସଂଗ୍ରହାତ୍ମକ ଗ୍ରନ୍ଥରୂପେ ଗ୍ରହଣ କରାଯାଇପାରେ ।

 

ଯାତ୍ରାର ଜାତକ

ଶ୍ରୀ ଧୀରେନ୍ଦ୍ରନାଥ ପଟ୍ଟନାୟକ

 

ବସ୍ତୁତଃ ‘ଯାତ୍ରା’ ଶଦ୍ଦଟି ଗତ୍ୟର୍ଥକ । ଗମନାର୍ଥକ ‘ଯା’ ଧାତୁରୁ ଏହାର ଉତ୍ପତ୍ତି [ଯା+ତ୍ର (ଭାବେ)+ଆ (ସ୍ତ୍ରୀ)] । ତେଣୁ ତୀର୍ଥଯାତ୍ରା, ଶୁଭଯାତ୍ରା, ଶୋଭାଯାତ୍ରା, ଯୁଦ୍ଧଯାତ୍ରା, ଯାତ୍ରୀ ଇତ୍ୟାଦି ତଦ୍ଭବ ଶବ୍ଦଗୁଡ଼ିକ ଗମନାଦି ବ୍ୟାପାର ବୁଝାଇ ଥାଏ । ମନୁଷ୍ୟର ଅନ୍ତିମଦଶା ବା ମୃତ୍ୟୁକୁ ବୋଲାଯାଏ-ମହାଯାତ୍ରା ।’

 

ବହୁ ପ୍ରାଚୀନ କାଳରୁ ଭାରତବର୍ଷରେ ଧର୍ମ ଉତ୍ସବକୁ ମଧ୍ୟ ‘ଯାତ୍ରା’ କୁହାଯାଉଥିବାରୁ ପ୍ରମାଣ ମିଳେ । କାରଣ ହିନ୍ଦୁ ଧର୍ମରେ ଯେତେପ୍ରକାର ଉତ୍ସବ ଅନୁଷ୍ଠିତ ହୁଏ ତହିଁରେ ଦେବବିଗ୍ରହମାନଙ୍କର ବା ଭକ୍ତଙ୍କର ଗମନାଦି ବ୍ୟାପାର ଥାଏ । ଦେବଦେବୀଙ୍କର ବିଗ୍ରହ ଶୋଭାଯାତ୍ରାରେ ଦେବାଳୟରୁ ଅନ୍ୟସ୍ଥାନକୁ ବା ଅନ୍ୟସ୍ଥାନରୁ ଦେବାଳୟକୁ ବା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରନ୍ତି, ଏହି ଉତ୍ସବରେ ଯୋଗଦାନ କରିବା ନିମନ୍ତେ ଦୂରଦୂରାନ୍ତରୁ ବହୁ ଭକ୍ତ ସ୍ୱଗୃହରୁ ସେହି ସ୍ଥାନକୁ ଯାତ୍ରା ବା ଗମନ କରନ୍ତି । ପ୍ରାୟ ଏହି କାରଣରୁ ସମସ୍ତ ଧର୍ମ ଉତ୍ସବକୁ ‘ଯାତ୍ରା’ କୁହାଗଲା, ବହୁ ଧର୍ମଶାସ୍ତ୍ର ଅନୁସାରେ ଅଧିଷ୍ଠିତ ଦେବଦେବୀଙ୍କ ଉଦ୍ଦେଶ୍ୟରେ ‘ଯାତ୍ରା’ ବା ‘ଉତ୍ସବ’ ଆୟୋଜନ କରିବା ବିଧେୟ । ଯେତେବେଳେ ଏହି ଯାତ୍ରା’ ଅନୁଷ୍ଠିତ ହୁଏ ଦେଶର ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ବିଗ୍ରହ ଗୁଡ଼ିକର ଶୋଭାଯାତ୍ରା ଦେଖି ନୟନମନ ତୃପ୍ତ କରନ୍ତି ଏବଂ ଅଲୌକିକ ଆନନ୍ଦ ଲାଭ କରନ୍ତି । ପ୍ରାଚୀନ ବୌଦ୍ଧ ଓ ଜୈନ ସାହିତ୍ୟରେ ଏଇଭଳି ବହୁ ‘ଯାତ୍ରା’ ବା ଧର୍ମ ଉତ୍ସବରେ ଉଲ୍ଲେଖ ଦେଖାଯାଏ । ସେଗୁଡ଼ିକ ହେଲା ରୁଦ୍ରଯାତ୍ରା, ଶିବଯାତ୍ରା, ବୈଶ୍ରବଣଯାତ୍ରା, ନାଗଯାତ୍ରା, ଯଷଯାତ୍ରା, ଭୂତଯାତ୍ରା, ନଦୀଯାତ୍ରା, ବୃକ୍ଷଯାତ୍ରା, ଚୈତ୍ୟଯାତ୍ରା, ପର୍ବତଯାତ୍ରା, ଉଦ୍ୟାନଯାତ୍ରା, ଗିରିଯାତ୍ରା ଇତ୍ୟାଦି ।

 

‘‘ଭାରତୀୟ ଉତ୍ସବଗୁଡ଼ିକର ଉତ୍ପତ୍ତି ଓ କ୍ରମୋନ୍ନତି ଲକ୍ଷ୍ୟ କଲେ ଜଣାଯାଏ ଯେ ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ଲୋକପ୍ରିୟ କରିବା ନିମନ୍ତେ ବହୁ ଲୋକାଚାର (folkelements)କୁ ଗ୍ରହଣ କରାଯାଇ ଥିଲା । ଏହି ଉତ୍ସବଗୁଡ଼ିକୁ ଯାତ୍ରା କୁହାଯାଉଥିଲା । ‘ନୟାଧମ୍ମ କହା’ ଗ୍ରନ୍ଥରେ ଏହିପରି ଏଗାରଟି ଉତ୍ସବକୁ ‘ଯାତ୍ରା’ କୁହାଯାଇଅଛି । ଇନ୍ଦ୍ର ଯାତ୍ରା ଓ ସ୍କନ୍ଦଯାତ୍ରା ତନ୍ମଧ୍ୟରୁ ଅନ୍ୟତମ-। ଏହି ‘ଯାତ୍ରା’କୁ ‘ସମାଜ’ ମଧ୍ୟ କୁହାଯାଉଥିଲା । ଏହାର ପ୍ରକୃତି ଆଧୁନିକଯୁଗର ମେଳା ସହିତ ସାଦୃଶ୍ୟ ରଖେ । ଏହି ‘ଯାତ୍ରା’ ଗୁଡ଼ିକର ବିଶେଷ ଲକ୍ଷଣ ଥିଲା ଦେବପୂଜା କିନ୍ତୁ ଏହାର ବାହ୍ୟରୂପ ଏକ ବିରାଟ ଆନନ୍ଦୋତ୍ସବର ରୂପ ନେଉଥିଲା ଯେଉଁଥିରେ ନୃତ୍ୟ, ଗୀତ, ଭୋଜି, ଏବଂ ବିଭିନ୍ନ ପ୍ରକାର କୁସ୍ତି କସରତ୍‌ ନାଟକ ପ୍ରଦର୍ଶନ ଇତ୍ୟାଦି ମନୋରଞ୍ଜନର ବ୍ୟବସ୍ଥା ଥିଲା’’ (Prof V.S Agrawal, Ancient Indian Folk culto) ତେଣୁ ଧର୍ମଉତ୍ସବକୁ ‘ଯାତ୍ରା’ ବୋଲିଯିବା ସମ୍ପର୍କରେ ସଂସ୍କୃତ ବିଶ୍ୱକୋଷରେ ଉଲ୍ଲେଖ ଅଛି ‘ଯାତ୍ରା’ ତୁ ଯାପନୋପାୟେ ଗତୌ ଦେବାର୍ଚ୍ଚନୋଽତ୍ସବେ ।’’

 

ଷୋଡ଼ଶ ଶତାବ୍ଦୀରେ ରଚିତ ରଘୁ ନନ୍ଦନକୃତ ‘ଯାତ୍ରାତତ୍ତ୍ୱମ୍‌’ ଗ୍ରନ୍ଥରେ ଧର୍ମୋତ୍ସବ ଗୁଡ଼ିକୁ ‘ଯାତ୍ରା’ କୁହାଯାଇଛି । ଏହି ଗ୍ରନ୍ଥରେ ଦ୍ୱାଦଶଯାତ୍ରାର ଉଲ୍ଲେଖ ନିମ୍ନୋକ୍ତ ଭାବେ କରାଯାଇଛି-

 

‘‘ବୈଶାଖାଦିଷୁ ମାସେଷୁ ଯାତ୍ରାପୂଜାବିଧିଂ ମୁନେ ।

ଶ୍ରୋତୁମିଚ୍ଛାମି ଦେବସ୍ୟ ଯଥାବଦ୍‌ବକ୍ତୁ ମହର୍ସି ।

ବୈଶାଖାଦିଷୁ ମାସେଷୁ ଦେବଦେବସ୍ୟ ଶାର୍ଙ୍ଗିଣଃ ।

ୟା ୟା ଦ୍ୱାଦଶଯାତ୍ରାସ୍ୟୁତାସ୍ତା ବକ୍ଷ୍ୟାମି ତେ ଶୃଣୁ ।।

ବୈଶାଖେ ଚାନ୍ଦନୀଯାତ୍ରା ଜ୍ୟେଷ୍ଠେ ସ୍ନାପନ୍ୟୁଦୀରିତା ।

ଆଷାଢ଼େ ରଥଯାତ୍ରାସ୍ୟାତ୍‌ ଶ୍ରାବଣେ ଶାୟନୀ ତଥା ।।

ଭାଦ୍ରେ ଦକ୍ଷିଣପାର୍ଶ୍ୱୀୟା ଆଶ୍ୱିନେ ବାମପାର୍ଶିକା ।

ଉତ୍‌ଥାନୀ କାର୍ତ୍ତିକେ ମାସି ଛାଦନୀ ମାର୍ଗଶୀର୍ଷକେ ।।

ପୌଷେ ପୁଷ୍ୟାଭିଷେକସ୍ୟାନ୍ମାଘେ ଶାଲ୍ୟୋଦନୀ ତଥା ।

ଫାଲ୍‌ଗୁନେ ଦୋଳଯାତ୍ରାସ୍ୟାଚ୍ଚୈତ୍ରେ ମଦନଉଞ୍ଜିକା ।

ଏକୈକମୂକ୍ତିଦା ସର୍ବା ଧର୍ମକାମାର୍ଥସାଧନା ।’’

 

ଉଲ୍ଲିଖିତ ଦ୍ୱାଦଶଯାତ୍ରା ହେଲା-ବୈଶାଖରେ ଚନ୍ଦନୀ, ଜ୍ୟେଷ୍ଠରେ ସ୍ନାପନୀ ଆଷାଢ଼ରେ ରଥ, ଶ୍ରାବଣରେ ଶୟନୀ, ଭାଦ୍ରେ ଦକ୍ଷିଣପାର୍ଶ୍ୱୀୟା, ଆଶ୍ୱିନରେ ବାମପାର୍ଶ୍ୱିକା, କାର୍ତ୍ତିକରେ ଉତ୍‌ଥାନୀ, ଅଗ୍ରହାୟଣରେ ଛାଦନୀ, ପୌଷ୍ୟରେ ପୁଷ୍ୟାଭିଷେକ, ମାଘରେ ଶାଲ୍ୟୋଦନୀ, ଫାଲ୍‌ଗୁନରେ ଦୋଳ ଓ ଚୈତ୍ରରେ ଶାଲଭଞ୍ଜିକା ।

 

ବଙ୍ଗ ଦେଶରେ ବିଶେଷ ଭାବରେ ଶକ୍ତିପୁଜା ହୁଏ । ଦେବୀ ଭଗବତୀଙ୍କ ଉଦ୍ଦେଶ୍ୟରେ ଯେଉଁ ଉତ୍ସବ ପାଳନ କରିବାର ବିଧି ନିର୍ଦ୍ଦେଶିତ ହୋଇଛି ସେଗୁଡ଼ିକ ‘ବାମକେଶର ତନ୍ତ୍ର’ରେ ‘ଯାତ୍ରା’ କୁହାଯାଇଛି-

 

‘‘ବୈଶାଖେ ମଞ୍ଚଯାତ୍ରା ଚ ଚନ୍ଦନା ଗୁରୁକଳ୍ପନା ।

ଜ୍ୟେଷ୍ଠ ମହାସ୍ନାନଯାତ୍ରା ଅମ୍ବୁବାଚୀଦିନତ୍ରୟମ୍‌ ।।

ଆଷାଢ଼େ ରଥଯାତ୍ରା ଚ ଦିଗ୍‌ଦିନବ୍ୟାପିନୀ ପରା

ଶ୍ରାବଣେ ଜଳଯାତ୍ରା ଚ ବସ୍ତ୍ରଭୂଷଣ ଚାମରୈଃ ।।

ଭାଦ୍ରେ ଯାତ୍ରା ଧୂନାନାଖ୍ୟା ଚଣ୍ଡିକାୟା ଦିନତ୍ରୟମ୍‌

ଆଶ୍ୱିନେ ଚ ମହାପୂଜା ଯାତ୍ରା ଯଜ୍ଞବଳିପ୍ରିୟା ।

କାର୍ତ୍ତିକେ ଦୀପଯାତ୍ରା ଚ ନବାନ୍ନମଅଗ୍ରହାୟଣେ ।।

ପୌଷେ ଚାଙ୍ଗରାଗଯାତ୍ରା ବସ୍ତ୍ରାଳଙ୍କାର ଭୂଷଣୈଃ ।।

ମାଘେ ମାସି ମହାଦେବୀ ରଟନ୍ତୀ ଚ ଚତୁର୍ଦ୍ଦଶୀ ।

ଦୋଳ କୋଳିଃ ଫାଲ୍‌ଗୁନେ ଚ ଚୈତ୍ରେ ଯାତ୍ରା ଚତୁଷ୍ଟୟୀ ।।

ଦୂତୀଯାତ୍ରା, ରାସଯାତ୍ରା ବାସନ୍ତୀ ନୀଳଯାତ୍ରିକା ।

ଏବଂ ଯାତ୍ରା ମୟା ପ୍ରୋକ୍ତା ଷୋଡ଼ଶୀ ଭାବମୋଚନୀ ।।’’

 

ଅର୍ଥାତ୍‌ ‘ବୈଶାଖରେ ମଞ୍ଚଯାତ୍ରା (ଚନ୍ଦନ ଯାତ୍ରା), ଜ୍ୟେଷ୍ଠରେ ମହାସ୍ନାନ ଯାତ୍ରା, ଆଷାଢ଼ରେ ରଥଯାତ୍ରା, ଶ୍ରାବଣରେ ଜଳଯାତ୍ରା, ଭାଦ୍ରବରେ ଧୂନନ ଯାତ୍ରା, ଆଶ୍ୱିନରେ ମହାପୂଜା ଯାତ୍ରା କାର୍ତ୍ତିକରେ ଦୀପଯାତ୍ରା, ଅଗ୍ରହାୟଣରେ ନବାନ୍ନ ଯାତ୍ରା, ପୌଷରେ ଅଙ୍ଗରାଗଯାତ୍ରା, ମାଘରେ ମହାଦେବୀ ଯାତ୍ରା, ଫାଲ୍‌ଗୁନରେ ଦୋଳଯାତ୍ରା, ଚୈତ୍ରରେ ଦୂତୀଯାତ୍ରା, ରାସଯାତ୍ରା, ବାସନ୍ତୀଯାତ୍ରା ଓ ନୀଳଯାତ୍ରା-ଏହି ଷୋହଳ ପ୍ରକାର ଯାତ୍ରା ଭବବନ୍ଧନ ମୋଚନର ଉପାୟ ।

 

ପୁରୀ ଜଗନ୍ନାଥ ମନ୍ଦିରରେ ବିଗ୍ରହମାନଙ୍କର ସେବା ପୂଜା ସହିତ ଯେଉଁ ଧର୍ମଉତ୍ସବ ଗୁଡ଼ିକ ବହୁକାଳରୁ ପାଳିତ ହୋଇ ଆସୁଅଛି ସେ ଗୁଡ଼ିକୁ ମଧ୍ୟ ‘ଯାତ୍ରା’ କୁହାଯାଏ । ଏହି ମନ୍ଦିରରେ ଦ୍ୱାଦଶ ଯାତ୍ରାର ପ୍ରଚଳନ ଅଛି । ସେଗୁଡ଼ିକ ହେଲା-ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ା ଯାତ୍ରା, ଅଧମତାରଣ ଯାତ୍ରା, ଦକ୍ଷିଣାୟନ ଯାତ୍ରା, ଝୁଲଣ ଯାତ୍ରା, ପାର୍ଶ୍ୱପରିବର୍ତ୍ତନ ଯାତ୍ରା, ପ୍ରବୋଧନା ଯାତ୍ରା, ପ୍ରାବରଣ ଯାତ୍ରା, ରାମଭିଷେକ ଯାତ୍ରା, ଉତ୍ତରାୟଣ ଯାତ୍ରା ଓ ଚନ୍ଦନ ଯାତ୍ରା । ସପ୍ତଦଶ ଶତାବ୍ଦୀରେ ରଚିତ ‘ନୀଳାଦ୍ରୀ ମହୋଦୟ’ ଗ୍ରନ୍ଥରେ ଏ ସମସ୍ତ ଯାତ୍ରାର ବିଶଦ ବିବରଣୀ ରହିଛି ।

 

କେବଳ ଭାରତରେ ଯେ ଧର୍ମୋତ୍ସବକୁ ‘ଯାତ୍ରା’ ବୋଲାଯାଏ ତା ନୁହେଁ । ପଡ଼ୋଶୀ ହିନ୍ଦୁ ରାଜ୍ୟ ନେପାଳରେ ମଧ୍ୟ ଏଭଳି ବୋଲାଯିବାର ପ୍ରମାଣ ମିଳେ । ସେଠାରେ ମହେନ୍ଦ୍ରନାଥଯାତ୍ରା ଓ ଭୈରବଯାତ୍ରା ପ୍ରଧାନ । ଭୈରବଯାତ୍ରାରେ ଭୈରବ-ଭୈରବୀଙ୍କୁ ନେଇ ନଗର ପରିକ୍ରମା କରାଯାଏ । ପରିକ୍ରମା ଶେଷରେ ଭୈରବ ମନ୍ଦିରରେ କାଷ୍ଠଖଣ୍ଡ ପ୍ରୋଥିତ କରି ଲିଙ୍ଗଯାତ୍ରା ସମାହିତ ହୁଏ । ଏଠାରେ ପ୍ରଚଳିତ ଅନ୍ୟ ଯାତ୍ରାଗୁଡ଼ିକ ହେଲା ଇନ୍ଦ୍ରଯାତ୍ରା, ବ୍ରଜଯାତ୍ରା ଇତ୍ୟାଦି ।

 

ଶାସ୍ତ୍ରାନୁମୋଦିତ ଧର୍ମୋତ୍ସବ ବ୍ୟତୀତ ବ୍ରାହ୍ମଣେତର ଧର୍ମୋତ୍ସବଗୁଡ଼ିକୁ ମଧ୍ୟ ଭାରତର ବିଭିନ୍ନାଞ୍ଚଳରେ ‘ଯାତ୍ରା’ ବୋଲାଯାଏ । କର୍ଣ୍ଣାଟକରେ ପ୍ରଚଳିତ ଏକ ଧର୍ମୋତ୍ସବକୁ ଯାତ୍ରା ବୋଲାଯାଏ । ‘‘ଯେତେବେଳେ ଏକ ସଂକ୍ରାମକ ରୋଗ ଦେଖାଦିଏ ଗ୍ରାମବାସୀମାନେ ଏକତ୍ରି ହୋଇ ଏକ ଯାତ୍ରାର ଆୟୋଜନ କରନ୍ତି x x ଏହି ଯାତ୍ରା ତିନିଦିନରୁ ସାତଦିନ ପର୍ଯ୍ୟନ୍ତ ହୁଏ । ଅନ୍ୟ ସମୟରେ ପୂଜା କରୁଥିବା ବ୍ରାହ୍ମଣମାନଙ୍କର ଏଥିରେ ଅଂଶ ନାହିଁ ଏବଂ ‘ଆଷାଡ଼ି (ଅବ୍ରାହ୍ମଣ ପୂଜକ) ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରେ ‘‘(ଚନ୍ଦ୍ରଶେଖର କମ୍ବାର-ସଙ୍ଗୀତ-ନାଟକ)

 

ଓଡ଼ିଶାରେ ମଧ୍ୟ ଏହିପରି ବ୍ରାହ୍ମଣେତର ଧର୍ମୋତ୍ସବଗୁଡ଼ିକ ମଧ୍ୟ ‘ଯାତ୍ରା’ କୁହାଯାଏ । ଯଥା:- ପଣାଯାତ୍ରା, ପାଟୁଆଯାତ୍ରା, ଦଣ୍ଡଯାତ୍ରା, ଉଡ଼ାଯାତ୍ରା, ଠାକୁରାଣୀଯାତ୍ରା, ଇତ୍ୟାଦି । ହିନ୍ଦୁଧର୍ମ ସମର୍ଥିତ ସମ୍ୱଲପୁରର ଶୀତଳଷଷ୍ଠୀଯାତ୍ରା, ବ୍ରହ୍ମପୁରର ଠାକୁରାଣୀଯାତ୍ରା ଓ ପୁରୀ କଟକର ଦୋଳଯାତ୍ରା ଓ ବାଲିଯାତ୍ରା ଓଡ଼ିଶାର ବିଖ୍ୟାତ ଧର୍ମୋତ୍ସବ ।

 

ଗ୍ରାମ୍ୟଭାଷାରେ ‘ଯାତ୍ରା’ ଶବ୍ଦଟି ‘ଯାତ’ ବା ‘ଯାତରା’ ନାମରେ ପ୍ରଚଳିତ । ହିନ୍ଦୀ ଓ ବଙ୍ଗଭାଷୀ ଅଞ୍ଚଳରେ ଏହି ଶବ୍ଦଟି ‘ଯାତ୍‌’ ନାମରେ ପ୍ରଚଳିତ । କାଙ୍ଗ୍ରା ଉପତ୍ୟକାର ନଗରକୋଟ୍‌ଠାରେ ଅଧିଷ୍ଠିତ ଦେବୀଙ୍କ ଉତ୍ସବ ସେ ଅଞ୍ଚଳରେ ଯାତ୍‌ ନାମରେ ବିଖ୍ୟାତ । ସଂସ୍କୃତ ‘ଯାତ୍ରା’ ଶବ୍ଦଟି ପ୍ରାକୃତ ଭାଷାରେ ‘ଯାତ୍ତ’ ହୋଇ ଗ୍ରାମ୍ୟଭାଷାରେ ‘ଯାତ୍‌’ ବା ‘ଯାତ’ ହୋଇଛି । ଏହି ‘ଯାତରା’ ବା ଉତ୍ସବ ଦେଖିବା ପ୍ରସଙ୍ଗରେ ଓଡ଼ିଶାରେ ଗ୍ରାମାଞ୍ଚଳରେ ଏକ ଢଗର ପ୍ରଚଳନ ଅଛି ‘‘ଦିନେ ନାହିଁ କାଳେ ନାହିଁ ଯାତରାକାଳେ ମାଇଁ’’ । ପୁଣି କୁହାଯାଏ ‘ବାରମାସରେ ତେର ଯାତରା’-

 

ଉଲ୍ଲଖିତ ସମସ୍ତ ପ୍ରମାଣରୁ ଜଣାଯାଏ ଯେ ବହୁ ପ୍ରାଚୀନକାଳରୁ ହିନ୍ଦୁ ଧର୍ମୋତ୍ସବଗୁଡ଼ିକ ‘ଯାତ୍ରା’ ବୋଲାଯାଉଛି ଏବଂ ଅଦ୍ୟାବଧି ସେଥିରେ କୌଣସି ବ୍ୟତିକ୍ରମ ଘଟିନାହିଁ ।

 

ଆଉ ଏକ ଅର୍ଥରେ ଯାତ୍ରା କହିଲେ ଏକ ପ୍ରକାର ମୁକ୍ତାଙ୍ଗନ ଲୋକନାଟ୍ୟ ରୀତିକୁ ବୁଝାଏ-। ଏହି ଲୋକ-ନାଟ୍ୟ ରୀତିକୁ କାହିଁକି ‘‘ଯାତ୍ରା’’ କୁହାଗଲା ସେ ସମ୍ପର୍କରେ ବିଭିନ୍ନ ପଣ୍ଡିତ ବିଭିନ୍ନ ମତପୋଷଣ କରନ୍ତି । କିନ୍ତୁ ବିଶେଷଭାବରେ ସମର୍ଥିତ ଯୁକ୍ତିହେଲା ଯେ ‘ଯାତ୍ରା’ ବା ଉତ୍ସବ ସମୟରେ ଅନୁଷ୍ଠିତ ହେଉଥିବାରୁ ଏହି ଗ୍ରାମ୍ୟ-ନାଟ୍ୟ ରୀତିକୁ କ୍ରମଶଃ ‘ଯାତ୍ରା’ କୁହାଗଲା । ପ୍ରାଚୀନ କାଳରେ ‘ଯାତ୍ରା’ ସମୟରେ ନାଟ୍ୟ ପ୍ରଯୋଜନା ହେଉଥିବାର ପ୍ରମାଣ ମିଳେ । କାଳପ୍ରିୟନାଥଙ୍କ ଯାତ୍ରା ଉପଲକ୍ଷେ ଭବଭୂତି ‘ଉତ୍ତର ରାମଚରିତ ଓ ‘ମାଳତୀ ମାଧବ ନାଟକ’ଦ୍ୱୟ ରଚନା କରିଥିଲେ-। କାଲିଦାସଙ୍କ ‘ମାଳବିକାଗ୍ନିମିତ୍ର’ ଓ ଶ୍ରୀହର୍ଷଙ୍କ ‘ରତ୍ନାବଳୀ’ ନାଟକ ବସନ୍ତୋତ୍ସବରେ ଅଭିନୀତ ହେବାପାଇଁ ରଚିତ ହୋଇଥିଲା । ଉତ୍କଳରେ ରଚିତ ‘ଅନର୍ଘାରାଘବ’ ନାଟକଟି ପୁରୁଷୋତ୍ତମଙ୍କ ଯାତ୍ରା ଉପଲକ୍ଷେ ଅଭିନୀତ ହୋଇଥିବାର ପ୍ରମାଣ ମିଳେ । ଏହାଛଡ଼ା ଶ୍ରୀକୃଷ୍ଣ ମିଶ୍ର ବିରଚିତ ‘ପ୍ରବୋଧ ଚନ୍ଦ୍ରୋନୟ ନାଟକମ୍‌’ ଓ ‘ଉତ୍ସାହବତୀ’ ନାଟକ ଦୁଇଟି ଦୋଳଯାତ୍ରା ଉପଲକ୍ଷେ ଅଭିନୀତ ହୋଇଥିବା କଥା ନାଟ୍ୟକାର ନିଜେ ଉଲ୍ଲେଖ କରିଛନ୍ତି । ଏ ସମସ୍ତ ପ୍ରମାଣରୁ ବିଶ୍ୱାସ କରାଯାଏ ଯେ ‘ଯାତ୍ରା’ ଊପଲକ୍ଷେ ନାଟକାଭିନୟ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଉଠିଥିବାରୁ ଏବଂ ଏଥିପ୍ରତି ଦର୍ଶକଙ୍କର ଅତ୍ୟଧିକ ଆକର୍ଷଣ ଥିବାରୁ କ୍ରମଶଃ ନାଟକ ପ୍ରଦର୍ଶନକୁ ‘ଯାତ୍ରା’ କୁହାଗଲା । ତା ନ ହୋଇଥିଲେ ନାଟ୍ୟ, ନୃତ୍ୟ, ଗୀତ ବା ଅଭିନୟ ସହିତ ସମ୍ପର୍କ ନ ରଖୁଥିବା ଏକ ଶବ୍ଦ ‘ଯାତ୍ରା’ ଏକ ନାଟ୍ୟ ପରମ୍ପରାକୁ ବୁଝାଉ ନ ଥାନ୍ତା ।

 

ଲୋକ-ନାଟ୍ୟ ‘ଯାତ୍ରା’ର ଜନ୍ମ ପ୍ରାଚୀନ ଗୀତାଭିନୟ (ସୁଆଙ୍ଗ) ଲୀଳା ଇତ୍ୟାଦିରୁ । ଆଧୁନିକ ନାଟ୍ୟ ପରମ୍ପରା ନୃତ୍ୟ ସଂଗୀତର ପ୍ରାଚୁର୍ଯ୍ୟ, ବିଦେଶୀ ବାଦ୍ୟଯନ୍ତ୍ର ଇତ୍ୟାଦି ବିଭିନ୍ନ ବିଭବର ସମନ୍ୱୟରେ, ଏକ ସ୍ୱତନ୍ତ୍ର ନାଟ୍ୟ-ରୀତି ଭାବରେ ଜନ୍ମନେଲା ଊନବିଂଶ ଶତାବ୍ଦୀରେ, ତା ପୂର୍ବରୁ ନୁହେଁ । ବର୍ତ୍ତମାନ ଭାରତରେ ପୂର୍ବାଞ୍ଚଳ ପ୍ରଦେଶ ଗୁଡ଼ିକରେ, ବିଶେଷ ଭାବରେ ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ମଣିପୁର ଓ ତ୍ରିପୁରାରେ ‘ଯାତ୍ରା’ ଅତି ଲୋକପ୍ରିୟ ଗଣ-ନାଟ୍ୟ । ଯାତ୍ରାକୁ ଗଣନାଟ୍ୟ ବା ଲୋକନାଟ୍ୟ ବୋଲା ଯିବାର କାରଣ ଏହି ଯେ ଏହା ସାଧାରଣତଃ ଅଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ଜନସାଧାରଣ ଆନନ୍ଦ ଦେବାରେ ଏବଂ ଆନନ୍ଦ ଦେବା ମାଧ୍ୟମରେ ଜନମାନସରେ ମୂଲ୍ୟବାନ୍‌ ସାମାଜିକ ଆବେଗ ସଞ୍ଚାର କରିବା ପାଇଁ ମୂଖ୍ୟତଃ ରଚିତ ଓ ଅଭିନୀତ-

————

 

‘‘ଶକୁନ ଗ୍ରନ୍ଥ, ଯୋଗୀନ୍ଦ୍ରଙ୍କ ଅଦ୍ଭୁତସାର ଓ କେତୋଟି ସମସ୍ୟା’’

ଶ୍ରୀ ଦୁଃଖିଶ୍ୟାମ ପଟ୍ଟନାୟକ

 

ଶକୁନ-ବିଶ୍ୱାସ

ମାନବ ସମାଜର ସୃଷ୍ଟି କାଳରୁ ଶକୁନ ବିଶ୍ୱାସ ରହିଆସିଛି । ଦେଶ ଯେତେ ବିଜ୍ଞାନସମୃଦ୍ଧ ହେଲେହେଁ ତା’ର ସାମାଜିକ ମନରେ ଅନ୍ଧବିଶ୍ୱାସର ସ୍ଥାନକୁ ବହୁ ବିଦ୍ୱାନ ସେମାନଙ୍କର ଅନେକ ବର୍ଷର ଗବେଷଣାଦ୍ୱାରା ସ୍ୱୀକାର କରିଯାଇଛନ୍ତି । (୧) ଶକୁନ ମଧ୍ୟ ଏକ ଅନ୍ଧବିଶ୍ୱାସ ଏବଂ ଅନ୍ଧବିଶ୍ୱାସ ଭଳି ଅଜ୍ଞାନ ବା ଭୟରୁ ମଧ୍ୟ ଏହାର ଉତ୍ପତ୍ତି । ମନୁଷ୍ୟ ଭୟ ସହିତ ଜନ୍ମ ନିଏ (୨) ଏବଂ ପରେ ସେଥିରୁ ବିଶ୍ୱାସ ଅନ୍ଧବିଶ୍ୱାସ ଶକୁନବିଶ୍ୱାସ ସ୍ଥାନ ପାଏ । ମନୁଷ୍ୟର ସହଜାତ ଏହି ଭୟ ସଜ୍ଞାନ ଓ ଅଜ୍ଞାନ ଭେଦରେ ଦ୍ୱିବିଧ । ଘରପୋଡ଼ି, ବନ୍ୟାପ୍ରକୋପ ପ୍ରଭୃତିର କୁପରିଣାମ ଅନୁଭୂତିରୁ ମନୁଷ୍ୟ ସ୍ୱାଭାବିକ ଭାବରେ ଭୀତ ଓ ଶଙ୍କିତ ହୋଇପଡ଼େ ଏବଂ ଭୟ କାରଣରୁ ତା’ର ଭବିଷ୍ୟତ କାର୍ଯ୍ୟଜ୍ଞାନ ଉଦ୍ଭୂତ ହୁଏ । ଏତାଦୃଶ କାରଣ କାର୍ଯ୍ୟଭାବ ସମ୍ବନ୍ଧିତ ଭୟକୁ ସଜ୍ଞାନ ଭୟ କୁହାଯାଏ; କିନ୍ତୁ ରାତ୍ରିରେ ଉଲ୍ଲୂକ ଓ ପେଚକ ରଡ଼ି ପ୍ରଭୃତିରୁ ଯେଉଁ ଅଜ୍ଞାତ ମୃତ୍ୟୁଶଙ୍କା ଜାତ ହୁଏ, ଉକ୍ତ କାର୍ଯ୍ୟକାରଣ ଭାବ ସମ୍ବନ୍ଧହୀନ ଭୟକୁ ଅଜ୍ଞାନାତ୍ମକ ଭୟ କୁହାଯାଏ । ଏହି ଅଜ୍ଞାନତ୍ମକ ଭାବି ଭୟ ବା ଶଙ୍କାରେ ବ୍ୟାକୁଳ ମନୁଷ୍ୟ ଆତ୍ମରକ୍ଷାର ବଳବତୀ ପ୍ରବୃତ୍ତି ବଶତଃ ତା’ର ଦୁର୍ବଳ ମନରେ ସ୍ୱାଭାବିକଭାବରେ ଅନିଶ୍ଚିତ ଭବିଷ୍ୟତର ବିଡ଼ମ୍ୱିତ ସ୍ଥିତିକୁ କଳ୍ପନା କରାଯାଏ । କ୍ଷଣଭଙ୍ଗୁର ଜୀବନରେ ଅତିବୃଷ୍ଟି, ଅନାବୃଷ୍ଟି, ଭୂକମ୍ପ, ବଜ୍ରପାତ, ଘୋର ଦୁର୍ଭିକ୍ଷ ପ୍ରଭୃତି ପ୍ରାକୃତିକ ବିପଦ ସହିତ ସଂଗ୍ରାମ କରି କରି ସେ ଯେତେବେଳେ ଅତିଷ୍ଠ ଓ ଅବସନ୍ନ ହୋଇପଡ଼େ, ସେତେବେଳେ ସେ ଏଗୁଡ଼ିକର କାରଣ ବା ହେତୁକୁ ବିଶ୍ଳେଷଣ କରିବାର ଅସମର୍ଥ ହୋଇ ଅସହାୟଭାବରେ ଏହାକୁ ବିଧାତାର ବିଡ଼ମ୍ୱନ, ବିମୁଖତା ଓ କ୍ରୂରତମ ପ୍ରତିକୂଳାଚରଣ ବୋଲି ଭାବିଯାଏ । (୩) ବିଧାତା ବା ଦୈବ ଉପରେ ମନୁଷ୍ୟର ଏତାଦୃଶ ଅସହାୟ ନିର୍ଭରଶୀଳତା ଓ ଧର୍ମଧାରଣାଜନ୍ୟ ବିଶ୍ୱାସ ହିଁ ଶକୁନ ଭାବନା ମୂଳରେ ଅନ୍ତର୍ନିହିତ । ତେଣୁ ମହାମତି ବରାହମିହିର ଶକୁନକୁ ଜନ୍ମାନ୍ତରକୃତ ଶୁଭାଶୁଭର ନିବେଦକ ବା ବିଜ୍ଞାପକ ବୋଲି କହିଛନ୍ତି (୪) ଅତଏବ ପଶୁପକ୍ଷୀ, ସ୍ୱପ୍ନ, ଦୈବୀ ପ୍ରକୋପ, ନକ୍ଷତ୍ର ପ୍ରଭୃତିରୁ ଉପଲବ୍‌ଧ ଶକୁନ-ବିଶ୍ୱାସ ଭିତରେ ଅଜ୍ଞାନ ଓ ଆଶଙ୍କା ସହ ଦୈବବିଶ୍ୱାସ ମଧ୍ୟ ଲୁକ୍‌କାୟିତ ରହିଥାଏ ।

 

‘‘ଶକ୍ନୋତି ଶୁଭାଶୁଭଂ ବିଜ୍ଞାତୁମନେନ’’ ବା ମନୁଷ୍ୟ ଏହାଦ୍ୱାରା ଶୁଭାଶୁଭ ଜାଣିବାରେ ସମର୍ଥ ହୁଏ ବୋଲି ପାଣିନି ‘‘ଶକେରୁନୋନ୍ତୋନ୍ତ୍ୟୁନୟଃ’’ ସୂତ୍ରରେ ‘ଶକ’ ଧାତୁରୁ ‘ଉନ’ ପ୍ରତ୍ୟୟର ବ୍ୟବସ୍ଥା କରି ‘ଶକୁନ’ ଶବ୍ଦ ସିଦ୍ଧ କରିଛନ୍ତି । ଏହାକୁ ନିରୁକ୍ତ ଶୈଳୀରେ ‘ଶକ୍ନୋତି ଶଙ୍କିତୁମନେନେତି’ ଅର୍ଥାତ୍‌ ଏହାଦ୍ୱାରା ମନୁଷ୍ୟ ଶଙ୍କିତ ହେଉଥିବାରୁ ଏହାକୁ ‘ଶକୁନ’ କୁହାଯାଏ ବୋଲି ମଧ୍ୟ ବ୍ୟାଖ୍ୟାନ୍ତର କରାଯାଇପାରେ । ଅଦ୍ଭୁତ ସାଗରରେ ବଲ୍ଲାଳସେନ ମଧ୍ୟ ‘‘ଶକୁନ’’ ର ପରିଭାଷା କରି କହିଛନ୍ତି-

 

‘ଶୁଭାଶୁଭ.....ବିନିର୍ଣ୍ଣୟାୟ ହେତୁର୍ନୃଣାଂ ଯଃ ଶକୁନଃ ସଉକ୍ତଃ ।

ଗତିସ୍ୱରାଲୋକନଭାବଚେଷ୍ଟା ସଂକୀର୍ଣ୍ଣନାମ୍ନା ଦ୍ୱିପଦାଦିକାନାମ୍‌ ।।

 

ଦ୍ୱିପଦାଦିଙ୍କର ଗତି, ସ୍ୱର, ଦର୍ଶନ, ଭାବଚେଷ୍ଟା ପ୍ରଭୃତିରୁ ମନୁଷ୍ୟର ଶୁଭାଶୁଭଦ୍ୟୋତକ ଯେଉଁ ସଙ୍କେତ ମିଳେ ତାହାକୁ ‘ଶକୁନ’ କୁହାଯାଏ ।

 

ମାନବ ସମାଜର ଭାବୀ ଶୁଭାଶୁଭ ନିର୍ଣ୍ଣୟରେ ଶକୁନର ସମ୍ୱନ୍ଧ ଥିବା ବିଷୟରେ ଗବେଷଣା କରିଥିବା ଅନ୍ୟତମ ବିଶିଷ୍ଟ ପଶ୍ଚାତ୍ୟ ବିଦ୍ୱାନ୍‌ ନୋଲସନ୍‌ କହିଛନ୍ତି-

 

‘‘An omen is an event which is supposed to indicate destiny, the chief feature being the gratuitous nature of the happening. It is message about the future which one do not seek for’’ (5)

 

ଶାସ୍ତ୍ରୀୟ ଶକୁନ ଓ ବିଷୟ ବର୍ଗୀକରଣ :

ବିଶ୍ୱାସଶୀଳ ଭାରତୀୟ ମନରେ ଶକୁନ-ବିଶ୍ୱାସ ଏପରି ଗଭୀରଭାବରେ ରହିଛି ଯେ, ପ୍ରତିକାର୍ଯ୍ୟ ପୁର୍ବରୁ ଭାରତୀୟ ମନ ଏହାର ଶୁଭାଶୁଭ ଓ ସଫଳତା, ବିଫଳତା ନେଇ ପ୍ରଶ୍ନ କରିଛି, ଶଙ୍କିତ ହୋଇଛି ଏବଂ ତା’ର ଅନୁଭୂତି ପରିସଂଖ୍ୟାନରୁ ବହୁ ବିଚାରପୂର୍ଣ୍ଣ ଗ୍ରନ୍ଥ ରଚନା କରିଛି । ଏହି ଗ୍ରନ୍ଥମାନଙ୍କର ଶକୁନଦ୍ୱାରା ଭାବୀ ଶୁଭାଶୁଭ ଜ୍ଞାନ ତଥା ଅଶୁଭର ନିରାକରଣ ପାଇଁ ବ୍ୟବସ୍ଥାର ଉଲ୍ଲେଖ ରହିଛି । ବୈଦିକ ସାହିତ୍ୟରେ ମିଳୁଥିବା ଶକୁନ ଚିନ୍ତାଧାରାରୁ ଭାରତୀୟ ଶକୁନ ବିଶ୍ୱାସର ରୂପରେଖ ମିଳିଥାଏ । ଋଗ୍‌ବେଦରେ ଦକ୍ଷିଣ ଦିଗରେ ପକ୍ଷୀଶବ୍ଦକୁ ସୁମଙ୍ଗଳ ଓ ଶୁଭ ବୋଲି କୁହାଯାଇଛି (୬) । କିନ୍ତୁ ଗୃହ ମଧ୍ୟରେ କପୋତ ପ୍ରବେଶ କଲେ ଦାସ-ଦାସୀ, ଗୋ-ଅଶ୍ୱ ପ୍ରଭୃତିର ଅନିଷ୍ଟକାରଣ ବୋଲି କୁହାଯିବା ସଙ୍ଗେ ସଙ୍ଗେ, ଏହାକୁ ଯମରାଜର ଦୂତ ଓ ପକ୍ଷଧାରୀ ଅସ୍ତ୍ର ବୋଲି କୁହାଯାଇଛି । ଉଲ୍ଲୁକ ସମ୍ୱନ୍ଧରେ ମଧ୍ୟ ଅନୁରୁପ ଧାରଣା ପ୍ରକାଶ କରି ଏ ସବୁର ନିରାକରଣପାଇଁ ପାର୍ଥନା କରାଯାଇଛି (୭) । ଅଥର୍ବବେଦ ସଂହିତାରେ ମଧ୍ୟ କପୋତ ଓ ଉଲ୍ଲୁକକୁ ଯମଦୂତ ବୋଲି ସେ ଦୁହିଁଙ୍କୁ ଘରଠାରୁ ଦୂରରେ ରହିବାକୁ ପ୍ରାର୍ଥନା କରାଯାଇଛି (୮) । ଏହାଛଡ଼ା ଯାତ୍ରାକାଳରେ ପଛରୁ ଡାକିବା, ଆଗରେ ଛିଙ୍କିଦେବା ବା ଶୂନ୍ୟକୁମ୍ଭ ଦେଖିବା ପ୍ରଭୃତିକୁ ମଧ୍ୟ ଅଶୁଭ ବୋଲି ସେଗୁଡ଼ିକର ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରାଯାଇଛି (୯)-। ଏଥିରେ, ଭୂମିକମ୍ପ, ଭୂବିଦୀର୍ଣ୍ଣ, ଉଲ୍‌କା, ଧୂମକେତୁ, ସୂର୍ଯ୍ୟପରାଗ ଓ ରକ୍ତକ୍ଷୀରା ଗାଭୀକୁ ଅଶୁଭ ବୋଲି ଏତାଦୃଶ ଅଶୁଭ ଶାନ୍ତି ସକାଶେ ପ୍ରାର୍ଥନା ମଧ୍ୟ କରାଯାଇଛି (୧୦) । ଅଥର୍ବ ବେଦର ଏକୋନବିଂଶ କାଣ୍ଡରେ ଏହିପରି ବହୁ ଶକୁନ ବିଷୟ ଏବଂ ଅଶୁଭ ଶାନ୍ତି ପାଇଁ ପ୍ରାର୍ଥନା ନିହିତ ଅଛି-। ଷଡ଼୍‌ବିଂଶତି ବ୍ରାହ୍ମଣର ଅନ୍ତିମ ପ୍ରପାଠକରେ ମଧ୍ୟ ଅଶୁଭ ଶକୁନ ଏବଂ ବିବିଧ ଦେବଦେବୀଙ୍କ ସ୍ତୁତିଦ୍ୱାରା ସେଗୁଡ଼ିକର ନିରାକରଣ ସମ୍ୱନ୍ଧରେ ବିସ୍ତୃତ ବିବରଣୀ ଦେଖାଯାଏ । ଏହି ଷଡ଼ବିଂଶତି ବ୍ରାହ୍ମଣକୁ ଭାରତୀୟ ଶକୁନ ଶାସ୍ତ୍ରର ଆଧାର ଗ୍ରନ୍ଥ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏତଦ୍‌ବ୍ୟତୀତ ଐତରେୟ ଆରଣ୍ୟକର ତୃତୀୟ ଆରଣ୍ୟକ ଦ୍ୱିତୀୟ ଅଧ୍ୟାୟରେ ତଥା କୌଷୀତକ ଓ ଆପସ୍ତମ୍ଭ ଗୃହ୍ୟସୂତ୍ରରେ ମଧ୍ୟ ଶକୁନ ବିଷୟ ଆଲୋଚିତ ହୋଇଛି । (୧୧) ଏ ସମସ୍ତରେ ଅଶୁଭ ଘଟଣା ସବୁ ଦେବତାଭିପ୍ରେରିତ ମନେକରି ସେଗୁଡ଼ିକର ଶାନ୍ତି ପାଇଁ ଦେବତାମାନଙ୍କୁ ପ୍ରାର୍ଥନା କରାଯାଇଥିଲା ଏବଂ ତାହାର ନିରାକରଣ ସମ୍ଭବ ବୋଲି ମନେ କରାଯାଉଥିଲା । କାରଣ ବ୍ରାହ୍ମଣ ମୁଖରେ ଯଜ୍ଞଦ୍ୱାରା ସମସ୍ତ କାର୍ଯ୍ୟ ସମ୍ଭବ ବୋଲି ଦୃଢ଼ ବିଶ୍ୱାସ ଥିଲା । ମାତ୍ର ପରବର୍ତ୍ତୀ କାଳରେ ଅପଶକୁନର ନିରାକରଣରେ ମନୁଷ୍ୟର ଦୃଢ଼ତା ଶିଥିଳ ହୋଇପଡ଼ିଲା । ତେଣୁ ବରାହମିହିର ତିନିପ୍ରକାର ଅପଶକୁନ ମଧ୍ୟରୁ ଭୌମ ଅପଶକୁନର ଶାନ୍ତି ଉପାୟ ଦ୍ୱାରା ସମ୍ଭବ ଏବଂ ଆନ୍ତରିକ୍ଷ ଅପଶକୁନକୁ ଶାନ୍ତି କରାଯାଇ ନ ପାରିଲେ ମଧ୍ୟ ତା’ର ପ୍ରଭାବ ଲାଘବ କରାଯାଇପାରେ ବୋଲି କହି ଦିବ୍ୟ-ଅପଶକୁନର ନିରାକରଣର ସମ୍ୱନ୍ଧରେ ମତ-ଦ୍ୱୈଧତା ପ୍ରକାଶ କରି କହିଛନ୍ତି ଯେ, କେତେକ ଦିବ୍ୟ-ଅପଶକୁନର ନିରାକରଣ ଅସମ୍ଭବ ଏବଂ ଆଉ କେତେକର ନିରାକରଣ ପାଇଁ ରୁଦ୍ରାୟତନରେ ଗୋଦୋହନ, କୋଟି ହୋମ ବିଧାନ ସହ ପ୍ରଭୂତ ସ୍ୱର୍ଣ୍ଣ, ଅନ୍ନ, ଗୋ ଓ ଭୂମିଦାନ ଦ୍ୱାରା କଠୋର ପ୍ରଯତ୍ନସାଧ୍ୟ ବୋଲି କହନ୍ତି (୧୨) ବୈଦିକ ସାହିତ୍ୟରେ ମିଳୁଥିବା ଶକୁନବିଶ୍ୱାସ ସମୂହକୁ ନିମ୍ନଲିଖିତ ଛ’ଟି ବିଭାଗରେ ଉପସ୍ଥାପନ କରାଯାଇପାରେ-

 

(କ)

ଗ୍ରହ-ଉପଗ୍ରହ ସୃଷ୍ଟ ଶକୁନ-ଯଥା:-ସୂର୍ଯ୍ୟ, ଚନ୍ଦ୍ର, ଧୂମକେତୁ, ଉଲ୍‌କା ଓ ଅନ୍ୟ ନକ୍ଷତ୍ରରୁ ପ୍ରାପ୍ତ ଶକୁନ ଏଥିର ଅନ୍ତର୍ଭୁକ୍ତ ।

(ଖ)

ପ୍ରାକୃତିକ ଶକୁନ, ବାୟୁ, ବିଦ୍ୟୁତ ପ୍ରଭୃତିରୁ ଘଟୁଥିବା ଅଭୁତ ।

(ଗ)

ପଶୁପକ୍ଷୀଙ୍କଠାରୁ ସୂଚିତ ଶକୁନ ।

(ଘ)

ଶାରୀରିକ ଲକ୍ଷଣରୁ ସୂଚିତ ଶକୁନ

(ଙ)

ସ୍ୱାପ୍ନ ଶକୁନ; ଏଥିରେ ସ୍ୱପ୍ନ ସଙ୍କେତରୁ ଶୁଭାଶୁଭ ସମ୍ଭାବନା କରାଯାଏ ।

(ଚ)

ଅନ୍ୟାନ୍ୟ ଶକୁନ ।

 

ବରାହମିହିର କିନ୍ତୁ ସ୍ଥାନର ଆଧାର ଉପରେ ଦିବ୍ୟ, ଆନ୍ତରିକ୍ଷ, ଭୌମ ଭେଦରେ ଅପଶକୁନକୁ ତିନି ଭାଗରେ ବିଭକ୍ତ କରିଛନ୍ତି । (୧୩) ଏଥିରେ ଗ୍ରହ, ନକ୍ଷତ୍ର ସମ୍ୱନ୍ଧୀୟ ବିକୃତି, ଉଲ୍‌କା, ନିର୍ଘାତ, ପବନ ଓ ପରିବେଶ ସକଳକୁ ଦିବ୍ୟ ଉତ୍ପାତ; ଗନ୍ଧର୍ବପୁର, ଇନ୍ଦ୍ରଧନୁ ପ୍ରଭୃତିକୁ ଆନ୍ତରିକ୍ଷ ଏବଂ ଚରସ୍ଥିରାଦି ପଦାର୍ଥ ଜାତକୁ ଭୌମ ଉତ୍ପାତ କହିଛନ୍ତି । ଏହି ବିଭାଗ କିନ୍ତୁ କେବଳ ଅଦ୍ଭୁତ ବା ଉତ୍ପାତକୁ ନେଇ ହୋଇଥିବାରୁ ସୀମିତ; କିନ୍ତୁ ଏହି ବର୍ଗୀକରଣକୁ ଭିତ୍ତି କରି ହିଁ ପରବର୍ତ୍ତୀ କାଳରେ ‘ଅଦ୍ଭୁତ ସାଗର’ ପରି ବହୁ ଶକୁନ ଗ୍ରନ୍ଥ ସଙ୍କଳିତ ହୋଇଛି । ସେଥିମଧ୍ୟରୁ ଯୋଗୀଶ୍ୱରଙ୍କ ‘ଅଦ୍ଭୁତସାର’ ଅନ୍ୟତମ ।

 

ଯୋଗୀଶ୍ୱରଙ୍କ ଏହି ଗନ୍ଥଟି ସାଂସ୍କୃତିକ ବ୍ୟାପାର ନିର୍ଦ୍ଦେଶାଳୟ ତରଫରୁ ଅତିଶୀଘ୍ର ମୁକ୍ତିଲାଭ କରୁଥିବା’ ଏହାର ସମ୍ପାଦିକାଙ୍କ ‘ଶକୁନ ବିଦ୍ୟାର କ୍ରମବିକାଶ ଓ ଅଦ୍ଭୁତ ସାଗର’ ପ୍ରବନ୍ଧରୁ ପ୍ରକାଶ । (୧୪) ଯୋଗୀଶ୍ୱରଙ୍କ ଏହି ଗ୍ରନ୍ଥ ବଲ୍ଲାଳସେନଙ୍କ ପ୍ରକାଶିତ ‘ଅଦ୍ଭୁତ ସାଗର’ର ଏକ ଅନୁକୃତି ହୋଇଥିଲେ ହେଁ ଗ୍ରନ୍ଥର ନାମକରଣ ଓ ଲେଖକ ସମସ୍ୟାକୁ ନେଇ ଏହି ଗ୍ରନ୍ଥର ଆଲୋଚନା ଗବେଷଣା କ୍ଷେତ୍ରରେ ଅପରିହାର୍ଯ୍ୟ ମନେହୁଏ ।

 

ଅଦ୍ଭୁତ ସାରର ବିଷୟ ସଂକେତ :-

ଅଦ୍ଭୁତ ଶବ୍ଦର ଅର୍ଥ ହେଉଛି ‘ଅଦେଖା ବା ଅଘଟଣ ଘଟନା’ । ଯାହା ପୂର୍ବରୁ ଦେଖାଯାଇ ନଥାଏ; ଅଥଚ ହଠାତ୍‌ ଦେଖାଦିଏ ତାକୁ ଅଦ୍ଭୁତ କୁହାଯାଏ । ତେଣୁ ମହାମୁନି ଯସ୍କ ‘କସ୍ତଦେ୍‌ବଦ ଯଦଦ୍ଭୁତଂ’କୁ ‘କସ୍ତଦେ‌ବ୍‌ଦ ଯଦଦ୍ଭୁତଂ’ କରି ଅଦ୍ଭୁତ ଶବ୍ଦର ବ୍ୟାଖ୍ୟା । ‘ଯଦ ଅଦ୍ଭୂତମ୍‌ ଅନୁତ୍ପନ୍ନମ୍‌’ ବା ‘ନ ଭୁତମ’ ବୋଲି କରିଛନ୍ତି । (୧୫) ପାଣିନି ଏହି ଶବ୍ଦର ସିଦ୍ଧି ପାଇଁ ଏକ ସ୍ୱତନ୍ତ୍ର ସୂତ୍ରରେ ‘ଅଦି ଭୁବୋ ଡୁତଚ୍‌’ ଅଦ୍ଭୁତମ୍‌ (୧୬) ବୋଲି କହିଛନ୍ତି । ତେଣୁ ’ଅତ୍‌’ ପୁର୍ବକ ‘ଭୂ’ ଧାତୁରୁ ‘ଡୁତଚ୍‌’ ପ୍ରତ୍ୟୟ ହୋଇ ‘ଅଦ୍ଭୁତ’ ଶବ୍ଦ ନିଷ୍ପନ୍ନ । ଏଠାରେ ‘ଅତ ସାତତ୍ୟଗମନେ’ ଧାତୁରୁ କ୍ୱିପ ପ୍ରତ୍ୟୟ ହୋଇ ଉତ୍ପନ୍ନ ‘ଅତ୍‌’ ହେଉଛି ଏକ ଆକସ୍ମିକାର୍ଥକ ଅବ୍ୟୟପଦ (୧୭) ଏବଂ ଅଦ୍ଭୁତ ଶବ୍ଦର ଅର୍ଥ ହେବ ଆକସ୍ମିକ ଭାବରେ ଯାହା ହୁଏ, ବଲ୍ଲାଳସେନଙ୍କ ‘ଅଦ୍ଭୁତ ସାଗର’ରେ ଏବଂ ଯୋଗୀଶ୍ୱରଙ୍କ ‘ଅଦ୍ଭୁତ ସାର’ରେ ବହୁ ଆକସ୍ମିକ ଭାବରେ ଘଟୁଥିବା ଉତ୍ପାତ ଶକୁନର ଆଲୋଚନା କରାଯାଇଛି । ଉକ୍ତ ଗ୍ରନ୍ଥରେ ସଂକଳୟିତା ସ୍ୱୟଂ ବୃଦ୍ଧଗର୍ଗଙ୍କ ମତ ଉଦ୍ଧାର କରି କହିଛନ୍ତି ।

 

ଅଦ୍ଭୁତପୂର୍ବଂ ଯଦ୍‌ବସ୍ତୁ ତତ୍‌ପୂର୍ବଂ ଜାୟତେଽନ୍ୟଥା ।

ତଦଦ୍ଭୁତମିତି ପ୍ରୋକ୍ତଂ ନୈମିତ୍ତିଂ ଚାନିମିତ୍ତଜମ୍‌ ।।

 

ଯୋଗୀଶ୍ୱରଙ୍କ ‘ଅଦ୍ଭୁତ ସାର’ ଦିବ୍ୟ, ଆନ୍ତରିକ୍ଷ, ଭୌମ ଓ ମିଶ୍ରକ ଏହିପରି ଚାରୋଟି ଆଶ୍ରୟରେ ବିଭକ୍ତ ହୋଇଛି । ପ୍ରଥମ ଦିବ୍ୟାଶ୍ରୟରେ ସୂର୍ଯ୍ୟ, ଚନ୍ଦ୍ର, ରାହୁ, ମଙ୍ଗଳ, ବୁଧ, ବୃହସ୍ପତି, ଭାର୍ଗବ, ଶନୈଶ୍ଚର, ଓ କେତୁ-ଏହି ନବଗ୍ରହଙ୍କ ନାମରେ ନ’ଟି ଅଦ୍ଭୁତ ସହିତ ଅଗସ୍ତି, ଗ୍ରହଯୁଦ୍ଧ, ଆକୃତିଯୋଗ, ରବ୍ୟାଦିବର୍ଷାଦ୍ଭୁତ ପ୍ରଭୃତି ବର୍ଣ୍ଣିତ ହୋଇଛି । ଏହା ବ୍ୟତୀତ କେତେକ ପୋଥିରେ ଋକ୍ଷାଦ୍ୟଦ୍ଭୁତ ଓ ନକ୍ଷତ୍ରମାର୍ଗ ନିର୍ଣ୍ଣୟ ଏହିପରି ଅଧିକା ଦୁଇଗୋଟି ଅଦ୍ଭୁତ ଅଧ୍ୟାୟ ରହିଛି । ଅତଏବ ପ୍ରଥମ ଆଶ୍ରୟରେ ମୋର ଅଦ୍ଭୁତ ସଂଖ୍ୟା ହେଉଛି ପନ୍ଦର ।

 

ଦ୍ୱିତୀୟ ଅନ୍ତରୀକ୍ଷାଶ୍ରୟରେ ମୋଟ ଅଠରଟି ଅଧ୍ୟାୟ ଅଠରଗୋଟି ଅଦ୍ଭୁତ ବର୍ଣ୍ଣିତ । ସେଗୁଡ଼ିକ ହେଉଛନ୍ତି-ପ୍ରତିସୂର୍ଯ୍ୟାଦ୍ଭୂତ, ପରିବେଶଦ୍ଭୂତ, ଇନ୍ଦ୍ରଧନୁ, ଅଦ୍ଭୁତ, ରଶ୍ମିଦଣ୍ଡାଦ୍ଭୁତ, ଗନ୍ଧର୍ବନଗରାଦ୍ଭୁତ, ନିର୍ଘାତାଦ୍ଭୁତ, ସନ୍ଧ୍ୟାଦ୍ଭୁତ, ସନ୍ଧ୍ୟାକାଳୀନ ରବିକିରଣାଦ୍ଭୁତ, ଦିଗ୍‌ଦାହାଦ୍ଭୁତ, ଛାୟାଭୂଦି ତମୋଧିମୋ ରଜୋନୀହାରାଦ୍ଭୁତ, ଉଲ୍‌କାଦ୍ୟଦ୍ଭୁତ, ବିଦ୍ୟୂଦଦ୍ଭୁତ, ବାଣାଦ୍ଭୁତ, ମେଘାଦ୍ଭୁତ, ମେଘଗର୍ଭଦ୍ଭତ, ବର୍ଷାଦ୍ଭୁତ, ବୃଷ୍ଟ୍ୟାଦ୍ୟଦ୍ଭୁତ ।

 

ତୃତୀୟ ଭୌମାଶ୍ରୟରେ ୩୩ ଗୋଟି ଅଧ୍ୟାୟ ମଧ୍ୟରେ ନିମ୍ନଲିଖିତ ଅଦ୍ଭୁତମାନଙ୍କ ବିଷୟରେ କୁହାଯାଇଛି-ଭୂକମ୍ପାଦ୍ଭୁତ, ଜଳାଶୟାଦ୍ଭୁତ, ଦୀପାଦ୍ଭୁତ, ଦେବତାଦ୍ଭୁତ, ଶକ୍ରଧ୍ୱଜାଦ୍ଭୁତ, ବୃକ୍ଷ-ଲତା, ଫଳ-ପୁଷ୍ପ-ଶସ୍ୟ-ଅନ୍ନ-ବ୍ୟଞ୍ଜନାଦ୍ୟଦ୍ଭୁତ, ଅଗ୍ନ୍ୟଦ୍ଭୁତ, ଗୃହାଦ୍ୟଦ୍ଭୁତ, ବାତଦୋପସ୍ମରାଦ୍ୟଦ୍ଭୁତ, ବସ୍ତ୍ରପାନାଶୟନାଦ୍ୟଦ୍ଭୁତ, ଶସ୍ତଦ୍ଭୁତ, ପୁରାଦ୍ୟଦ୍ଭୁତ, ଦିବ୍ୟସ୍ତ୍ରୀ ପୁରୁଷଦର୍ଶନାଦ୍ୟଦ୍ଭୁତ, ମାନୁଷାଦ୍ଭୁତ, ପୀଡ଼କାଦ୍ଭୁତ, ସ୍ୱପ୍ନାଦ୍ଭୁତ, ଏକୀୟାରିଷ୍ଟାଦ୍ଭୁତ, ଦନ୍ତଜନ୍ମାଦ୍ୟଦ୍ଭୁତ, ପ୍ରସବାଦ୍ଭୁତ, ଶାକୁନାଦ୍ଭୁତ, ନାନାମୃଗବିହଗାଦ୍ୟଦ୍ଭୁତ, ଗଦାଦ୍ଭୁତ, ଅଶ୍ୱାଦ୍ଭୁତ, ବୃଷମହିଷାଦ୍ୟଦ୍ଭୁତ, ବିଡ଼ଳାଦ୍ଭୁତ, ଶ୍ୱାନାଦ୍ଭୁତ, ଶୃଗାଳଦ୍ଭୁତ, ଗୃହଗୋଧିକାଦ୍ଭୁତ, ପିପୀଲିକାଦ୍ଭୁତ, ଖଞ୍ଜରୀଟାଦ୍ଭୁତ, ଗୋଢ଼କ୍ୟାଦ୍ଭୁତ, କୃଷ୍ଣପୋଟିକା ଭୁତ, କାକାଦ୍ଭୂତ ।

 

ଚତୁର୍ଥମିଶ୍ରକାଶ୍ରୟରେ ମିଶ୍ରକାଦ୍ଭୁତ, ଅଦ୍ଭୁତ ଶାସ୍ତ୍ର, ବର୍ଷନିମିତ୍ତାଦ୍ଭୁତ, ବିରୁଦ୍ଧାଦ୍ଭୁତ ଓ ପାକସମୟାଦ୍ଭୁତ, ଏହିପରି ପାଞ୍ଚଗୋଟି ଅଦ୍ଭୁତ ବିଷୟ ରହିଛି ।

 

ସମଗ୍ର ଗ୍ରନ୍ଥଟିର ବିଷୟ ସଜ୍ଜା ବଲ୍ଲାଳସେନଙ୍କ ‘ଅଦ୍ଭୁତ ସାଗର’ର ବିଷୟ ବଗୀକରଣର ଅନୁକରଣରେ ହୋଇଛି । ବଲ୍ଲାଳସେନଙ୍କ ‘ଅଦ୍ଭୁତ ସାଗର’ର ପଣ୍ଡିତ ମୁରଲୀଧର ଝା’ଙ୍କ ଦ୍ୱାରା ସମ୍ପାଦିତ ହୋଇ ଖ୍ରୀ. ୧୯୦୫ରେ କାଶୀ ପ୍ରଭାକରୀ ଯନ୍ତ୍ରାଳୟରେ ମୁଦ୍ରିତ ହୋଇଥିଲା ।’’ ଯୋଗୀଶ୍ୱରଙ୍କ ‘ଅଦ୍ଭୁତ ସାର’ର ଆଧାରଭୁମିରେ ‘ଅଦ୍ଭୁତ ସାଗର’ ସମ୍ପାଦିତ ହୋଇଥିବାରୁ ଏବଂ ଉଭୟ ମଧ୍ୟରେ ବିଷୟବସ୍ତୁ ଉପପାଦନରେ ପ୍ରଭେଦ ନଥିବାରୁ ‘ଅଦ୍ଭୁତସାର’ ତୁଳନାତ୍ମକ ଭାବରେ ଶୁଦ୍ଧରୁପରେ ପ୍ରକାଶ ପାଇବା ଆଶା କରାଯାଏ । ବଲ୍ଲାଳସେନଙ୍କ ଅଦ୍ଭୁତସାଗର ଓ ଯୋଗୀଶ୍ୱରଙ୍କ ‘ଅଦ୍ଭୁତସାର’ ଉଭୟ ସଂଗ୍ରହ ଗ୍ରନ୍ଥ ଓ ହୋଇଥିବାରୁ କୌଣସିଟିରେ ନିଜସ୍ୱ ମୌଳିକତା ନାହିଁ ।

 

ସଂକଳୟିତା କିଏ ସେ ?

‘ଅଦ୍ଭୁତସାର’ର ପୁଷ୍ପିକାମାନଙ୍କରେ ‘‘ଇତି ଶ୍ରୀ ମହାରାଜାଧିରାଜ ନିଃଶଙ୍କଭାନୁ ଗଜପତେଲଳିତ ପଦକମଳ ଧୂଳିକଳାପାଳଙ୍କାର ପାତ୍ର ଯୋଗୀଶ୍ୱର ବିରଚିତେ.....’’ ଇତ୍ୟାଦି ଉଲ୍ଲେଖ ଥିବାରୁ ଏହାର ରଚିୟିତା ‘ଯୋଗୀଶ୍ୱର ପାତ୍ର’ ଏବଂ ତାଙ୍କ ପାତ୍ର ପଦବୀରୁ ସେ ଗଜପତି ନିଃଶଙ୍କଭାନୁଦେବଙ୍କର ଦାୟିତ୍ୱସମ୍ପନ କର୍ମଚାରୀ ଥିଲେ ବୋଲି ଐତିହାସିକ ଶ୍ରୀଯୁକ୍ତ କେଦାରନାଥ ମହାପାତ୍ର ଉଲ୍ଲେଖ କରିଛନ୍ତି । (୧୮) ତାଙ୍କର ଅନୁସରଣରେ ଶ୍ରୀମତୀ ମିଶ୍ର ମଧ୍ୟ ଗ୍ରନ୍ଥର ରଚୟିତା ‘ପାତ୍ର ଯୋଗୀଶ୍ୱର’ ବୋଲି ନିଃସଂଶୟରେ ଗ୍ରହଣ କରିନେଇଛନ୍ତି । ମାତ୍ର ଏଠାରେ ‘ପାତ୍ର’ ଶବ୍ଦଟି ଯୋଗୀଶ୍ୱରଙ୍କ ଉପାଧି ଥିବା ଜଣାଯାଏ ନାହିଁ; ଏହା ଉକ୍ତଗ୍ରନ୍ଥର ଆଦ୍ୟରେ ଥିବା ନିମ୍ନଲିଖିତ ଶ୍ଳୋକରୁ ପ୍ରମାଣିତ ହୁଏ :-

 

ଏତନ୍ମହାନୁଗ୍ରହ ପାତ୍ର-ଯୋଗୀ

ଶ୍ୱରାଭିଧାଢ଼୍ୟୋ ହରିଭକ୍ତିଲଗ୍ନଃ ।

ଅଚୀକରଚ୍ଚାରୁମମୁଂ ନିବନ୍ଧଂ

ନୂଣାଂ ହିତାୟାଦ୍ଭୁତସାରସଂଜ୍ଞମ୍‌ ।।

 

ଅର୍ଥାତ୍‌ ଏହାଙ୍କର (ନିଃଶଙ୍କଭାନୁଙ୍କର) ମହାନ୍‌ ଅନୁଗ୍ରହରପାତ୍ର ହରିଭକ୍ତି ପରାୟଣ ଧନବାନ୍‌ ଯୋଗୀଶ୍ୱର ଲୋକମାନଙ୍କ ମଙ୍ଗଳ ସକାଶେ ଅଦ୍ଭୁତସାର ନାମକ ସୁନ୍ଦର ଗ୍ରନ୍ଥ କରିବାକୁ ପ୍ରେରଣା ଦେଲେ ।

 

ଏଠାରେ ବ୍ୟବହୃତ ‘ଆଢ଼୍ୟ’ ବିଶେଷଣରୁ ଯୋଗୀଶ୍ୱର ଜଣେ ଧନାଢ଼୍ୟ ବ୍ୟକ୍ତିଥିବା ଜଣାଯାଏ । ସେ ନିଃଶଙ୍କଭାନୁଦେବଙ୍କର ମହାନ୍‌ ଅନୁଗ୍ରହର ପାତ୍ର ଥିଲେ; ମାତ୍ର ପ୍ରକୃତରେ ପାତ୍ର ପଦବୀରେ ଅଧିଷ୍ଠିତ ଥିଲେ କି ନାହିଁ କହିହେବ ନାହିଁ । ଶଂସିତ ଗ୍ରନ୍ଥଟି ଯେପରି ବଲ୍ଲାଳସେନଙ୍କ ‘ଅଦ୍ଭୁତସାଗର’ର ଅନୁକରଣରେ ଲିଖିତ ସେହିପରି ବଲ୍ଲାଳସେନଙ୍କ ‘ଦାନସାଗର’ର ଅନୁକରଣରେ ଲିଖିତ ‘ଦାନ ଦୀପାବଳୀ ବା ଦାନବାକ୍ୟ ସମୁଚ୍ଚୟ’ ନାମରେ ଆଉ ଏକ ଗ୍ରନ୍ଥ ମଧ୍ୟ ଯୋଗୀଶ୍ୱରଙ୍କ ନାମରେ ପ୍ରଚଳିତ । ବଲ୍ଲାଳସେନଙ୍କୁ ଅନୁକରଣ କରି କୌଣସି ଲୋକ ଧନାଢ଼୍ୟ ଯୋଗୀଶ୍ୱରଙ୍କ କୃପାଲାଭ କରିବା ସକାଶେ ତାଙ୍କରି ନାମରେ ଗ୍ରନ୍ଥଭଣିତା କରିଦେଇଛି । ଏହା ଉପର୍ଯ୍ୟୁକ୍ତ ଶ୍ଳୋକରେ ବ୍ୟବହୃତ ‘ଅଚୀକରତ୍‌’ କ୍ରିୟାରୁ ମଧ୍ୟ ପ୍ରମାଣିତ ହୁଏ ।

 

କୃ-ଧାତୁରୁ ଣିଜନ୍ତ ପ୍ରେରଣାର୍ଥକ ସାଧାରଣ ଅତୀତ ଲୁଙ୍‌ ଲକାରରେ ନିଷ୍ପନ୍ନ ‘ଅଚୀକରତ୍‌’ର ଅର୍ଥ ହେଉଛି କରିବାକୁ ପ୍ରେରଣା ଦେଲେ । ତେଣୁ ଯୋଗୀଶ୍ୱର ଗ୍ରନ୍ଥ ସଂକଳନର ଯେ ପ୍ରେରଣାଦାତା ମାତ୍ର ଥିଲେ ଏଥିରେ ସନ୍ଦେହ ନାହିଁ । ଏଥିରୁ ସ୍ପଷ୍ଟ ପ୍ରତିପନ୍ନ ହୁଏ ଯେ ବଲ୍ଲାଳସେନଙ୍କ ଗ୍ରନ୍ଥର ସାମାନ୍ୟ ଅଦଳ ବଦଳ ପୂର୍ବକ ଅନ୍ୟ କେହି ଯୋଗୀଶ୍ୱରଙ୍କ ନାମରେ ଗ୍ରନ୍ଥଟିକୁ ଚଳାଇ ଦେଇଛି ତାଙ୍କର କୃପାଲାଭ ସକାଶେ । ସଂଗ୍ରହ ଗ୍ରନ୍ଥର ଆରମ୍ଭରେ ଥିବା ମାତ୍ର କେତୋଟି ଉପକ୍ରମ ଶ୍ଳୋକରୁ ଲେଖକ ଜଣେ ଉତ୍କୃଷ୍ଟ କୋଟିର କାବ୍ୟକାର ନ ଥିବା ଅନୁମାନ କରାଯାଇପାରେ । ଏପରି ସ୍ଥଳେ ପ୍ରଶାସନିକ କ୍ଷେତ୍ରରେ ଦାୟିତ୍ୱସମ୍ପନ୍ନ ପଦବୀରେ ଥିଲେ ଯୋଗୀଶ୍ୱର କେବେହେଲେ ସଂସ୍କୃତ ଗ୍ରନ୍ଥକାର ହେବାର ଦୂରାକାଙ୍‌କ୍ଷା ପୂରଣ କରିବା ସକାଶେ ବଲ୍ଲାଳସେନଙ୍କ ‘ଅଦ୍ଭୁତ ସାଗର’ର ଅନୁକରଣ କରି ନ ଥାନ୍ତେ । ସେ ଯଦି ନିଜେ ସଂସ୍କୃତ ଶାସ୍ତ୍ରରେ ବ୍ୟୁତ୍ପନ୍ନ ହୋଇଥାନ୍ତେ ଅଥବା ଗ୍ରନ୍ଥକାର ହେବାର ଆକାଙ୍‌କ୍ଷା ପୋଷଣ କରିଥାନ୍ତେ, ତେବେ ନିଜେ ନ ପାରିଲେ ମଧ୍ୟ ତାଙ୍କର ତଦାନୀନ୍ତନ ପଦବୀର ସୁଯୋଗ ବଳରେ ଅନ୍ୟଦ୍ୱାରା ଉଚ୍ଚକୋଟିର କୌଣସି ମୌଳିକ ଗ୍ରନ୍ଥ କରାଇ ପରିଥାନ୍ତେ । ସଂଗ୍ରହ ଗ୍ରନ୍ଥ କରିବାରେ ଆଗ୍ରହ ଥିଲେ ଅନ୍ୟାନ୍ୟ ଅଧିକ ଆକର ଗ୍ରନ୍ଥମାନଙ୍କରୁ ସର୍ବଶେଷ ଉପାଦନ ସଂଗ୍ରହ କରି ତାକୁ ସମଧିକ ଉପାଦେୟ କରିପାରିଥାନ୍ତେ । କିନ୍ତୁ ‘ଅଦ୍ଭୁତ ସାର’ର ସଂଗ୍ରହ ବଲ୍ଲାଳସେନଙ୍କଠାରୁ ଉତ୍କୃଷ୍ଟ କୋଟିର ନୁହେଁ କିମ୍ୱା ଏଥିରେ କୌଣସି ନୂତନ ଆକର ଗ୍ରନ୍ଥ ବ୍ୟବହୃତ ହୋଇନାହିଁ ।

 

ନାମ କ’ଣ ପ୍ରକୃତରେ ଯୋଗୀଶ୍ୱର ?

ପୁଣି ବଲ୍ଲାଳସେନଙ୍କ ଅଦ୍ଭୁତ ସାଗର୍‌ ପୁଷ୍ପିକାରେ ‘ଇତିଶ୍ରୀ ମହାରାଜାଧିରାଜ ନିଃଶଙ୍କଶଙ୍କର ଶ୍ରୀମଦ୍‌ ବଲ୍ଲାଳସେନଦେବ ବିରଚିତଃ ଶ୍ରୀମଦ୍‌ ଦ୍ଭୁତ ସାଗର ସମାପ୍ତଃ (୧୯) ଳେଖାରୁ ବଲ୍ଲାଳସେନଙ୍କ ଉପାଧି ମଧ୍ୟ ‘ନିଃଶଙ୍କ ଶଙ୍କର’ ଥିବା ଜଣାଯାଏ । ଲକ୍ଷ୍ମଣସେନଙ୍କପିତା (୨୦) ବଙ୍ଗାଧିପତି ବଲ୍ଲାଳସେନଙ୍କ ସିଂହାସନାରୋହଣ କାଳ ଖ୍ରୀ: ୧୧୫୮ ବୋଲି ଧରାଯାଇ ଥିବାରୁ (୨୧) ‘ଅଦ୍ଭୁତ ସାଗର’ ଦ୍ୱାଦଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ସଙ୍କଳିତ ହୋଇଥିବା ସହଜରେ କୁହାଯାଇପାରେ । ଯେତେଦୂର ସମ୍ଭବ, ନିଃଶଙ୍କଶଙ୍କର ଉପାଧିଧାରୀ ବଲ୍ଲାଳସେନଙ୍କ କୃତିର ଅନୁକରଣ କରିବା ସଙ୍ଗେ ସଙ୍ଗେ ତାଙ୍କ ଉପାଧିର ଅନୁରୂପ ପ୍ରୟୋଗ କରିବା ସକାଶେ ନିଃଶଙ୍କ ଭାନୁଙ୍କ ନାମ ସଂଯୋଜିତ କରାଯାଇ ‘ଶଙ୍କର’ ସ୍ଥାନରେ ଯୋଗୀଶ୍ୱର କରାଯାଇଛି ଅଥବା ଯଦି ଯୋଗୀଶ୍ୱର ନାମରେ ନିଃଶଙ୍କ ଭାନୁ ଦେବଙ୍କ ସୁଦୃଷ୍ଟିରେ ଥିଲେ ତେବେ ତାଙ୍କର ସନ୍ତୋଷ ବିଧାନ ପାଇଁ ତାଙ୍କରି ନାମରେ କେହି ଭଣିତା କରି ଦେଇଛି । ଏଥିରୁ ଦ୍ୱିତୀୟ ପକ୍ଷଟି ଅଧିକ ସମ୍ଭାବ୍ୟ ବୋଲି କୁହାଯାଇ ପାରେ ।

 

ଯୋଗୀଶ୍ୱର କ’ଣ ଉତ୍କଳୀୟ ?

ଯୋଗୀଶ୍ୱର ଯେ ଉତ୍କଳୀୟ ଥିଲେ ଏହାମଧ୍ୟ ନିଶ୍ଚିତ ଭାବରେ କୁହାଯାଏ ନପାରେ । ‘ଅଦ୍ଭୁତ ସାର’ର ପ୍ରାରମ୍ଭରେ ଜଗନ୍ନାଥ ବନ୍ଦନା ଥିଲେ ମଧ୍ୟ ତାହାର ରଚୟିତା ହୋଇ ନଥିବାରୁ ସେ ଉତ୍କଳୀୟ ବୋଲି କହିହେବ ନାହିଁ । ଉତ୍କଳୀୟକ୍ଷେତ୍ରରେ ଅନ୍ୟକେହି ଜଗନ୍ନାଥ ସ୍ତୁତି କରିବାରେ ମନାନାହିଁ । ମହାମହୋପାଧ୍ୟାୟ ଜାଣେ ତାଙ୍କର ଧର୍ମଶାସ୍ତ୍ରର ଇତିହାସରେ ‘ଯୋଗୀଶ୍ୱର’ଙ୍କ ‘ଦାନକାବ୍ୟ ସମୁଚ୍ଚୟ’ ଗ୍ରନ୍ଥର ତିନୋଟି ପାଣ୍ଡୁଲିପି ଥିବା ଉଲ୍ଲେଖ କରିଛନ୍ତି । ସେଥିରୁ ଗୋଟିଏ ପାଣ୍ଡୁଲିପିର ଲିଖନ କାଳ ୧୨୯୭ ଶକାବ୍ଦ ବା ୧୩୭୫ ଖ୍ରୀଷ୍ଟାବ୍ଦ ବୋଲି ଜଣାଯାଏ । ‘ଅଦ୍ଭୁତ ସାର’ରେ ‘ଗଜପତି ନିଃଶଙ୍କ ଭାନୁଦେବ’ ଉଲ୍ଲେଖ ଥିବାରୁ ଏହାଙ୍କୁ ଅଚିରେ ଚତୁର୍ଥ ଭାନୁଦେବ (ଖ୍ରୀ: ୧୪୧୪-୩୫) ବୋଲି ଗ୍ରହଣ କରିହେବ । ହୁଏତ ଯୋଗୀଶ୍ୱର ପଶ୍ଚିମା ଥିଲେ ଏବଂ ନିଜ ନାମରେ ଜ୍ୟୋତିଷର ସଂହିତା ସ୍କନ୍ଧ ଉପରେ ଏପରି ଗ୍ରନ୍ଥ କରାଇବା ତାଙ୍କର ଆଗ୍ରହ ଥିଲା ଏବଂ ସେ ୧୩୭୫ ବେଳକୁ ଦାନବାକ୍ୟ ସମୁଚ୍ଚୟ କରାଇ ସାରିଥିଲେ । ପରେ ପୁରୁଷୋତ୍ତମ କ୍ଷେତ୍ରରେ ଉତ୍ତର ଜୀବନ ଯାପନ କରିବା ସକାଶେ ଆଗତ ଉକ୍ତ ଧନାଢ଼୍ୟ ଯୋଗୀଶ୍ୱର ହୁଏତ ନିଃଶଙ୍କଭାନୁଙ୍କ ସୁଦୃଷ୍ଟିରେ ଥିଲେ ଏବଂ ତାଙ୍କଠାରୁ ଧନଲାଭ କରିବା ଆଶାରେ କେହି ଶକୁନଶାସ୍ତ୍ର ଅଧ୍ୟେତା ବଲ୍ଲାଳସେନଙ୍କ ଅଦ୍ଭୁତ ସାଗରର ସାମାନ୍ୟ ଅଦଳ ବଦଳରେ ‘ଅଦ୍ଭୁତ ସାର’ ସଙ୍କଳନ କରି ତାଙ୍କ ନାମରେ ଉତ୍ସର୍ଗ କରି ଦେଇଛି ।

 

ଗ୍ରନ୍ଥଟିର ନାମ କ’ଣ ?

ଯୋଗୀଶ୍ୱରଙ୍କର ନାମରେ ପ୍ରଚଳିତ ଉକ୍ତ ଗ୍ରନ୍ଥର ପୁଷ୍ପିକାମାନଙ୍କରେ ‘ଅଦ୍ଭୁତ ସାଗର’ ବୋଲି ଉଲ୍ଲେଖ ଥିବାରୁ ଗ୍ରନ୍ଥଟି ପ୍ରସିଦ୍ଧ ଅଦ୍ଭୁତ ସାଗରର ଏକ ଅନୁକୃତି ହୋଇଥିବାରୁ ଗ୍ରନ୍ଥର ନାମ ‘ଅଦ୍ଭୁତ ସାଗର’ ବୋଲି ପ୍ରଚଳିତ । କିନ୍ତୁ ପ୍ରାରମ୍ଭରେ ‘‘ନୃଣାଂ ହିତାୟାଦ୍ଭୁତସାର ସଂଜ୍ଞାମ୍‌’’ ବୋଲି ଉଲ୍ଲେଖ ଥିବାରୁ ଗ୍ରନ୍ଥର ନାମ ‘ଅଦ୍ଭୁତସାର’ ହୋଇଥିବା ସମୁଚିତ ମନେହୁଏ । କାରଣ ବଲ୍ଲାଳସେନଙ୍କ ଗ୍ରନ୍ଥର ନାମ ‘‘ଅଦ୍ଭୁତ ସାଗର ସାର’’ ସଙ୍କଳିତ ହୋଇଥିଲା । ତା’ପରେ ଯୋଗୀଶ୍ୱରଙ୍କ ନାମରେ ପ୍ରଚଳିତ ଗ୍ରନ୍ଥର ନାମ ‘‘ଅଦ୍ଭୁତ ସାଗର’’ ସଙ୍କଳିତ ହୋଇଥିଲା । ତା’ପରେ ଯୋଗୀଶ୍ୱରଙ୍କ ନାମରେ ପ୍ରଚଳିତ ଗ୍ରନ୍ଥର ନାମ ‘ଅଦ୍ଭୁତ ସାର’ ହୋଇଥିବା; କିନ୍ତୁ ବୋଧହୁଏ ‘ଅଦ୍ଭୁତ ସାଗର’ର ବିଷୟ ସାମ୍ୟ ଥିବାରୁ ଲେଖନକାରଗଣଙ୍କ ହାତରେ ‘ଅଦ୍ଭୁତ ସାର’ ପୁଣି ‘ଅଦ୍ଭୁତ ସାଗର’ ହୋଇ ବସିଛି । ସଂସ୍କୃତ ଶ୍ଳୋକର ଗୁରୁଲଘୁ ନିୟମ ଭିତରେ ହୁଏତ ‘ଅଦ୍ଭୁତ ସାଗର’ ରହୁ ନଥିବାରୁ ସଙ୍କଳୟିତା ‘ଅଦ୍ଭୁତ ସାର’ କରିଦେଇଛନ୍ତି ବୋଲି କେହି ଭାବିଲେ ଠିକ୍‌ ହେବନାହିଁ; କାରଣ ଉପଜାତି ବୃତ୍ତରେ ‘ଅଦ୍ଭୁତ ସାଗର’ ରଖିବାରେ କୌଣସି ବାଧା ରହୁନାହିଁ । ଗ୍ରନ୍ଥର ନାମ ‘ଅଦ୍ଭୁତ ସାଗର’ ହୋଇଥିଲେ ସଙ୍କଳୟିତା ‘ନୃଣାଂ ହିତାୟାଦ୍ଭୁତ ସାଗରାଖ୍ୟଂ’ ବା ଏପରି ଆଉକିଛି କରିପାରିଥାନ୍ତେ ।

 

ଉପସଂହାର :

‘ଅଦ୍ଭୁତ ସାର’ ବଲ୍ଲାଳସେନଙ୍କ ପ୍ରସିଦ୍ଧ ‘ଅଦ୍ଭୁତ ସାଗର’’ର ଅନୁକରଣରେ ସଙ୍କଳିତ ଗ୍ରନ୍ଥ ହୋଇଥିବାରୁ ଏଥିରେ ସଙ୍କଳୟିତାଙ୍କ କୌଣସି ମୌଳିକତା, ନୂତନତା ବା ବିଦ୍ୱତ୍ତା ନାହିଁ । ଜ୍ୟୋତିଷ ବିଷୟକ ସଂହିତା ଗ୍ରନ୍ଥ ସଙ୍କଳନରୁ ‘‘ଲେଖକଙ୍କ ସଂସ୍କୃତ ସାହିତ୍ୟରେ ଅଗାଧ ପାଣ୍ଡିତ୍ୟ ଥିଲା’’ ବୋଲି କହିବା ବିଚାର ସାପେକ୍ଷ ନୁହେଁ । ଶ୍ରୀମତୀ ମିଶ୍ର ଏହି ଗ୍ରନ୍ଥଟିର ସମ୍ପାଦନା କରିବା ଦ୍ୱାରା ଅନୁପଲଭ୍ୟ ଅଦ୍ଭୁତ ସାଗର ବଦଳରେ ବିଷୟାଗ୍ରହୀ ପାଠକ ‘‘ଅଦ୍ଭୁତସାର’’ ପାଇବେ । କିନ୍ତୁ ଶ୍ରୀମତୀ ମିଶ୍ରଙ୍କ ‘ଗ୍ରନ୍ଥଟି ବହୁ ବିଲୁପ୍ତ ପ୍ରାଚୀନ ଭାରତୀୟ କୃତିସମୂହର ପରିଚୟ ଦେବା ସଙ୍ଗେ ସଙ୍ଗେ ଭାରତରେ ତଦାନୀନ୍ତନ ଭୌଗୋଳିକ ସୀମାରେଖା, ରାଜ୍ୟଗୁଡ଼ିକର ତାତ୍କାଳିକ ନାମକରଣ, ସାମାଜିକ ଅବସ୍ଥା ଇତ୍ୟାଦିର ସୂଚନା ପ୍ରଦାନ କରିଥାଏ । ତାରି ଉକ୍ତି ଗ୍ରନ୍ଥର ଅପକର୍ଷକୁ ଆହୁରି ବଢ଼ାଇଦେବ । କାରଣ ବିଲୁପ୍ତ ପ୍ରାଚୀନ ଭାରତୀୟ କୃତି କେବଳ ଏଥିରେ ପ୍ରଥମ ଥର ପାଇଁ ସ୍ଥାନ ପାଇନାହିଁ କି ସେଥିରେ ଥିବା ନାମଗୁଡ଼ିକ ନିଃଶଙ୍କଭାନୁ ଦେବଙ୍କ ସମୟରେ ଓ ସମାଜର ଚିତ୍ର ପ୍ରଦାନ କରିବ ନାହିଁ । ଗ୍ରନ୍ଥର ବିଷୟ ସଜ୍ଜୀକରଣରେ ମଧ୍ୟ ଯୋଗୀଶ୍ୱରଙ୍କ ବା ପ୍ରକୃତ ସଙ୍କଳନଙ୍କ କୌଣସି ବୈଜ୍ଞାନିକତା ବା ନୂତନତା ନାହିଁ । ଏହା ଏକ ପୂର୍ବାନୁସୃତ ଗୃହୀତ ପଦ୍ଧତି । ସଂପାଦିକାଙ୍କ ଦ୍ୱାରା ଉଦ୍ଧୃତ କେତୋଟି ଶ୍ଳୋକ ଶୁଦ୍ଧଭାବରେ ସମ୍ପାଦିତ ହୋଇ ନ ଥିବା ଦେଖାଯାଏ । ପ୍ରକାଶ୍ୟମାନ ଗ୍ରନ୍ଥଟି ତେଣୁ ଶୁଦ୍ଧଭାବରେ ଏବଂ ଏହାର ମୁଖବନ୍ଧରେ ପ୍ରକୃତ ଲେଖକ, ଲେଖକଙ୍କ ନାମ, ଗ୍ରନ୍ଥ ନାମ ପ୍ରଭୃତି ଗବେଷଣାମୂଳକ ମତ ଓ ବଲ୍ଲାଳସେନଙ୍କ ଅଦ୍ଭୁତ ସାଗର ସହିତ ଏକ ତୁଳନାତ୍ମକ ଲେଖା ସୁନ୍ଦରଭାବରେ ଉପସ୍ଥାପିତ ହେବା ଦରକାର । ତା’ ହେଲେ ହୁଏତ ଏପରି ସଂସ୍କରଣ ସରକାରୀ ଭାବରେ ପ୍ରକାଶ ପାଇବାର ଯଥାର୍ଥତା ଓ ଆବଶ୍ୟକତା ପ୍ରତିପନ୍ନ ହେବ ।

 

(୧)

ଏଥିପାଇଁ ନିମ୍ନଲିଖିତ ପ୍ରାମାଣିକ ଗ୍ରନ୍ଥ ଦ୍ରଷ୍ଟବ୍ୟ-

 

(କ)

History of Mankind by F. Ratzal.

 

(ଖ)

Dictionary of Greek and Roman Antiquities-W. Smith

 

(ଗ)

Encyclopaedia of Religion and Ethics-James Hastings.

 

(ଘ)

Encyclopaedia of Superstitions-E &.M.A. Redford.

 

(ଙ)

The Golden Bough-J.G. Frozer.

 

(ଚ)

Primitive Culture-E.B. Tylor

 

(ଛ)

The Origin of Popular Superstitions & Customs- T. Sherper Knowlson

 

ଏହା ସହିତ ଲେଖକର ନିୟତି (୧୯୭୩ ଅକ୍ଟୋବର ସଂଖାରେ ପ୍ରକାଶିତ ପ୍ରବନ୍ଧ ମଧ୍ୟ ଦ୍ରଷ୍ଟବ୍ୟ)

(୨)

‘With fear man was born of this there can be little doubt’ Paul Rodin, Primitive Religion (1957) p. 7

(୩)

Disasters of all kind are recognised as inflictions of an angry God’ ? Encyclopaedia of Religon and Ethics (1955) vol x. p. 364 .

(୪)

‘‘ଅନ୍ୟ ଜନ୍ମାନ୍ତରକୃତଂ କର୍ମ ପୁଂସାଂ ଶୁଭାଶୁଭମ୍‌ ।’’

‘‘ଯତ୍ତସ୍ୟ ଶକୁନଃ ପାକଂ ନିବେଦୟତି ଗଚ୍ଛତାମ୍‌’’ (ବୃହତ୍ସଂହିତା ୮୬/୫) .

(୫)

T. Sharper Knowlson: ‘‘The origin of popular superstitions and customs’’ (1930) p. 162 .

(୬)

ମା ତ୍ୱା ଶ୍ୟେନ ଉଦ୍‌ବଧୀନ୍ମା ସୁପର୍ଣ୍ଣୋ ମା ତ୍ୱା ବିଦଦିଷୁମାନ୍‌ ବୀରୋ ଅସ୍ତ୍ରା,

ପିତ୍ର୍ୟାମନୁ ପ୍ରଦଶଂ ବିନିଦ୍ରତତ୍‌ ସୁମଂଗଳୋ ନିରାକରଣ ଉନ୍ଦ୍ରବଦୀ ବହେହ ।

(ଋଗବେଦ ୨।୪୭।୨)

(୭)

ଋଗ୍‌ବେଦ ୧୦।୧୬୫।-୫

(୮)

ମୌ ତେ ଦୂତୌ ନିଋତ ଇଦମୋତେଽପ୍ରହିତୌ ବା ଗୃହଂ ନଃ ।

କପୋତୋ ଭୂକାଂ ଭ୍ୟାମପଦଂ ତଦସ୍ତୁ । (ଅଥର୍ବବେଦ ୧୬।୨୯।୨)

(୯)

ଅନୁହବଂ ପରିହବଂ ପରିବାଦଂ ପରିକ୍ଷବମ୍‌ ।

ସର୍ବେ ମେ ରିକ୍ତକୁମ୍ଭାନ୍‌ ପରା ତାନ୍‌ ସବିତଃ ସୁବଃ । (ଅଥର୍ବବେଦ ୧୯।୮।୪) ।

(୧୦)

ଅଥର୍ବବେଦ (୧୯।୯।୮-୧୦)

(୧୧)

ଦ୍ରଷ୍ଟବ୍ୟ: ଲେଖକର ‘ଭାରତୀୟ ଶକୁନଶାସ୍ତ୍ର’ ପ୍ରବନ୍ଧ

(ନିୟତି ଅକ୍ଟୋବର ୧୯୭୩ ସଂଖ୍ୟା ) ।

(୧୨)

ଭୌମଂ ଚରସ୍ଥିରଭବଂ ତଚ୍ଛାନ୍ତିଭିରାହତଂ ଶମମୁପୈତି,

ନା ଭସମୁପୈତି ମୃଦୃଣଂ ସାମ୍ୟତି ନୋ ଦିବ୍ୟମିତ୍ୟେକେ ।

ଦିବ୍ୟମପି ଶମମୁପୈତି ପ୍ରଭୁତ-କନକାନ୍ମଗୋମହୀ ଯା ନୈଃ

ରୁଦ୍ରାୟତନେ ଭୂମୌ ଗୋଦୋହାତ୍‌ କୋଟିହୋମାଚ୍ଚ ।

(ବୃହତ୍ସଂହିତା ୪୭।୫-୬)

 

(୧୩)

ଦିବ୍ୟଂ ଗ୍ରହକ୍ଷ ବୈକୃତମୁଲକା ନିର୍ଘାତ ପରିବେଶାଃ ।

ଗନ୍ଧର୍ବପୁର-ପୁରନ୍ଦର ଚାପାଦି ଯଦାନ୍ତରିକ୍ଷଂ ତତ୍‌ ।

ଭୌମଂ ଚରସ୍ଥିରଭବଂ....

(ବୃହତ୍ସଂହିତା ୬।୪-୫)

(୧୪)

ପ୍ରମିଳା ମିଶ୍ର । ‘ଶକୁନ ବିଦ୍ୟାର କ୍ରମବିକାଶ ଓ ଅଦ୍ଭୁତ ସାଗର’ (କୋଣାର୍କ, ସପ୍ତମ ବର୍ଷ, ଦ୍ୱିତୀୟ ସଂଖ୍ୟା, ପୃ-୨୭) ।

(୧୫)

ଯାସ୍କ-ନିରୁକ୍ତ ୧।୩।୬ (ବମ୍ୱେ ସଂସ୍କରଣ, ୧୯୩୦ ପୃ! ୨୦)

(୧୬)

ପାଣିନି ବ୍ୟାକରଣ ରଣାଦି ପ୍ରକରଣ ୫।୧ ।

(୧୭)

ଶ୍ରୀମତୀ ପ୍ରମିଳା ମିଶ୍ର ‘ଅଦ୍ଭୁତ’-ଶବ୍ଦ ବ୍ୟାଖ୍ୟାନ (ଦ୍ରଷ୍ଟବ୍ୟ କୋଣାର୍କ ୭ମ ବର୍ଷ, ୨ୟ ସଂଖ୍ୟା, ପୃ-୧୩)ରେ ‘ଅତ୍‌’କୁ ଏକ ଉପସର୍ଗ ବୋଲି କହିଛନ୍ତି । ‘ଅତ୍‌’ ଉପସର୍ଗ ବୋଲି କୌଣସି ବ୍ୟାକରଣରେ ନାହିଁ । ‘ଉପସର୍ଗାଃ କ୍ରିୟାଯୋଗେ’ ବ୍ୟାକରଣ ନିୟମରେ କ୍ରିୟାଯୋଗରେ ଉପସର୍ଗ ହୁଏ । ଏଠାରେ ଅତ୍‌ କିନ୍ତୁ ସ୍ୱୟଂ କ୍ରିୟା; ଅତଏବ ଏହା ଉପସର୍ଗ ହୋଇ ପାରିବ ନାହିଁ । ପୁଣି ଶ୍ରୀମତୀ ମିଶ୍ର ଭା’ ଧାତୁରୁ ‘ଡ଼ୁତଚ୍‌’ ପ୍ରତ୍ୟେୟ ବିଧାନ କରିଛନ୍ତି । ଏହା ମଧ୍ୟ ବ୍ୟାକରଣ ସମ୍ମତ ନୁହେଁ; କାରଣ ବ୍ୟାକରଣ ଶାସ୍ତ୍ରରେ ‘ପତି’ ଶବ୍ଦ ପାଇ ‘ପା’ ଧାତୁରୁ ଯେପରି ‘ଡତି’ର ବିଧାନ ଅଛି ସେହିପରି ‘ଭବାନ୍‌’ ଶବ୍ଦ ସିଦ୍ଧି ସକାଶେ ‘ଭାତେ ର୍ଡ ବରଃ’ ସୂତ୍ରାନୁସାରେ ‘ଭା’ଧାତୁରୁ ‘ଡବର’ ପ୍ରତ୍ୟୟ ନିର୍ଦ୍ଦିଷ୍ଟ ହୋଇଛି । ‘ଡୁତଚ୍‌’ ପ୍ରତ୍ୟୟ କେବଳ ଅତ୍‌ ପୂର୍ବକ ଭୁ ଧାତୁ ପରେହିଁ ସମ୍ଭବ ।

(୧୮)

ଦ୍ରଷ୍ଟବ୍ୟ ‘Yogisvara patra’ in the Descriptive catalogue of Sanskrit Manuscripts of Orissa vol I, p. xv.

(୧୯)

Descriptive catalogue of Sanskrit Manuscripts vol III Smruti manuscripts. P, p. 473-474.

(୨୦)

ଶ୍ରୀମତୀ ମିଶ୍ର କିନ୍ତୁ ଦ୍ୱାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମିଥିଳା ନରପତି ଲକ୍ଷ୍ମଣ ସେନଙ୍କ ପୁତ୍ର ବଲ୍ଲାଳସେନ (କୋଣାର୍କ ପୃ-୨୪) ବୋଲି ଲେଖିଛନ୍ତି । ପଣ୍ଡିତ ବାଇକୋଳି ଜ୍ୟୋତିଷ ବିଶାରଦଙ୍କ ‘ଭାରତୀୟ ଜ୍ୟୋତିଷର ଇତିହାସ’ (ପୃ-୨୭)ର ଅନୁକରଣରେ ।

(୨୧)

ଦ୍ରଷ୍ଟବ୍ୟ-R.C. Majumdarଙ୍କ History of Bengal .

Vol I, (1943) P.231.

 

୨୭ତମ ସଂଖ୍ୟା କୋଣାର୍କ ୧୯୭୪

ଚୁନି ମିଆଁଙ୍କ ବଳଦ

ଶ୍ରୀ କମଳାକାନ୍ତ ଦାଶ

 

ରାସ୍ତାଘାଟରେ ଅଧିକାଂଶ ଚିହ୍ନନ୍ତି-କେବଳ ମିଆଁଙ୍କୁ ନୁହେଁ-ତାଙ୍କ ବଳଦଟିକୁ ଓ ଏକ ବଳଦିଆ ଗାଡ଼ିଟିକୁ ମଧ୍ୟ; କଳା ଧଳା ରଙ୍ଗର ଛଉକା ବଳଦଟି-ମିଆଁ ତାକୁ ଡାକନ୍ତି ‘ବୁଦ୍ଧିଆ’ ବୋଲି, ଚାରିଗୋଡ଼ିଆ ପଶୁ ପିଲାଟି ଯାହାଘରେ ଭୂମିଷ୍ଟ ହୋଇ କଅଁଳା ବାଛୁରୀ ରୂପେ ଡେଇଁ କୁଦି ବୁଲୁଥିଲା- ସେଇ ତାକୁ ଏ ନାଆଁଟି ଦେଇଥିଲେ-ବୁଦ୍ଧିଆ । ଜନ୍ମ ହେଲା ପରେ ‘‘ଅଣ୍ଡିରିପୁଅ ଉର୍ଦ୍ଧବ’’ ଡେଇଁ କୁଦି ସାଇ କମ୍ପାଉଥିଲା । ମାଆ ପହ୍ନାରେ ମୁହଁ ଲଗାଇ ଚଁ ଚଁ କ୍ଷୀର ପିଇ ଯାଉଥିଲା । ପ୍ରଥମ ଦଫାରେ ତା ପ୍ରତି ଚରମ ନିର୍ଦ୍ଦୟତା ଦେଖାଇଲେ ପ୍ରଥମ ମାଲିକ, ତା ମାଆଠାରୁ ସେ କ୍ଷୀର ଝୁଣି ଖାଇଲା ବେଳକୁ ତା ବେକରେ ପଘା ଦଉଡ଼ା ବାନ୍ଧି ଭିଡ଼ିନେଇ ଦୂରିଆ ଖୁଣ୍ଟିରେ ବାନ୍ଧି ପକାନ୍ତି ସେଇ ମାଲିକ-ନବୀନ ମିଶ୍ର । ତାଙ୍କରି ଘରେ ବୁଦ୍ଧିଆ ମାଆକୁ ଗୋମତା ଓ ଦେବତା ବୋଲି ପୂଜା କରନ୍ତି । ଆଉ କହନ୍ତି-ଗୋମାତାର ରୁମ ଗୋଟିକୁ ଦେବତା ଗୋଟିଏ । ସେଇ ମାଲିକ ବୁଦ୍ଧିଆକୁ ତା ମାଆ କ୍ଷୀରରୁ ବଞ୍ଚିତ କରି କ୍ଷୀରଯାକ ଦୁହିଁନେଇ ଯାଆନ୍ତି । ଆଉ କାଲୁ ବାଲୁ ହୋଇ ଚାହିଁ ଚାହିଁ ବୁଦ୍ଧିଆ ଟାଣି ଓଟାରି ହୋଇ ଓଠ ଚାଟି ହେଉଥାଏ ମାତ୍ର ।

 

ପୁଣି ଏଇ ମାଲିକ ଜବରଦସ୍ତି କରି ବୁଦ୍ଧିଆର ଉପାଙ୍ଗ ବିଶେଷ କଟା କଟି କିଛି କରାଇ ତାକୁ ବଳୀବର୍ଦ୍ଦ ପିଲା ପାଲଟେଇ ଦେଲେ । ଇଏ ବୋଧହୁଏ ତାଙ୍କର ଦ୍ୱିତୀୟ ଦଫା ଦେବତା ପୂଜାର ନିଦର୍ଶନ ।

 

କିଛିକାଳ ପରେ ସେ ବିକ୍ରି ହୋଇ ଆସିଲା-ଚୁନି ମିଆଁ ଘରକୁ । ଅମଣିଆ ଅବସ୍ଥାରେ କେତେ କେତେ ମାଡ଼ ସେ ଖାଇଲା । ତା ପରେ କିଛିଦିନ ‘‘ପାଣ୍ଠିରେ’’ ବୁଲି ଶେଷକୁ ଚୁନି ମିଆଁଙ୍କଏକ ବଳଦଗାଡ଼ିରେ ଯୁଆଳି ତଳେ କାନ୍ଧ ପୂରାଇ ଭିଡ଼ିବାକୁ ଆରମ୍ଭ କଲା । ଉଚ୍ଚଉଚ୍ଚ ସଜନା ଗଛର ଛାଇତଳେ ଶଡ଼କ କଡ଼କୁ ଗୁହାଳ ଚାଳି ଟିକକ । ଆଉ ତାଆରି ଆଗକୁ ଏକ ବଳଦିଆ ଶଗଡ଼ଟି । ସକାଳ ଆଠଟା ନଅଟା ବେଳକୁ ଚୁନିମିଆଁ ନିଜେ କିଛି ଖାଇ ନେଇ ବୁଦ୍ଧିଆକୁ କୁଣ୍ଡା ତୋରାଣି ପିଆନ୍ତି । ତା’ପରେ ଶଗଡ଼ର ଯୁଆଳି ତଳେ ବୁଦ୍ଧିଆର ବେକଟା-ଚାଲିଲା ରାତି ଦଶ ଏଗାର ଯାକେ । ମିଆଁଙ୍କ ବାଉଁଶ କଣି ପାଞ୍ଚଣ ଖଣ୍ଡକୁ ବୁଦ୍ଧିଆ ପ୍ରାଣ ଭୟରେ ଚିହ୍ନେ । ଶଗଡ଼ ଉପରକୁ ଉଠି ବସି ବୁଦ୍ଧିଆ ପିଠିରେ ପାହାରେ କସିଦେଇ ମିଆଁ ଯେତେବେଳେ ପାଟିରେ ଟାକରା ଫୁଟାନ୍ତି, ସେତେବେଳେ ବୁଦ୍ଧିଆ ଅଣନିଃଶ୍ୱାସୀ ହୋଇ ଧାଇଁବାକୁ ଆରମ୍ଭ କରେ । ରେଳଷ୍ଟେସନ, ମାଲଗୋଦାମ, ଏ ବଜାର ସେ ବଜାର ତ ଏ ତୁଠ ସେ ତୁଠ । କାହିଁ ନୂଆ ବଜାର ତ କାହିଁ ବିରିବାଟି । କାହିଁ ଅବା ଯୋବ୍ରା ଓ ମାତାମଠ; କଟକ ସହରର ଏପଟରୁ ସେପଟ । ଚୂନି ମିଆଁ ଯାହାର ମାଲପତ୍ର ଶଗଡ଼ରେ ଲଦିଲେତ-ଯେତେ ଇଚ୍ଛା ତେତେ; ପଦେ ଆପତ୍ତି କରିବାକୁ ବୁଦ୍ଧିଆର ପାଟି ତୁଣ୍ଡ ନାହିଁ । ପାରୁ ବା ନପାରୁ ଟାଣିବାକୁ ସେ ବାଧ୍ୟ । ନୋହିଲେ ପିଠି ସାଏଁ ସାଏଁ ପାଞ୍ଚଣ ମାଡ଼ ।

 

ପଇସା କଉଡ଼ିତକ-ଗାଡ଼ିଭଡ଼ା-ମିଆଁଙ୍କର ।

 

ହାଡ଼ି ଖାଏ କଉଡ଼ି-ତା-ଢୋଲ ଖାଏ ମାଡ଼ । ବୁଦ୍ଧିଆର ପିଚାଫାଟେ ତ ପିଠି ଫାଟେ । ରୁମ ଚମ ଫୁଲି ଉଠି ନୋଳା ଫାଟିଯାଏ । କେବେ ଅବା ରକତ ଚହ ଚହ ହୋଇ ବାହାରିପଡ଼େ । ଭୋକ ଶୋଷ ବିକଳରେ ବୁଦ୍ଧିଆ ଫଁ ଫଁ ନିଶ୍ୱାସ ଟାଣେ । ତେବେବି ହୁଏତ ମିଆଁଙ୍କର ଦୟା ହୁଏ ନାହିଁ । ଅତି ବେଶି ନଡ଼ା ବିଡ଼ାଏ ତା ଆଗରେ ମିଆଁଏ ପକାଇ ଦିଅନ୍ତି । ଅଥବା ନଈ ପୋଖରୀର ପାଣି ପୋଖରୀର ପାଣି କୂଳକୁ ନେଇ ତାକୁ ଦେଖାଇ ଦିଅନ୍ତି । ଏଇଥିରେ ତାକୁ ଦିନ ଦିନ, ମାସ ମାସ, ଖରା ବର୍ଷା ଓ ଶୀତ ସବୁଟିର ଚପଟ ସହିବାକୁ ପଡ଼େ ।

 

ଶୁଖୁ ଠାଉଁ ଠାଉଁ ପୁଞ୍ଚିଏ

ସାଲୁରୁ ବାଲୁରୁ ପୁଞ୍ଚିଏ

କୁଙ୍କୁରି କାଙ୍କୁରି ପୁଞ୍ଜିଏ ।

 

ଖରାମାସ ଆସିଗଲା ତ-ପୁଞ୍ଜିଏ-ଅର୍ଥାତ୍‌ ଚାରୋଟି ମାସ । ଫଗୁଣ, ଚଇତ, ବୈଶାଖ, ଜ୍ୟେଷ୍ଠ, ଖରାହେଲା ତ-ନିଆଁହୁଳା ପବନ ବହିଲା । ଧୂଳି ମାଟି ସବୁଯାକ ‘‘ଶୁଖୁ ଠାଉଁ ଠାଉଁ ନିଆଁ ବାଣ । ନାକ ପାଟିରୁ ଫଁ ଫଁ ନିଶ୍ୱାସ ବାହାରି ଯାଉ ଥାଉ ପଛକେ, ମାଲିକର ମନ ଇଚ୍ଛା ବୋଝକୁ ଟାଣିବାକୁ ପଡ଼ିବ, ପ୍ରାଣମୂର୍ଚ୍ଛା ଟାଣି ଟାଣି ଚାଲିବାକୁ ପଡ଼ିବ ।

 

ତା’ ପରେ ଆସିଗଲା-ସାଲୁରୁ ବାଲୁରୁ ପୁଞ୍ଜିଏ, ପାଣି କାଦୁଅ ପଚ ପଚ-ଝଡ଼ି ବର୍ଷା-ଝପ ଝପ-ଟପ ଟପ । ଚାରିମାସ-ଆଷାଢ଼, ଶ୍ରାବଣ, ଭାଦ୍ର ଓ ଆଶ୍ୱିନ ପୂରା ଚାରିମାସ କାଳ । ବର୍ଷା ଚାଲିଚି ତ ଚାଲିଚି-ଏଇ ପିଠି ଓ ଏଇ ମୁଣ୍ଡଟି ଉପରେ ସବୁତକ ପାଣି । ଚାରିଟି ସରୁଆ ସରୁଆ ଗୋଡ଼ର ଚାରିଟା ଖୁରା ଉପରେ ସବୁତକ ବୋଝ-ଦିନ ଦିନ, ରାତି ରାତି-ଆଣ୍ଠିଏ କାଦୁଅରେ ପାଦ ଗଳି ପଡ଼ୁଚି, ନିଜ ଦିହଟାର ଓଜନ, ମାଲିକର ଓଜନ; ପୁଣି ଜିନିଷ ପତ୍ର, ମାଲିକର ଓଜନିଆ ମାଲପତ୍ର-ସବୁତକ ସେଇ ବୁଦ୍ଧଆଟିର କନ୍ଧ ଉପରେ ।

 

ବର୍ଷାପରେ ଆସିଯାଏ ‘‘କୁଙ୍କୁରି କାଙ୍କୁରି ପୁଞ୍ଜିଏ ।’’କାର୍ତ୍ତିକ, ମାର୍ଗଶିର, ପୌଷ ଆଉ ମାଘ ମାସ । ସବୁଆଡ଼େ ଶୀତ, ସମସ୍ତେ ତ ଅଳ୍ପ ବହୁତେ ଘୋଡ଼ାଘୋଡ଼ି ହୋଇ କୁଙ୍କୁରି କାଙ୍କୁରି । କିନ୍ତୁ ବୁଦ୍ଧିଆ ବଳଦର ବାପ ମାଆ କେହି ନାହିଁ । କୋହଲା ପାଗ ଉପରେ ବେଳେ ବେଳେ ଝଡ଼ବର୍ଷା ଓ କାଦୁଅ ପଚ ପଚ । ସବୁ ମାଡ଼ ବୁଦ୍ଧିଆ ଉପରେ । ଚୁନି ମିଆଁ ମାଲିକ ତା’ର ମାଆ ବାପ; ଯାହା ତା ଦୟା ।

 

ମିଆଁଙ୍କ ସାନ ପୁଅର ନାଆଁ-ସମ୍‌ସର୍‌ ଅଲି, ସାନପିଲା । କିଛି ସେ କରିପାରୁ କି ନ ପାରୁ ବୁଦ୍ଧିଆର ଦୁଃଖ ସେଇ ଏକା ବୁଝେ । ସେ ଯେତେବେଳେ ପାଞ୍ଚ ଛଅ ବଷରପିଲା, ଠିକ୍‌ ସେତିକି ବେଳକୁ ବୁଦ୍ଧିଆଟି ବଳଦପଣିଆ କରିବା ପାଇଁ ଏଙ୍କ ଘରକୁ କିଣା ହୋଇ ଆସିଲା, ସେ ପିଲାକୁ ଇଏ ପିଲା । ବେଳେ ବେଳେ ପାଖକୁ ଆସି ବୁଦ୍ଧିଆକୁ ସେ ଆଉଜି ପଡ଼େ, ଆଉଁସି ଦିଏ । ତା’ପିଠି ଉପରକୁ ଚଢ଼ି ବସିପଡ଼େ, ତା’ କାନ ଦିଇଟାକୁ ଧରି ଖେଳେ । ବୁଦ୍ଧିଆ ତାକୁ ସିଙ୍ଗ ଉଠାଏ ନାହିଁ କି ନାତ ମାରେ ନାହିଁ । ସେଏ ବି ସମ୍‌ସରର ସ୍ନେହ ମମତା ବୁଝେ । ରାତି ଦଶଟାଯାକେ ତାଆରି ଫେରନ୍ତି ବାଟକୁ ସମ୍‌ସର୍‌ ଅନାଇଁ ବସିଥାଏ, ଶଗଡ଼ ଫେରିଲେ ବୁଦ୍ଧିଆ ଯୁଆଳିତଳୁ ମୁକ୍ତିପାଏ । ସିଏ ପୁଣି କି ମୁକ୍ତି ? ଶଗଡ଼ ଯୁଆଳିତକୁ ତାକୁ ଗୁହାଳ ଭିତରକୁ ନିଆଯାଏ । ବେକର ପଘାଟା ଯୁଆଳି ବଦଳର ଖୁଣ୍ଟରେ ବନ୍ଧାଯାଏ । ହେଲେବି ତା’ ଦୁଃଖର ଅପେକ୍ଷାକୃତ ପରିବର୍ତ୍ତନ । ଛଅ ସାତଘଣ୍ଟା ପାଇଁ ବନ୍ଧନ ଭିତରେ ବିଶ୍ରାମ ମାତ୍ର, ସେତିକି ବେଳକୁ ପହୁଞ୍ଚି ଯାଏ ସମ୍‌ସର୍‌-‘‘ମୋ ବୁଦ୍ଧିଆରେ’’ ବୋଲି ସେ ଇଆ ପିଠିଉପରକୁ ଆଉଜି ପଡ଼ି ବେକରେ ଝୁଲେ । ଖାଇବା ପାଇଁ ପାଟିରେ ପୂରାଇ ଚୋବାଉଥିବା ପାଳପୁଳିକ ବୁଦ୍ଧିଆର ଖସିପଡ଼େ ବିକଳରେ ନୁହେଁ-ସ୍ନେହରେ । ସମ୍‌ସର୍‌ର ହାତକୁ ସେ ଆଦରରେ ଚାଟେ । ଏଇ ହେଲା ଚତୁଷ୍ପଦ ବିକଳରେ ନୁହେଁ-ସ୍ନେହରେ । ସମ୍‌ସର୍‌ର ହାତକୁ ସେ ଆଦରରେ ଚାଟେ । ଏଇ ହେଲା ଚତୁଷ୍ପଦ ଓ ଦ୍ୱିପଦ ଜୀବ ଦୁଇଟିର ଆନ୍ତରିକ ଐକ୍ୟ ଏବଂ ସେତିକିରେ ଉଭୟଙ୍କର ଆନନ୍ଦ ଓ ସାନ୍ତ୍ୱନା ।

 

ବୁଦ୍ଧିଆ ହେଲା ଏ ଘରର ପୋଷଣକାରୀ ଜୀବ । ତାହାରି ଅକ୍ଳାନ୍ତ ପରିଶ୍ରମରୁ ହିଁ ଏ ଘରକୁ ପଇସା ଆସେ । ପଇସାରୁ ଆସେ ଚାଉଳ, ଡାଲି, ପନିପରିବା, ଦୁଧ, ମାଛ, ଅଣ୍ଡା, ମୁରଗୀ ସବୁଯାକ । ତା’ଆରି ରୋଜଗାର ପଇସାରେ ସମସ୍ତଙ୍କର ଲୁଗାପଟା କୁର୍ତ୍ତା ଜାମା ସବୁ ଜିନିସ । ତା’ଆରି ଉପାର୍ଜ୍ଜନରେ ଦି’ ଦିଇଟା ପୁଅପିଲା ପାଠପଢ଼ି ମଣିଷ ହେଉଛନ୍ତି । ତା’ଆରି ରୋଜଗାର ପଇସାରେ ଦି’ ଦିଇଟା ଝିଅ ଏଘରୁ ବିଭା ହୋଇ ପର ଘରକୁ ଗଲେଣି । ଆଉ ହେଇଟି, ତା’ଆରି ଶ୍ରମ-ଦୁଃଖାର୍ଜିତ ଭଡ଼ା ଅର୍ଥରେ ସମ୍‌ସର୍‌ ଆଜି ଆଇ:ଏ: ପାସକରି ବି.ଏ. ପଢ଼ୁଛି ।

 

ବେଳେବେଳେ ସମ୍‌ସର୍‌ ଭାବେ-ସତେ ତ ! ଠିକ୍‌ ଏଇଥି ପାଇଁ ବୋଧହୁଏ ଲୋକେ ଏ ଜାତିକୁ ଦେବତା ବୋଲି କହି ବୁଲୁଚନ୍ତି ହେ ! ଗାଈର ଦୁଧ ଆଉ ବଳଦର ଶ୍ରମ ଉପରେ ମଣିଷ ପିଲାର ଜୀବନ ଓ କୃଷି ନିର୍ଭର କରୁଚି, ମାଲପତ୍ର ନେବା ଆଣିବା ଓ ନିଜେ ଯିବା ଆସିବା ପାଇଁ ତାକୁ ହିଁ ସମ୍ୱଳ କରୁଥିଲା ମଣିଷ ଜାତି, ତା’ଆରି ମଳମୂତ୍ର ମଣିଷର ଶସ୍ୟ କ୍ଷେତ୍ରକୁ ବଳ ଦିଏ, ଶକ୍ତି ଦିଏ, କୃଷି ବର୍ଦ୍ଧିତ କରାଏ । ଫଳପ୍ରସୂ ଭୂଇଁ ମାଆର ଉତ୍ପାଦିକା ଶକ୍ତି ତାଆରି ଉପରେ ନିର୍ଭର କରେ । ସଭ୍ୟତାର ଧନଜୀବନ ଓ ଗୌରବର ଯର୍ଥାତ୍‌ ପରିପୁଷ୍ଟି ସାଧନ କରିଥାଏ ଠିକ୍‌ ଏକ ଜାତିର ଜୀବ । ସମ୍‌ସର୍‌ ବି:ଏ: ପଢ଼ୁଛି । ସେ କଲେଜକୁ ବାହାରି ପଡ଼ିବାର ଦୁଇତିନି ଘଣ୍ଟା ପୂର୍ବରୁ ଏକବଳଦିଆ ଗାଡ଼ିଟିକୁ ଭିଡ଼ିନେଇ ବୁଦ୍ଧିଆ ବାହାରି ଯାଏ, ଚୁନିମିଆଁ ବୁଢ଼ାହେଲେଣି ଏବଂ ବୁଦ୍ଧିଆ ବି ବୁଢ଼ା ହୋଇ ଆସିଲାଣି । ଶଗଡ଼ ଚଳାଇବା ପାଇଁ ମିଆଁ ଏବେ ରଖି ନେଇଛନ୍ତି ଜଣେ ମୂଲିଆ । ନାଆଁ ତା’ର ମକ୍‌ବୁଲ୍‌, ତାଆରି ଦୟା ଉପରେ ବୁଦ୍ଧିଆ ନିର୍ଭର କରୁଚି ଏବେ । ଶଗଡ଼ଟଣାରେ ଦିନକୁ ଯାହା ରୋଜଗାର ହୁଏ ସେଥିରୁ ଭାଗ ନିଏ ମକ୍‌ବୁଲ୍‌, ବେଶି ପଇସା ପାଇବା ପାଇଁ ସେଇ ମକ୍‌ବୁଲ୍‌ ବେଶି ମାଲବାଲା ମାଲିକ ବାଛେ । ଗାଡ଼ି ଉପରେ ଜବର ବୋଝ ଲଦି ବଳଦକୁ ମାଡ଼ ଚଢ଼ାଏ । ଖାଇବା ପିଇବାକୁ ବି ମକ୍‌ବୁଲ୍‌ ତାକୁ ହେଳାକରେ ଓ ଊଣାକରି ଫାଇଦା ଉଠାଏ । ଧୀରେ ଧୀରେ ବୁଦ୍ଧିଆର ତାକତ କମିଯାଉଚି । ସେ ଗାଡ଼ି ଚଳାଇବାର ବର୍ଷେ ଦେଢ଼ ବର୍ଷ ଭିତରେ ବୁଦ୍ଧିଆ ପୂରା ଦମରେ ଦୁର୍ବଳିଆ ହୋଇ ପଡ଼ିଲା । ତା’ପରେ ଆସିଗଲା ସାଲୁରୁ ବାଲୁରୁ ଦିନ । ଧାରା ଶ୍ରାବଣରେ ମୁଷଳ ଧାର । ଠିକ୍‌ ତା’ଆରି ଭିତରେ ଦିନେ ମକ୍‌ବୁଲ୍‌ ମଧୁ ପାଟଣାରୁ ଲୁହା ଲକ୍‌ଡ଼ି ବୋଝେ ଶଗଡ଼ରେ ଲଦି ଲିଙ୍କରୋଡ଼ ବାଟେ ଶଗଡ଼ ଅଡ଼ାଉଚି । ଓଜନିଆ ବୋଝଟାଣି ଚାଲି ନ ପାରିଲାରୁ ମକ୍‌ବୁଲ୍‌ ବଳଦ ଉପରେ ପାଏଁ ପାଏଁ ପାଞ୍ଚଣ ମାଡ଼ କସି ଦେଉଚି, ପିଠି, ପିଚା ଆଉ ମୁହଁ, ଥୋମଣି କୌଣସିଟି ବାଦ ଯାଉନାହିଁ । ସୁଉ ସୁଉ ପବନଟା ବୋଝେଇ ଶଗଡ଼ଟାକୁ ରାସ୍ତାକଡ଼କୁ ଠେଲି ପକାଉଚି । ଦେଖୁ ଦେଖୁ ଝଙ୍କାଳିଆ ପବନଟା ଶଗଡ଼ ଖଣ୍ଡକୁ ଠେଲିନେଇ ରାସ୍ତାକଡ଼କୁ ଓଲଟେଇ ପକାଇଲା । ଉପରେ ତ ଲୁହାର ବୋଝ, ପାଦତଳେ କାଦୁଅ ପାଣିରେ ଆଣ୍ଠୁତଳ ଯାକେ ଗଳିପଡ଼ୁଚି । ସମ୍ଭାଳି ନ ପାରି ବୁଦ୍ଧିଆ ପେଲି ହୋଇଗଲା । ଆଗିଲି ପିଛିଲି ଗୋଡ଼ଦୁଇଟାତା’ର ଶଗଡ଼ କଡ଼ର ଇଟା ସିମେଣ୍ଟ ନାଳ ଭିତରେ ଗଳି ପଡ଼ିଲା । ଲୁହାବୋଝ ଓ ଶଗଡ଼କୁ ମିଶେଇ ବୁଦ୍ଧିଆ ତାଆରି ତଳେ ଓଲଟି ପଡ଼ି କଚାଡ଼ି ହୋଇଗଲା, ଏଣେ ବେକଯୁଆଳି ତଳେ ତଣ୍ଟିଚିପି ହୋଇଯାଉଚି ତ, ତେଣେ ନଳା ଭିତରେ ଗୋଡ଼ଦୁଇଟାର ନଳିହାଡ଼ ମଡ଼ ମଡ଼ ଭାଙ୍ଗି ଚୂନା ହୋଇଗଲା ।

 

ମକ୍‌ବୁଲ୍‌ର ପାଟି ଶୁଣି ପାଖଆଖ ଲୋକେ ଧାଇଁ ଆସିଲାରୁ ବୁଦ୍ଧିଆର ଜୀବନଟା ରହିଗଲା । ଖବର ପାଇଁ ଚୁନିମିଆଁ ଆସିଲେ ଏବଂ ସମ୍‌ସର୍‌ ଆସିଲା । ବର୍ଷାରେ ତିନ୍ତିବୁଡ଼ି ସମ୍‌ସର୍‌ ବୁଦ୍ଧିଆ କଡ଼କୁ ବସିପଡ଼ି ତା’ ମୁହଁଟାକୁ କୋଳକୁ ଭିଡ଼ିନେଲା, ଦେଖିଲା, ବୁଦ୍ଧିଆର ଦି’ ଆଖିରୁ ଲୁହଧାର ବହିଯାଉଛି । ସମସର୍‌ କହି ଉଠିଲା ଆରେ ହେ ବୁଦ୍ଧିଆ, ମତେ କିଏ ବି:ଏ: ପାସ୍‌ କରାଇବ କିରେ ? ମତେ ତୁଇ ବଞ୍ଚେଇ ମଣିଷ କରିଚୁରେ ବୁଦ୍ଧିଆ ? ମରିବା ଯାକେ ମୁଁ ତୋ ଋଣ ସୁଝି ପାରିବି ନାଇଁରେ ବୁଦ୍ଧିଆ ! କେମିତି ତୁ ଭଲ ହେବୁରେ ବୁଦ୍ଧିଆ ? ନିଜେ ତୁ ଜୀବନଟାଯାକ କଷ୍ଟ ସହି ସହି ଆମ ବଉଁଶଟାକୁ ତୁଇ ବଞ୍ଚେଇ ରଖିଚୁ ରେ ବୁଦ୍ଧିଆ ? ଆଲ୍ଲା ତୋତେ ଭଲକରି ଦିଅନ୍ତୁରେ ବୁଦ୍ଧିଆ !

 

ଉଠାଉଠି କରି ଶଗଡ଼ ଖଣ୍ଡକରେ ତାକୁ ଗୁହାଳକୁ ଅଣାଗଲା । ଡାକ୍ତର ତାକୁ ଦେଖିଯାଇ କହିଲେ, ବୁଦ୍ଧିଆାର ଗୋଡ଼ହାଡ଼ ଆଉ ଯୋଡ଼ି ହବନାହିଁ । ବାପପୁଅ ଭିତରେ ବଚସା ଆରମ୍ଭ ହୋଇଗଲା । ନିତି ପ୍ରତିର ଘଟନା ଇଏ । ଚାଲିଲା କେତେଦିନ । ବାପ କହେ-ମୁଁ ତ ହେଲି ଗରିବ ଲୋକ ଏ ଅକର୍ମାଟାକୁ ବଞ୍ଚାଇ ରଖିବି କେମିତି ? ଆଉ ବା କାହିଁକି ?

 

ପୁଅ କହେ-ମୁଁ ତାକୁ ପିଲାଟି ଦିନୁ ଦେଖୁଚି-ସେ ଆମ ସମସ୍ତଙ୍କୁ ପୋଷିଛି, ପାଳିଛି । ତାକୁ କଅଣ ଆମେ ସମସ୍ତେ ମିଶି ପୋଷି ପାରିବା ନାହିଁ କେମିତି ହେଲେ ? ତା’ର ଗୋଡ଼ ଦୁଇଟା ଅକର୍ମା ହୋଇଗଲା ବୋଲି ଆମେ କଅଣ ଏଡ଼େ ଅମଣିଷ ହେଲୁଁ ? ଆଲ୍ଲା କଅଣ ତୁମକୁ ଆମକୁ ଦୟା ମାୟା ବୋଲି କିଛି ଶିଖାଇ ନାହାନ୍ତି ?

 

ଶେଷକୁ ସମସର୍‌ କଥା ରହିଲା ନାହିଁ । ଏ ଘରେ ବାପ ହେଲେ କର୍ତ୍ତା । ଦିନେ ସେ ସମ୍‌ସର୍‌ ନ ଥିବାବେଳେ ଶହେଟା ଟଙ୍କାକୁ କଂସେଇକି ବିକିଦେଲେ । ସମ୍‌ସର୍‌ ଘରକୁ ଫେରି ସବୁକଥା ଶୁଣି ଉତ୍ତେଜିତ ହୋଇ ଉଠି କହିଲା-ସାମାନ୍ୟ ଶହେଟା ଟଙ୍କାପାଇଁ ବୁଦ୍ଧଆକୁ ତୁମେ ବିକିଦେଲ-କଂସେଇ ହାତରେ ? ସେ ତାକୁ ନେଲା ତ କାଟି ଦେବ । ତା ମାଂସ ବିକିବ, ତାଠୁ କିଣିଆଣି ତୁମେ ଆମେ ବି ଖାଇବା । ଇଆ ଆଲ୍ଲା, ଆମ ସମସ୍ତଙ୍କୁ ସେ ପୋଷି ପାଳି ମଣିଷ କରୁଥିଲା । ଶେଷକୁ ଆମେ ହିଁ ତା ମାଉଁସ ଖାଇ ପେଟ ପୂରେଇବା ? ତୁମେ ଥାଅ ବାପା, ମୁଁ ଯାଉଚି ।

 

ଉତ୍ତେଜିତ ଭାବେ ସମ୍‌ସର୍‌ ଘରୁ ବାହାରିଗଲା । ଯେତେ ଯିଏ ଡାକିଲେ ଶୁଣିଲା ନାହିଁ କି ଲେଉଟିଲା ନାହିଁ । ଦି’ ଦିନପରେ-ଦିନ ନଅଟା ଦଶଟା ହେବ; ବକ୍‌ସିବଜାର ଆଡ଼ୁ କିଲ୍ଲା ଆଡ଼କୁ ଚାଲିଛି ସମ୍‌ସର୍‌ । ଭୋକ ଉପାସରେ ବାଇବାତୁଳ ପରି ମନକୁ ମନ ବକ୍‌ ବକ୍‌ ହୋଇ ଚାଲିଛି । କହୁଚି-ଏଇମାନେ କହୁଛନ୍ତି-ଯନ୍ତ୍ରପାତି ଓ କଳ କବ୍‌ଜାକୁ ନେଇ ସଭ୍ୟତାର ଚକକୁ ଆଗକୁ ଗଡ଼େଇବେ । ଆଜିକାଲିର ଦିନରେ ପ୍ରଧାନମନ୍ତ୍ରୀ ଶଗଡ଼ ଗାଡ଼ିରେ ଚଢ଼ି ଦିଲ୍ଲୀ ସହରର ସବଦରଜଙ୍ଗ ଠାରୁ ରାଷ୍ଟ୍ରପତି ଭବନଯାକେ ଚାଲିଛନ୍ତି-ଇଏ କଅଣ, ବୃଥା ପ୍ରଦର୍ଶନୀ ଯାତ୍ରା ମାତ୍ର ? ଆଜି ପେଟ୍ରୋଲର ଅଭାବ, କୋଇଲାର ଅଭାବ, ଇଲେକ୍‌ଟ୍ରିକ୍‌ର ଅଭାବ, ଲୁହାର ଅଭାବ, ତେବେ କେଉଁ ବଳରେ ସଭ୍ୟତା ଆମକୁ ବଞ୍ଚାଇ ରଖି ବାଟ ଚଳାଇବା ହେ ?

 

ହଠାତ୍‌ ଗୋଟିଏ ଚିଲ ଘାଉଁକିନା ଉଡ଼ିଆସି ତାଆରି ସାମନାରେ ବସି ପଡ଼ିଲା । ଥଣ୍ଟରେ ତା’ର ମୋଟା ହାଡ଼ରୁ ଖଣ୍ଡେ ଓ ପୁଳାଏ ନାଲିଆ ମାଉଁସ । ଅଦୂରରେ ଥିବା ଶିଳ୍ପ ଡିରେକ୍‌ଟରଙ୍କ ଉଞ୍ଚାକୋଠା ଛାତ ଉପରେ ବସି ପଡ଼ିଛନ୍ତି ଦଶ ପନ୍ଦରଟା ଚିଲ ଶାଗୁଣା । ତା’ର ଆର ପଟକୁ ଗୋମାଂସବିକା କିଲ୍‌ଖାନା । ସେ ପଟକୁ ଷ୍ଟାଡ଼ିଅମ୍‌ ଓ ବଡ଼ କୋଠା ଘରଟାଏ । ଘରଟା ହେଲା ଭୈରବ ମହାନ୍ତିଙ୍କ ପ୍ରାସାଦ । ଷ୍ଟାଡ଼ିୟମ ତୋଳା ଯିବାର ପରେ ପରେ ହୁଏତ ଏ ଘରଟା ତୋଳା ଯାଇଛି । ବହୁ ଅର୍ଥ ବ୍ୟୟରେ କେବଳ ସେଇ ଘରଟିକୁ ବୋଧହୁଏ କଟକ ମ୍ୟୁନିସିପାଲିଟି ଗଭୀର ପାଣିପୋତି ରାସ୍ତାଟିଏ ତିଆରି କରିଚି ।

 

ସମ୍‌ସର୍‌ ତଳେ ବସିରହି ଭାବିଲା-ହେଇଟି, ହୁଏତ ମୋହରି ବୁଦ୍ଧିଆର ମାଉଁସରୁ ପୁଳାପୁଳା କରି କିଣିନେଇ ଯାଉଛନ୍ତି ଲୋକ କେହି କେହି । ପୋଷଣହାରୀ ବନ୍ଧୁଟା ସାଙ୍ଗରେ ଆଉ ଦେଖା ହେବ ନାହିଁ । ଯିଏ ସାରାଜୀବନ ଆମକୁ ପୋଷୁଥିଲା, ଶେଷକୁ ତାଆରି ମାଂସ ହାଡ଼କୁ ବିକିଦେଇ ଆମେ କୃତଜ୍ଞତାର ଶେଷ ନିଦର୍ଶନ ଦେଖାଇଲୁ ହେ ?

 

ଚିଲ କେତୁଟା ମୁଣ୍ଡ ଉପରେ ଚକ୍‌କର ଦେଇ ଉଡ଼ୁଚନ୍ତି ଓ ଗୋଟାକର ଥଣ୍ଟରୁ ପୁଳାଏ ମାଉଁସ ସମ୍‌ସର୍‌ ସାମନା ଉପରେ ନାଥୁକିନା ଖସି ପଡ଼ିଲା । ଚମକି ଉଠି ସମ୍‌ସର୍‌ କିଲ୍ଲା ଆଡ଼କୁ ପଳାଇଗଲା । ସତେ କି ତାଆରି ପଛେ ପଛେ ବୁଦ୍ଧିଆର ଅନ୍ତରାତ୍ମା ଗୁମୁରି ଗୁମୁରି କାନ୍ଦି ଜଣାଉଚି-ମୁଁ ମରିଗଲିରେ ସମ୍‌ସର୍‌ । ମୋର ଗଳାଟାକୁ ମାଡ଼ିବସି କାଟି ପକାଇଲାରେ । ମୋ’ ଦେହରୁ ଚମଡ଼ା କାଢ଼ି ଚୋଟ ଚୋଟ କରି ହାଣି ଖଣ୍ଡ ଖଣ୍ଡ କଲେରେ ! ମୋରି ହାଡ଼ ମାଉଁସକୁ ବିକୁଚନ୍ତି ରେ ସମ୍‌ସର୍‌ ! ତୁଇ ଏକାଥିଲୁ ମୋର ଦରଦୀ ବନ୍ଧୁରେ ସମ୍‌ସର୍‌ ଭାଇ ! ସ୍ୱାର୍ଥସର୍ବସ୍ୱ ଦୁନିଆର ମମତାର ମୂଲ୍ୟ କିଏ ଦବରେ ବନ୍ଧୁ ?

————

 

ଫୁଟନ୍ତା ଗୋଲାପ

ଅଧ୍ୟାପକ ଜାନକୀ ବଲ୍ଲବ ମହାନ୍ତି

 

ଆପଣ ନ ଥିଲେ କେବେ

ଅନ୍ତିମ ସ୍ୱାକ୍ଷରକାରୀ ଅନେକ ନଥିର

ନ ଥିଲେ ତ ନିର୍ବାଚନ-ମଞ୍ଚ ପରେ

ସଫଳ ନାୟକ

କେହି କେବେ ଦେଇ ନାହିଁ ଫୁଲମାଳା, ମାନପତ୍ର

ଆପଣଙ୍କୁ ପ୍ରତିଯୋଗିତାରେ

ତୋରଣ ବି ହୋଇନି ସଜ୍ଜିତ ଆପଣଙ୍କ ସ୍ୱାଗତ ଆଶାରେ ।

 

କିନ୍ତୁ....ଅନାବୃତ ବହୁ କୁଲାୟରେ

ଆପଣ ତ ଉଷ୍ମତାର ପରମ ଆଶ୍ୱାସ

ସୁରଞ୍ଜିତ ଇନ୍ଦ୍ରଧନୁ ଅନ୍ଧକାର ଅନେକ ଆକାଶେ

ଓ ଅନେକ ଅନ୍ଧକାର ସକାଳେ ମଧୁ ସମ୍ଭାବନା;

ଅନେକ ଉଷର ପରେ ଅବାରିତ ଜଳର ପ୍ରବାହ

 

ଆରଣ୍ୟ ସବୃଦ୍ଧି ତଳେ ଅମରୀ ଗୁଳ୍ମର

ଆପଣ ହିଁ ଏକମାତ୍ର ଫୁଟନ୍ତା ଗୋଲାପ

ଏଣୁ ଆପଣଙ୍କ ଲାଗି

ଅନେକ ଓଠରେ ହସ

ଓ ଆଖିରେ ଅଶ୍ରୁର ଚନ୍ଦନ

ସବୁ କ୍ଷୟ ମଳିନତା ପରେ

ଜୟ ହେଉ ଗୋଲାପର

ଜୟ ହେଉ ଦେହଳୀର ଅନ୍ଧାକାରେ

ଶୀତ ପ୍ରକମ୍ପିତ ଭୀତ ପ୍ରାଣ-ପ୍ରବାହର ।

————

 

ସାହିତ୍ୟ ସମ୍ୱାଦ

ତା ୩-୫-୭୪ ରିଖ ଅପରାହ୍ନ ଘ୬-୩୦ରେ ଭୁବନେଶ୍ୱରସ୍ଥ କଳାମଣ୍ଡପଠାରେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଶାର ୧୫ ଜଣ ବୟୋବୃଦ୍ଧ ବିଶିଷ୍ଟ ସାହିତ୍ୟକଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶାର ଶିକ୍ଷା ଏବଂ ସାଂସ୍କୃତିକ ବ୍ୟାପାର ବିଭାଗ ମନ୍ତ୍ରୀ ତଥା ଏକାଡ଼େମୀ ସମୂହର ସଭାପତି ଶ୍ରୀ ଯଦୁନାଥ ଦାଶ ମହାପାତ୍ର ପୌରୋହିତ୍ୟ କରିଥିଲେ ଏବଂ ଶ୍ରୀ ଗୋପୀନାଥ ମହାନ୍ତି, ଡଃ କାହ୍ନୁଚରଣ ମିଶ୍ର, ଶ୍ରୀ କାହ୍ନୁଚରଣ ମହାନ୍ତି, ଡଃ ଜାନକୀବଲ୍ଲଭ ମହାନ୍ତି, ଶ୍ରୀ ଯତୀନ୍ଦ ମୋହନ ମହାନ୍ତି ଏବଂ ଡଃ ଗୋପାଳ ଚନ୍ଦ୍ର ପ୍ରମୁଖ ବହୁ ବିଶିଷ୍ଟ ସାହିତ୍ୟିକ ଯୋଗଦାନ କରିଥିଲେ ।

 

ଉତ୍ସବ ଆରମ୍ଭରେ ସଭାପତି ସମ୍ମାନିତ ସାହିତ୍ୟିକମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଏକାଡ଼େମୀ ସମୂହର ସମ୍ପାଦକ ଶ୍ରୀ ମନୋରଞ୍ଜନ ଦାସ ସାହିତ୍ୟିକମାନଙ୍କୁ ସମ୍ୱୋଧନ କରି କହିଲେ ଯେ, ସେମାନଙ୍କୁ ସମ୍ମାନିତ କରିବାଦ୍ୱାରା ଏକାଡ଼େମୀ ତଥା ଓଡ଼ିଶାର ଜନସାଧାରଣ ପ୍ରକୃତରେ ନିଜକୁ ସମ୍ମାନିତ କରୁଛନ୍ତି ।

 

ଶ୍ରୀ ଦାଶ ମହାପାତ୍ର ସାହିତ୍ୟିକମାନଙ୍କୁ ମାନପତ୍ର ଓ ପ୍ରୀତ୍ୟୁପହାର ପ୍ରଦାନ କରିବା ପରେ ଏକ ସଂକ୍ଷିପ୍ତ ଭାଷଣରେ କହିଲେ ଯେ, ଓଡ଼ିଶାର ସାହିତ୍ୟିକମାନଙ୍କ ଅବସ୍ଥା ଭଲନୁହେଁ । ଅନ୍ୟ ରାଜ୍ୟ ପରି କେବଳ ସାହିତ୍ୟ ଉପରେ ନିର୍ଭର କରି ସ୍ୱଚ୍ଛନ୍ଦରେ ଜୀବନ ଯାପନ କରିବା ଓଡ଼ିଶାରେ ଆଦୌ ସମ୍ଭବପର ନୁହେଁ ।

 

ଏ ଦୁର୍ଦ୍ଦଶା ଘୁଞ୍ଚାଇବା ପାଇଁ ପାଠାଗାର ଆନ୍ଦୋଳନ ମାଧ୍ୟାମରେ ଜନସାଧାରଣଙ୍କୁ ସାହିତ୍ୟ ପ୍ରତି ଆକୃଷ୍ଟ କରିବା ପାଇଁ ସରକାରଙ୍କ ତରଫରୁ ଉଦ୍ୟମ କରାଯିବ ବୋଲି ସେ ସୂଚନା ଦେଇଥିଲେ ।

ଉତ୍ସବ ଶେଷରେ ନୃତ୍ୟଶିଳ୍ପୀ କୁମାରୀ ବିଜୟଲକ୍ଷ୍ମୀ ମହାନ୍ତି ଓଡ଼ିଶୀ-ନୃତ୍ୟ ପ୍ରଦର୍ଶନ କରିଥିଲେ ।

 

ସମ୍ମାନିତ ସାହିତ୍ୟିକମାନଙ୍କୁ ପ୍ରଦାନ କରାଯାଇଥିବା ମାନପତ୍ରର ନକଲ ଏବଂ ସେମାନଙ୍କ ସମ୍ପର୍କରେ ସଂକ୍ଷିପ୍ତ ସୂଚନା (ପୃଷ୍ଠା ୮୩ ଠାରୁ ୯୭) ଦିଆଗଲା ।

 

ମାନନୀୟ ଶ୍ରୀଯୁକ୍ତ ଶଶିଭୂଷଣ ମିଶ୍ର

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସରଣୀୟ ।

କବି ଏବଂ ନାଟ୍ୟକାର ଭାବରେ ଆପଣଙ୍କର କୃତିତ୍ୱ ଅଭିନନ୍ଦନୀୟ ।

ଦୀର୍ଘକାଳ ଧରି ନିରବଚ୍ଛିନ୍ନ ଭାବରେ ଆପଣ ଓଡ଼ିଆ ସାହିତ୍ୟର ସେବାରେ ନିଜକୁ ନିୟୋଜିତ କରି ଆସି ଅଛନ୍ତି ।

 

ଆଜି ଏହି ଶୁଭ ଅବସରରେ ‘ଓଡ଼ିଆ ସାହିତ୍ୟ ଏକାଡ଼େମୀ’ ଆପଣଙ୍କ ସାହିତ୍ୟିକ କୃତିତ୍ୱକୁ ଅଭିନନ୍ଦିତ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ଶଶିଭୂଷଣ ମିଶ୍ର

ଶ୍ରୀ ମିଶ୍ର ସମ୍ୱଲପୁର ଜିଲ୍ଲାର ଡାଲଶ୍ରୀଗିଡ଼ା (ବରଗଡ଼) ଗ୍ରାମରେ ୧୮୯୭ ମସିହା ଜାନୁଆରୀ ପହିଲା ଦିନ ଗ୍ରହଣ କରିଥିଲେ । ଆଇ. ଏସ୍‌ସି. ପାସ କରି ୧୯୧୭ ଠାରୁ ୧୯୬୭ ମସିହା ପର୍ଯ୍ୟନ୍ତ ଶିକ୍ଷକତା କରିବା ପରେ ସେ ଅବସର ଗ୍ରହଣ କରିଛନ୍ତି ।

ଲେଖାବଳୀ:- ଚାତୁର୍ଯ୍ୟ ଗଳ୍ପସାଗର, ସମ୍ୱଲପୁରୀ ରସ-ସଙ୍ଗୀତ, ଗାଉଁଲି ଗପ, ଶ୍ରୀ ଗାନ୍ଧିଗୀତା, ହତ୍ୟାକାରୀ କିଏ ?, ଛଦ୍ମବେଶୀର ସନ୍ଧାନ

 

ମାନନୀୟ ଶ୍ରୀଯୁକ୍ତ ଗୋଲୋକଚନ୍ଦ୍ର ପ୍ରଧାନ

ମହୋଦୟ,

ବାଣୀ ଆରାଧନାରେ ଆପଣଙ୍କର ସମଗ୍ର ଜୀବନ ଅତିବାହିତ ହୋଇଅଛି ।

ପ୍ରାଚୀନ ଓଡ଼ିଆ-ସାହିତ୍ୟରୁ ପ୍ରେରଣା ଲାଭକରି ଆପଣ କାବ୍ୟ କବିତା ରଚନାରେ ମନୋନିବେଶ କରିଅଛନ୍ତି । ଆପଣଙ୍କ ପ୍ରଣୀତ କାବ୍ୟ ସମୂହରେ ଭାଷାବିନ୍ୟାସଚାତୁରୀ, ଅଳଙ୍କାର ବିନ୍ୟାସ-କୌଶଳ, ରସ ପରିବେଷଣପାଟବ ଓ ବିଭିନ୍ନ ରାଗ-ରାଗଣୀ ପ୍ରୟୋଗ ନୈପୁଣ୍ୟ ଅତି ଉଚ୍ଚକୋଟୀର ।

 

‘ପୂର୍ଣ୍ଣଚନ୍ଦ୍ର ଭାଷାକୋଷ’ର ସହ-ସଂକଳକ ଭାବରେ ଓଡ଼ିଆ ଭାଷାକୁ ଆପଣଙ୍କର ଦାନ ସ୍ମରଣୀୟ ହୋଇ ରହିବ ।

ଆଜି ଏହି ଶୁଭ ଅବସରରେ ‘ଓଡ଼ିଆ ସାହତ୍ୟ ଏକାଡ଼େମୀ’ ଆପଣଙ୍କର ସାହିତ୍ୟ ପ୍ରତିଭାକୁ ଅଭିନନ୍ଦନ ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ଶ୍ରୀ ଗୋଲୋକ ଚନ୍ଦ୍ର ପ୍ରଧାନ

ଶ୍ରୀ ପ୍ରଧାନ ୧୯୦୧ ମସିହା ଜାନୁଆରୀ ୨୫ ତାରିଖ ଦିନ କଟକ ଜିଲ୍ଲାର ଗୋପାଳପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଦୀର୍ଘକାଳ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସହକାରୀ ସଂକଳୟିତା ଭାବରେ କାର୍ଯ୍ୟ କରି କିଛିକାଳ ଶିକ୍ଷକତା କରିବା ପରେ ଶ୍ରୀ ପ୍ରଧାନ ବର୍ତ୍ତମାନ ଅବସର ଜୀବନ ଯାପନ କରୁଅଛନ୍ତି ।

 

ଲେଖାବଳୀ:- ଇନ୍ଦୁରେଖା, ସତ୍ୟଭାମା, ଦକ୍ଷିଣା, ଅର୍ଜ୍ଜୁନ, ଦେବ-କୂଟ ତୁଳସୀ ବିଳାସ (ପ୍ରକାଶିତ) ।

ଅପ୍ରକାଶିତ-ଶାଣ୍ଡିଲୀ, ତ୍ରୟୀ, ରଘୁନାଥ, ଶ୍ରୀକୃଷ୍ଣ, ଧୀରେନ୍ଦ୍ର ଯୋଗ-ଦର୍ପଣ ।

 

ମାନନୀୟ ଶ୍ରୀଯୁକ୍ତ ରାମଚନ୍ଦ୍ର ସ୍ୱାଇଁ

ମହୋଦୟ,

ଓଡ଼ିଆ ଲୋକସାହିତ୍ୟର ଅନ୍ୟତମ କୃତୀ ନାଟ୍ୟକାର ଭାବରେ ଆପଣ ଓଡ଼ିଶାର ଜନସାଧାରଣଙ୍କ ନିକଟରେ ସୁପରିଚିତ ।

 

ଆପଣଙ୍କ ରଚିତ ଅଗଣିତ ଗୀତିନାଟ୍ୟ ଓ ଗୀତାଭିନୟ ବିଗତ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାର ଜନସାଧାରଣଙ୍କ ନିକଟରେ ଆପଣଙ୍କୁ ଅତ୍ୟନ୍ତ ପ୍ରିୟଭାଜନ କରିଅଛି ।

 

ନିଜସ୍ୱ ନାଟ୍ୟମଣ୍ଡଳୀ ଜରିଆରେ ଧାରାବାହିକ ଭାବରେ ଆପଣଙ୍କ ଗୀତିନାଟ୍ୟ ଏବଂ ଗୀତାଭିନୟମାନ ପ୍ରଚାର କରି, ଆପଣ ଓଡ଼ିଆ ଲୋକନାଟ୍ୟର ଯେଉଁ ପ୍ରଭୂତ ଉନ୍ନତି ସାଧନ କରିଅଛନ୍ତି, ତାହା ଅଭିନନ୍ଦନୀୟ ।

 

ଆଜି ଏହି ଶୁଭ ଅବସରରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ରାମଚନ୍ଦ୍ର ସ୍ୱାଇଁ

ଶ୍ରୀଯୁକ୍ତ ସ୍ୱାଇଁ ୧୯୦୫ ମସିହା ଅପ୍ରେଲ ୨ ତାରିଖରେ କଟକ ଜିଲ୍ଲାର ଗୋଠିଣା ନାମକ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଲୋକନାଟ୍ୟକାର ଏବଂ ନିର୍ଦ୍ଦେଶକ ଭାବରେ ସେ ଓଡ଼ିଶାରେ ସୁପରିଚିତ ।

 

ତାଙ୍କଦ୍ୱାରା ଲିଖିତ ୪୫ଖଣ୍ଡ ଗୀତିନାଟ୍ୟ ଓ ଗୀତାଭିନୟ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇଅଛି ଏବଂ ୨୦ଖଣ୍ଡ ପୁସ୍ତକ ଅପ୍ରକାଶିତ ରହିଛି ।

 

ମାନନୀୟ ଶ୍ରୀଯୁକ୍ତ ଅନନ୍ତ ରଥ

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସ୍ମରଣୀୟ ।

କବି ଏବଂ ପ୍ରାବନ୍ଧିକ ଭାବରେ ଆପଣଙ୍କର କୃତିତ୍ୱ ଅଭିନନ୍ଦନୀୟ ।

ଦୀର୍ଘକାଳ ଧରି ନିରବଚ୍ଛିନ୍ନ ଭାବରେ ଆପଣ ନିଜକୁ ଓଡ଼ିଆ ସାହିତ୍ୟର ସେବାରେ ନିୟୋଜିତ କରି ଆସିଅଛନ୍ତି ।

ଆଜି ଏହି ଶୁଭ ଅବସରରେ ‘ଓଡ଼ିଆ ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରାବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ଅନନ୍ତ ରଥ

ଶ୍ରୀ ରଥ ୧୯୦୫ ମସିହା ଅଗଷ୍ଟ ମାସରେ ପାରଳାଖେମୁଣ୍ଡି ଅନ୍ତର୍ଗତ ଗୁରାଣ୍ଡି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ବି.ଏ.ପାସ୍‌ କରିବା ଦୀର୍ଘକାଳ ଶିକ୍ଷକତା କରି ୧୯୬୪ ରେ ସେ ଅବସାପ୍ରାପ୍ତ ହୋଇଅଛନ୍ତି । ଶ୍ରୀ ରଥ ବହୁ ପ୍ରବନ୍ଧର ରଚୟିତା ।

 

ଲେଖାବଳୀ (ଅପ୍ରକାଶିତ) ଭଜନ କଳ୍ପଲତା, ଗୀତାର ବିଭିନ୍ନ ଆଭିମୁଖ୍ୟ, ଓଡ଼ିଶାର ପଥପ୍ରାନ୍ତେ, ନବ୍ୟ ସଭ୍ୟତା, ଗାନ୍ଧୀ ଚରିତ, ଶିକ୍ଷକ ଜୀବନର ସ୍ମୃତି ।

 

ମାନନୀୟ ଶ୍ରୀଯୁକ୍ତ ରାମାରଞ୍ଜନ ମହାନ୍ତି

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସ୍ମରଣୀୟ ।

ଏକାଧାରେ କବି, ଔପନ୍ୟାସିକ, ଗାଳ୍ପିକ ଏବଂ ନାଟ୍ୟକାର ଭାବରେ ଆପଣଙ୍କର କୃତିତ୍ୱ ଅଭିନନ୍ଦନୀୟ । ଓଡ଼ିଆ ଶିଶୁ ସାହିତ୍ୟକୁ ମଧ୍ୟ ଆପଣଙ୍କର ଅବଦାନ ଚିରସ୍ମରଣୀୟ ।

 

ଆଜି ଏହି ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରାବାନ୍ନିତ ମନେ କରୁଅଛି ।

 

ଶ୍ରୀ ରାମାରଞ୍ଜନ ମହାନ୍ତି

ଶ୍ରୀ ମହାନ୍ତି ୧୯୦୫ ମସିହା ଅକ୍ଟୋବର ୬ ତାରିଖ ଦିନ ପୁରୀଜିଲ୍ଲାର ପାରାଢ଼ିପ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଜଣେ ନିଷ୍ଠାପର କର୍ମୀ ଭାବରେ ଏବଂ ପରେ ସମାଜସେବୀ ଭାବରେ ମହାନ୍ତି ତାଙ୍କର ସମଗ୍ର ଜୀବନଯାପନ କରିଅଛନ୍ତି ।

 

ଲେଖାବଳୀ:-ଗୌଡ଼ବିଜେତା (ନାଟକ), ରାଜସିଂହାସନ (ନାଟକ) ବିକ୍ରମ ରାଏ (ନାଟକ), ଧାରା (ଗଳ୍ପ ସଂକଳନ) ।

 

ମାନନୀୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସିଂହ

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସ୍ମରଣୀୟ ।

ବହୁ କାବ୍ୟ- କବିତା ଏବଂ ନାଟକ ରଚନା କରି ଆପଣ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

ଆପଣଙ୍କ ରଚିତ ନାଟକ ଏବଂ କବିତାବଳୀର ସୁବୋଧ ଭାଷା ଓ ସଙ୍ଗୀତ, ଓଡ଼ିଶାର ପୁରପଲ୍ଲୀର ଅଗଣିତ ପାଠକ ପାଠିକାଙ୍କ ନିକଟରେ ଆପଣଙ୍କୁ ସୁପରିଚିତ କରିଅଛି ।

 

ଆଜି ଏହି ଶୁଭ ଅବସରରେ ‘ଓଡ଼ିଆ ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରାବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ଦେବେନ୍ଦ୍ର କୁମାର ସିଂହ

କଟକ ଜିଲ୍ଲାର ରାମବାଗ ଗ୍ରାମରେ ଶ୍ରୀ ସିଂହ ୧୯୦୮ ମସିହା ଜୁଲାଇ ୨୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଦୀର୍ଘ ୩୩ ବର୍ଷ ଚାକିରୀ କରିବା ପରେ ସେ ଅବସର ଗ୍ରହଣ କରି ବର୍ତ୍ତମାନ ସ୍ୱୀୟ ଗ୍ରାମରେ ଅବସ୍ଥାନ କରୁଅଛନ୍ତି ।

 

ଲେଖାବଳୀ: ପ୍ରକାଶିତ- ମୂର୍ଚ୍ଛନା (କବିତା) ଭଞ୍ଜକବି (ନାଟକ) ଭାନୁମତିର ପେଡ଼ି (ଏକାଙ୍କିକା)

ଅପ୍ରକାଶିତ- ଚନ୍ଦନ ଓ ଚାବୁକ, ବିଚିତ୍ରା, ବନ୍ଧନୀ, ଛିନ୍ନମସ୍ତା, ଅତୀତ ରାତ୍ରିର କବିତା, ଇତ୍ୟାଦି ।

 

ମାନନୀୟ ଡଃ ସଦାଶିବ ମିଶ୍ର

ମହୋଦୟ,

ଓଡ଼ିଶାର ଅନ୍ୟତମ ଶ୍ରେଷ୍ଠ ଶିକ୍ଷାବିତ୍‌ ତଥା ଅର୍ଥନୀତିଜ୍ଞ ଭାବରେ ଆପଣଙ୍କର ଖ୍ୟାତି ଆଜି କେବଳ ଓଡ଼ିଶାରେ ସୀମାବଦ୍ଧ ନୁହେଁ, ସମଗ୍ର ଭାରତରେ ପ୍ରସାରିତ ।

 

ବହୁ ଉଚ୍ଚକୋଟୀର ସାମାଜିକ ଓ ଅର୍ଥନୀତି ବିଷୟକ ପ୍ରବନ୍ଧ ରଚନା କରି ଓଡ଼ିଆ ଜନମାନସକୁ ସାଂପ୍ରତିକ ଘଟଣାବଳୀରେ ସଚେତନ କରିବା ସଙ୍ଗେ ସଙ୍ଗେ ଆପଣ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରି ଅଛନ୍ତି । ଆପଣଙ୍କ ସର୍ବଜନସ୍ୱୀକୃତ ପାଣ୍ଡିତ୍ୟ ଓ ଜ୍ଞାନଦୀପ୍ତ ବାଗ୍ମୀତ୍ୱ ଉତ୍ତରପୁରୁଷ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ।

 

ଆଜି ଏହି ଶୁଭ ଅବସରରେ ‘ଓଡ଼ିଆ ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଡଃ ସଦାଶିବ ମିଶ୍ର

ପ୍ରବୀଣ ଶିକ୍ଷାବିତ୍‌ ଏବଂ ଅର୍ଥନୀତିଜ୍ଞ ଡଃ ମିଶ୍ର ୧୯୦୯ ମସିହାରେ ପୁରୀଜିଲ୍ଲାର ବୀର ନରସିଂହପୁରରେ ଜନ୍ମଗ୍ରହଣ କରିଥିଲେ । ଅର୍ଥନୀତି ଅଧ୍ୟାପକ ରେଭେନ୍‌ସା ମହାବିଦ୍ୟାଳୟର ଅଧ୍ୟକ୍ଷ, ଓଡ଼ିଶା ଶିକ୍ଷା ବିଭାଗର ନିର୍ଦ୍ଦେଶକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ ତାଙ୍କର ସମଗ୍ର ଜୀବନ ଶିକ୍ଷା-କ୍ଷେତ୍ରରେ ହିଁ ଅତିବାହିତ ହୋଇଛି । ତାଙ୍କର ବହୁ ଉଚ୍ଚକୋଟୀର ଓଡ଼ିଆ ଏବଂ ଇଂରାଜୀ ପ୍ରବନ୍ଧ ଓଡ଼ିଆ ତଥା ଭାରତର ପତ୍ରପତ୍ରିକାମାନଙ୍କରେ ପ୍ରକାଶିତ ହୋଇଛି ।

 

ମାନନୀୟ ଶ୍ରୀଯୁକ୍ତ ଲୋକନାଥ ମିଶ୍ର

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସ୍ମରଣୀୟ । ଧାରାବାହିକ ଭାବରେ କାବ୍ୟ-କବିତାମାନ ରଚନା କରି ଆପଣ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

ପ୍ରାଚୀନ କାବ୍ୟ ଓ ପୁରାଣରେ ଉଚ୍ଚ ଆଦର୍ଶପୂର୍ଣ୍ଣ ଉପାଖ୍ୟାନ ଅବଲମ୍ୱନରେ ଆପଣ ଜନସାଧାରଣଙ୍କ ପାଇଁ ଯେଉଁ କାବ୍ୟ ରଚନା କରିଅଛନ୍ତି, ତାହା ସାଧାରଣ ପାଠକଙ୍କର ଉପଭୋଗ୍ୟ ସମ୍ପଦରେ ପରିଣତ ହୋଇଅଛି ।

 

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରାବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ଲୋକନାଥ ମିଶ୍ର

ଶ୍ରୀ ମିଶ୍ରଙ୍କର ଜନ୍ମ ୧୯୦୯ ମସିହା ଏପ୍ରିଲ ମାସ ୪ ତାରିଖରେ ପୁରୀଜିଲାର ଶରଣକୁଳ ଗ୍ରାମରେ ।

ଶ୍ରୀ ମିଶ୍ର ତାଙ୍କର ସମଗ୍ର ଜୀବନ ସମାଜସେବୀ ଭାବରେ ବିତାଇଛନ୍ତି । ଲେଖାବଳୀ: କବିତା-ଭାବନା, ଗୁଣ୍ଡିଚା ଭାବନା, ତ୍ୟାଗବୀର, ଆନ୍ଦୋଳନ, ସୀତା ଉଦ୍ଧାର, ସଂକୀର୍ଣ୍ଣତା, କୁରୁକ୍ଷେତ୍ର, ଚେତନା, ବର୍ତ୍ତମାନ, ରଘୁବଂଶ ।

ଗଦ୍ୟ-ନଭେମ୍ୱର ବାର୍ତ୍ତା, ଆମ ସମାଜବାଦ ଇତ୍ୟାଦି ।

 

ମାନନୀୟ ଶ୍ରୀଯୁକ୍ତ ପ୍ରହ୍ଲାଦ ପ୍ରଧାନ

ମହୋଦୟ,

ପ୍ରବୀଣ ଶିକ୍ଷାବିତ୍‌ ତଥା ଗବେଷକ ଭାବରେ ଆପଣ ସମଗ୍ର ଓଡ଼ିଶାରେ ସୁପରିଚିତ ।

 

ଆପଣ କେବଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁ ତତ୍ତ୍ୱପୂର୍ଣ୍ଣ ଗବେଷଣାତ୍ମକ ପ୍ରବନ୍ଧ ଓ ପୁସ୍ତକ ରଚନା କରି ନିଜର ପାରଦର୍ଶିତା ପ୍ରତିପାଦନ କରିନାହାନ୍ତି, ସଂସ୍କୃତ ଏବଂ ଇଂରାଜୀରେ ଆପଣଙ୍କର ପାଣ୍ଡିତ୍ୟପୂର୍ଣ୍ଣ ରଚନାବଳୀ ପାଇଁ ଆପଣ ସର୍ବଭାରତୀୟ ସ୍ତରରେ ଏକ ସମ୍ମାନାସ୍ପଦ ଆସନ ଗ୍ରହଣ କରିଛନ୍ତି ।

 

ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତି କଳ୍ପେ ଏବେ ମଧ୍ୟ ଆପଣଙ୍କର ସାଧନା ନିରବଚ୍ଛିନ୍ନ ।

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କର ସାହିତ୍ୟିକ ପ୍ରତିଭାକୁ ଅଭିନନ୍ଦିତ କରି ନିଜକୁ ଗୌରବାନ୍ନିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଅଧ୍ୟାପକ ପ୍ରହ୍ଲାଦ ପ୍ରଧାନ

ଅଧ୍ୟାପକ ପ୍ରଧାନଙ୍କର ଜନ୍ମ ୧୯୧୦ ମସିହା ଅଗଷ୍ଟ ୨୮ ତାରିଖରେ । ଉତ୍କଳ ବିଶ୍ୱବିଦ୍ୟାଳୟ ସଂସ୍କୃତ ବିଭାଗର ମୁଖ୍ୟ ଅଧ୍ୟାପକ ପଦବୀରୁ ଅବସର ଗ୍ରହଣ କରିବା ପରେ, ସେ ବର୍ତ୍ତମାନ ନିଜକୁ ସମ୍ପୂର୍ଣ୍ଣଭାବେ ସାହିତ୍ୟ ଏବଂ ସଂସ୍କୃତି ଗବେଷଣା କ୍ଷେତ୍ରରେ ନିୟୋଜିତ କରିଅଛନ୍ତି ।

 

ଲେଖାବଳୀ:- ଅଭିଧର୍ମ ସମୁଚ୍ଚୟ, ଅଭିଧର୍ମ କୋଶଭାଷାଂ, ପାଲି ଧର୍ମ୍ମପଦ ଓ ପାଲି ଭାଷାର କେତୋଟି ସମସ୍ୟା, ସାହିତ୍ୟାୟନ, Parajika of Dharma Guptak school. ଗଙ୍ଗାଧର ମେହେର (ହିନ୍ଦି) ।

 

ମାନନୀୟ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର

ମହୋଦୟ,

ସାଂପ୍ରତିକ ଓଡ଼ିଆ ସାହିତ୍ୟର ଅନ୍ୟତମ ପ୍ରତିଭାବାନ୍‌ ଔପନ୍ୟାସିକ ଭାବରେ ଆପଣ ସୁପ୍ରତିଷ୍ଠିତ ।

ବିଗତ ଚାଳିଶ ବର୍ଷ ମଧ୍ୟରେ ବହୁ ଉଚ୍ଚକୋଟୀର ଉପନ୍ୟାସ, କ୍ଷୁଦ୍ରଗଳ୍ପ, କବିତା, ନାଟକ ଏବଂ ପ୍ରବନ୍ଧ ରଚନାକରି ଆପଣ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଅଛନ୍ତି ।

 

ଔପନ୍ୟାସିକ ଏବଂ ଗାଳ୍ପିକ ଭାବରେ ଆପଣଙ୍କର ଅଭିନବ ରଚନାଶୈଳୀ ଏବଂ ଚରିତ୍ର ଚିତ୍ରଣ ଆପଣଙ୍କୁ ଏକ ସ୍ୱତନ୍ତ୍ର ଆସନରେ ଅଧିଷ୍ଠିତ କରିଅଛି ।

 

କବିତା, ପ୍ରବନ୍ଧ, ରମ୍ୟରଚନାରେ ଏବଂ ସାହିତ୍ୟ ପତ୍ରିକାର ସଂପାଦନାରେ ଆପଣଙ୍କ ସାଫଲ୍ୟ ଅଭିନନ୍ଦନୀୟ ।

 

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କର ବହୁମୁଖୀ ପ୍ରତିଭାକୁ ଅଭିନନ୍ଦିତ କରି ନିଜକୁ ଗୌରାବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ନିତ୍ୟାନନ୍ଦ ମହାପାତ୍ର

ଶ୍ରୀ ମହାପାତ୍ର ୧୯୧୨ ମସିହାରେ ଭଦ୍ରକରେ ଜନ୍ମଗ୍ରହଣ କରିଥିଲେ । ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ବଳିଷ୍ଠ ପ୍ରେରଣାରେ ତାଙ୍କର ସାହିତ୍ୟିକ ଜୀବନର ଆରମ୍ଭ । ବିଶିଷ୍ଟ ସାହିତ୍ୟିକ, ରାଜନୀତିଜ୍ଞ, ସମାଜସେବୀ ଏବଂ ସାମ୍ୱାଦିକ ଭାବରେ ସେ ଓଡ଼ିଶାରେ ସୁପରିଚିତ ।

 

ଲେଖାବଳୀ-

ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ସଙ୍କଳନ-ଜୀବନର ଲକ୍ଷ୍ୟ, ଜୀଅନ୍ତା ମଣିଷ, ହିଡ଼ମାଟି, ସୁଖର ସନ୍ଧାନେ, ଏଗାରଟା, ଧଳାଗାର କଳାକାର, ଜଳନ୍ତି ନିଆଁ, ଭୁଲ, ଭଙ୍ଗାହାଡ଼ । କବିତା-ମରମ, ପାଞ୍ଚଜନ୍ୟ, କାଳରଡ଼ି । ନାଟକ- ହରିଜନ ମନ୍ଦିର ପ୍ରବେଶ ।

 

 

ମାନନୀୟ ଶ୍ରୀଯୁକ୍ତ କେଦାରନାଥ ମହାପାତ୍ର

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସ୍ମରଣୀୟ ।

ଆଧୁନିକ ଉତ୍କଳର ଅନ୍ୟତମ ବିଶିଷ୍ଟ ଐତିହାସିକ, ପ୍ରତ୍ନତତ୍ତ୍ୱବିଦ୍‌, ତଥା ଗବେଷକ ଭାବରେ ବିଗତ ଅର୍ଦ୍ଧଶତାବ୍ଦୀ ଧରି ଆପଣ ବହୁ ଅଜ୍ଞାତ ତଥ୍ୟର ଉଦ୍ଧାରପୂର୍ବକ ଓଡ଼ିଆ ତଥା ସଂସ୍କୃତ ସାହିତ୍ୟର ଧାରାବାହିକ ଇତିହାସ ସଂକଳନର ପଥ ସୁଗମ କରିଅଛନ୍ତି ।

 

ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ଏବଂ ବହୁ ପୁରାତନ ରଚନାର ସଂକଳନ ତଥା ସୁସମ୍ପାଦକ ଭାବରେ ଆପଣ ଯଶସ୍ୱୀ ।

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କର ମହୀୟସୀ ପ୍ରତିଭାକୁ ଅଭିନନ୍ଦିତ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ଶ୍ରୀ କେଦାରନାଥ ମହାପାତ୍ର

ପ୍ରାଚୀନ କୀର୍ତ୍ତିମଣ୍ଡିତ ଏକାମ୍ରକ୍ଷେତ୍ର (ଭୁବନେଶ୍ୱର)ର ପ୍ରାଚୀନ ରାଜବୈଦ୍ୟ ପରିବାରରେ ଶ୍ରୀ ମହାପାତ୍ର ୧୯୧୨ ମସିହା ମାର୍ଚ୍ଚ ୧ ତାରିଖ ଜନ୍ମଗ୍ରହଣ କରିଥିଲେ । ବି. ଏ. ଏବଂ ବି. ଇଡ଼ି. ପାସ୍‌ କରିବା ପରେ ୧୯୪୩ ପର୍ଯ୍ୟନ୍ତ ଶିକ୍ଷାକତା, ତା’ପରେ ୧୯୫୦ ପର୍ଯ୍ୟନ୍ତ କଳାହାଣ୍ଡି ରାଜ୍ୟର ପ୍ରତ୍ନତତ୍ତ୍ୱ ଅଧ୍ୟକ୍ଷ ଏବଂ ତା’ପରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ତଥା ପ୍ରତ୍ନତତ୍ତ୍ୱ ବିଭାଗର ଅଧ୍ୟକ୍ଷଭାବରେ ଅବସ୍ଥାପିତ ହୋଇ ୧୯୭୧ ମସିହାରେ ଅବସର ଗ୍ରହଣ କରିଛନ୍ତି । ଶ୍ରୀ ମହାପାତ୍ର ଅନ୍ୟୂନ ୩୦୦ ଗବେଷଣାମୂଳକ ପ୍ରବନ୍ଧ ରଚନା କରିଅଛନ୍ତି ।

 

ଲେଖାବଳୀ :

ଇଂରାଜୀ- A Descriptive Catalogue of Sanskrit mss. Of Orissa.

ଓଡ଼ିଆ- ଖୋର୍ଦ୍ଧା ଇତିହାସ, ଶ୍ରୀଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ, ଖାରବେଳ, ତୋଷାଳୀର ଇତିହାସ, କଳ୍ପଲତା (ସମ୍ପା) ଚାଟ ଇଚ୍ଛାବତୀ (ସମ୍ପା) ପରିମଳା (ସମ୍ପା) କଳାବତୀ (ସମ୍ପା) ପ୍ରେମଲୋଚନା (ସମ୍ପା)

 

 

ମାନନୀୟ ଶ୍ରୀଯୁକ୍ତ ନବକିଶୋର ଦାସ

ମହୋଦୟ,

ଓଡ଼ିଆ ସାହିତ୍ୟକୁ ଆପଣଙ୍କର ଦାନ ଅବିସ୍ମରଣୀୟ ।

କବି, ଔପନ୍ୟାସିକ, ପ୍ରାବନ୍ଧିକ ଏବଂ ନାଟ୍ୟକାର ଭାବରେ ଆପଣଙ୍କର ପୁଷ୍କଳ ଅବଦାନ ଉତ୍କଳୀୟ ବାଣୀ-ଭଣ୍ଡାରକୁ ସମୃଦ୍ଧ କରିଅଛି ।

 

ଓଡ଼ିଆ ଏବଂ ଇଂରାଜୀ ‘‘ନବ୍ୟବାଦୀ’’ ପତ୍ରିକାର ସମ୍ପାଦକ ଭାବରେ ଆପଣଙ୍କ ନୂତନ ଚିନ୍ତାଧାରା ଆପଣଙ୍କକୁ ଜଣେ ପ୍ରଗତିଶୀଳ ଭାବୁକ ରୂପେ ସୁପରିଚିତ କରିଛି ।

 

ସ୍ୱର୍ଗତ ଉତ୍କଳଗୌରବ ମଧୁସୂଦନଙ୍କ ଜୀବନୀ ରଚନା କରି ଜୀବନୀ-ଲେଖକ ଭାବରେ ମଧ୍ୟ ଆପଣ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି ।

 

ଆଜି ଏହି ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କର ସାହିତ୍ୟିକ ପ୍ରତିଭାକୁ ଅଭିନନ୍ଦନ ଜ୍ଞାପନ କରି ନିଜକୁ ଗୌରାବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ନବକିଶୋର ଦାସ

ଶ୍ରୀ ନବକିଶୋର ଦାସ କଟକଜିଲ୍ଲାର ବରି ବାଗଦା ଗ୍ରାମରେ ୧୯୧୨ ମସିହା ଡିସେମ୍ୱର ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ସେ ବି.ଏ. ଏବଂ ବି.ଏଲ୍‌. ପାସ କରି କଟକଠାରେ ଆଇନ ବ୍ୟବସାୟ ଗ୍ରହଣ କଲେ । ସେ ବିଚ୍ଛିନ୍ନ ଉତ୍କଳର ଏକତ୍ରୀକରଣ ପାଇଁ ଆନ୍ଦୋଳନରେ ବିଶିଷ୍ଟ ଭୂମିକା ଗ୍ରହଣ କରିଥିଲେ । ଶ୍ରୀ ଦାସ ସୁଲେଖକ ଭାବରେ ଓଡ଼ିଶାରେ ଖ୍ୟାତି ଅର୍ଜନ କରିଅଛନ୍ତି ।

 

ଲେଖାବଳୀ:- କବିତାଗ୍ରନ୍ଥ-ମଞ୍ଜରୀ, ମୁକୁଳ; ଉପନ୍ୟାସ-ଅଗ୍ନେୟ-ଝର, ଛିନ୍ନ ଶୃଙ୍ଖଳ, ଖାନଦାନ; ପ୍ରବନ୍ଧ-ବିଶ୍ୱବାଣୀ;

ଜୀବନୀ-ଉତ୍କଳ ଗୌରବ ମଧୁସୂଦନ;

ନାଟକ-କୁହୁକ ବଇଁଶୀ ।

 

 

ମାନନୀୟ ଶ୍ରୀଯୁକ୍ତ ଅନିରୁଦ୍ଧ ଦାଶ

ମହୋଦୟ,

ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ ତଥା ଗବେଷକଭାବରେ ଆପଣ ଆଧୁନିକ ସାହିତ୍ୟ କ୍ଷେତ୍ରରେ ଏକ ସମ୍ମାନନୀୟ ଆସନର ଅଧିକାରୀ ।

 

ଆପଣଙ୍କ ପ୍ରଣୀତ ଓଡ଼ିଆ ଏବଂ ଇଂରାଜୀ ପୁସ୍ତକ ସମୂହ ଓଡ଼ିଶାର ଧର୍ମ, ସଂସ୍କୃତି ଏବଂ ଇତିହାସ ଗବେଷଣା କ୍ଷେତ୍ରରେ ନୂତନ ଦିଗନ୍ତର ସୁତ୍ରପାତ କରିଅଛି ।

 

Orissa Historical Research Journal ଏବଂ ଆଦିବାସୀ ଗ୍ରାମମଙ୍ଗଳ ସମ୍ପର୍କୀୟ ଗବେଷଣା ପତ୍ରିକା ‘‘ADIVASI’’ ର ସମ୍ପାଦକ ଭାବରେ ଓଡ଼ିଆ-ସାହିତ୍ୟ ଏବଂ ସଂସ୍କୃତିର ଉନ୍ନତି କଳ୍ପେ ଆପଣଙ୍କର ଆନ୍ତରିକ ପ୍ରଚେଷ୍ଟା ଅଭିନନ୍ଦନୀୟ ।

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରା ଅନିରୁଦ୍ଧ ଦାଶ

ଶ୍ରୀ ଦାଶ ୧୯୧୩ ମସିହା ଫେବୃଆରୀ ପହିଲା ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ଦୀର୍ଘ ୩୩ ବର୍ଷ ଚାକିରୀ କାଳ ପରେ ଶ୍ରୀ ଦାଶ ଆଇ. ଏ. ଏସ୍‌. ପଦବୀରୁ ଅବସର ଗ୍ରହଣ କରିଅଛନ୍ତି ।

 

ଦାୟିତ୍ୱପୂର୍ଣ୍ଣ ଶାସନକାର୍ଯ୍ୟରେ ନିୟୋଜିତ ରହି ମଧ୍ୟ ଶ୍ରୀ ଦାଶ ଓଡ଼ିଶାର ଶିକ୍ଷା ଏବଂ ସାଂସ୍କୃତିକ କ୍ଷେତ୍ର ସହିତ ବରାବର ସମ୍ପୃକ୍ତ ରହି ଆସିଛନ୍ତି ।

 

ଲେଖାବଳୀ:-ସ୍ୱର୍ଗଜା ସମର (କବିତା), ଶ୍ରୀ ଜଗନ୍ନାଥ ଓ ନେପାଳ, ମେରିଆ, ଶବର, ନବକଳେବର, ମହାପୁରୁଷ ନାନକ, ବୀର ସୁରେନ୍ଦ୍ର ସାଏ, ମହିମା ସ୍ୱାମୀ, Lord Jagannath & Nepal, Navakalevara, Santi Nanak, Origin & Dev. of Board of Revenue & Dvn. Commissioners.

 

 

ମାନନୀୟ ଶ୍ରୀଯୁକ୍ତ ଜୟକୃଷ୍ଣ ମିଶ୍ର

ମହୋଦୟ,

ଉତ୍କଳର ପ୍ରକୃତ ସୁଷମାକୁ କାବ୍ୟାୟିତ କରିବାରେ ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ସୁଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ କବିମାନଙ୍କ ମଧ୍ୟରେ ଆପଣ ଅନ୍ୟତମ ।

 

ଆପଣଙ୍କ ରଚିତ କାବ୍ୟ-ସମୂହ ପ୍ରତ୍ୟେକେ ଭାଷା, ଭାବ ଏବଂ ପ୍ରକୃତି ବର୍ଣ୍ଣନାରେ ରସାନ୍ୱିତ ।

ପ୍ରବୀଣ ଶିକ୍ଷାବିତ୍‌, ପଣ୍ଡିତ ଏବଂ ବାଗ୍ମୀ ରୂପରେ ଆପଣ ଓଡ଼ିଶାରେ ସର୍ବତ୍ର ସୁପରିଚିତ ।

 

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କ ସାହିତ୍ୟିକ ପ୍ରତିଭାର ଅଭିନନ୍ଦନ ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଅଧ୍ୟାପକ ଜୟକୃଷ୍ଣ ମିଶ୍ର

ଅଧ୍ୟାପକ ମିଶ୍ର କଟକ ଜିଲ୍ଲାର ତିଗିରିଆ ଅନ୍ତର୍ଗତ ଗୋପୀନାଥପୁର ଶାସନରେ ୧୯୧୩ ମସିହା ସେପ୍‌ଟେମ୍ୱର ମାସ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଏମ୍‌.ଏ. ଓ ଡି. ଇଡ଼ି୍‌. ପାସ୍‌ କରିବା ପରେ ଓଡ଼ିଶ ଶିକ୍ଷାବିଭାଗରେ ଅଧ୍ୟାପକ ଭାବରେ ଯୋଗଦାନ କରି ୧୯୬୮ରେ ଅବସର ଗ୍ରହଣ କରିବା ପରେ ବର୍ତ୍ତମାନ ବଡ଼ମ୍ୱାର ଏମ୍‌. ଏସ୍‌ କଲେଜର ଅଧ୍ୟକ୍ଷଭାବରେ ଅବସ୍ଥାପିତ ହୋଇଛନ୍ତି ।

 

ଲେଖାବଳୀ:-କାବ୍ୟ-ଅଂଶୁପା, ସପ୍ତଶର୍ଯ୍ୟା, ଚର୍ଚ୍ଚିକା, କପିଳାସ, ମାଲ୍ୟଗିରି, ସୁବର୍ଣ୍ଣ ମେରୁ, ସିଂହନାଥ, ମନୋରମା, ନିର୍ଦ୍ଦେଶିକା ।

 

 

ମାନନୀୟ ଶ୍ରୀଯୁକ୍ତ ଉମେଶଚନ୍ଦ୍ର ପାଣିଗ୍ରାହୀ

ମହୋଦୟ,

ଓଡ଼ିଆ-ସାହିତ୍ୟକୁ ଆପଣଙ୍କର ପୁଷ୍କଳ ଅବଦାନ ପାଇଁ ଆପଣ ଚିରସ୍ମରଣୀୟ ହୋଇ ରହିବେ ।

ଆଧୁନିକ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଜନପ୍ରିୟ, ଗାଳ୍ପିକ ଏବଂ ଭ୍ରମଣ ବୃତ୍ତାନ୍ତ ରଚୟିତା ଭାବରେ ଆପଣଙ୍କର ଶୈଳୀ ଆପଣଙ୍କୁ ଏକ ସମ୍ମାନନୀୟ ଆସନରେ ଅଧିଷ୍ଠିତ କରିଅଛି ।

 

ପୃଥିବୀର ବହୁ ଦେଶ ଭ୍ରମଣ କରି ଆପଣ ସ୍ୱୀୟ ଅଭିଜ୍ଞତା ସମ୍ୱଳିତ ଯେଉଁ ଭ୍ରମଣ ବୃତ୍ତାନ୍ତମାନ ରଚନା କରିଅଛନ୍ତି ତାହା ଓଡ଼ିଆ ପାଠକ ପାଠିକାଙ୍କର ଅତ୍ୟନ୍ତ ପ୍ରିୟଭାଜନ ହୋଇଛନ୍ତି ।

 

ଓଡ଼ିଆ ବ୍ୟତୀତ ହିନ୍ଦୀ, ଇଂରାଜୀ ଏବଂ ଅସମୀୟା ଭାଷାରେ ମଧ୍ୟ ଆପଣ ବହୁ ପୁସ୍ତକ ପ୍ରଣୟନ କରିଅଛନ୍ତି ।

ଆଜି ଏଇ ଶୁଭ ଅବସରରେ ‘ଓଡ଼ିଶା ସାହିତ୍ୟ ଏକାଡ଼େମୀ’ ଆପଣଙ୍କୁ ସମ୍ୱର୍ଦ୍ଧନା ଜ୍ଞାପନ କରି ନିଜକୁ ଗୌରବାନ୍ୱିତ ମନେ କରୁଅଛି ।

 

ସଭାପତି-ସମ୍ପାଦକ

 

ଶ୍ରୀ ଉମେଶଚନ୍ଦ୍ର ପାଣିଗ୍ରାହୀ

୧୯୧୭ ମସିହା ମାର୍ଚ୍ଚ ୨୮ ତାରିଖରେ ଶ୍ରୀ ପାଣିଗ୍ରାହୀଙ୍କର ଜନ୍ମ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଗ୍ରାମରେ । ସିନିଅର କେମ୍ୱ୍ରିଜ୍‌ ପର୍ଯ୍ୟନ୍ତ ଅଧ୍ୟୟନ କରିବା ପରେ ଶ୍ରୀ ପାଣିଗ୍ରାହୀ ହୋମିଓପାଥି ଶିକ୍ଷାଲାଭ କରିଥିଲେ । ଶ୍ରୀ ପାଣିଗ୍ରାହୀ ପୃଥିବୀର ବହୁ ଦେଶ ଭ୍ରମଣ କରି ସ୍ୱୀୟ ଅଭିଜ୍ଞତା ସମ୍ୱଳିତ ଭ୍ରମଣ ବୃତ୍ତାନ୍ତମାନ ରଚନା କରିଛନ୍ତି ।

 

ଲେଖାବଳୀ:-ଭ୍ରମଣ କାହାଣୀ-ପଥପ୍ରାନ୍ତେ, ଯାତ୍ରୀ, କେତେ ଜନପଦ, କେତେ ଜୀବନ (ଯନ୍ତ୍ରସ୍ଥ)

କ୍ଷୁଦ୍ରଗଳ୍ପ:-ଅଭିଶପ୍ତ, ଗତ ବସନ୍ତ, ଶାଳବନ ଡାକେ, ପ୍ରାଚୀ ଓ ପ୍ରତୀଚୀ, ନବଜାତକ, ଆଶ୍ରମିକା, ଉମେଶ ପାଣିଗ୍ରାହୀଙ୍କ ଗଳ୍ପ ସଞ୍ଚୟନ (ଯନ୍ତ୍ରସ୍ଥ) ।

ପ୍ରବନ୍ଧ:- ଅମର ଯାତ୍ରୀ, ଭାରତ ଯାତ୍ରୀ ଯୀଶୁ ଓ ଅନ୍ୟାନ୍ୟ ପ୍ରବନ୍ଧ (ଯନ୍ତ୍ରସ୍ଥ)

 

ଅନୁବାଦ:-ବେଦୁଇନ ଦେଶ, ତରୁଣ ତୁର୍କୀ, ଆଜିର ଆମେରିକା, ସେଦିନର ଚୀନ୍‌, ଇରାକ୍‌ ଯାତ୍ରା, ସିରିଆ ପଥେ, ତୁର୍କୀ ପଥେ, ଜାଗ୍ରତ ତୁରୁକ୍‌, ତୁର୍କୀର ସ୍ୱରୂପ, ବିଦାୟ ତୁର୍କୀ ।

ଅସମୀୟା- ସେପ୍‌ଟେମ୍ୱର, ପେଗୋଦା ଦେଶର କାବ୍ୟ, ଫିଲିପାଇନ୍‌ସର କାବ୍ୟ, ହିରୋଶିମାର କାବ୍ୟ, କୋଣାର୍କ-ଏଟି ଅକ୍ଷୟ ହାହାକାର, ଇତ୍ୟାଦି ।

ଇଂରାଜୀ-Thought & Japanese Zen Art. & Poetry

 

ସମ୍ପାଦକୀୟ

 

ଓଡ଼ିଆ ସାହିତ୍ୟର ପ୍ରାଚୀନତା ସଂପର୍କରେ ଦ୍ୱିମତର ଅବକାଶ ନାହିଁ । ପ୍ରାଚୀନ ଓଡ଼ିଆ ସାହିତ୍ୟ ଅତ୍ୟନ୍ତ ସମୃଦ୍ଧ ଓ ଶ୍ରୀସମ୍ପନ୍ନ ଥିଲା । କେବଳ ଓଡ଼ିଆ ଭାଷାର ଅବସ୍ଥିତି ଯୋଗୁ ଆମେ ୧୯୩୬ ମସିହାରେ ସ୍ୱତନ୍ତ୍ର ପ୍ରଦେଶ ପାଇ ନ ଥିଲୁ; କାରଣ କେବଳ ଭାଷାର ନିଛକ ଅବସ୍ଥିତ ଯଦି ସ୍ୱତନ୍ତ୍ର ପ୍ରଦେଶ ଗଠନର କାରଣ ହୋଇଥାନ୍ତା ତେବେ ଭାରତବର୍ଷରେ ହୁଏତ ଶତାଧିକ ପ୍ରଦେଶ ଗଠିତ ହୋଇଥାନ୍ତା । ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ତଥା ପ୍ରାଚୀନତା, ବଳିଷ୍ଠତା ଓ ଏହାର ଉନ୍ନତ ବିଭବହଁ ଏକ ସ୍ୱତନ୍ତ୍ର ପ୍ରଦେଶ ଗଠନଦିଗରେ ଆମକୁ ସହାୟକ ହୋଇଥିଲା । ଯେଉଁ ଭାଷାରେ ଐତିହ୍ୟ ଆମକୁ ସ୍ୱାତନ୍ତ୍ର୍ୟର ସୁଯୋଗ ଦେଲା, ସ୍ୱତନ୍ତ୍ର ହେବାପରେ ସେହି ଭାଷା-ମାତୃଭାଷାର ଉନ୍ନତି ନିମନ୍ତେ ଆମ୍ଭେମାନେ ଯେଉଁଯେଉଁ କର୍ତ୍ତବ୍ୟ ସମ୍ପାଦନ କରିବାର କଥା ତାହା କେତେଦୂର କରିଛୁ ଆଜି ତାହା ଆମ ସମସ୍ତଙ୍କର ବିଚାର୍ଯ୍ୟ । ସମସ୍ତେ ଜାଣନ୍ତି, ଆଜି ଓଡ଼ିଆ ସାହିତ୍ୟ ତଥା ପୁସ୍ତକ ବ୍ୟବସାୟ କ୍ଷେତ୍ରରେ ଏକ ସଂକଟଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବଜାରରେ କାଗଜର ଦୁଷ୍ପ୍ରାପ୍ୟ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଘୋର ଅନ୍ତରାୟ ସୃଷ୍ଟି କରିଛି । ଏପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟ ଜଗତରେ କୌଣସି ସାହିତ୍ୟିକ କେବଳ ସାହିତ୍ୟ ରଚନା କରି ନିଜର ଜୀବିକା ନିର୍ବାହ କରିବାର ସୁଯୋଗ ପାଇନାହାନ୍ତି । ଯେଉଁମାନେ ସାହିତ୍ୟ ରଚନା କରୁଛନ୍ତି ସମସ୍ତଙ୍କର ଜୀବିକା ନିର୍ବାହ ପାଇଁ ଅନ୍ୟ ଧନ୍ଦା ଅଛି । ନିଜର ଅବସର ସମୟରେ ସାହିତ୍ୟ ରଚନା କରି ସାହିତ୍ୟିକମାନେ ଏକ ମହାନ୍ ଜାତୀୟ କର୍ତ୍ତବ୍ୟ ସମ୍ପାଦନ କରୁଥିବା ବେଳେ ସେମାନଙ୍କୁ ସମ୍ମାନଜନକ ସାହାଯ୍ୟ କରିବା ଦିଗରେ ଘୋର ଅବହେଳା ଦେଖା ଦେଇଛି । ବର୍ତ୍ତମାନ ପୁସ୍ତକ ପ୍ରକାଶନ ଏକ ଅସମ୍ଭବ ବ୍ୟାପାରରେ ପରିଣତ ହେଲାଣି । ଏ ପରିସ୍ଥିତିରେ ଆମ ସାହିତ୍ୟକୁ ଆମେ ବଞ୍ଚାଇ ରଖିବା କିପରି ? ସାହିତ୍ୟକୁ ବଞ୍ଚାଇ ରଖି ଅନ୍ୟାନ୍ୟ ସାହିତ୍ୟ ସହିତ ତାଳଦେଇ ଆମେ ଆଗେଇ ନ ପାରିଲେ ସର୍ବଭାରତୀୟ ସ୍ତରରେ ଆମେ ପଛେଇଯିବା । ତେଣୁ ‘ସାହିତ୍ୟ’ ପ୍ରତି ପ୍ରତ୍ୟେକ ଓଡ଼ିଆ ଲୋକ ବର୍ତ୍ତମାନ ଆଗ୍ରହ ପ୍ରକାଶ କରିବା ଉଚିତ ଓ ଓଡ଼ିଆ ସାହିତ୍ୟର ପାଠକ ସଂଖ୍ୟା ବୃଦ୍ଧି ହେବା ଉଚିତ । ପାଠକ ବୃଦ୍ଧି କରିବାକୁ ହେଲେ ଓଡ଼ିଶାରେ ଶହ ଶହ ସଂଖ୍ୟାରେ ପାଠାଗାର ପ୍ରତିଷ୍ଠିତ ହେବା ଉଚିତ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସର୍ବତ୍ର ପାଠାଗାର ଆନ୍ଦୋଳନର ଆବଶ୍ୟକତା ରହିଛି । ପାଠାଗାର ଆନ୍ଦୋଳନ ଜରିଆରେ ଆମେ ଓଡ଼ିଆ ଲୋକଙ୍କର ପଠନ ଅଭ୍ୟାସ ବୃଦ୍ଧି କରିପାରିଲେ ବର୍ତ୍ତମାନ ଉପୁଜିଥିବା ସମସ୍ୟା କେତେକାଂଶରେ ସମାଧାନ ହୋଇ ପାରିବ ବୋଲି ଆମେ ବିଶ୍ୱାସ କରୁଛୁ ।

 

ଯେଉଁ ଜାତିର ସାହିତ୍ୟ ଯେତେ ଉନ୍ନତ-ସେ ଜାତି ସେତେ ସଭ୍ୟ । ଯେଉଁ ଜାତିର ଭାଷା ଯେତେ ବଳିଷ୍ଠ-ସେ ଜାତି ଅଗ୍ରଗତି କରିବା ଦିଗରେ ସେତେ କ୍ଷମ । ତେଣୁ ଓଡ଼ିଆ ସାହିତ୍ୟକୁ ସଂକଟଜନକ ପରିସ୍ଥିତିରୁ ଉଦ୍ଧାର କରିବା ପାଇଁ ଦଳ-ମତ-ଧର୍ମ ନିର୍ବିଶେଷରେ ପ୍ରତ୍ୟେକ ଓଡ଼ିଆ ଲୋକ ସେମାନଙ୍କର ପବିତ୍ର କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆମର ବିଶେଷ ଅନୁରୋଧ । ବିଶେଷ କରି ଓଡ଼ିଶାର ଶିକ୍ଷିତ ଏବଂ ଛାତ୍ର ସମାଜ ଏହି ସମସ୍ୟାର ଗୁରତ୍ୱ ଉପଲବ୍‌ଧି କରି ଓଡ଼ିଆ ଜାତିକୁ ଏ ଦିଗରେ ଦିଗ୍‌ଦର୍ଶନ ଦେବେ ବୋଲି ଆମେ କାମନା କରୁଛୁ ।

 

ଯଦୁନାଥ ଦାଶ ମାହାପାତ୍ର

ସଭାପତି, ଓଡ଼ିଶା ସାହିତ୍ୟ ଏକାଡ଼େମୀ

 

ଜ୍ଞାନପୀଠ ପୁରସ୍କାର

 

ପ୍ରଖ୍ୟାତନାମା ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କର ‘ମାଟିମଟାଳ’ ଉପନ୍ୟାସ ‘‘ଜ୍ଞାନପୀଠ’’ ପୁରସ୍କାର ଲାଭ କରିବା ଓଡ଼ିଶା ପକ୍ଷରେ ଗର୍ବ ଓ ଗୌରବର ବିଷୟ ।

 

‘‘ମାଟିମଟାଳ’’ ଉପନ୍ୟାସ ସାହିତ୍ୟ ରାଜ୍ୟରେ ଏକ ଅନବଦ୍ୟ ସୃଷ୍ଟି । ଏକ ବିରାଟ ଜଟିଳ ସମସ୍ୟାକୁ ଗଭୀର ମନନଶୀଳତାର ସହିତ ସମାଧାନ କରିବା ଦିଗରେ ଲେଖକ ଏ ଉପନ୍ୟାସରେ ଯେଉଁଭଳି ଭାବରେ ପରିକଳ୍ପନା କରିଛନ୍ତି ତାହା ଅତ୍ୟନ୍ତ ଆଦର୍ଶସ୍ଥାନୀୟ ।

 

ମଣିଷ ସଭ୍ୟତା ଆଜି ଏକ ସନ୍ଧିକ୍ଷଣର ସମ୍ମୁଖୀନ ହୋଇଛି । ନୂତନ ଓ ପୁରାତନର ଠିକ୍ ମଧ୍ୟବର୍ତ୍ତୀ ଇଲାକାରେ ମଣିଷ ଆଜି ମାନସିକ ଦ୍ୱନ୍ଦର ଚରମ ସୀମାରେ ଉପନୀତ ହୋଇଥିବା ବେଳେ ସମାଜର ପୁରାତନ ସଂଜ୍ଞାର ଲୋପ ପ୍ରାୟ ହୋଇଛି; ଅଥଚ ନୂତନ ସଂଜ୍ଞା ଏବେ ବି ନିର୍ଣ୍ଣୀତ ହୋଇନାହିଁ । ନୂତନ ଓ ପୁରାତନ ମଧ୍ୟରେ ସାଲିସ୍ କରି ଏକ ସରସ, ସୁନ୍ଦର ସମାଜ ଗଠନ ପାଇଁ ‘‘ମାଟିମଟାଳ’’ ଏକ ମନୋଜ୍ଞ ପରିକଳ୍ପନା ।

 

ସମ୍ପାଦକୀୟ

 

ଏ ଉପନ୍ୟାସର ସ୍ୱଚ୍ଛ, ସ୍ୱଚ୍ଛନ୍ଦ, ଛନ୍ଦୋବଦ୍ଧ ରଚନା-ଶୈଳୀ ସମଗ୍ର ବିଶ୍ୱସାହିତ୍ୟରେ ସୁନ୍ଦର ରଚନା-ଶୈଳୀର ନମୁନା ଭାବରେ ଗ୍ରହଣ ଯୋଗ୍ୟ ।

 

ବ୍ୟାସକବି ଫକୀର ମୋହନ ଆଧୁନିକ ଓଡ଼ିଆ ସାହିତ୍ୟ ସୌଧର ଯେଉଁ ସୁଦୃଢ଼ଭିତ୍ତି ସ୍ଥାପନ କରିଥିଲେ, ଓଡ଼ିଶାର ବହୁ ଲବ୍‌ଧ ପ୍ରତିଷ୍ଠିତ ସାହିତ୍ୟିକ ସେ ସୌଧ ନିର୍ମାଣ ପାଇଁ ନିଜ ନିଜର ଅମୂଲ୍ୟ ଦାନ ଦେଇ ଯାଇଛନ୍ତି । ଏବେ ଶ୍ରୀ ମହାନ୍ତି ତାଙ୍କ ନିରବଛିନ୍ନ ସାଧନା ଫଳରେ ଜ୍ଞାନପୀଠ ପୁରସ୍କାର ଲାଭକରି ସେହି ସୌଧକୁ ରମଣୀୟ ରୂପସଜ୍ଜାରେ ସଜାଇ ଦେଇ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ପାରିଲେ । ଆମର ବିଶ୍ୱାସ ତାଙ୍କର ନିରବଛିନ୍ନ ସାଧନା ଉତ୍ତର ପୁରୁଷ ପାଇଁ ପ୍ରେରଣାର ଅଫୁରନ୍ତ ଉତ୍ସ ହୋଇ ରହିବ । ତାଙ୍କର ସାଧନା ଓଡ଼ିଆ ସାହିତ୍ୟ ପାଇଁ ଯେଉଁ ସିଦ୍ଧି ଓ ଗୌରବ ଆଣିଦେଲା ସେଥିଲାଗି ଏଇ ଅବସରରେ ତାଙ୍କୁ ଆମେ ଆମର ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛୁ ।

ସମ୍ପାଦକ